କାଗଜ କଲମରେ ଦେଖିବାକୁ ଗଲେ, ଆସନ୍ତା ନଭେମ୍ବର ୧୮ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ, ଅର୍ଥାତ୍ ମୋଟ ୩୩ ଦିନ ପାଇଁ ଶୀତକାଳୀନ ଅଧିବେଶନର କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। କିନ୍ତୁ ଏହି ୩୩ ଦିନ ଗୃହ ସୁରୁଖୁରୁରେ ଚାଲିବ କି ନାହିଁ, ସେ ନେଇ ଏବେଠାରୁ ବଡ଼ ସନ୍ଦେହ ଓ କଳ୍ପନାଜଳ୍ପନା ସୃଷ୍ଟି ହେଲାଣି। କାରଣ ଅତୀତର ଘଟଣାବଳୀକୁ ଯଦି ଆମେ ଦେଖିବା, ତେବେ ବିଗତ ପ୍ରାୟ ଦୁଇଟି ଅଧିବେଶନ ଠିକ୍ ଭାବରେ ଚାଲିପାରି ନାହିଁ। ଏପରିକି ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନ ମାତ୍ର ୫ ଦିନ ଚାଲିବା ପରେ ଅଧାବାଟରେ ବନ୍ଦ ହୋଇଯାଇଥିଲା।ତେବେ ଏହି ଶୀତକାଳୀନ ଅଧିବେଶନକୁ ନେଇ କାହିଁକି ଏତେ ଆଶଙ୍କା? କେଉଁ ସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି? ଏବଂ ଶାସକ ଦଳ ବା କିପରି ଏହାର ମୁକାବିଲା କରିବ?
ଅତୀତର ଅନୁଭୂତି ଓ ମୌସୁମୀ ଅଧିବେଶନର ଅନ୍ତ
ପ୍ରଥମେ ନଜର ପକାଇବା ଗତ ମୌସୁମୀ ଅଧିବେଶନ ଉପରେ। ଗତ ମୌସୁମୀ ଅଧିବେଶନ ସମୟରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ‘ଏମଏମଡିଆର’ (Minor Minerals Development and Regulation) ଆଇନ ସଂଶୋଧନକୁ ନେଇ ସରକାରଙ୍କ ବିରୋଧରେ ଜୋରଦାର ହଟ୍ଟଗୋଳ କରାଯାଇଥିଲା। ବିଧାନସଭା ଭିତରେ ପ୍ରତିଦିନ ବିରୋଧୀ ଦଳର ସଦସ୍ୟମାନେ ପାଟିତୁଣ୍ଡ କରିବା ସହ ସରକାର ବିରୋଧୀ ନାରାବାଜି କରିଥିଲେ। ଯଦି ସରକାର ଏମଏମଡିଆର ପ୍ରସଙ୍ଗରେ ଆଲୋଚନା କରିଥାନ୍ତେ ତେବେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିବାକୁ ଶାସକ ଦଳକୁ ସୁଯୋଗ ମିଳିଥାନ୍ତା। କାରଣ ୨୦୧୫ରୁ ୨୦୨୪ ମଧ୍ୟରେ କେନ୍ଦ୍ର ସରକାର ୫ଥର ଏମଏମଡିଆର ଆଇନକୁ ସଂଶୋଧନ କରିଥିଲେ ହେଁ ବିଜେଡି ନୀରବ ରହି ସେହି ସଂଶୋଧନକୁ ସମର୍ଥନ କରିଥଲା। ସେହିସବୁ ସଂଶୋଧନରେ ରାଜ୍ୟର ଅଧିକାରକୁ କେନ୍ଦ୍ର ଛଡ଼ାଇ ନେଇଥିଲା।
ପରିସ୍ଥିତି ଏପରି ହୋଇଥିଲା ଯେ, ପ୍ରତିଦିନ ଗୃହ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ଭିତରେ ବାରମ୍ବାର ମୁଲତବୀ ହୋଇଯାଉଥିଲା। ଗୃହର କାର୍ଯ୍ୟକ୍ରମ ଆଗକୁ ବଢ଼ିପାରିନଥିଲା। ଶେଷରେ ସରକାର ବାଧ୍ୟ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନକୁ ଆଗୁଆ ବନ୍ଦ କରିଦେବାକୁ ପଡ଼ିଥିଲା।
ଏହି କାରଣରୁ ଏବେ ରାଜ୍ୟର ଜନସାଧାରଣ ଓ ରାଜନୈତିକ ସମୀକ୍ଷକମାନେ ଚିନ୍ତାରେ ଅଛନ୍ତି ଯେ, ଯଦି ୫ ଦିନିଆ ଅଧିବେଶନ ଚାଲିପାରିଲା ନାହିଁ, ତେବେ ୩୩ ଦିନର ଏହି ଦୀର୍ଘ ଶୀତକାଳୀନ ଅଧିବେଶନ କିପରି ସଫଳ ହେବ?
ଶୀତକାଳୀନ ଅଧିବେଶନରେ ଉଠିପାରୁଥିବା ମୁଖ୍ୟ ପ୍ରସଙ୍ଗ

ଆଗାମୀ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ କାଠଗଡ଼ାରେ ଠିଆ କରିବା ପାଇଁ ବିରୋଧୀ ଦଳମାନେ ଅସ୍ତ୍ର ଧାର ଦେଲେଣି। ବିଶେଷ କରି କିଛି ସମ୍ବେଦନଶୀଳ ପ୍ରସଙ୍ଗ ଏହି ଅଧିବେଶନରେ ବେଶ୍ ତୁମ୍ବିତୋଫାନ ସୃଷ୍ଟି କରିବାର ସମ୍ଭାବନା ରହିଛି:
୧. ଏସଆଇଆର (SIR) ଓ ରାଜନୈତିକ ଉତ୍ତାପ:
ବର୍ତ୍ତମାନ ଜାତୀୟ ତଥା ରାଜ୍ୟ ରାଜନୀତିରେ SIR ପ୍ରସଙ୍ଗ ଏକ ପ୍ରମୁଖ ବିଷୟ ପାଲଟିଛି। ରାଜ୍ୟର ଧାମନଗର ବିଧାନସଭା କ୍ଷେତ୍ରରେ ‘SIR’ ଆଳରେ ସ୍ଥାନୀୟ ମୁସଲିମ୍ ଲୋକମାନଙ୍କର ନାଁ ଭୋଟର ତାଲିକାରୁ ବା କଟାଯାଇଥିବା ନେଇ ପ୍ରଥମେ ବିଜେଡି ନେତାମାନେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହାପରେ ଏହି ପ୍ରସଙ୍ଗକୁ ଜାତୀୟ ସ୍ତରକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଶାସକ ଦଳକୁ କଡ଼ା ବିରୋଧ କରିବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡୁଛି।
୨. କୋଟିଆ ସୀମା ବିବାଦ:
ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆ ପ୍ରସଙ୍ଗ ସବୁବେଳେ ରାଜ୍ୟବାସୀଙ୍କ ଭାବବେଗ ସହ ଜଡ଼ିତ। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ସରକାରୀ କାର୍ଯ୍ୟକଳାପକୁ ନେଇ ବିରୋଧୀମାନେ ପୂର୍ବରୁ ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଏହି ଶୀତକାଳୀନ ଅଧିବେଶନରେ କୋଟିଆ ପ୍ରସଙ୍ଗ ସରକାରଙ୍କ ପାଇଁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ଏହି ପ୍ରସଙ୍ଗରେ ସରକାର ପୂର୍ବଭଳି ଆଲୋଚନାକୁ ନ ଡରି ଆଲୋଚନା କରିବା ଆବଶ୍ୟକ। କାରଣ ଏହି ପ୍ରସଙ୍ଗ ବିଜେପି ଶାସନ କାଳରେ ହୋଇନାହିଁ। ଖଣିଜ ସମ୍ପଦରେ ଭରପୁର ଥିବା କୋଟିଆର ୨୮ଟି ଗାଁ କୁ ୧୯୩୬ ମସିହାରୁ ଆନ୍ଦ୍ର ପ୍ରଦେଶ ସହିତ ଓଡ଼ିଶାର ଏହି ସୀମା ବିବାଦ ଲାଗିରହିଛି। ଏହି ସୀମା ବିବାଦ ସୁପ୍ରିମକୋର୍ଟରେ ବାରମ୍ବାର ପହଞ୍ଚିଥିଲେ ହେଁ ଏହାର ସମାଧାନ ହୋଇପାରୁନାହିଁ। ତେଣୁ କୋଟିଆକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଆକ୍ରମଣ କଲେ ହେଁ ତାହା ଦାନା ଧରିବ ନାହିଁ। କାରଣ ରାଜ୍ୟରେ କଂଗ୍ରେସ, ଜନତା ଦଳ, ଓ ବିଜେଡି ପ୍ରାୟ ୭୫ ବର୍ଷ ଶାସନ କରିସାରିଛନ୍ତି। ସେମାନେ ଏହି ବିବାଦକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି ବୋଲି ଶାସକ ଦଳ ପାଲଟା ଆକ୍ରମଣ କରିବାର ସୁଯୋଗ ରହିଛି।
୩. କୃଷକ ଓ ଚାଷୀ ସମସ୍ୟା:
ରାଜ୍ୟର କୃଷକମାନଙ୍କ ବିଭିନ୍ନ ସମସ୍ୟା—ଯଥା ଧାନ କିଣା, ସଠିକ୍ ମୂଲ୍ୟ, ବିହାର-ସାର ଯୋଗାଣ, ଏବଂ ଜଳସେଚନ ସମସ୍ୟାକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବା ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି।
ଶାସକ ଦଳର ରଣନୀତି ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି
ଅନ୍ୟପକ୍ଷରେ, ବିରୋଧୀଙ୍କ ଏଭଳି ଆକ୍ରମଣାତ୍ମକ ମନୋଭାବର ମୁକାବିଲା କରିବା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହେଉଛି। ବିରୋଧୀଙ୍କ ଅଭିଯୋଗର କାଉଣ୍ଟର୍ ଦେବା ପାଇଁ ସରକାର ଗତ କିଛି ମାସ ଭିତରେ ହାସଲ କରିଥିବା ସଫଳତା ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଗୃହରେ ଜୋରସୋରରେ ଉପସ୍ଥାପନ କରିବେ।
ସବୁଠାରୁ ବଡ଼ କଥା ହେଲା, ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଦଳ ଏହି ଅଧିବେଶନ କାଳରେ କିଛି ନୂଆ ଓ ଲୋକାଭିମୁଖୀ ଘୋଷଣା କରିପାରେ, ଯାହାକି ଗ୍ରାମାଞ୍ଚଳର ମତଦାତାଙ୍କୁ ଆକୃଷ୍ଟ କରିବ। ସରକାର ଚାହିଁବେ ଯେ, ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମଧ୍ୟ ଜନସାଧାରଣଙ୍କ ପାଇଁ ସକାରାତ୍ମକ ବାର୍ତ୍ତା ଦିଆଯାଉ।
ସମ୍ଭାବ୍ୟ ପରିଣତି
ଯଦିଓ ୩୩ ଦିନର ଏହି ଦୀର୍ଘ ଅଧିବେଶନ ଗଣତନ୍ତ୍ରର ମନ୍ଦିରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ତଥାପି ଗୃହରେ ସହମତି ଅଭାବ ଏବଂ ପରସ୍ପର ପ୍ରତି ଅବିଶ୍ୱାସ କାରଣରୁ ଏହା ବାରମ୍ବାର ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।
ଗଣତନ୍ତ୍ରରେ ଆଲୋଚନା ଓ ପରାମର୍ଶ ହିଁ ହେଉଛି ମୂଳଦୁଆ। ଯଦି ଶାସକ ଓ ବିରୋଧୀ ଉଭୟ ପକ୍ଷ ଜନସ୍ୱାର୍ଥକୁ ଆଗରେ ରଖି ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସହଯୋଗ ନ କରନ୍ତି, ତେବେ ରାଜ୍ୟର ଜନସାଧାରଣ କ୍ଷତିଗ୍ରସ୍ତ ହେବେ।ତେବେ ଆଗାମୀ ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି ଶୀତକାଳୀନ ଅଧିବେଶନ ପ୍ରକୃତରେ ସୁରୁଖୁରୁରେ ଚାଲିବ, କିମ୍ବା ପୁଣିଥରେ ହଟ୍ଟଗୋଳ ଏବଂ ମୁଲତବୀର ଶିକାର ହେବ—ତାହା ସମୟ ହିଁ କହିବ।
also read
https://purvapaksa.com/anshuman-to-leave-bjd/


