ବିକାଶ କାହାକୁ କହନ୍ତି? ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଦୂର କରିବା, ରାସ୍ତାଘାଟ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ କରିବା ହିଁ ପ୍ରକୃତ ବିକାଶ। କିନ୍ତୁ ଯଦି ସେହି ବିକାଶ ନାଁରେ ପ୍ରକୃତିର ନିୟମକୁ ବଦଳାଇ ଦିଆଯାଏ, ନଦୀର ଛାତି ଉପରେ ମାଟି ପକାଇ କୋଠାବାଡ଼ି ଠିଆ କରାଯାଏ, ତେବେ ତାହା ବିକାଶ ନୁହେଁ, ବରଂ ଏକ ଭୟଙ୍କର ବିପର୍ଯ୍ୟୟର ରାସ୍ତା ପ୍ରଶସ୍ତ କରିଥାଏ।
ଓଡ଼ିଶାର ଯାଜପୁର, ଭଦ୍ରକ ଜିଲ୍ଲା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ। ବିଜୁ ଜନତା ଦଳ (ବିଜେଡି) ଶାସନ କାଳରେ ଯାଜପୁରର ତଥାକଥିତ ‘ବିକାଶର ମଡେଲ୍’ ଏବେ ଲକ୍ଷାଧିକ ଲୋକଙ୍କ ପାଇଁ କାଳ ସାଜିଛି। ସ୍ଥାନୀୟ ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ପ୍ରଚେଷ୍ଟାରେ ବୈତରଣୀ ନଦୀର ପ୍ରାକୃତିକ ସ୍ରୋତ ଏବଂ ପଠାକୁ କିପରି କବ୍ଜା କରାଯାଇଥିଲା, ତାହା ଆଜି ପଦାରେ ପଡ଼ିଛି। କ୍ଷମତା ଏବଂ ଅହଙ୍କାରର ଏପରି ନଗ୍ନ ରୂପ ଦେଖିବାକୁ ମିଳିଥିଲା ଯେ, ପ୍ରକୃତିର ନିୟମକୁ ମଧ୍ୟ ଚ୍ୟାଲେଞ୍ଜ କରାଗଲା। ଫଳସ୍ୱରୂପ, ଆଜି ଯାଜପୁର, ଦଶରଥପୁର ଏବଂ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳର ହଜାର ହଜାର ଲୋକ ପାଣିରେ ବୁଡ଼ି ନିଜର ସର୍ବସ୍ୱ ହରାଉଛନ୍ତି।
ନଦୀର ଛାତିରେ ମାଟି ପକାଇ କୋଠା ନିର୍ମାଣ
ଯାଜପୁର ସହର ଦେଇ ପ୍ରବାହିତ ବୈତରଣୀ ନଦୀର ପଠା ଦିନେ ବନ୍ୟାଜଳର ପ୍ରାକୃତିକ ଆଶ୍ରୟସ୍ଥଳ ଥିଲା। ଯେତେବେଳେ ନଦୀରେ ବନ୍ୟା ଆସେ ଏବଂ ଜଳସ୍ତର ବୃଦ୍ଧି ପାଏ, ସେତେବେଳେ ଅତିରିକ୍ତ ଜଳ ଏହି ବିସ୍ତୃତ ପଠାରେ ବିସ୍ତାରିତ ହୋଇ ଧୀରେ ଧୀରେ ମୁଖ୍ୟ ନଦୀକୁ ଫେରୁଥିଲା। ଏହି ପ୍ରାକୃତିକ ବ୍ୟବସ୍ଥା ହିଁ ଥିଲା ବନ୍ୟା ନିୟନ୍ତ୍ରଣର ଏକ ନିରବ କବଚ। କିନ୍ତୁ ପୂର୍ବ ଶାସନକାଳରେ ସେହି ପବିତ୍ର ନଦୀପଠାରେ ବାଲି ଓ ମାଟି ପକାଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପୋତି ଦିଆଗଲା।
ଇନ୍ଦ୍ରଚନ୍ଦ୍ର ମାନିଲେନି ନେତାମାନେ। ଯାହା ଇଚ୍ଛା କଲେ, ତାହାହିଁ ହେଲା। ଏପରିକି ନଦୀର ପ୍ରାକୃତିକ ସ୍ରୋତକୁ ଅଟକାଇବାକୁ ମଧ୍ୟ ପଛାଇଲେ ନାହିଁ। ବାରଣ ସତ୍ତ୍ୱେ ନଦୀପଠାକୁ ପୋତି ମାଳମାଳ କୋଠା ନିର୍ମାଣ କରାଗଲା। ସେତେବେଳେ ଭୟରେ କେହି ଏହାର ପ୍ରତିବାଦ କରିବାକୁ ସାହସ କଲେନାହିଁ। କାରଣ ବିଜେଡି ସରକାରଙ୍କ ସବୁଠାରୁ ପ୍ରଭାବଶାଳୀ ନେତା ତଥା ସେ ସମୟର ସର୍ବୋତ୍ତମ କ୍ଷମତାଧାରୀ ବବି ଦାସଙ୍କ ଇଙ୍ଗିତ ବିନା ଏଠାରେ ପତ୍ରଟିଏ ବି ଖସୁନଥିଲା।
ସେହି ନଦୀପଠାରେ କେଉଁ କେଉଁ ପ୍ରକଳ୍ପ ନିର୍ମାଣ ହୋଇଥିଲା? ତାଲିକାଟି ବେଶ୍ ଲମ୍ବା: ମେଡିକାଲ କଲେଜ ଓ ହସ୍ପିଟାଲ, ବିରଜା ମହିଳା ମହାବିଦ୍ୟାଳୟର ନୂଆ କ୍ୟାମ୍ପସ, କୋର୍ଟ କମ୍ପ୍ଲେକ୍ସ, ଆର୍ଏମ୍ସି ହାଟ, ସ୍ପୋର୍ଟସ ଏକାଡେମୀ, ଶିବା ପ୍ରକଳ୍ପ ଏବଂ ଜିଲ୍ଲା ସଂଗ୍ରହାଳୟ ଭଳି ବଡ଼ବଡ଼ ପ୍ରକଳ୍ପ ସେଠାରେ ଠିଆ କରାଗଲା। ଖାଲି ନଦୀପଠା ପୋତା ଯାଇନି, ନଦୀର ପ୍ରସାରଣ କ୍ଷେତ୍ରକୁ କଂକ୍ରିଟ୍ ୱାଲ୍ ମାଧ୍ୟମରେ ଆହୁରି ସଙ୍କୁଚିତ ମଧ୍ୟ କରାଗଲା। ଏହାକୁ ‘ବିକାଶର ପ୍ରୟୋଗଶାଳା’ ବୋଲି ବାଃ ବାଃ ନିଆଗଲା। କିନ୍ତୁ ଆଜି ପ୍ରଶ୍ନ ଉଠୁଛି— ଏହା ପ୍ରକୃତରେ ବିକାଶ ଥିଲା, ନା ଜନସାଧାରଣଙ୍କ ପାଇଁ ବିପର୍ଯ୍ୟୟର ରାସ୍ତା ପ୍ରଶସ୍ତ କରାଯାଉଥିଲା?
୬୦୦ କୋଟିର ଦୁର୍ନୀତି ଏବଂ ପିସି କଲ୍ଚର
ବେଳ କେବଳ ନଦୀପଠା ପୋତିବାରେ ସୀମିତ ନଥିଲା। ବିଜେଡି ଶାସନ କାଳରେ ଗତ ୧୦ରୁ ୧୨ ବର୍ଷ ଭିତରେ ନଦୀବନ୍ଧ ନିର୍ମାଣ, ମରାମତି, ପଥର ପ୍ୟାକିଂ, ବାଲିବସ୍ତା ପକାଇବା ଏବଂ ଗାର୍ଡ ୱାଲ୍ ନିର୍ମାଣ ନାଁରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି। କିନ୍ତୁ ଏତେ ବିପୁଳ ପରିମାଣର ଜନସାଧାରଣଙ୍କ କଷ୍ଟାର୍ଜିତ ଟଙ୍କା କୁଆଡ଼େ ଗଲା?
ଉତ୍ତର ସ୍ପଷ୍ଟ— ପିସି (Percentage) ଲୋଭ ଏବଂ ଠିକାଦାର ପ୍ରୀତି ଯୋଗୁଁ ସମସ୍ତ ନଦୀବନ୍ଧ ଭିତରେ ପୋଷାକିଆ ଦୁର୍ନୀତିର କଳା କାହାଣୀ ଲୁଚି ରହିଥିଲା। କାଗଜପତ୍ରରେ ବନ୍ଧ ମଜବୁତ ହେଲା ବୋଲି ଦର୍ଶାଗଲା, କିନ୍ତୁ ବାସ୍ତବରେ କାମର ଗୁଣବତ୍ତା ଅତି ନକାରାତ୍ମକ ଥିଲା। ଠିକାଦାର ଏବଂ ନେତାମାନେ ମିଶି କୋଟି କୋଟି ଟଙ୍କା ହାଣିଲେ, ଆଉ ବନ୍ଧଗୁଡ଼ିକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଲେ। ଏହାର କୁପରିଣାମ ଆଜି ବନ୍ୟା ଆସିବା ମାତ୍ରେ ଘାଇ ସୃଷ୍ଟି ହେବା ପରେ ସତ ବାହାରକୁ ଆସିଛି।
ଦଶରଥପୁର ବ୍ଲକ୍ ଏବଂ ଯାଜପୁର ଅଞ୍ଚଳରେ ଚଳିତବର୍ଷ ବୈତରଣୀ ଓ କାଣୀ ନଦୀରେ ୨୫ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି, ଯେଉଁ ଅଞ୍ଚଳରେ ଏତେ ଶହ କୋଟି ଟଙ୍କା ବନ୍ଧ ମରାମତି ପାଇଁ ଖର୍ଚ୍ଚ ହେଲା, ସେଠାରେ କାହିଁକି ଏତେଗୁଡ଼ିଏ ଘାଇ ହେଲା? ସେହି ଅଞ୍ଚଳର ପ୍ରଭାବଶାଳୀ ନେତୃବୃନ୍ଦ, ବିଧାୟକମାନେ ସେତେବେଳେ କ’ଣ କରୁଥିଲେ? କେବଳ କାଗଜପତ୍ରରେ ବିଲ୍ ପାସ୍ କରାଇ ନିଜର ଆଖିବୁଜା ଲାଭ ଦେଖୁଥିଲେ କି?
ବିପଦ ବେଳର ବନ୍ଧୁ କି ଦୁଃଖର ସାଥୀ?
ଆଜି ସବୁଠୁ ବଡ଼ ବିଡ଼ମ୍ବନାର କଥା ହେଉଛି— ଯେଉଁ ନେତା ଓ ପ୍ରଶାସକମାନଙ୍କ ଦୂରଦର୍ଶିତା ଅଭାବରୁ ଏବଂ କୁପରିଚାଳନା ଯୋଗୁଁ ଆଜି ଲୋକେ ଏଭଳି ଜଳ ପ୍ରଳୟର ସମ୍ମୁଖୀନ ହୋଇଛନ୍ତି, ସେହିମାନେ ନିଜର ଦୋଷ ଲୁଚାଇବା ପାଇଁ ଆଜି ‘ବିପଦ ବେଳର ବନ୍ଧୁ’ ସାଜି ଅବତୀର୍ଣ୍ଣ ହୋଇଛନ୍ତି।
ଘରଦ୍ୱାର ଭାସିଯାଇଛି, ଧାନଜମି ବାଲିଚର ହୋଇଯାଇଛି, ପିଲାଛୁଆ ଭୋକରେ ଅଛନ୍ତି, ଲୋକେ ଗଛମୂଳେ ଓ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଆଉ ଏପରି ଏକ ବିପର୍ଯ୍ୟୟ ସମୟରେ ସେହି ପୁରୁଣା ରାଜନୈତିକ ଚେହେରାମାନେ ପାଣିରେ ଚାଲି ଚାଲି, ଲୋକଙ୍କ ପାଖରେ ପହଞ୍ଚି ହଜାରେ-ଦୁଇହଜାର ଟଙ୍କା ବାଣ୍ଟୁଛନ୍ତି, ରିଲିଫ୍ ନାଁରେ କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଏହା କୌଣସି ଜନସେବା ନା କୁମ୍ଭୀର କାନ୍ଦଣା? ଯେଉଁମାନେ ଲୋକଙ୍କୁ ଏହି ନର୍କଯନ୍ତ୍ରଣା ଭିତରକୁ ଠେଲିଦେଲେ, ଆଜି ସେମାନେ ପୁଣି ସମବେଦନାର ନାଟକ କରୁଛନ୍ତି। ଲୋକେ ଏବେ ସବୁ ବୁଝୁଛନ୍ତି, କିନ୍ତୁ ଭୟରେ ପାଟି ଫିଟାଉ ନାହାନ୍ତି।
ଆଇନଗତ ପ୍ରଶ୍ନ ଏବଂ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା
ଆଜି ସାଧାରଣରେ ବଡ଼ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେତେବେଳେ ନଦୀପଠାରେ ଏତେ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ହେଉଥିଲା, ସେତେବେଳେ ବନ୍ୟାପ୍ରବାହ ଉପରେ କୌଣସି ବୈଷୟିକ ଆକଳନ ହୋଇଥିଲା କି? ଜଳସମ୍ପଦ ବିଭାଗର ଆବଶ୍ୟକୀୟ ଅନୁମତି ନିଆଯାଇଥିଲା କି? ପରିବେଶ ମଞ୍ଜୁରି ମିଳିଥିଲା କି?
ସବୁଠୁ ବଡ଼ କଥା ହେଉଛି, ନଦୀପଠା ଓ ବନ୍ୟାପ୍ରବାହ କ୍ଷେତ୍ରରେ ନିର୍ମାଣକୁ ନେଇ NGT (National Green Tribunal) ର ସ୍ପଷ୍ଟ ନିର୍ଦ୍ଦେଶ ଏବଂ ପରିବେଶ ଆଇନ ରହିଛି। ସେସବୁ ଆଇନକୁ କ’ଣ ଜାଣିଶୁଣି ଜଳାଞ୍ଜଳି ଦିଆଗଲା? ଯଦି ସବୁ ନିୟମ ଅନୁସାରେ ହୋଇଥିଲା, ତେବେ କିଏ ଏହାର ଅନୁମତି ଦେଲା? ଆଉ ଯଦି କୌଣସି ଅନୁମତି ନଥିଲା, ତେବେ କିପରି ସରକାରୀ ପ୍ରୋତ୍ସାହନରେ ଏତେ ବଡ଼ ବଡ଼ କୋଠା ଏବଂ ପ୍ରକଳ୍ପଗୁଡ଼ିକ ଠିଆ ହେଲା?
ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ତତ୍କାଳୀନ ଶାସନକାଳର ସର୍ବୋପରି ପ୍ରଭାବଶାଳୀ ନେତା ବବି ଦାସଙ୍କ ଭୂମିକା ଏବଂ ପ୍ରଶାସନିକ ନିଷ୍ପତ୍ତି ଉପରେ ଏକ ସ୍ୱାଧୀନ, ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ହେବା ଅତ୍ୟନ୍ତ ଜରୁରୀ। କେବଳ ସେତିକି ନୁହେଁ, ଗତ ୧୦-୧୨ ବର୍ଷ ଭିତରେ ବନ୍ଧ ମରାମତି ନାଁରେ ଖର୍ଚ୍ଚ ହୋଇଥିବା ୬୦୦ କୋଟି ଟଙ୍କାର ଠିକାଦାରୀ ବ୍ୟବସ୍ଥା, ଗୁଣବତ୍ତା ଏବଂ ଆର୍ଥିକ ଅଡିଟ୍ ମଧ୍ୟ କରାଯିବା ଆବଶ୍ୟକ। ଯଦି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏଭଳି ପ୍ରାକୃତିକ ନୁହେଁ ବରଂ ମାନବକୃତ ବିପର୍ଯ୍ୟୟରୁ ଓଡ଼ିଶାକୁ କେହି ରକ୍ଷା କରିପାରିବେ ନାହିଁ।
“ବିକାଶର ସ୍ୱପ୍ନ ଦେଖାଇ ଲୋକଙ୍କ ଜୀବନକୁ ପାଣିରେ ବୁଡ଼ାଇ ଦେଇଥିବା ଏହି ବ୍ୟବସ୍ଥା ବିରୁଦ୍ଧରେ ଆଜି ଜନସାଧାରଣ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି।


