ଆଜିକାଲିର ସାଧାରଣ ଜୀବନଶୈଳୀ, ମାନସିକ ଚାପ ଏବଂ ବଦଳୁଥିବା ଆହାର ଯୋଗୁଁ ଥାଇରଏଡ୍ ସମସ୍ୟା ବହୁତ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣତଃ ଲୋକମାନେ ଥାଇରଏଡ୍କୁ କେବଳ ଓଜନ ବଢ଼ିବା କିମ୍ବା କମିବାର ଏକ ରୋଗ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ଏହାର ପଛରେ ଥିବା ସବୁଠାରୁ ଗୁରୁତର କାରଣ ହେଉଛି ‘ହାସିମୋଟୋ ଥାଇରଏଡାଇଟିସ୍’। ଏହା ଏକ ପ୍ରକାରର ‘ଅଟୋଇମ୍ୟୁନ୍ ଡିଜିଜ୍’, ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ପୁରୁଷଙ୍କ ତୁଳନାରେ ମହିଳାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗ କ’ଣ, କାହିଁକି ମହିଳାମାନେ ଏହାର ଶିକାର ହୁଅନ୍ତି ଏବଂ ଏହାର ଲକ୍ଷଣ କ’ଣ, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି।

‘ହାସିମୋଟୋ ଥାଇରଏଡାଇଟିସ୍’ କ’ଣ?
ହାସିମୋଟୋ ଥାଇରଏଡାଇଟିସ୍ ହେଉଛି ଶରୀରର ପ୍ରତିରୋଧକ ବ୍ୟବସ୍ଥାର ଏକ ପ୍ରକାରର ତ୍ରୁଟି। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ମୁଖ୍ୟ କାର୍ଯ୍ୟ ହେଉଛି ବାହାରୁ ଆସୁଥିବା ଭୂତାଣୁ, ବ୍ୟାକ୍ଟେରିଆ ଓ ସଂକ୍ରମଣରୁ ଶରୀରକୁ ରକ୍ଷା କରିବା। କିନ୍ତୁ ଏହି ରୋଗରେ ଶରୀରର ପ୍ରତିରୋଧକ ବ୍ୟବସ୍ଥା ଭ୍ରମବଶତଃ ନିଜର ହିଁ ଥାଇରଏଡ୍ ଗ୍ରନ୍ଥିକୁ ଶତ୍ରୁ ଭାବି ଆକ୍ରମଣ କରିବା ଆରମ୍ଭ କରେ। ଥାଇରଏଡ୍ ଗ୍ରନ୍ଥି ଆମ ବେକର ନିମ୍ନଭାଗରେ ଏକ ପ୍ରଜାପତି ଆକୃତିର ହୋଇଥାଏ, ଯାହା ଶରୀରର ମେଟାବୋଲିଜିମ୍, ଶକ୍ତି, ହୃଦ୍ସ୍ପନ୍ଦନ ଓ ହରମୋନ୍କୁ ନିୟନ୍ତ୍ରଣ କରେ। ଆଣ୍ଟିବଡିଗୁଡ଼ିକ ଥାଇରଏଡ୍ କୋଷଗୁଡ଼ିକୁ ନଷ୍ଟ କରିଦେବା ଦ୍ୱାରା ଗ୍ରନ୍ଥିରୁ ଆବଶ୍ୟକ ପରିମାଣର ଥାଇରଏଡ୍ ହରମୋନ୍ (T3, T4) କ୍ଷରଣ ହୋଇପାରେ ନାହିଁ। ଫଳରେ ରୋଗୀ ‘ହାଇପୋଥାଇରଏଡିଜିମ୍’ର ଶିକାର ହୁଏ।

ମହିଳାଙ୍କଠାରେ କାହିଁକି ଅଧିକ ଦେଖାଯାଏ ଏହି ରୋଗ?
ଡାକ୍ତରୀ ଗବେଷଣା ଅନୁଯାୟୀ, ପୁରୁଷଙ୍କ ତୁଳନାରେ ମହିଳାମାନେ ହାସିମୋଟୋ ଥାଇରଏଡାଇଟିସ୍ରେ ୭ ରୁ ୧୦ ଗୁଣ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା:
1. ହରମୋନ୍ର ଅସନ୍ତୁଳନ : ମହିଳାଙ୍କ ଶରୀରରେ ଥିବା ‘ଇଷ୍ଟ୍ରୋଜେନ୍’ ହରମୋନ୍ ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରେ। ଇଷ୍ଟ୍ରୋଜେନ୍ ସ୍ତରରେ ବାରମ୍ବାର ପରିବର୍ତ୍ତନ ଘଟିବା ଦ୍ୱାରା ଅଟୋଇମ୍ୟୁନ୍ ପ୍ରତିକ୍ରିୟା ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଏ।
2. ଜୀବନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ : ମହିଳାମାନେ ଗର୍ଭାବସ୍ଥା, ପ୍ରସବ ପରବର୍ତ୍ତୀ ସମୟ ଏବଂ ରଜୋନିବୃତ୍ତି (Menopause) ଭଳି ପର୍ଯ୍ୟାୟ ଦେଇ ଗତି କରିବା ସମୟରେ ହରମୋନ୍ରେ ବ୍ୟାପକ ପରିବର୍ତ୍ତନ ଆସେ। ଏହି ସମୟରେ ହାସିମୋଟୋ ରୋଗ ସକ୍ରିୟ ହେବାର ଆଶଙ୍କା ଅଧିକ ଥାଏ।
3. ଜେନେଟିକ୍ କାରଣ : ପରିବାରରେ କାହାର ଥାଇରଏଡ୍ କିମ୍ବା ଅନ୍ୟ କୌଣସି ଅଟୋଇମ୍ୟୁନ୍ ରୋଗ (ଯେପରିକି ଟାଇପ୍-୧ ଡାଇବେଟିସ୍, ଲୁପସ୍) ଥିଲେ, ମହିଳାମାନଙ୍କୁ ଏହା ବଂଶାନୁକ୍ରମିକ ଭାବେ ହେବାର ସମ୍ଭାବନା ଅଧିକ।
ପ୍ରମୁଖ ଲକ୍ଷଣ

ଏହି ରୋଗର ଲକ୍ଷଣଗୁଡ଼ିକ ଅତ୍ୟନ୍ତ ଧୀରେ ଧୀରେ ପ୍ରକାଶ ପାଇଥାଏ, ଯାହାକୁ ଅନେକ ସମୟରେ ସାଧାରଣ ଦୁର୍ବଳତା ଭାବି ଅଣଦେଖା କରାଯାଏ:
- ପ୍ରବଳ କ୍ଲାନ୍ତି ଓ ପ୍ରଚୁର ଶୋଇବା ପରେ ମଧ୍ୟ ଦୁର୍ବଳ ଲାଗିବା
- ଅତ୍ୟଧିକ ଶୀତ ଅନୁଭବ ହେବା
- ବିନା କାରଣରେ ଓଜନ ବୃଦ୍ଧି ପାଇବା
- ଶୁଷ୍କ ଚର୍ମ, କେଶ ଝଡ଼ିବା ଏବଂ ନଖ ଭାଙ୍ଗିଯିବା
- ମହିଳାଙ୍କ କ୍ଷେତ୍ରରେ ଅନିୟମିତ ଋତୁସ୍ରାବ କିମ୍ବା ଅତ୍ୟଧିକ ରକ୍ତସ୍ରାବ
- କୋଷ୍ଠକାଠିନ୍ୟ (Constipation) ଏବଂ ମାଂସପେଶୀ/ଗଣ୍ଠି ବିନ୍ଦା
- ସ୍ମରଣଶକ୍ତି କମିଯିବା, ଚିନ୍ତାମଗ୍ନ ରହିବା ଏବଂ ମାନସିକ ଅବସାଦ (Depression)
ଚିକିତ୍ସା ଓ ସାବଧାନତା
![]()
ଯଦି ଆପଣଙ୍କଠାରେ ଏହିପରି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ରକ୍ତ ପରୀକ୍ଷା (TSH, Free T3, Free T4 ଏବଂ Anti-TPO Antibody Test) କରାଇବା ଆବଶ୍ୟକ। ଯଦିଓ ହାସିମୋଟୋ ସମ୍ପୂର୍ଣ୍ଣ ଭାବେ ମୂଳରୁ ଭଲ ହୋଇନଥାଏ, ତଥାପି ନିୟମିତ ଡାକ୍ତରୀ ପରାମର୍ଶରେ ‘ସିନ୍ଥେଟିକ୍ ଥାଇରଏଡ୍ ହରମୋନ୍’ ଔଷଧ ସେବନ କରି ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇପାରିବ। ଏହାସହ ନିୟମିତ ବ୍ୟାୟାମ, ସନ୍ତୁଳିତ ଆହାର, ମାନସିକ ଚାପମୁକ୍ତ ଜୀବନଶୈଳୀ ଏବଂ ସେଲେନିୟମ୍ ଓ ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ରୋଗୀ ଏକ ସୁସ୍ଥ ଓ ସ୍ୱାଭାବିକ ଜୀବନ ବିତାଇପାରିବେ।


