ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବାରମ୍ବାର ସଚେତନତା ଓ ଚେତାବନୀ ସତ୍ତ୍ୱେ ଯେଉଁମାନେ ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରୁନାହାନ୍ତି, ସେମାନଙ୍କୁ ସିଧାସଳଖ ଶିକ୍ଷା ଦେବା ପାଇଁ ସମ୍ବଲପୁର ମହାନଗର ନିଗମ (SMC) ଏକ କଠୋର ଏବଂ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସମ୍ବଲପୁର ସହରର ସବୁଠାରୁ ବ୍ୟସ୍ତବହୁଳ ଗୋଲବଜାର ମାର୍କେଟ ଅଞ୍ଚଳରେ ନିୟମ ଉଲ୍ଲଂଘନ କରୁଥିବା ଏକ ଶପିଂ ମଲ୍ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ବିରୋଧରେ ନିଗମ ‘ଯେସାକୁ ତେସା’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ଅଳିଆ ନ ହଟାଇବାରୁ ଏନ୍ଫୋର୍ସମେଣ୍ଟ ଟିମ୍ ବୁଲ୍ଡୋଜର ସାହାଯ୍ୟରେ ସେହି ସବୁ ଆବର୍ଜନାକୁ ଉଠାଇ ନେଇ ସମ୍ପୃକ୍ତ ମଲ୍ ଏବଂ ନିୟମ ଭାଙ୍ଗୁଥିବା ଲୋକଙ୍କ ଦ୍ୱାରମୁହଁରେ ଢାଳି ଦେଇଛି।

କ’ଣ ଥିଲା ପୂରା ଘଟଣା ?
ସମ୍ବଲପୁରର ଗୋଲବଜାର ହେଉଛି ସହରର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର। ଏଠାରେ ଦୈନନ୍ଦିନ ହଜାର ହଜାର ଲୋକଙ୍କ ଆଗମନ ହୋଇଥାଏ। ତେବେ ଗୋଲବଜାର ମାର୍କେଟ ଅଞ୍ଚଳରେ ଥିବା ଏକ ମଲ୍ ନିକଟରେ ଗତ ପ୍ରାୟ ଗୋଟିଏ ମାସରୁ ଅଧିକ ସମୟ ଧରି ପ୍ରଚୁର ପରିମାଣର ଆବର୍ଜନା ଜମା ହୋଇ ରହିଥିଲା। ଦୋକାନ ଓ ମଲ୍ରୁ ବାହାରୁଥିବା ଆବର୍ଜନାକୁ ନିୟମିତ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପକାଇ ରାସ୍ତାକଡ଼ରେ ଏବଂ ନାଳ ମୁହଁରେ ପକାଯାଉଥିଲା।
ଏହି ଅଳିଆ ଜମି ରହିବା ଫଳରେ ନିକଟସ୍ଥ ନାଳ ଅବରୋଧ ହୋଇ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ଏହାସହ ଦୁର୍ଗନ୍ଧ ବାହାରି ପରିବେଶକୁ ଅତ୍ୟନ୍ତ ଦୂଷିତ କରୁଥିଲା, ଯାହା ଦ୍ୱାରା ବାଟୋଇ ଓ ସ୍ଥାନୀୟ ଦୋକାନୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ନିଗମ ପକ୍ଷରୁ ବାରମ୍ବାର ସୂଚନା ଏବଂ ଚେତାବନୀ ଦିଆଯାଇଥିଲେ ମଧ୍ୟ ମଲ୍ କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ବ୍ୟକ୍ତିବିଶେଷ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନ ଥିଲେ।
ବୁଲ୍ଡୋଜର ଲଗାଇ ଦ୍ୱାରମୁହଁରେ ଢଳାଗଲା ଅଳିଆ
ଆବର୍ଜନା କ୍ରମାଗତ ଭାବେ ଜମା ହୋଇ ରହିବା ଏବଂ ପ୍ରଶାସନର ଆଦେଶକୁ ଅବମାନନା କରାଯିବା ପରେ ସମ୍ବଲପୁର ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଗମର ଏନ୍ଫୋର୍ସମେଣ୍ଟ ଅଫିସର ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍ ଏକ ବୁଲ୍ଡୋଜର ଏବଂ ଗାଡ଼ି ସାହାଯ୍ୟରେ ନାଳ ନିକଟରେ ପଡ଼ିଥିବା ସମସ୍ତ ଆବର୍ଜନାକୁ ଏକାଠି କରିଥିଲା।
ଏହାପରେ, ଭବିଷ୍ୟତ ପାଇଁ ଏକ କଠୋର ଉଦାହରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ, ସେହି ସମସ୍ତ ଅଳିଆକୁ ନେଇ ସମ୍ପୃକ୍ତ ମଲ୍ ଏବଂ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ଘର ଓ ଦୋକାନ ଦ୍ୱାରମୁହଁ ସାମ୍ନାରେ ଅଜାଡ଼ି ଦିଆଯାଇଥିଲା। ଏହି ହଠାତ୍ କାର୍ଯ୍ୟାନୁଷ୍ଠାନ ଦେଖି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଭୁଲ୍ ସ୍ୱୀକାର କଲେ ମଲ୍ ମାଲିକ, ଗଣିଲେ ଜୋରିମାନା
ପ୍ରଶାସନର ଏହି କଠୋର ରୂପ ଦେଖିବା ପରେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ଓ ମଲ୍ ମାଲିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ କିଛି ସମୟ ଯୁକ୍ତିତର୍କ ହୋଇଥିଲେ ସୁଦ୍ଧା, ନିଗମ ଅଧିକାରୀଙ୍କ ଦୃଢ଼ ଆଭିମୁଖ୍ୟ ଆଗରେ ସେମାନେ ନିଜର ଭୁଲ୍ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ।
ସେମାନେ ସାଧାରଣ ସ୍ଥାନରେ ଆବର୍ଜନା ପକାଇ ନାଳ ଅବରୋଧ କରିଥିବା ମାନିବା ସହ ନିଗମ ପକ୍ଷରୁ ଆଦାୟ କରାଯାଇଥିବା ଜରିମାନା ରାଶି ତୁରନ୍ତ ପରିଶୋଧ କରିଥିଲେ। ଏଥିସହିତ ଆଗାମୀ ଦିନରେ ସହରକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିବେ ଏବଂ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ପକାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କଡ଼ା ଚେତାବନୀ ଦେଲା ମହାନଗର ନିଗମ
ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ SMC ଏନ୍ଫୋର୍ସମେଣ୍ଟ ଅଫିସର ସୁଶାନ୍ତ କୁମାର ସାହୁ କହିଛନ୍ତି, “ଗୋଲବଜାର ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏଠାରେ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଅଳିଆ ଜମା ହୋଇ ରହୁଥିଲା, ଯାହା ଦ୍ୱାରା ନାଳ ଜାମ୍ ହୋଇ ଜଳନିଷ୍କାସନ ବାଧାପ୍ରାପ୍ତ ହେଉଥିଲା। ବାରମ୍ବାର ଚେତାବନୀ ପରେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ଆମେ ଏପରି କଠୋର ନିଷ୍ପତ୍ତି ନେଲୁ, ଯେପରି ଅନ୍ୟମାନେ ଏଥିରୁ ଶିକ୍ଷା ଲାଭ କରିବେ।”
ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମ୍ବଲପୁରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ପ୍ରଶାସନ ପ୍ରତିବଦ୍ଧ। ଯଦି କୌଣସି ବ୍ୟକ୍ତି, ବ୍ୟବସାୟୀ କିମ୍ବା ମଲ୍ କର୍ତ୍ତୃପକ୍ଷ ରାସ୍ତାଘାଟ କିମ୍ବା ସାର୍ବଜନୀନ ସ୍ଥାନରେ ଅଳିଆ ପକାଇ ସହରକୁ ନୋଂରା କରନ୍ତି, ତେବେ ଆଗାମୀ ଦିନରେ ମଧ୍ୟ ଏହିପରି ନିର୍ଦ୍ଦୟ ଓ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ। SMC ର ଏହି ଅଭିନବ କାର୍ଯ୍ୟାନୁଷ୍ଠାନକୁ ସହରର ସାଧାରଣ ନାଗରିକ ଓ ବୁଦ୍ଧିଜୀବୀମାନେ ବେଶ୍ ପ୍ରଶଂସା କରିଛନ୍ତି।
Also read : https://purvapaksa.com/sayoni-ghosh-meets-pm-modi-this-is-a-memorable-moment-posts-on-social-media/


