- ୧୨୦ ଭାରତୀୟଙ୍କ ପଛରେ ଖର୍ଚ୍ଚ ୩୮୩.୪କୋଟି
- ୧୦କୋଟିରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହେଲେ ୧୨ ଖେଳାଳି
- ଯୁବିଙ୍କ ରେକର୍ଡ ଭାଙ୍ଗିଲେ ୫ ଭାରତୀୟ
୨୦୨୫ ଆଇପିଏଲ ସିଜନ ପାଇଁ ମେଗା ନିଲାମ ଶେଷ ହୋଇଛି । ୨ଦିନ ମଧ୍ୟରେ ୧୦ଟି ଯାକ ଫ୍ରାଞ୍ଚାଇଜ ୧୮୨ଜଣ ଖେଳାଳିଙ୍କୁ କିଣିଛନ୍ତି ଓ ଏହି ବାବଦରେ ଖର୍ଚ୍ଚ କରିଛନ୍ତି ମୋଟ ୬୩୯.୧୫ କୋଟି ଟଙ୍କା । ଏଥର ନିଲାମ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି । ମୋଟ୍ ୨୧ଜଣ ଖେଳାଳି ୧୦କୋଟିରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହୋଇଛନ୍ତି । ଏଥିରେ ୧୨ଜଣ ଭାରତୀୟ ଖେଳାଳି ରହିଛନ୍ତି । ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ରିଷଭ ପନ୍ତ । ଏଥର ଫ୍ରାଞ୍ଚାଇଜମାନେ ବିଦେଶୀ ଖେଳାଳିଙ୍କ ଅପେକ୍ଷା ଭାରତୀୟଙ୍କ ଉପରେ ଅଧିକ ଭରସା କରିଛନ୍ତି । ପ୍ରଥମ ଥର ପାଇଁ ୫ଜଣ ଭାରତୀୟ ଦାମୀ ଖେଳାଳି ତାଲିକାର ପ୍ରଥମ ୫ଟି ସ୍ଥାନ ଅକ୍ତିଆର କରିଛନ୍ତି ।
ଯୁବିଙ୍କ ସର୍ବାଧିକ ଦାମ ରେକର୍ଡ ଭାଙ୍ଗିଲେ ୫ ଖେଳାଳି
୧୮ବର୍ଷର ନିଲାମ ଇତିହାସ ମଧ୍ୟରେ ସର୍ବାଧିକ ଦାମରେ ବିକ୍ରି ହୋଇଥିବା ଭାରତୟ ଖେଳାଳି ଥିଲେ ବାମହାତି ବ୍ୟାଟର ଯୁବରାଜ ସିଂହ । ୨୦୧୫ ନିଲାମରେ ଦିଲ୍ଲୀ ଡେୟାରଡେଭିଲ୍ସ(ବର୍ତ୍ତମାନ ଦିଲ୍ଳୀ କ୍ୟାପିଟାଲ୍ସ) ଯୁବିଙ୍କୁ ୧୬କୋଟି ଟଙ୍କାରେ କିଣିଥିଲା। ଏଥର ୫ଜଣ ଭାରତୀୟ ଖେଳାଳିଙ୍କ ଦାମ୍ ଯୁବିଙ୍କ ରେକର୍ଡ ଦାମ୍ ଠାରୁ ଅଧିକ ରହିଥିଲା । ରିଷଭ ପନ୍ତଙ୍କ ବ୍ୟତୀତ ଶ୍ରେୟାସ ଆୟର ୨୬.୭୫କୋଟି, ଭେଙ୍କଟେଶ ଆୟର ୨୩କୋଟି, ଅର୍ଶଦୀପ ସିଂହ ଓ ୟୁଝବେନ୍ଦ୍ର ଚହଲ ୧୮ କୋଟି ଟଙ୍କାରେ ବିକ୍ରି ହୋଇଥିଲେ ।
ଏଥର ଦାମୀ ଖେଳାଳି ତାଲିକାର ପ୍ରଥମ ୫ଟି ସ୍ଥାନ ଭାରତୀୟଙ୍କ ନାମରେ ରହିଥିଲା । ପୂର୍ବରୁ ଥରେ ମାତ୍ର ଏତେ ସଂଖ୍ୟକ ଭାରତୀୟ ଖେଳାଳି ଦାମୀ ତାଲିକାରେ ରାଜୁତି କରିଥିଲେ । ୨୦୧୧ନିଲାମରେ ଦାମୀ ତାଲିକାର ପ୍ରଥମ ୭ଟି ସ୍ଥାନରେ ଭାରତୀୟ ଖେଳାଳି ରହିଥିଲେ ।
ଯୁବିଙ୍କ ପରଠୁ ୯ବର୍ଷ ମଧ୍ୟରେ ୭ଥର ବିଦେଶୀ ଖେଳାଳି ସର୍ବାଧିକ ଦାମରେ ବିକ୍ରି ହେଉଥିଲେ । ୨୦୧୯ରେ ଭାରତୀୟ ଭାବେ ଜୟେଦବ ଉନାକାତ ଓ ବରୁଣ ଚକ୍ରବର୍ତ୍ତି ସର୍ବାଧିକ ୮.୪୦ କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ସେହିପରି ୨୦୨୨ରେ ଇଶାନ କିଷନଙ୍କ ବିକ୍ରି ମୂଲ୍ୟ ସର୍ବାଧିକ ୧୫.୨୫କୋଟି ଟଙ୍କା ରହିଥିଲା ।
ବିଦେଶୀଙ୍କ ମଧ୍ୟରେ ଆଫ୍ରିକାରୁ ସର୍ବାଧିକ ଖେଳାଳି
ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ସର୍ବାଧିକ ୧୪ଜଣ ଖେଳାଳି କିଣା ବିକା ହୋଇଥିଲେ । ମାତ୍ର ଇଂଲଣ୍ଡ ଖେଳାଳିଙ୍କ ପଛରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ୧୪ଜଣ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ ମାନେ ମୋଟ୍ ୪୭.୫କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଇଂଲଣ୍ଡରୁ ୧୨ଜଣ ଖେଳାଳିଙ୍କ ପଛରେ ଫ୍ରାଞ୍ଚାଇଜ୍ ଖର୍ଚ୍ଚ କରିଥିଲେ ୭୦.୨୫କୋଟି ଟଙ୍କା । ୩ଜଣ ଖେଳାଳିଙ୍କ ଦାମ ୧୦କୋଟିରୁ ଅଧିକ ରହିଥିଲା । ସେହିପରି ଅଷ୍ଟ୍ରେଲିଆର ୧୩ଜଣ ଖେଳାଳିଙ୍କ ପଛରେ ୬୬.୭କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ନ୍ୟୁଜିଲାଣ୍ଡର ୭ଜଣ ଖେଳାଳି ବିକ୍ରି ହୋଇଥିଲେ ଓ ଏମାନଙ୍କ ପଛରେ ୨୯.୦୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ଆଫଗାନିସ୍ତାନର ୬ଜଣ ଖେଳାଳିଙ୍କ ପଛରେ ୨୧.୯୫କୋଟି, ଶ୍ରୀଲଙ୍କାର ୬ଜଣ ଖେଳାଳିଙ୍କ ପଛରେ ୧୩.୯୫କୋଟି ଓ ୱେଷ୍ଟ ଇଣ୍ଡିଜର ୪ଜଣ ଖେଳାଳିଙ୍କ ପଛରେ ୬.୩୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
କେଉଁ ଦେଶରୁ କେତେ ଖେଳାଳି ବିକ୍ରି ହେଲେ
ଦେଶ | କିଣା ଖେଳାଳି | ମୋଟ ଖର୍ଚ୍ଚ | ୧୦+ କୋଟିରୁ ଅଧିକ |
ଭାରତ | ୧୨୦ ଜଣ | ୩୮୩.୪ କୋଟି | ୧୨ଜଣ |
ଦକ୍ଷିଣ ଆଫ୍ରିକା | ୧୪ ଜଣ | ୪୭.୫ କୋଟି | ୧ ଜଣ |
ଅଷ୍ଟ୍ରେଲିଆ | ୧୩ ଜଣ | ୬୬.୭ କୋଟି | ୩ ଜଣ |
ଇଂଲଣ୍ଡ | ୧୨ ଜଣ | ୭୦.୨୫ କୋଟି | ୩ ଜଣ |
ନ୍ୟୁଜିଲାଣ୍ଡ | ୭ ଜଣ | ୨୯.୦୫ କୋଟି | ୧ ଜଣ |
ଆଫଗାନିସ୍ତାନ | ୬ ଜଣ | ୨୧.୯୫ କୋଟି | ୧ ଜଣ |
ଶ୍ରୀଲଙ୍କା | ୬ ଜଣ | ୧୩.୯୫ କୋଟି | — |
ୱେଷ୍ଟ ଇଣ୍ଡିଜ | ୪ ଜଣ | ୦୬.୩୫ କୋଟି | — |
ଆୟରଙ୍କ ପଛରେ ସର୍ବାଧିକ ଡାକ
ନିଲାମରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଯୁବରାଜଙ୍କ (୧୬କୋଟି) ରେକର୍ଡ ଭାଙ୍ଗିଥିଲେ ଅର୍ଶଦୀପ ସିଂହ । ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ମାତ୍ର ଏହାର ୧୦ ମିନିଟ୍ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ଦେଇଥିଲେ ଆୟର । ତାଙ୍କୁ ମଧ୍ୟ ପଞ୍ଜାବ କିଙ୍ଗ୍ସ ୨୬.୭୫କୋଟି ଟଙ୍କରେ କିଣିଥିଲା । ସେ ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ଖେଳାଳି ହୋଇଥିଲେ । ମିଚେଲ ଷ୍ଟାର୍କଙ୍କ ୨୪.୭୫କୋଟି ଟଙ୍କା ରେକର୍ଡ ଭାଙ୍ଗିଥିଲେ । ଏହାର କିଛି କ୍ଷଣ ମଧ୍ୟରେ ଆୟରଙ୍କ ରେକର୍ଡ ଭାଙ୍ଗିଥିଲେ ରିଷଭ ପନ୍ତ ।
ନିଲାମରେ ଆୟରଙ୍କୁ ନେଇ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ବିଡ୍ ଜାରି ରହିଥିଲା । ତାଙ୍କ ପଛରେ କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଡାକ ଲଗାଇଥିଲେ । ସର୍ବାଧିକ ୧୦୩ ଥର ଡାକ ପରେ ପଞ୍ଜାବ ବିଡ୍ ଜିତିଥିଲା।
ଅର୍ଶଦୀପଙ୍କ ପଛରେ ସର୍ବାଧିକ ୭ଟି ଫ୍ରାଞ୍ଚାଇଜ୍ ଡାକ ଲଗାଇଥିଲେ । ସୁପରକିଙ୍ଗ୍ସ, ଦିଲ୍ଲୀ, ଗୁଜରାଟ, ରୟାଲ୍ ଚ୍ୟାଲେଞ୍ଜର୍ସ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସଙ୍କୁ ପଛରେ ପକାଇ ପଞ୍ଜାବ କିଙ୍ଗ୍ସ ଅର୍ଶଦୀପଙ୍କୁ କିଣିଥିଲା ।
ଖେଳାଳି କିଣାରେ କିଏ କେତେ ଖର୍ଚ୍ଚ କଲେ?
ଦଳ | କିଣା ଖେଳାଳି | ଡାକ ଖେଳାଳି | ଡାକରେ ବିଫଳ | ମୋଟ୍ ଖର୍ଚ୍ଚ | ୫କୋଟି | ୧୦କୋଟି |
ଚେନ୍ନାଇ ସୁପରକିଙ୍ଗ୍ସ | ୨୦ ଜଣ | ୪୫ ଜଣ | ୧୩ ଜଣ | ୫୪.୯୫ କୋଟି | ୦୩ ଜଣ | ୦୧ ଜଣ |
ଦିଲ୍ଲୀ କ୍ୟାପିଟାଲ୍ସ | ୧୯ ଜଣ | ୪୦ ଜଣ | ୧୦ ଜଣ | ୭୨.୯୫ କୋଟି | ୦୬ ଜଣ | ୦୩ ଜଣ |
ଗୁଜରାଟ ଟାଇଟନ୍ସ | ୨୦ ଜଣ | ୩୩ ଜଣ | ୦୭ ଜଣ | ୬୮. ୮୫ କୋଟି | ୦୪ ଜଣ | ୦୩ ଜଣ |
କୋଲକାତା ନାଇଟରାଇଡର୍ସ | ୧୫ ଜଣ | ୨୫ ଜଣ | ୦୫ ଜଣ | ୫୦.୯୫ କୋଟି | ୦୨ ଜଣ | ୦୧ ଜଣ |
ଲକ୍ଷ୍ନୌ ସୁପରଜାଏଣ୍ଟ୍ସ | ୧୯ ଜଣ | ୩୯ ଜଣ | ୦୭ ଜଣ | ୬୮.୯୦ କୋଟି | ୦୪ ଜଣ | ୦୧ ଜଣ |
ମୁମ୍ବାଇ ଇଣ୍ଡିଆନ୍ସ | ୧୮ ଜଣ | ୪୨ଜଣ | ୧୫ ଜଣ | ୪୪.୮୦ କୋଟି | ୦୪ ଜଣ | ୦୧ ଜଣ |
ପଞ୍ଜାବ କିଙ୍ଗ୍ସ | ୨୩ ଜଣ | ୪୭ ଜଣ | ୧୯ ଜଣ | ୧୧୦.୧୫ କୋଟି | ୦୫ ଜଣ | ୦୪ ଜଣ |
ରୟାଲ୍ ଚ୍ୟାେଲଞ୍ଜର୍ସ | ୧୯ ଜଣ | ୪୦ ଜଣ | ୧୧ ଜଣ | ୮୨.୨୫ କୋଟି | ୦୭ ଜଣ | ୦୪ ଜଣ |
ରାଜସ୍ଥାନ ରୟାଲ୍ସ | ୧୪ ଜଣ | ୨୯ ଜଣ | ୧୧ ଜଣ | ୪୦.୭୦ କୋଟି | ୦୩ ଜଣ | ୦୧ ଜଣ |
ସନରାଇଜର୍ସ ହାଇଦ୍ରାବାଦ | ୧୫ ଜଣ | ୩୪ ଜଣ | ୦୮ ଜଣ | ୪୪.୮୦ କୋଟି | ୦୩ ଜଣ | ୦୨ ଜଣ |
ପ୍ରଭାବିତ କଲା ଇମ୍ପାକ୍ଟ ପ୍ଲେୟାର ନିୟମ
ଇମ୍ପାକ୍ଟ ପ୍ଲେୟାର ନିୟମ ଏଥର ନିଲାମ ଉପରେ ବଡ଼ ପ୍ରଭାବ ପକାଇଥିଲା । ଫ୍ରାଞ୍ଚାଇଜମାନେ ଅଲ୍ରାଉଣ୍ଡରଙ୍କ ଅପେକ୍ଷା ସ୍ପୋଶାଲିଷ୍ଟ ବ୍ୟାଟର ଓ ବୋଲରଙ୍କ ଉପରେ ଅର୍ଥ ଲଗାଇବାକୁ ଗୁରୁତ୍ୱ ଦେଇଥିଲେ ।
ନିଲାମରେ ଏଥର ମୋଟ ୭୧ ଜଣ ସ୍ପେଶାଲିଷ୍ଟ ବୋଲର ବିକ୍ରି ହୋଇଥିଲେ । ଏହି ବାବଦରେ ଫ୍ରାଞ୍ଚାଇଜ ଖର୍ଚ୍ଚ କରିଥିଲେ ୨୮୪.୦୫କୋଟି ଟଙ୍କା । ସେହିପରି ୩୨ଜଣ ସ୍ପେଶାଲିଷ୍ଟ ବ୍ୟାଟର ବିକ୍ରି ହୋଇଥିଲେ ଓ ଏହା ପଛରେ ୧୧୭.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବ୍ୟାଟରଙ୍କ ପଛରେ ଖର୍ଚ୍ଚ ହୋଇଥିବା ଖର୍ଚ୍ଚର ୨୨.୮୫% ଅର୍ଥ କେବଳ ଶ୍ରେୟାସ ଆୟର ବୋହି ନେଇଥିଲେ । ଏମାନଙ୍କ ବ୍ୟତୀତ ଫ୍ରାଞ୍ଚାଇଜମାନେ ୬୦ଜଣ ଅଲରାଉଣ୍ଡରଙ୍କୁ କିଣିଥିଲେ । ଏହି ବାବଦରେ ୧୬୦.୩କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଫଳ ସ୍ୱରୂପ ଅଲରାଉଣ୍ଡର ପଛରେ ହାରା ହାରି ୨.୬୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବାକି ସବୁ ବିଭାଗର ହାରାହାରି ମୂଲ୍ୟ ଅଲରାଉଣ୍ଡରଙ୍କ ମୂଲ୍ୟଠାରୁ ଅଧିକ ରହିଥିଲା । ବ୍ୟାଟରଙ୍କ ହାରା ହାରି ମୂଲ୍ୟ ୩.୬୬ କୋଟି ଟଙ୍କା ରହିଥିବାବେଳେ ୱିକେଟ କିପର ୪.୦୯ କୋଟି ଓ ବୋଲରଙ୍କ ମୂଲ୍ୟ ୪କୋଟି ଟଙ୍କା ରହିଥିଲା ।
ଦାମୀ ସ୍ପିନର ରେକର୍ଡ ଭାଙ୍ଗିଲେ ଚହଲ
ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ସ୍ପିନର ସାବ୍ୟସ୍ତ ହୋଇଥିଲେ ୟୁଝବେନ୍ଦ୍ର ଚହଲ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮କୋଟି ଟଙ୍କାରେ କିଣିଥିଲା। ପୂର୍ବରୁ ଦାମୀ ସ୍ପିନର ରେକର୍ଡ ଶ୍ରୀଲଙ୍କାର ୱାନିଣ୍ଡୁ ହସରଙ୍ଗାଙ୍କ ନାମରେ ରହିଥିଲା । ୨୦୨୨ରେ ତାଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦.୭୫କୋଟି ଟଙ୍କାରେ କିଣିଥିଲା। ଗୁଜରାଟ ଟାଇଟନ୍ସ ଦ୍ୱାରା ରିଟେନ ହୋଇଥିବା ରସିଦ ଖାନ୍ ସବୁଠୁ ଦାମୀ ସ୍ପିନର ହୋଇପାରନ୍ତି। ହେଲେ ସେ ବର୍ତ୍ତମାନ ଅଲରାଉଣ୍ଡରର ବର୍ଗରେ ସାମିଲ ରହୁଛନ୍ତି । ୨୦୧୮ ସିଜନରେ ସେ ସ୍ପିନର ଭାବେ ନାମ ଦାଖଲ କରିଥିଲେ ଓ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୯କୋଟି ଟଙ୍କାରେ କିଣିଥିଲା । ଆଫଗାନିସ୍ତାନ ଖେଳାଳି ଭାବେ ରସିଦଙ୍କ ରେକର୍ଡ ଭାଙ୍ଗିଥିଲେ ନୂର ଅହମ୍ମଦ। ତାଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୧୦କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ସେହିପରି ସ୍ପେଶାଲିଷ୍ଟ ବ୍ୟାଟର ଭାବେ ଆୟର ରେକର୍ଡ କରିଥିଲେ। ପୂର୍ବରୁ ଏହି ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଥିଲା ।
ଟୁର୍ଣ୍ଣାମେଣ୍ଟଠୁ ବି ଛୋଟ
ଏଥର ନିଲାମରେ ଏଭଳି ଜଣେ ଖେଳାଳି ବିକ୍ରି ହୋଇଥିଲେ, ଯାହାଙ୍କ ବୟସ ଟୁର୍ଣ୍ଣାମେଣ୍ଟର ବୟସଠୁ ବି କମ୍ । ସେ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବୟସ ୧୩ ବର୍ଷ । ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ତାଙ୍କ ତୁଳନାରେ ଆଇପିଏଲ୍ ୧୭ବର୍ଷ ଅତିକ୍ରମ କରିସାରିଲାଣି । ବୈଭବ ୨୦୧୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୦୮ରେ ଆଇପିଏଲର ଜନ୍ମ ହୋଇଥିଲା ।
- ବୈଭବଙ୍କ ପୂର୍ବରୁ କନିଷ୍ଠ ଖେଳାଳି ଥିଲେ ପ୍ରୟାସ ରାଏ ବର୍ମନ । ୨୦୧୯ ସିଜନରେ ରୟାଲ୍ ଚ୍ୟାଲେଞ୍ଜର୍ସ ତାଙ୍କୁ ୧.୫କୋଟି ଟଙ୍କାରେ କିଣିଥିଲା । ସେତେବେଳେ ତାଙ୍କ ବୟସ ଥିଲା ୧୬ବର୍ଷ ୫୪ଦିନ ।
- ବୈଭବଙ୍କୁ ମିଶାଇ ମୋଟ୍ ୧୩ ଜଣ ଉଦୀୟମାନ ଖେଳାଳି ଏଥର ନିଲାମରେ ବିକ୍ରି ହୋଇଛନ୍ତି, ଯେଉଁମାନଙ୍କ ବୟସ ୨୦ ବର୍ଷରୁ କମ୍ । ଏମାନଙ୍କ ପଛରେ ଫ୍ରାଞ୍ଚାଇଜ୍ ଖର୍ଚ୍ଚ କରିଛନ୍ତି ମୋଟ୍ ୨୩.୩୫କୋଟି ଟଙ୍କା ।
୨୧ରୁ ୩୦ ବର୍ଷ ବୟସ ମଧ୍ୟରେ ମୋଟ୍ ୧୧୮ ଖେଳାଳି ବିକ୍ରି ହୋଇଛନ୍ତି ଓ ସେମାନଙ୍କ ବାବଦରେ ୩୪୯.୮୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୩୧ରୁ ୩୫ବର୍ଷ ବୟସ ମଧ୍ୟରେ ସର୍ବାଧିକ ୪୨ଜଣ ଖେଳାଳି ବିକ୍ରି ହୋଇଛନ୍ତି । ଏମାନଙ୍କ ପଛରେ ଫ୍ରାଞ୍ଚାଇଜ ଖର୍ଚ୍ଚ କରିଛନ୍ତି ୨୪୨.୭୫କୋଟି ଟଙ୍କା । ୩୬ବର୍ଷରୁ ଉର୍ଦ୍ଧ୍ୱ ବୟସର ୯ଜଣ ଖେଳାଳି ବିକ୍ରି ହୋଇଛନ୍ତି ଓ ଏଥିରେ ୨୩.୨୦କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
- ପଞ୍ଜାବ କିଙ୍ଗ୍ସ ସର୍ବାଧିକ ୧୧୦.୫୦କୋଟି ଟଙ୍କା ସହ ନିଲାମରେ ସାମିଲ ହୋଇଥିଲା । ୨ଦିନ ମଧ୍ୟରେ ପଞ୍ଜାବ ସର୍ବାଧିକ ୪୭ଜଣ ଖେଳାଳିଙ୍କ ପଛରେ ଡାକ ଲଗାଇଥିଲା ଓ ସର୍ବାଧିକ ୧୯ଖେଳାଳିଙ୍କ ବିଡ୍ ଦୌଡ଼ରେ ଫେଲ ମାରିଥିଲା । ନିଲାମରେ ସର୍ବାଧିକ ୧୧୦.୧୫କୋଟି ଟଙ୍କା ଖର୍ଚ୍ଚ କରିଥିଲା ପଞ୍ଜାବ କିଙ୍ଗ୍ସ ।
- ମୁମ୍ବାଇ ଇଣ୍ଡିଆନ୍ସ ୪୨ ଖେଳାଳିଙ୍କ ପଛରେ ଡାକ ଲଗାଇଥିଲା ଓ ୧୫ଟି ଡାକରେ ବିଫଳ ହୋଇଥିଲା । ସେହିପରି ସୁପରକିଙ୍ଗ୍ସ ୪୫ଜଣ ଖେଳାଳିଙ୍କ ପଛରେ ଡାକ ଲଗାଇଥିଲେ ହେଁ ୧୩ଟି ଡାକରେ ବିଫଳ ହାଇଥିଲା ।
- ପଞ୍ଜାବ କିଙ୍ଗ୍ସ ସର୍ବାଧିକ ୨୩ ଖେଳାଳି କିରିଥିବାବେଳେ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ସର୍ବାଧିକ ୨୦ଜଣ ଲେଖାଏଁ ଖେଳାଳି କିଣିଥିଲେ ।
ଆୟରଙ୍କ ଦାମ ବଢ଼ିଲା, କୁରାନ ଖସିଲେ
ନିଲାମରେ ଦୁଇ ଆୟର ଶ୍ରେୟାସ ଓ ଭେଙ୍କଟେଶଙ୍କ ବ୍ୟତୀତ ଅର୍ଶଦୀପ, ଜିତେଶ ପ୍ରମୁଖ ଖେଳାଳିଙ୍କ ଦାମରେ ଢେର ବୃଦ୍ଧି ହୋଇଛି । ଗତ ବର୍ଷ ଶ୍ରେୟାସଙ୍କ କିଣା ମୂଲ୍ୟ ୧୨.୫କୋଟି ଟଙ୍କା ଥିବାବେଳେ ଏଥର ୨୬.୭୫କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ ତାଙ୍କ ମୂଲ୍ୟ ୧୪.୨୫କୋଟି ଟଙ୍କା ବୃଦ୍ଧି ପାଇଛି । ସେହିପରି ଭେଙ୍କଟେଶଙ୍କ ମୂଲ୍ୟ ୧୫.୭୫କୋଟି ଟଙ୍କା ବୃଦ୍ଧି ପାଇଛି। ଗତ ବର୍ଷ ସେ ୮କୋଟି ଟଙ୍କା ମୂଲ୍ୟରେ ଖେଳୁଥିଲେ । ଅର୍ଶଦୀପଙ୍କ ମୂଲ୍ୟ ୧୪କୋଟି ଟଙ୍କା ବୃଦ୍ଧି ପାଇଛି । ଗତ ବର୍ଷ ତାଙ୍କ ବିକ୍ରି ମୂଲ୍ୟ ୪କୋଟି ଟଙ୍କା ରହିଥିଲା ।
ୱିକେଟ କିପର ଜିତେଶ ଶର୍ମାଙ୍କ ମୂଲ୍ୟରେ ସର୍ବାଧିକ ୫୪୦୦% ବୃଦ୍ଧି ହୋଇଛି । ଗତ ବର୍ଷ ସେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ୨୦ଲକ୍ଷ ଟଙ୍କା ମୂଲ୍ୟରେ ଖେଳୁଥିଲେ । ଏଥର ତାଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ୧୧କୋଟି ଟଙ୍କାରେ କିଣିଛି । ପେସ ବୋଲର ରସିକ ସଲାମଙ୍କ ବିକ୍ରି ମୂଲ୍ୟ ଗତ ବର୍ଷ ତୁଳନାରେ ୨୦ଗୁଣା ବୃଦ୍ଧି ହୋଇଛି । ଗତ ବର୍ଷ ତାଙ୍କ ମୂଲ୍ୟ ଥିଲା ୩୦ଲକ୍ଷ । ଏଥର ସେ ୬କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ସାମ୍ କୁରାନ ଓ ମିଚେଲ ଷ୍ଟାର୍କଙ୍କ ମୂଲ୍ୟ ଏଥର ହ୍ରାସ ପାଇଛି । ଗତ ବର୍ଷ କୁରାନ ୧୮.୫କୋଟି ଓ ଷ୍ଟାର୍କ ୨୪.୭୫କୋଟି ଟଙ୍କା ମୂଲ୍ୟରେ ଖେଳିଥିଲେ । ମାତ୍ର ଏଥର ଷ୍ଟାର୍କଙ୍କ ଦାମ ୧୩କୋଟି ଟଙ୍କା ହ୍ରାସ ପାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୧.୭୫କୋଟି ଟଙ୍କାରେ କିଣିଛି । କୁରାନଙ୍କୁ ଏଥର ୨.୪କୋଟି ଟଙ୍କାରେ ସୁପରକିଙ୍ଗ୍ସ କିଣିଛି ।
previous article: https://purvapaksa.com/the-ipl-mega-auction-was-done-over-two-days-in-jeddah-saudi-arabia/