‘ମେଘଦୂତମ୍’ କଥା ମନେ ପଡ଼ିଲେ ଆମ ଆଖି ଆଗରେ ଭାସିଉଠେ ଜଣେ ପ୍ରେମିକର ବ୍ୟାକୁଳତା, ମେଘକୁ ଦୂତ ସାଜି ପ୍ରିୟତମା ପାଖକୁ ବାର୍ତ୍ତା ପଠାଇବାର ସେଇ ଅପୂର୍ବ କଳ୍ପନା। ମହାକବି କାଳିଦାସଙ୍କ ଲେଖନୀରୁ ସୃଷ୍ଟି ହୋଇଥିବା ଏଇ ଅମର କାବ୍ୟ ଆଜି ବି ଆମ ମନକୁ ଆନ୍ଦୋଳିତ କରେ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯେଉଁ ମହାକବିଙ୍କୁ ଆମେ ପୁସ୍ତକର ପୃଷ୍ଠାରେ ଖୋଜୁ, ସେହି କାଳିଦାସ କୌଣସି ପୌରାଣିକ ଦେବତା ନୁହଁନ୍ତି, ବରଂ ଜଣେ ଐତିହାସିକ ପ୍ରତିଭା—ଆଉ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବବକରପୁର ଗାଁରେ ସେ କୌଣସି ପୂଜାମନ୍ତ୍ରରେ ନୁହଁ, ନିଜ କବିତାରେ ସାକ୍ଷାତ୍ ପୂଜା ପାଉଛନ୍ତି!
ଆଜିର ଏହି ବିଶେଷ ପ୍ରସଙ୍ଗରେ ଆମେ ଆଲୋଚନା କରିବା, କିପରି ଜଣେ କବି ମନ୍ଦିରର ଅଧିଷ୍ଠାତା ଦେବତା ସାଜିଲେ, କାଳିଦାସଙ୍କ ଜନ୍ମସ୍ଥାନକୁ ନେଇ କ’ଣ ରହିଛି ବିତର୍କ, ଆଉ ଆମ ଓଡ଼ିଶା ସହ ତାଙ୍କର ସମ୍ପର୍କ କିପରି ଗଭୀର।
ଜଣେ ପ୍ରେମିକର ପ୍ରେମ, ପ୍ରଣୟର ବ୍ୟାକୁଳତାକୁ ନେଇ ଯେବେ କେହି କେବେ କିଛି ଲେଖେ, ମେଘକୁ ଦୂତ କରି ବାର୍ତ୍ତା ପଠାଏ, ସେତେବେଳେ ଏମିତି ଏକ ମହାକାବ୍ୟର ସୃଷ୍ଟି ହୁଏ। ଏମିତି ଏକ ମହାକାବ୍ୟ ‘ମେଘଦୂତମ୍’ ପାଇଁ ଅମର ହୋଇ ଯାଇଛନ୍ତି ମହାକବି, କବିରାଜ କାଳିଦାସ।
ହଁ, ମେଘଦୂତମ୍…… ମେଘଦୂତମ୍ର ନାୟକ ଜଣେ ଯକ୍ଷ, ମିଲେନିୟର କୁବେରଙ୍କ ସେବକ। ଯିଏ ଅଳକାପୁରୀରେ ହିଁ ରହୁଥିଲା। ତେବେ ପତ୍ନୀ-ପ୍ରେମରେ ଯକ୍ଷ ଏତେ ବ୍ୟାକୁଳ ଥିଲା କି, କାମଦାମରେ ମନ ଲାଗୁ ନଥିଲା। ବିରକ୍ତ ହେଲେ କୁବେର, ଯକ୍ଷ ପାଖରୁ ସବୁ ଦୈବୀଶକ୍ତି ଛଡ଼ାଇନେଲେ ଏବଂ ଗୋଟେ ବର୍ଷ ପାଇଁ ମଧ୍ୟ-ଭାରତର ରାମଗିରି ପାହାଡ଼କୁ ତଡ଼ିପାର୍ କରିଦେଲେ ଇନ୍ଦ୍ର, ମାନେ ଗୋଟେ ବର୍ଷ ବନବାସ।
ଚିନ୍ତା କରନ୍ତୁ, ପତ୍ନୀ ଅଳକାପୁରୀରେ, ପତି ରାମଗିରି ପର୍ବତରେ! ଏଇ ବିରହ ହିଁ ‘ମେଘଦୂତମ୍’ର ମୂଳ କଥା। ପ୍ରାୟ ୧୨୦ ଛନ୍ଦର ‘The Cloud Messenger’ ଭାରତର ପ୍ରଥମ ବାର୍ତ୍ତା କାବ୍ୟ। ୮ ମାସ ବିତୁଛି, ଆଷାଢ଼ ଆସୁଛି, ଆସୁଛି ମୌସୁମୀ। ଆକାଶର କଳାବାଦଲ ଉତ୍ତର ଦିଗ, ଅର୍ଥାତ୍ ହିମାଳୟ ଆଡ଼କୁ, ଯେଉଁଠି ଅଛି ଅଳକାପୁରୀ, ସେଇ ଆଡ଼କୁ ବହୁଛି।
ଏଇଠି ନିର୍ଜୀବ ମେଘକୁ ସଜୀବ ଭାବୁଥିବା ଜଣେ ପ୍ରେମକାଙ୍ଗାଳ ମଣିଷର, ଜଣେ ପ୍ରେମିକର ମନୋବିଜ୍ଞାନ, ମନସ୍ତତ୍ତ୍ୱ ବୁଝିଛନ୍ତି କବି କାଳିଦାସ। ଆକାଶର ଭସା ବାଦଲ…. ବାଦଲ ଭିତରେ ନୂଆ ଆଶା ଦେଖୁଛି ଯକ୍ଷ। ଫୁଲରେ ସ୍ୱେଗତ କରୁଛି, ଆଉ ଦୂତ ହେବାପାଇଁ ଅନୁରୋଧ କରୁଛି। କେବଳ ବାର୍ତ୍ତା ପଠାଉନି, ରାମଗିରିରୁ ଅଳକାପୁରୀ ରାସ୍ତାରେ ପଡୁଥିବା ସହର, ନଗର, ଜନପଦ; ସବୁ କଥା ବୁଝାଇ ଦେଉଛି, ପୂରା ଟୁର୍ ପ୍ୟାକେଜ୍!
ପୂର୍ବମେଘରୁ କବିତା ଆରମ୍ଭ କରୁଛନ୍ତି କବି କାଳିଦାସ ଆଉ ମେଘ ବାହାନାରେ ପ୍ରାଚୀନ ଭାରତ ବୁଲାଇ ଆଣୁଛନ୍ତି କାଳିଦାସ—ମାଲୱା, ନର୍ମଦା, ଉଜ୍ଜୟିନୀ ଏବଂ କୁବେରଙ୍କ ରାଜଧାନୀ ଅଳକାପୁରୀ, ଉତ୍ତର ମେଘ। ଏଇ ମହାକାବ୍ୟ ‘ମେଘଦୂତମ୍’ ପାଇଁ ହିଁ ଅମର ହୋଇ ଯାଇଛନ୍ତି ମହାକବି, କବିରାଜ କାଳିଦାସ।
ଏବେ ପ୍ରଶ୍ନ ଉଠେ, ଯେଉଁ ମହାକବିଙ୍କ ନାଁରେ ଏ ମନ୍ଦିର, ସେ ପ୍ରକୃତରେ କେଉଁଠି ଜନ୍ମ ହୋଇଥିଲେ? ଜନ୍ମ ତାଙ୍କର କେଉଁଠି ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ତ ମିଳେନି, କିନ୍ତୁ ତାଙ୍କ ରଚନାକୁ ଆଧାର କରି କୁହାଯାଏ; ବଙ୍ଗ, କାଶ୍ମୀର କି ବିଦର୍ଭ! ମାଲୱା; ଯାହା ଏବେ ଦଶପୁରା, ବିଦିଶା ଏବଂ ଉଜ୍ଜୟିନୀ।
ତେବେ ଉଜ୍ଜୟିନୀ ପ୍ରତି ତାଙ୍କର ବର୍ଣ୍ଣନା, ପ୍ରଶଂସା ଏବଂ ପ୍ରେମକୁ ଦେଖି ଏମିତି ମନେ କରୁଥିଲେ ଐତିହାସିକ ବି.ବି. ମିରାଶୀ ବା ବାସୁଦେବ ବିଷ୍ଣୁ ମିରାଶୀ କି, ଉଜ୍ଜୟିନୀ ହିଁ କାଳିଦାସଙ୍କ ଜନ୍ମସ୍ଥାନ। ଉଦାହରଣ ଭାବେ ବି.ବି. ମିରାଶୀ, ତାଙ୍କ ମହାକାବ୍ୟ ‘ମେଘଦୂତମ୍’କୁ ନେଇଛନ୍ତି, ଯେଉଁଥିରେ କବି ଲେଖିଛନ୍ତି କି, ବରଂ ରାସ୍ତା ବଦଳାଇବାକୁ ପଡୁ, ପୌରାଣିକ ନଗରୀ ଅଲକାପୁରୀ ଯିବାବାଟରେ ଉଜ୍ଜୟିନୀକୁ ଛାଡିବ ନାହିଁ।
କିନ୍ତୁ ଐତିହାସିକ ବି.ବି. ମିରାଶୀଙ୍କ ଏହି ତଥ୍ୟକୁ ‘ଦ ବାର୍ଥ ପ୍ଲେସ୍ ଅଫ୍ କାଲିଦାସ’ ବହିରେ ଖଣ୍ଡନ କରିଛନ୍ତି କାଶ୍ମିରୀ ପଣ୍ଡିତ ଲକ୍ଷ୍ମୀଧର କଲା। ସଂସ୍କୃତ ଭାଷାର ସୃଷ୍ଟି ଖ୍ରୀଷ୍ଟପୂର୍ବ ୧୫ଶହ, ଯଦି ଆମେ ଏଭଳି ତଥ୍ୟକୁ ସ୍ୱୀକାର କରିନେବା, ତେବେ ସଂସ୍କୃତ ଭାଷାର ସୃଷ୍ଟି ହେବାର ଯେବେ ୨ ହଜାର ବର୍ଷ ପୂରୁଥିଲା; ସେତେବେଳର ହିଁ, ଖ୍ରୀଷ୍ଟାବ୍ଦ ୫ମ ଶତାବ୍ଦୀର ଶାସ୍ତ୍ରୀୟ ସଂସ୍କୃତ କବି/ନାଟ୍ୟକାର କାଳିଦାସ। ଅର୍ଥାତ୍ ଗୁପ୍ତ ଶାସନ କାଳର କବି।
କିନ୍ତୁ ସେ ପଞ୍ଚମ ନା ଚତୁର୍ଥ ନା ଷଷ୍ଠ ଶତାବ୍ଦୀର କବି, ତାହାର ସଠିକ୍ ପ୍ରମାଣ ନାହିଁ। କେହି ତ କହନ୍ତି କି, ପ୍ରଥମ ଶତାବ୍ଦୀ ହିଁ ତାଙ୍କ ଜନ୍ମସମୟ, ଯେବେ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜସଭାରେ ନବରତ୍ନ ଥିଲେ—ଗଣିତଜ୍ଞ ବରାହ ମିହିର, ଗ୍ରନ୍ଥାକାର ଅମର ସିଂହ, ଭାଷ୍ୟକାର ଘଟକର୍ପର, ବ୍ୟାକରଣକାର ବରରୁଚି, ବୈଦ୍ୟ ଧନନ୍ତ୍ୱରୀ, ଯାଦୁଗର ବେତାଳଭଟ୍ଟ, ଜ୍ୟୋତିଷ କ୍ଷପଣକ, ବାସ୍ତୁଶାସ୍ତ୍ରୀ ଶଙ୍କୁ ଏବଂ ଅନ୍ୟତମ କାଳିଦାସ। ଯେଉଁ କଥା ମଧ୍ୟଯୁଗୀୟ କାଳରେ ଲେଖାଯାଇଛି।
ବେଦବ୍ୟାସ ଜଣେ ନୁହଁନ୍ତି, ସେକ୍ସପିୟର ଜଣେ ନୁହଁନ୍ତି; କାଳିଦାସ ବି ଜଣେ ବ୍ୟକ୍ତି ନୁହଁନ୍ତି! ଯେମିତି ୨୮ ଜଣ ବେଦବ୍ୟାସ, ଯେମିତି ୧୬ ଜଣ ସେକ୍ସପିୟର, ସେମିତି ୯ ଜଣ କାଳିଦାସ ଥିବା କଥା ବି କୁହାଯାଉଛି। କେହି କେହି କହନ୍ତି, ୩ ଜଣ କାଳିଦାସ ଥିଲେ।
ସେହିପରି ଆଉ ଏକ ବଡ଼ ବିତର୍କ ହେଲା—ବିକ୍ରମାଦିତ୍ୟ ବୋଲି କେହି ରାଜା ଥିଲେ କି? ଏକଥା ବି ବିତର୍କରେ ଯେ ବିକ୍ରମାଦିତ୍ୟ ନାମକ କୌଣସି ପୌରାଣିକ କି କୌଣସି ଐତିହାସିକ ରାଜା କେବେ ବି ନଥିଲେ। ଯେଉଁ ବିକ୍ରମାଦିତ୍ୟଙ୍କ ପାଖରୁ ଆରମ୍ଭ ହୋଇଛି ବିକ୍ରମ୍ ସମ୍ବତ୍—ଯେଉଁ କଥା ଉଜ୍ଜୟିନୀରୁ କିଛି ମାସ ତଳେ କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଏମିତି ଚରିତ୍ର ହିଁ ନଥିଲା, ଏମିତି ବିତର୍କ, ବିବାଦ ରହିଛି। ଏ ଚରିତ୍ର ସଂପୂର୍ଣ୍ଣ କାଳ୍ପନିକ, କିନ୍ତୁ ଜାଣିଶୁଣି ଐତିହାସିକ କରିଦିଆଯାଇଛି। ପରେ କିଛି କବି, ଏକାଦଶ ଶତାବ୍ଦୀରେ ଯୋଡ଼ି ଦେଇଛନ୍ତି ବେତାଳ ପଚାଶି, ଯୋଡ଼ି ଦେଇଛନ୍ତି ୩୨ ସିଂହାସନ ଏବଂ ୩୨ ପରୀ କାହାଣୀ!
ବରଂ ତତ୍କାଳୀନ ସମୟରେ ଉଜ୍ଜୟିନୀରେ ଶାସନ କରୁଥିବା ଗୁପ୍ତବଂଶୀ ରାଜାମାନେ ନିଜକୁ ବିକ୍ରମାଦିତ୍ୟ ଉପାଧିରେ ଭୂଷିତ କରୁଥିଲେ, ଯେଉଁମାନଙ୍କ ଭିତରେ ଉଲ୍ଲେଖନୀୟ ହେଉଛନ୍ତି ଖ୍ରୀଷ୍ଟାବ୍ଦ ୩୮୦ରୁ ୪୧୫ ପର୍ଯ୍ୟନ୍ତ ଶାସନ କରିଥିବା, ଚନ୍ଦ୍ରଗୁପ୍ତ-ପ୍ରଥମଙ୍କ ନାତି, ଦତ୍ତାଦେବୀ ଓ ସମୁଦ୍ରଗୁପ୍ତଙ୍କ ତୃତୀୟ ପୁଅ—ଚନ୍ଦ୍ରଗୁପ୍ତ-ଦ୍ୱିତୀୟ। ତେଣୁ ୪୧୪ରୁ ୪୫୫ କୁମାରଗୁପ୍ତ କି ୪୫୫ରୁ ୪୬୭ ଖ୍ରୀଷ୍ଟାବ୍ଦର ସ୍କନ୍ଦଗୁପ୍ତଙ୍କ ସମସାମୟିକ ହୋଇପାରନ୍ତି କାଳିଦାସ।
ଏୟା ବି କୁହାଯାଏ କି, ପଞ୍ଚମ ଶତାବ୍ଦୀରେ ବିକ୍ରମାଦିତ୍ୟ ଚନ୍ଦ୍ରଗୁପ୍ତ ଦ୍ୱିତୀୟଙ୍କ ରାଜକବି ଥିବା କେହି କାଳିଦାସ, ଚନ୍ଦ୍ରଗୁପ୍ତଙ୍କ ଜୀବନକୁ ନେଇ ହିଁ ‘ମେଘଦୂତମ୍’ ଲେଖିଥିଲେ ଏବଂ ଚନ୍ଦ୍ରଗୁପ୍ତଙ୍କୁ ବିକ୍ରମାଦିତ୍ୟ ଭାବେ ପରିଚିତ କରାଇଥିଲେ ଏଇ ରାଜକବି। ଚମତ୍କାର କଥା, ସେଇ କାଳରେ ଭାରତକୁ ଆସିଥିଲେ ଚୀନୀ ବୌଦ୍ଧଭିକ୍ଷୁ ଫାହିୟାନ୍। ସେ ତ ରାଜଧାନୀ ପାଟଳିପୁତ୍ର ସମ୍ପର୍କରେ ଲେଖିଥିଲେ, କିନ୍ତୁ କୌଣସି ରାଜାଙ୍କ ସମ୍ପର୍କରେ ଲେଖି ନଥିଲେ ଫାହିୟାନ! କାହିଁକି? ତାହାର ଉତ୍ତର ମଧ୍ୟ କାହାପାଖରେ ନାହିଁ।
ଆଉ ବିଦୂଷୀ ରାଜକୁମାରୀ ବିଦ୍ୟୋତ୍ତମାଙ୍କୁ ବିବାହ କରିବା, ଅପମାନିତ ହେବା ଏବଂ ମହାମୂର୍ଖରୁ ମହାପଣ୍ଡିତ ହେବାଭଳି ପୂରା ଘଟଣାକ୍ରମ, ଲୋକକଥାରେ ରୂପ ନେଇସାରିଛି। ତେବେ ବିଶ୍ୱାସ, ଅବିଶ୍ୱାସ, ଅନ୍ଧବିଶ୍ୱାସର କଥା କାହାଣୀ କିମ୍ବଦନ୍ତୀ ଭିତରେ ଏଠକାର କାଳିଦାସଙ୍କ ଏ ମନ୍ଦିର ଆମ ଭିତରେ ଅଦ୍ଭୂତ ଉନ୍ମାଦନା ସୃଷ୍ଟି କରିଛି।
ବାସ୍ତବରେ ବିକ୍ରମାଦିତ୍ୟ କେହି ରାଜା ଥିଲେ କି ନାହିଁ, ଆମେ ସେ ଭିତରକୁ ଯିବାନି। ବାସ୍ତବରେ କାଳିଦାସ କେହି ମହାକବି ଥିଲେ କି ନାହିଁ, ଆମେ ସେ ଭିତରକୁ ଯିବାନି। ତେବେ କିମ୍ବଦନ୍ତୀରୁ ଇତିହାସ ହୋଇଯାଇଥିବା ତଥାକଥିତ ତଥ୍ୟ ଯଦି ଦେଖିବା, ତା’ହେଲେ କହିପାରିବା କି, ଦିନ ଥିଲା, ସେତେବେଳେ କଳିଙ୍ଗବାସୀଙ୍କ ଆଧିପତ୍ୟ ଏତେ ଥିଲା ଯେ, ଯେଉଁଥିପାଇଁ କଳିଙ୍ଗର ରାଜାଙ୍କୁ ‘ସମୁଦ୍ରର ଦେବତା’ ବୋଲି ତାଙ୍କ ‘ରଘୁବଂଶ’ କାବ୍ୟରେ ଲେଖି ଯାଇଛନ୍ତି ମହାକବି କାଳିଦାସ। ଅର୍ଥାତ୍ ପ୍ରାଚୀନ କଳିଙ୍ଗକୁ ନେଇ ବି କାଳିଦାସଙ୍କ ଲେଖନୀ ଚଳଚଞ୍ଚଳ ହୋଇ ଉଠିଥିଲା।
ଆଉ କାଳିଦାସଙ୍କ ସ୍ମୃତିରେ, ସମ୍ମାନରେ ଏଠି ଗଢ଼ିଉଠିଛି ଏ ମନ୍ଦିର! କେନ୍ଦ୍ରାପଡ଼ାର ମାର୍ଶାଘାଇ ବବକରପୁର ଗାଁରେ ନିଜ କବିତାରେ ହିଁ ପୂଜା ପାଉଛନ୍ତି ମହାକବି, ଭାରତର ସେକ୍ସପିୟର। କାଳିଦାସଙ୍କ ସ୍ମୃତିରେ ପାଠାଗାର ପ୍ରତିଷ୍ଠା ହୋଇଛି, ପାଳିତ ହେଉଛି କାଳିଦାସ ମହୋତ୍ସବ ଏବଂ ଅଖଣ୍ଡ ବିଶ୍ୱାସରେ ଏଠି ଶହଶହ ବର୍ଷ ହେଲା ପୂଜା ପାଇ ଆସୁଛନ୍ତି ପ୍ରାଚୀନ କବି, ମହାକବି, କବିରାଜ କାଳିଦାସ।
କୌଣସି ପୌରାଣିକ ମନ୍ତ୍ରରେ ନୁହେଁ, ନିଜ କବିତାରେ ଏଠି ପୂଜା ପାଉଛନ୍ତି କବି ଶ୍ରୀ ଶ୍ରୀ କାଳିଦାସ, ଭାରତର ସେକ୍ସପିୟର! ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟ ପ୍ରତି ରହିଥିବା ଅନନ୍ୟ ଶ୍ରଦ୍ଧାର ଏକ ଜୀବନ୍ତ ପ୍ରମାଣ।
ସାହିତ୍ୟ ଏବଂ କବିତା ପ୍ରତି ଏଭଳି ସମ୍ମାନ କେବଳ କେନ୍ଦ୍ରାପଡ଼ାର ମାର୍ଶାଘାଇ ବବକରପୁର ଗାଁରେ ହିଁ ଦେଖିବାକୁ ମିଳେ, ଯାହା ଆମ ଓଡ଼ିଆ ଜାତି ପାଇଁ ଗର୍ବ ଏବଂ ଗୌରବର ବିଷୟ।


