କାହିଁକି ଆଉ କୋଉ ସ୍ୱାର୍ଥ ପାଇଁ ଏବେ ବିଜେପି ନେତାଙ୍କ ଭିତରେ ‘ମୁଁ ମୁକୁ ଭାଇଙ୍କ ଲୋକ’ ବୋଲି ଦେଖେଇ ହେବାର ଗୋଟିଏ କମ୍ପିଟିସନ୍ ଚାଲିଛି? କିନ୍ତୁ ଏହି ସବୁ ଭିତରେ, କିଛି ନେତା ଏବେ ମଝି ଦରିଆରେ ଫସିଗଲା ଭଳି ଅଡୁଆରେ ପଡ଼ିଯାଇଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ଓଡ଼ିଶାରେ ଆସି ପହଞ୍ଚିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓରଫ ‘ମୁକୁ ଭାଇ’। ଆଉ ସେ ଭୁବନେଶ୍ୱରରେ ପାଦ ଦାଉ ଦେଉ ହିଁ ରାଜ୍ୟ ବିଜେପି ଶିବିରରେ ସୃଷ୍ଟି ହୋଇଛି ଏକ ଗୁରୁତର ଅଡୁଆ ପରିସ୍ଥିତି!
ଅଧା ଡର୍ଜନରୁ ଅଧିକ ମନ୍ତ୍ରୀ ଏବଂ ଗଣ୍ଡା ଗଣ୍ଡା ନେତା ଏବେ ‘ଏ କୂଳେ ହେବେ ନା ସେ କୂଳେ’— ସେହି କନ୍ଫ୍ୟୁଜନ୍ରେ ଘରେ ବସି ପଡ଼ିଛନ୍ତି। ମୁକୁ ଭାଇଙ୍କ ଲୋକ ହେଲେ ମୋହନ ମାଝୀ ଏବଂ ମନମୋହନ ସାମଲ ରାଗିବେ, ଆଉ ମୋହନ-ମନମୋହନଙ୍କ ଲୋକ ହେଲେ ମୁକୁ ଭାଇ ରାଗିବେ!
ଆଜିର ଏହି ବିଶେଷ ବିଶ୍ଳେଷଣରେ ଆମେ ଦେଖିବା— କେଉଁ କେଉଁ ମନ୍ତ୍ରୀ ଓ ବିଧାୟକ ଆଜି ଏୟାରପୋର୍ଟ ତାଙ୍କ ବାସଭବନକୁ ଗଲେ? କେଉଁ ନେତାମାନେ ନିଜ ପଦପଦବୀ ଭୟରେ ଲୁଚି ରହିଲେ? ଆଉ କାହିଁକି ବିପଦବେଳେ ଧର୍ମେନ୍ଦ୍ରଙ୍କ ନିଜ ଲୋକମାନେ ହିଁ ଦୂରତା ବଜାୟ ରଖୁଛନ୍ତି?”
ଏହି ଅଡୁଆ ସ୍ଥିତିର ମୂଳ କାରଣ କ’ଣ?
ସବୁଠାରୁ ବଡ଼ କନ୍ଫ୍ୟୁଜନ୍ ହେଉଛି— ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜନୀତିରେ ରହିବେ, ନା ପୁଣି କେନ୍ଦ୍ରୀୟ ରାଜନୀତିକୁ ଫେରିଯିବେ? ଏହି ଅଙ୍କକୁ କଷି ପାରୁନାହାନ୍ତି ରାଜ୍ୟ ବିଜେପିର ଦ୍ୱନ୍ଦ୍ୱରେ ଥିବା ନେତାମାନେ।
ଗଣିତଟି ବହୁତ ସରଳ କିନ୍ତୁ ଜଟିଳ!
ଯଦି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରେ ହିଁ ରହିଗଲେ, ଆଉ ଏହି ନେତାମାନେ ଯଦି ମୋହନ ମାଝୀ କିମ୍ବା ମନମୋହନ ସାମଲଙ୍କ ଗୋଷ୍ଠୀରେ ରହିଥିବେ, ତେବେ ସେମାନଙ୍କ ଆଗାମୀ ଭବିଷ୍ୟତ ଅନ୍ଧାର।
ଆଉ ଅନ୍ୟପଟେ, ଯଦି ଏମାନେ ଖୋଲାଖୋଲି ମୁକୁ ଭାଇଙ୍କ ଗୋଷ୍ଠୀରେ ରହିଲେ, କିନ୍ତୁ କେନ୍ଦ୍ରୀୟ ଦଳୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କୁ ପୁଣି ରାଜ୍ୟରୁ କାଢ଼ି ରାଷ୍ଟ୍ରୀୟ ରାଜନୀତିକୁ ନେଇଗଲେ, ତେବେ ରାଜ୍ୟରେ ଶାସନ କରୁଥିବା ମୋହନ ସରକାରଙ୍କ ଆକ୍ରୋଶର ଶିକାର ହେବେ।
ଏହି ନିଜ ସ୍ୱାର୍ଥ ଏବଂ କ୍ଷମତା ହରାଇବାର ଭୟ ଯୋଗୁଁ ଏବେ ଗଣ୍ଡା ଗଣ୍ଡା ନେତା ଅଡୁଆରେ। ଯେଉଁମାନେ ଏୟାରପୋର୍ଟ ଯାଇଥିଲେ, ସେମାନେ ଯେତେ ଏ କଥା କହୁନାହାନ୍ତି, ତା’ଠାରୁ ବେଶି ଘରେ ଚୁପ୍ଚାପ୍ ବସିଥିବା ନେତାମାନେ ନିଜକୁ ମୁକୁ ଭାଇଙ୍କ ପରମ ସମର୍ଥକ ଦେଖାଇବା ପାଇଁ ବାହାରେ କହିବୁଲୁଛନ୍ତି— ‘ଆମେ ମୁକୁ ଭାଇ ଲୋକ!'”
ଆଜି ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରତ୍ୟକ୍ଷରେ କେଉଁ କେଉଁ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ।
ପ୍ରଥମେ ମନ୍ତ୍ରୀମାନଙ୍କ ତାଲିକା ଦେଖିବା:
- ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ହେଲେ ସ୍କୁଲ ପିଲାଙ୍କୁ ଭୁଲ ବହି ବାଣ୍ଟିଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,
- ରାଜ୍ୟବାସୀଙ୍କୁ ବାସଗୃହ ଓ ପାନୀୟ ଜଳ ଯୋଗାଣରେ ବିଫଳ ହୋଇଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ,
- ଛାତ୍ରୀ ମୃତ୍ୟୁକୁ ନେଇ ଗତବର୍ଷ ଚର୍ଚ୍ଚାରେ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ,
- ପାରାଦୀପ ପୋର୍ଟ କର୍ମଚାରୀ ସଂଘ ବିବାଦରେ ଘେରି ରହିଥିବା ସମ୍ପଦ ସ୍ୱାଇଁ,
- ରାଜ୍ୟରେ ହଇଜା ସମ୍ଭାଳି ପାରୁନଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଏହା ବ୍ୟତୀତ ବିଧାୟକମାନଙ୍କ ଭିତରେ:
- କାମାକ୍ଷାନଗରରୁ ଶତ୍ରୁଘ୍ନ ଜେନା,
- ଏକାମ୍ର ଭୁବନେଶ୍ୱରରୁ ବାବୁ ସିଂ,
- ଅନୁଗୁଳରୁ ପ୍ରତାପ ଚନ୍ଦ୍ର ପ୍ରଧାନ,
- ବାଲେଶ୍ୱରରୁ ମାନସ ଦତ୍ତ,
- ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ,
- ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ,
- ହିନ୍ଦୋଳରୁ ସିମାରାଣୀ ନାୟକ,
- ଛେଣ୍ଡିପଦାରୁ ଅଗସ୍ତି ବେହେରା,
- ମହାକାଳପଡ଼ାରୁ ଦୁର୍ଗା ନାୟକ,
- ବଡ଼ଚଣାରୁ ଅମର ନାୟକ,
- ଜଗତସିଂହପୁରରୁ ଅମରେନ୍ଦ୍ର ଦାସ,
- ଛତ୍ରପୁରରୁ କୃଷ୍ଣ ଚରଣ ନାୟକ,
- ପରଜଙ୍ଗରୁ ବିଭୂତି ପ୍ରଧାନ,
- ପାଲଲହଡ଼ାରୁ ଅଶୋକ ମହାନ୍ତି,
- ରାଇରଙ୍ଗପୁରରୁ ଜଲନେ ନାୟକ,
- ସିମୁଳିଆରୁ ପଦ୍ମନାଭ ପଣ୍ଡା,
- ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ୱାଇଁ,
- ବୀରମହାରାଜପୁରରୁ ରଘୁନାଥ ଜଗଦଲା,
- ନବରଙ୍ଗପୁରରୁ ଗୌରୀଶଙ୍କର ମାଝୀ,
- ବିଜେପୁରରୁ ସନତ ଗଡ଼ତିଆ ଏବଂ
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ପାଟଣା ବିଧାୟକ ଅଖିଳ ନାୟକ।
- ଏହା ସହିତ ପୂର୍ବତନ ବିଧାୟକ ସମୀର ଦାସ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ଅନେକ ନେତା ଓ ସମର୍ଥକ ଆଜି ଧର୍ମେନ୍ଦ୍ରଙ୍କୁ ବିପୁଳ ସ୍ୱାଗତ କରିଥିଲେ।”
“କିନ୍ତୁ ଆଜିର ଏହି ସ୍ୱାଗତ ସମ୍ବର୍ଦ୍ଧନା ଭିତରେ ଯାହା ସମସ୍ତଙ୍କୁ ସବୁଠାରୁ ବେଶି ଚକିତ କରିଥିଲା, ତାହା ହେଉଛି— ଯେଉଁ ନେତାମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିଜ ହାତରେ ତିଆରି କରିଛନ୍ତି, ଯେଉଁମାନଙ୍କୁ ବିଧାୟକ ଟିକେଟ୍ ଦେବାଠାରୁ ନେଇ ଜିତିବାରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି, ମନ୍ତ୍ରୀ ପଦବୀ ଦେଇଛନ୍ତି… ସେମାନଙ୍କ ଭିତରୁ ପ୍ରାୟ ୫୦ ପ୍ରତିଶତ ନେତା ଆଜି ଗାୟବ!
ନିଜର ପଦପଦବୀ ହରାଇବା ଭୟରେ ସେମାନେ ଆଜି ବିମାନବନ୍ଦରକୁ ଆସିବାକୁ ସାହସ କଲେନାହିଁ।
ଅବଶ୍ୟ, କିଛି ନେତା ଭିତିରିଆ ସମ୍ପର୍କ ବଜାୟ ରଖିବା ପାଇଁ ରାତି ଅଧରେ ଚୁପ୍ଚାପ୍ ଯାଇ ତାଙ୍କ ବାସଭବନରେ ଭେଟୁଛନ୍ତି। କିନ୍ତୁ କଥାରେ ଅଛି ନା— ‘ବିପଦ ବେଳେ ହିଁ ଅସଲି ବନ୍ଧୁଙ୍କୁ ଚିହ୍ନା ଯାଏ!’
ଆଜି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତିରେ ଥିବା ବେଳେ, ଯେଉଁମାନେ ତାଙ୍କ କୃପାରୁ ନେତା ହୋଇଛନ୍ତି, ସେମାନେ କେବଳ ଲୋକଦେଖାଣି ଭାବେ ‘ମୁଁ ମୁକୁ ଭାଇ ଲୋକ’ କହିଦେଲେ ଚଳିବନି। ସେମାନଙ୍କର ଖୁଲମଖୁଲା ସାମ୍ନାକୁ ଆସିବା ଦରକାର ଏବଂ ଧର୍ମେନ୍ଦ୍ରଙ୍କ ମନବଳକୁ ସୁଦୃଢ଼ କରିବା ଦରକାର।”
“ତେବେ ଦର୍ଶକବନ୍ଧୁ, ଓଡ଼ିଶା ବିଜେପି ଭିତରେ ଚାଲିଥିବା ଏହି ‘ମୁକୁ ଭାଇ’ ଗ୍ରୁପ୍ ଏବଂ ‘ମୁଖ୍ୟମନ୍ତ୍ରୀ’ ଗ୍ରୁପ୍ର ଟଣାଓଟରା ଆଗକୁ କେଉଁ ମୋଡ଼ ନେବ? ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରେ ନିଜର ଆଧିପତ୍ୟ ବଜାୟ ରଖିପାରିବେ, ନା ଏହି ଫସିଥିବା ନେତାମାନେ ଦଳ ବଦଳାଇ ଅନ୍ୟ ଗୋଷ୍ଠୀରେ ସାମିଲ ହେବେ?


