ଆମେ ଏପରି ଏକ ଗମ୍ଭୀର ଏବଂ ସମ୍ବେଦନଶୀଳ ବିଷୟ ଉପରେ ଚର୍ଚ୍ଚା କରିବାକୁ ଯାଉଛୁ, ଯାହା ସିଧାସଳଖ ଆମ ଦେଶର ଗଣତନ୍ତ୍ର ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କର ସ୍ୱଚ୍ଛତା ସହିତ ଜଡ଼ିତ। ଆପଣ କେବେ ଭାବିଛନ୍ତି କି, ଯେଉଁ ନେତାମାନେ ଆମକୁ ଶାସନ କରୁଛନ୍ତି, ସେମାନଙ୍କ ବିରୋଧରେ କେତେ ଅପରାଧିକ ମାମଲା ଚାଲିଛି? ନିକଟରେ ସୁପ୍ରିମକୋର୍ଟରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ।
ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ଦେଶର ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା!
ଦେଶର ସଂସଦ ସଦସ୍ୟ (MP) ଏବଂ ବିଧାନସଭା ସଦସ୍ୟ (MLA) ମାନଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାଗୁଡ଼ିକର ଶୀଘ୍ର ବିଚାରକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଚାଲିଛି। ଏହି ଶୁଣାଣି ସମୟରେ ‘ଏମିକସ୍ କ୍ୟୁରୀ’ (Amicus Curiae) ତଥା ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି, ତାହା ଦେଶର ରାଜନୈତିକ ବାତାବରଣକୁ ସମ୍ପୂର୍ଣ୍ଣ ସରଗରମ କରିଦେଇଛି।ଆସନ୍ତୁ ଜାଣିବା ଏହି ରିପୋର୍ଟର ଗୋଟିଏ ପରେ ଗୋଟିଏ ଭୟସାଧକ ଏବଂ ଚାଞ୍ଚଲ୍ୟକର ସତ୍ୟ କ’ଣ ରହିଛି।
ସଂସଦରେ ଅପରାଧିକ ମାମଲାର ଚିତ୍ର: ଲୋକସଭା ଓ ରାଜ୍ୟସଭା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରାଜନୀତିର ଅପରାଧୀକରଣ ସମ୍ପର୍କିତ ଏହି ସତ୍ୟପାଠରେ କୁହାଯାଇଛି ଯେ, ଲୋକସଭାର ୫୪୩ ଜଣ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୩ ଜଣ ସାଂସଦଙ୍କ ମଧ୍ୟରୁ ୭୫ ଜଣ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି।ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ର ରିପୋର୍ଟକୁ ଆଧାର କରି ବରିଷ୍ଠ ଆଇନଜୀବୀ ଦର୍ଶାଇଛନ୍ତି ଯ ଯେ ଲୋକସଭାର ୫୪୩ ଜଣଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ମାମଲା ଥିବାବେଳେ, ଏହାମଧ୍ୟରୁ ୧୭୦ଟି ମାମଲା ଅତ୍ୟନ୍ତ ଗମ୍ଭୀର ଫୌଜଦାରୀ ମାମଲା (ଯେଉଁଥିରେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲଦଣ୍ଡର ବ୍ୟବସ୍ଥା ରହିଛି)।
ରାଜ୍ୟସଭାର ୨୩୩ ଜଣଙ୍କ ମଧ୍ୟରୁ ୭୫ ଜଣ ବା ୩୩ ପ୍ରତିଶତ ସଦସ୍ୟଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଅଛି। ସେଥିମଧ୍ୟରୁ ୪୦ଟି ମାମଲା ବା ୧୮ ପ୍ରତିଶତ ଗମ୍ଭୀର ଅପରାଧ ସମ୍ବନ୍ଧୀୟ।
ଯେତେବେଳେ ଦେଶର ଆଇନ ପ୍ରଣୟନକାରୀମାନେ ନିଜେ ଏଭଳି ସମ୍ବେଦନଶୀଳ ମାମଲାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଅଟେ।
୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା
ଏହି ସତ୍ୟପାଠର ସବୁଠାରୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ଦେଶର ମୋଟ ୨୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟରୁ ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ସେମାନଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ନାମରେ କେତେ ମାମଲା ରହିଛି: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀଙ୍କ ନାମରେ ୮୯ଟି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ୨୯ଟି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ନାମରେ ୧୯ଟି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ୧୯ଟି, କେରଳ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନଙ୍କ ନମାରା ୧୮ଟି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମରେ ୫ଟି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ନାମରେ ୪ଟି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନମାରେ ୪ଟି, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ୧ଟି ମାମଲା ରହିଛି। ଚିନ୍ତାଜନକ କଥା ହେଉଛି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକାଥରକେ ୮୯ଟି ମାମଲା ରହିଛି। ଏପରିକି ଆମ ନିଜ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ମଧ୍ୟ ଗୋଟିଏ ମାମଲା ଥିବା କଥା ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି।
ରାଜ୍ୟଗୁଡ଼ିକରେ ସାଂସଦଙ୍କ ବିରୁଦ୍ଧରେ ମାମଲାର ପ୍ରତିଶତ
କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ବିଭିନ୍ନ ରାଜ୍ୟର ସାଂସଦମାନେ ମଧ୍ୟ ଏହି ମାମଲାରେ ପଛରେ ନାହାନ୍ତି। ଆଡଭେକେଟ୍ ସ୍ନେହା କାଲିତାଙ୍କ ମାଧ୍ୟମରେ ଦାଖଲ ହୋଇଥିବା ସତ୍ୟପାଠର ତଥ୍ୟ ଅନୁଯାୟୀ:କେରଳର ସ୍ଥିତି ସବୁଠାରୁ ସାଂଘାତିକ। ୨୦ ଜଣ ସାଂସଦଙ୍କ ମଧ୍ୟରୁ ପ୍ରାୟ ୧୯ ଜଣ (୯୫ ପ୍ରତିଶତ) ଫୌଜଦାରୀ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି, ଯେଉଁଥିରୁ ୧୧ ଜଣ ଗୁରୁତର ମାମଲାରେ ଅଛନ୍ତି। ତେଲେଙ୍ଗାନାର ୧୭ ଜଣ ସାଂସଦଙ୍କ ମଧ୍ୟରୁ ୧୪ ଜଣ (୮୨ ପ୍ରତିଶତ) ମାମଲାର ସମ୍ମୁଖୀନ ହୋଇଛନ୍ତି।
ଆମ ରାଜ୍ୟ ଓଡ଼ିଶାରେ ୨୧ ଜଣ ସାଂସଦଙ୍କ ମଧ୍ୟରୁ ୧୬ ଜଣ (୭୬ ପ୍ରତିଶତ) ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ଝାଡ଼ଖଣ୍ଡର ୧୪ ଜଣରୁ ୧୦ ଜଣ (୭୧ ପ୍ରତିଶତ)। ତାମିଲନାଡୁର ୩୯ ଜଣରୁ ୨୬ ଜଣ (୬୭ ପ୍ରତିଶତ)।
ଅନ୍ୟାନ୍ୟ ପ୍ରମୁଖ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ପ୍ରାୟ ୫୦ ପ୍ରତିଶତ ସାଂସଦ ଏଭଳି ମାମଲାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ, ହରିୟାଣା ଓ ଛତିଶଗଡ଼ ଭଳି କିଛି ରାଜ୍ୟରେ ଏହି ସଂଖ୍ୟା ବହୁତ କମ୍ ରହିଛି
ଦେଶବ୍ୟାପୀ ବିଚାରାଧୀନ ମାମଲାର ପାହାଡ଼
ଜୁଲାଇ ୨୦୨୬ ସୁଦ୍ଧା, ଦେଶର ବର୍ତ୍ତମାନର ଏବଂ ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪,୧୯୨ଟି ଅପରାଧିକ ମାମଲା ବିଚାରଧୀନ ଅବସ୍ଥାରେ ପଡ଼ିରହିଛି।କେବଳ ଉତ୍ତରପ୍ରଦେଶରେ ସର୍ବାଧିକ ୧,୧୭୧ଟି ମାମଲା ପଡ଼ିରହିଛି। ଆମିକସ୍ କ୍ୟୁରୀ ବିଜୟ ହଂସାରିଆ କୋର୍ଟଙ୍କୁ ଜଣାଇଛନ୍ତି ଯେ ୨୦୨୫ ମସିହାରେ ୧,୨୪୩ଟି ଫୌଜଦାରୀ ମାମଲାର ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ସେହି ବର୍ଷ ପୁଣି ୧,୦୫୦ଟି ନୂତନ ମାମଲା ପଞ୍ଜିକୃତ ମଧ୍ୟ ହୋଇଥିଲା।ଏହାର ଅର୍ଥ ହେଲା, ମାମଲାଗୁଡ଼ିକର ନିଷ୍ପତ୍ତି ଯେତିକି ଦ୍ରୁତ ଗତିରେ ହେବାକଥା, ସେତିକି ହୋଇପାରୁ ନାହିଁ ଏବଂ ପୁରୁଣା ମାମଲାଗୁଡ଼ିକ ସେହିପରି ଜମା ହୋଇ ରହୁଛି। ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ମାମଲାଗୁଡ଼ିକର ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହିବା ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରୀଙ୍କ ପ୍ରସ୍ତାବ ଏବଂ କଡ଼ା ପଦକ୍ଷେପ
ସାଂସଦ ଏବଂ ବିଧାୟକଙ୍କ ବିରୁଦ୍ଧରେ ଥିବା ଏହି ଫୌଜଦାରୀ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସର୍ବୋଚ୍ଚ ଅଦାଲତ ସିଧାସଳଖ ତଦାରଖ କରିବା ଆବଶ୍ୟକ ବୋଲି ଦାବି କରାଯାଇଛି। ଆମିକସ୍ କ୍ୟୁରୀ କୋର୍ଟଙ୍କୁ କିଛି କଡ଼ା ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି:ସ୍ୱତନ୍ତ୍ର କୋର୍ଟର କାର୍ଯ୍ୟକାରିତା: ସାଂସଦ ଓ ବିଧାୟକଙ୍କ ମାମଲା ପାଇଁ ଗଠିତ ସ୍ୱତନ୍ତ୍ର କୋର୍ଟଗୁଡ଼ିକ କେବଳ ଏହି ଜନପ୍ରତିନିଧିମାନଙ୍କ ବିରୋଧରେ ଥିବା ମାମଲାର ହିଁ ବିଚାର କରିବେ। ଅନ୍ୟ କୌଣସି ସାଧାରଣ ମାମଲା ସେଠାରେ ଗ୍ରହଣ କରାଯିବ ନାହିଁ ଯେପର୍ଯ୍ୟନ୍ତ ଏହି ମାମଲାଗୁଡ଼ିକ ଶେଷ ହୋଇନାହିଁ। ନିୟମିତ କୋର୍ଟ ଆବଣ୍ଟନ: ସମସ୍ତ ଜିଲ୍ଲାର ପ୍ରମୁଖ ଜିଲ୍ଲା ଏବଂ ସେସନ୍ସ ଜଜ୍ ସାଂସଦ/ବିଧାୟକଙ୍କ ମାମଲା ସମ୍ପୂର୍ଣ୍ଣ ହେବା ପରେ ହିଁ ଅନ୍ୟ କାର୍ଯ୍ୟ ଆବଣ୍ଟନ କରିବେ।ହାଇକୋର୍ଟଙ୍କ ଦ୍ୱାରା ମାଇକ୍ରୋ-ମନିଟରିଂ।
ପ୍ରତ୍ୟେକ ହାଇକୋର୍ଟ ମାସିକ ଭିତ୍ତିରେ ଏହି ମାମଲାଗୁଡ଼ିକର ଅଗ୍ରଗତି ତଦାରଖ କରିବେ। ୧ ବର୍ଷର ସମୟସୀମାରେ ଚାର୍ଜ ଫ୍ରେମ୍ (Charge Frame) ହେବାର ଏକ ବର୍ଷ ମଧ୍ୟରେ ବିଚାରାଧୀନ ସମସ୍ତ ମାମଲା ଶେଷ ହେବା ନିଶ୍ଚିତ କରାଯିବ। ଯେଉଁ ମାମଲାଗୁଡ଼ିକ ୩ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି, ସେଗୁଡ଼ିକ ଉପରେ କଡ଼ା ଏବଂ ପ୍ରଭାବଶାଳୀ ନିର୍ଦ୍ଦେଶ ଦିଆଯିବ। ଏହି ସମସ୍ତ ପଦକ୍ଷେପ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନସ୍ୱାର୍ଥ ମାମଲା (PIL) ଆଧାରରେ ଗ୍ରହଣ କରାଯାଉଛି, ଯେଉଁଥିରେ ଆମିକସ୍ କ୍ୟୁରୀ ଭାବରେ ବିଜୟ ହଂସାରିଆ ସୁପ୍ରିମକୋର୍ଟଙ୍କୁ ସହଯୋଗ କରୁଛନ୍ତି।
ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଏବଂ ବିଧାନସଭାକୁ ଯେଉଁମାନେ ଆମର ପ୍ରତିନିଧି ହୋଇ ଯାଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଯଦି ଏତେଗୁଡ଼ିଏ ଅପରାଧିକ ମାମଲା ରହିବ ଏବଂ ବର୍ଷ ବର୍ଷ ଧରି ତାହାର ବିଚାର ଝୁଲି ରହିବ, ତେବେ ଏହା ସାଧାରଣ ଜନତାଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିବା ସ୍ବାଭାବିକ। ଆଇନ ଆଗରେ ସମସ୍ତେ ସମାନ—ଏହି ନୀତି ଯେପରି କେବଳ କାଗଜକଲମରେ ସୀମାବହ୍ନ ନ ରହି, ବାସ୍ତବରେ ପାଳନ ହୁଏ, ସେଥିପାଇଁ ସୁପ୍ରିମକୋର୍ଟଙ୍କ ଏହି କଡ଼ା ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ।
AlsoRead; https://purvapaksa.com/want-a-scholarship-odisha-government-invites-applications-from-students/


