ଘରେ ଥରେ ଛାରପୋକ ହୋଇଗଲେ ସେମାନଙ୍କ ଦାଉରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ରାତିରେ ଶାନ୍ତିରେ ଶୋଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବା ସହ ଶରୀରରେ କୁଣ୍ଡାଇ ହେବା, ଲାଲ୍ ଛିଟା ପଡ଼ିବା ଏବଂ ଚର୍ମ ରୋଗ ଭଳି ସମସ୍ୟା ଦେଖାଦିଏ। ଏଥିପାଇଁ ବଜାରରେ ମିଳୁଥିବା ମାଘା ରାସାୟନିକ ସ୍ପ୍ରେ ବ୍ୟବହାର କଲେ ବି ଅନେକ ସମୟରେ ବିଶେଷ ଫଳ ମିଳେନାହିଁ। ତେବେ ଏହି ସମସ୍ୟାର ସହଜ ଓ ପ୍ରାକୃତିକ ସମାଧାନ ପାଇଁ ଯୋଗଗୁରୁ କୈଳାଶ ବିଷ୍ଣୋଇ ଏକ ସହଜ ଘରୋଇ ‘୨-ସାମଗ୍ରୀ’ ମିଶ୍ରଣ ଫର୍ମୁଲା ବାଣ୍ଟିଛନ୍ତି, ଯାହା ବ୍ୟବହାର କରି ଆପଣ ଛାରପୋକଙ୍କୁ ସମ୍ପୂର୍ଣ୍ଣ ରୂପେ ଘରୁ ତଡ଼ିପାରିବେ।
![]()
କ’ଣ ଏହି ଦେଶୀ ଫର୍ମୁଲା?
ଯୋଗଗୁରୁ କୈଳାଶ ବିଷ୍ଣୋଇଙ୍କ କହିବା ଅନୁଯାୟୀ, ଏହି ପ୍ରାକୃତିକ ସ୍ପ୍ରେ ତିଆରି କରିବା ପାଇଁ କେବଳ ଦୁଇଟି ସାଧାରଣ ଘରୋଇ ଜିନିଷ ଆବଶ୍ୟକ:
୧. ଫିଟିକିରି (Alum)

୨. କପୂର (Camphor)

କିପରି ପ୍ରସ୍ତୁତ ଓ ବ୍ୟବହାର କରିବେ?
- ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ସମାନ ପରିମାଣର ଫିଟିକିରି ଏବଂ କପୂର ନେଇ ସେଗୁଡ଼ିକୁ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏବେ ଏହି ଗୁଣ୍ଡକୁ ଏକ ଲିଟର ପାଣିରେ ମିଶାଇ ଭଲଭାବେ ଘାଣ୍ଟି ଦିଅନ୍ତୁ ଯେପରି ଏହା ସମ୍ପୂର୍ଣ୍ଣ ମିଳାଇଯିବ।
- ବ୍ୟବହାର : ଏହି ପ୍ରସ୍ତୁତ ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଭରି ନିଅନ୍ତୁ। ଘରର ଯେଉଁ ଯେଉଁ ସ୍ଥାନରେ ଛାରପୋକ ଅଛନ୍ତି – ଯେପରିକି ଗଦି , ଖଟ ର କାଠ କଣ, କବାଟ, ସୋଫା ଏବଂ ଭଙ୍ଗା କାନ୍ଥର ଫାଙ୍କ ସବୁରେ ଏହାକୁ ଭଲଭାବେ ସ୍ପ୍ରେ କରନ୍ତୁ।
କାହିଁକି ଏହା ପ୍ରଭାବଶାଳୀ?
କପୂର ଏବଂ ଫିଟିକିରିର ଗନ୍ଧ ଅତ୍ୟନ୍ତ ତୀବ୍ର ହୋଇଥିବାରୁ ଏହା ଛାରପୋକଙ୍କ ଶ୍ୱାସକ୍ରିୟା ଏବଂ ସ୍ନାୟୁ ମଣ୍ଡଳକୁ ପ୍ରଭାବିତ କରିଥାଏ। ଏହି ଗନ୍ଧ ସହ୍ୟ ନକରିପାରି ଛାରପୋକଗୁଡ଼ିକ ତୁରନ୍ତ ସେହି ସ୍ଥାନ ଛାଡ଼ି ପଳାନ୍ତି କିମ୍ବା ମରିଯାଆନ୍ତି।
ଅନ୍ୟ କିଛି ଜରୁରୀ ପରାମର୍ଶ
- ଖରାରେ ଶୁଖାନ୍ତୁ : ବିଛଣା, ଗାଦି ଓ ତକିଆକୁ ସପ୍ତାହରେ ଅତି କମରେ ଥରେ କଡ଼ା ଖରାରେ ୪-୫ ଘଣ୍ଟା ରଖନ୍ତୁ। ଖରାର ଉତ୍ତାପ ଯୋଗୁଁ ଛାରପୋକ ଓ ସେମାନଙ୍କ ଅଣ୍ଡା ନଷ୍ଟ ହୋଇଯାଆନ୍ତି।
- ସଫାସୁତୁରା : ନିୟମିତ ଭାବେ ଘରର କୋଣ, ଖଟ ତଳ ଏବଂ କାଠ ଆସବାବପତ୍ର ସଫା ରଖନ୍ତୁ। ଗଦିର କଭରକୁ ଗରମ ପାଣିରେ ଧୁଅନ୍ତୁ।


