“ସିଷ୍ଟମ୍ ପୂରା ଭାଙ୍ଗିପଡ଼ିଛି… ଯଦି ଦେଶର ନିରାଶ ଯୁବପିଢ଼ି ଏକଜୁଟ୍ ହୋଇଯିବେ, ତେବେ ପୂରା ପାକିସ୍ତାନକୁ ଓଲଟାଇ ଦେବେ!”
ଏହି ବୟାନ କୌଣସି ବିରୋଧୀ ନେତାଙ୍କର ନୁହେଁ। ଏହା ହେଉଛି ନିଜେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କର ସ୍ୱୀକାରୋକ୍ତି!
ଇସଲାମାବାଦରେ ଆୟୋଜିତ ଏକ ସମ୍ମିଳନୀରେ ପାକିସ୍ତାନର ଗୃହମନ୍ତ୍ରୀ ଯେଉଁ ଚେତାବନୀ ଦେଇଛନ୍ତି, ତାହା ଶାସକ ଦଳ, ସେନାମୁଖ୍ୟ ଆସିମ୍ ମୁନୀର ଏବଂ ସମଗ୍ର ପାକିସ୍ତାନୀ ଶାସକ ଗୋଷ୍ଠୀର ନିଦ ହଜାଇ ଦେଇଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେବଳ ଫିଲ୍ଡସମାର୍ଶାଲ ଆସିମ୍ ମୁନୀର କିମ୍ବା ପ୍ରଧାନମନ୍ତ୍ରୀ ଶେହବାଜ ସରୀଫ ଦିନକୁ ୧୪ ଘଣ୍ଟା ପରିଶ୍ରମ କଲେ ବି ପାକିସ୍ତାନ ବଞ୍ଚିପାରିବ ନାହିଁ।
କିନ୍ତୁ ପାକିସ୍ତାନ ଗୃହମନ୍ତ୍ରୀ ନିଜ ଦେଶର ଯୁବପିଢ଼ିଙ୍କୁ ନେଇ କାହିଁକି ଏଭଳି ଭୟଙ୍କର ବୟାନ ଦେଲେ? କାହିଁକି ସେ ଭାରତରେ ହୋଇଥିବା ସିଜେପି ଆନ୍ଦୋଳନର ଉଦାହରଣ ଦେଇ ପାକିସ୍ତାନୀ ସେନାକୁ ଚେତାବନୀ ଦେଲେ?
“Cockroach” ବୟାନ ଏବଂ ସିଷ୍ଟମ୍ର ବିଫଳତା
ଇସଲାମାବାଦଠାରେ ଆୟୋଜିତ ‘ପାକିସ୍ତାନ ଇକୋନୋମିକ୍ ସମିଟ୍’ରେ ଭାଷଣ ଦେଉଥିଲେ ଗୃହମନ୍ତ୍ରୀ ମୋହସିନ୍ ନକଭି। ସେଠାରେ ସେ କହିଲେ, “ଆମେ ଯେଉଁ ବ୍ୟବସ୍ଥା କିମ୍ବା ସିଷ୍ଟମ୍ ଭିତରେ ଜିଉଁଛେ, ତାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛି। ଏହି ପୁରୁଣା ସିଷ୍ଟମ୍ ଦ୍ୱାରା ଦେଶର କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ।”
ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି, ନକଭି ଯୁବପିଢ଼ିଙ୍କ ଆକ୍ରୋଶକୁ ବୁଝାଇବାକୁ ଯାଇ କହିଲେ—
“ଆପଣ ସେହି ନିରାଶ ଯୁବକଙ୍କୁ ଯୁବପିଢ଼ି କୁହନ୍ତୁ କିମ୍ବା ‘କକ୍ରୋରୋଚ୍’ କୁହନ୍ତୁ… ଯଦି ଏହି ‘କକ୍ରୋରୋଚ୍’ମାନେ ଏକଜୁଟ୍ ହୋଇଯିବେ, ତେବେ ସେମାନେ ସବୁକିଛି ଓଲଟପାଲଟ କରିଦେବେ!”
ଜଣେ ଗୃହମନ୍ତ୍ରୀ ନିଜ ଦେଶର ବେକାର ଏବଂ ନିରାଶ ଯୁବପିଢ଼ିଙ୍କୁ ‘କକ୍ରୋରୋଚ୍’ ଭଳି ଶବ୍ଦ ସହ ତୁଳନା କରିବା ଏବଂ ସେମାନଙ୍କ ଏକତାକୁ ଭୟ କରିବା ଦର୍ଶାଉଛି ଯେ, ପାକିସ୍ତାନ ସରକାର ଭିତରେ କେତେ ବଡ଼ ଭୟ ପସିଯାଇଛି। ସାଧାରଣ ଲୋକଙ୍କୁ କେବଳ ନ୍ୟାୟ, ମେଧା ଆଧାରରେ ଚାକିରି ଏବଂ ରୋଜଗାର ଦରକାର। କିନ୍ତୁ ପାକିସ୍ତାନୀ ଶାସକମାନେ ନିଜର ଆର୍ଥିକ ଦୁର୍ନୀତି ଓ କ୍ଷମତା ଲୋଭରେ ଦେଶର ଯୁବପିଢ଼ିଙ୍କୁ ଶୋଷଣ କରିଚାଲିଛନ୍ତି।
ଆସିମ୍ ମୁନୀରଙ୍କ ଉପରେ କଟାକ୍ଷ
ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ଚେତାବନୀ କେବଳ ସେତିକିରେ ସରିନଥିଲା। ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ସେ ସିଧାସଳଖ ପାକିସ୍ତାନୀ ଫିଲ୍ଡାମାର୍ଶାଲ ଆସିମ୍ ମୁନୀରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି—
“ଯେପର୍ଯ୍ୟନ୍ତ ରାଜନେତାମାନେ ଏକାଠି ହୋଇ ଦେଶର ବ୍ୟବସ୍ଥାକୁ ନ ସୁଧାରିଛନ୍ତି, ସେପର୍ଯ୍ୟନ୍ତ ଫିଲ୍ଡ ମାର୍ଶାଲ୍ (ଫିଲ୍ଡରମାର୍ଶାଲ)ଙ୍କ କଠିନ ପରିଶ୍ରମର କୌଣସି ଫଳ ମିଳିବ ନାହିଁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶେହବାଜ ସରୀଫ ଦିନକୁ ୧୨ରୁ ୧୪ ଘଣ୍ଟା କାମ କରୁଥାଇପାରନ୍ତି, କିନ୍ତୁ ସେହି କାମ କେବଳ ନିଆଁ ଲିଭାଇବା ଭଳି କାମ କରୁଛି। ମୂଳ ସମସ୍ୟାର ସମାଧାନ ହୋଇପାରୁନାହିଁ। ଦେଶ ଉପରେ ଋଣର ବୋଝ, ଦୁର୍ବଳ ଶାସନ, ଚାକିରିର ଅଭାବ ପାକିସ୍ତାନକୁ ଭିତରୁ ପୋକ ଭଳି କାଟି ଚାଲିଛି।
ଫିଲ୍ଡ-ମାର୍ଶାଲ ଆସିମ୍ ମୁନୀର ଭାବୁଥିଲେ ଯେ ସେ ବନ୍ଧୁକ ବଳରେ ପାକିସ୍ତାନକୁ ଚଲାଇନେବେ। କିନ୍ତୁ ନିଜ ଗୃହମନ୍ତ୍ରୀଙ୍କ ଏହି ବୟାନ ପ୍ରମାଣ କରୁଛି ଯେ ସେନା ଶାସନ ମଧ୍ୟ ପାକିସ୍ତାନକୁ ଧ୍ୱଂସମୁଖରୁ ବଞ୍ଚାଇ ପାରୁନାହିଁ।
ପାକ୍ ଅଧିକୃତ କାଶ୍ମୀର ଓ ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନର ନିଆଁ
ନକଭିଙ୍କର ଏହି ଭୟ ପଛରେ ରହିଛି ପାକ୍ ଅଧିକୃତ କାଶ୍ମୀର ଏବଂ ବାଲୋଚିସ୍ତାନରେ ଜଳୁଥିବା ନିଆଁ!
ଗୋଟିଏ ପଟେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ସେନାର ନିର୍ଦ୍ଦୟ ଦମନଲୀଳା ଓ ଗୁଳିଚାଳନା ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ଅତ୍ୟାଚାରିତ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଇସଲାମାବାଦରେ ଶହ ଶହ ଛାତ୍ରଛାତ୍ରୀ ପାକ୍ ଅଧିକୃତ କାଶ୍ମୀର ନାଗରିକଙ୍କ ସମର୍ଥନରେ ଆନ୍ଦୋଳନ କରୁଛନ୍ତି। ବାଲୋଚିସ୍ତାନ ଏବଂ ଖାଏବର ପାଖ୍ତୁନ୍ଖ୍ୱାରେ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ କ୍ରମାଗତ ଆକ୍ରମଣ ଚଲାଇଛନ୍ତି।
ସେହିପରି, ଭାରତରେ ସମ୍ପ୍ରତି ସିଜେପି ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ସ୍ଥିତିକୁ ଦେଖି ପାକିସ୍ତାନ ସରକାର ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି। ପାକିସ୍ତାନୀ ଗୃହମନ୍ତ୍ରୀ ଭାବୁଛନ୍ତି ଯେ, ଯଦି ସେହିଭଳି କୌଣସି ଜନଆନ୍ଦୋଳନ ପାକିସ୍ତାନରେ ସଂଗଠିତ ହୁଏ, ତେବେ ଶେହବାଜ ସରୀଫ ସରକାର କିମ୍ବା ଆସିମ୍ ମୁନୀରଙ୍କ ସେନା— କେହି ବି ଏହି ଜନସ୍ରୋତକୁ ଅଟକାଇ ପାରିବେ ନାହିଁ।
ଇତିହାସ ସାକ୍ଷୀ ଅଛି— ଯେତେବେଳେ କୌଣସି ଦେଶର ଶାସକ ନିଜ ଯୁବପିଢ଼ିଙ୍କୁ ଏକଜୁଟ୍ ହେବାର ଭୟ କରେ, ସେତେବେଳେ ସେହି ଶାସନର ପତନ ନିଶ୍ଚିତ ହୋଇଯାଏ। ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ଏହି ବୟାନ କେବଳ ଏକ ସ୍ୱୀକାରୋକ୍ତି ନୁହେଁ, ଏହା ହେଉଛି ପାକିସ୍ତାନୀ ସିଷ୍ଟମ୍ର ଶେଷ ସମୟର ସଙ୍କେତ!
ଅସନ୍ତୁଷ୍ଟ ଯୁବପିଢ଼ି, ଭାଙ୍ଗିପଡ଼ିଥିବା ଅର୍ଥନୀତି, ପାକ୍ ଅଧିକୃତ କାଶ୍ମୀରରେ ହାାହାକାର ଏବଂ ଫିଲ୍ଡାମାର୍ଶାଲଙ୍କ ନିଷ୍କ୍ରିୟତା— ଏହି ସବୁ ମିଶି ପାକିସ୍ତାନକୁ ଏକ ବଡ଼ ଗୃହଯୁଦ୍ଧ ଆଡ଼କୁ ଠେଲି ଦେଉଛନ୍ତି।
AlsoRead; https://purvapaksa.com/mars-transits-the-wheel-of-fortune-will-turn-for-these-6-zodiac-signs/


