“ମନ୍ତ୍ରୀମାନଙ୍କର ଇସ୍ତଫା ହୁଏନାହିଁ ଭାଇ! ଏହା UPA ସରକାର ନୁହେଁ, ଏହା NDA ସରକାର!”
ଏହି ପଦଟି କଥା ଆଜିକୁ ପ୍ରାୟ ୧୧ ବର୍ଷ ତଳେ, ଅର୍ଥାତ୍ ୨୦୧୫ ମସିହାରେ ଦେଶର ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ। ସେତେବେଳେ ହୁଏତ ଅନେକ ଲୋକ ଏହାକୁ ଗୋଟିଏ ସାଧାରଣ ରାଜନୈତିକ ବକ୍ତବ୍ୟ ଭାବି ଏଡ଼ାଇ ଦେଇଥିଲେ। କିନ୍ତୁ ଆଜି ୧୧ ବର୍ଷ ପରେ ପଛକୁ ଚାହିଁଲେ ଜଣାପଡ଼େ, ସେଦିନ ରାଜନାଥ ସିଂହ କୌଣସି ମଜାକ କରୁନଥିଲେ, ବରଂ ମୋଦୀ ସରକାରଙ୍କର ଗୋଟିଏ ବଡ଼ ଅଲେଖା ନିୟମ କହିଦେଇଥିଲେ!
ବିଗତ ୧୧ ବର୍ଷ ମଧ୍ୟରେ ଭାରତରେ ଅନେକ କିଛି ବଦଳିଛି। ନୋଟ୍ ବଦଳିଛି, ଆଇନ ବଦଳିଛି, ସହର ଓ ଷ୍ଟେସନର ନାମ ବଦଳିଛି, ରାସ୍ତାଘାଟ ବଦଳିଛି। କିନ୍ତୁ ଯଦି କିଛି ବଦଳିନାହିଁ, ସେଇଟି ହେଉଛି— ବିବାଦ ଓ ଅଭିଯୋଗ ଘେରରେ ଥିବା ମନ୍ତ୍ରୀଙ୍କ ଗାଦି!
ଗଣିତରେ ଶୂନ୍ୟର ଖୋଜ୍ ଭାରତ କରିଥିଲା, କିନ୍ତୁ ସରକାରୀ ବିଫଳତା ପରେ ‘ଇସ୍ତଫା ଗଣନାରେ ଶୂନ୍ୟ’ର ଖୋଜ୍ ବୋଧହୁଏ ମୋଦୀ ସରକାର କରିଛନ୍ତି। ଆଉ ଏହା କେବଳ ରାଜନୀତିର କଥା ନୁହେଁ, ଏହା ପିଲାଙ୍କ ଭବିଷ୍ୟତ, ଟ୍ରେନ୍ ଯାତ୍ରା, ସୁରକ୍ଷାର କଥା!
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ରେ ପ୍ରଥମେ କହିଲେ— “ପେପର ଲିକ୍ର କୌଣସି ପ୍ରମାଣ ନାହିଁ, NTA ସମ୍ପୂର୍ଣ୍ଣ ସ୍ୱଚ୍ଛ।” କିନ୍ତୁ ଯେତେବେଳେ ବିରୋଧ ବଢ଼ିଲା, ତଦନ୍ତ ହେଲା, ସେତେବେଳେ ନିଜେ ମନ୍ତ୍ରୀ ମାନିଲେ ଯେ ଗଡ଼ବଡ଼ ହୋଇଛି, ପେପର ୩୫ ଜଣ ପରୀକ୍ଷାର୍ଥୀଙ୍କ ପାଖରେ ଆଗରୁ ପହଞ୍ଚିସାରିଥିଲା।
ଥରେ ଭୁଲ୍ ହେଲେ ତାହାକୁ ଅଜାଣତରେ ହୋଇଥିବା ଭୁଲ୍ କୁହାଯାଏ, କିନ୍ତୁ ବାରମ୍ବାର ସେଇ ଏକା ଘଟଣା ଘଟିଲେ ତାହାକୁ ନୀତି କିମ୍ବା ବ୍ୟବସ୍ଥାର ବିଫଳତା କୁହାଯାଏ। ୭ ବର୍ଷରେ ୧୫ଟି ରାଜ୍ୟରେ ୭୦ରୁ ଅଧିକ ପରୀକ୍ଷାର ପେପର ଲିକ୍ ହେବାର ଅଭିଯୋଗ ଉଠୁଛି। ଦିଲ୍ଲୀର ଜନ୍ତର-ମନ୍ତରରୁ ଆରମ୍ଭ କରି ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କଲେ, ରାସ୍ତାକୁ ଓହ୍ଲାଇଲେ, ପୋଲିସର ଲାଠିଚାର୍ଜ ସହିଲେ।
କିନ୍ତୁ ପ୍ରଶ୍ନ ହେଉଛି— ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନ ଓ ଭବିଷ୍ୟତ ଅପେକ୍ଷା ଜଣେ ମନ୍ତ୍ରୀଙ୍କ ଚୌକି ବା ଗାଦି ଅଧିକ ବଡ଼ କି? ୭୦ଟି ପେପର ଲିକ୍ ପରେ ବି ଯଦି ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବନାହିଁ, ତେବେ ଶାସନ ବ୍ୟବସ୍ଥାରେ ‘ଦାୟିତ୍ୱ’ ବୋଲି ଶବ୍ଦର ଅର୍ଥ କ’ଣ?
ଆଉ ଏହା କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ନୁହେଁ। ବିଗତ ୧୧-୧୨ ବର୍ଷର ଇତିହାସ ଦେଖନ୍ତୁ। ଅତି କମ୍ରେ ୯ଟି ବଡ଼ ବଡ଼ ସଂକଟ ଆସିଛି, ଯେଉଁଠି ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାର ହୋଇଛି। କିନ୍ତୁ ଫଳାଫଳ? ସେଇ ଶୂନ୍ୟ!
• ଉଦାହରଣ ୧: ଅଶ୍ୱିନୀ ବୈଷ୍ଣବ (ରେଳ ମନ୍ତ୍ରଣାଳୟ) ୨୦୨୩ ଜୁନ୍ରେ ଓଡ଼ିଶାର ବାଲେଶ୍ୱର ବାହାନଗାଠାରେ ସୋଚନୀୟ ଟ୍ରେନ୍ ଦୁର୍ଘଟଣା ଘଟିଲା। ୨୯୬ ଜଣ ନିରୀହ ଯାତ୍ରୀ ପ୍ରାଣ ହରାଇଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ହେଲା। କିନ୍ତୁ ଇସ୍ତଫା ହେଲାନି। ପରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍ ଦୁର୍ଘଟଣା ହେଉ କି ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା— ରେଳ ଲାଇନ୍ ବଦଳିଗଲା, କିନ୍ତୁ ରେଳମନ୍ତ୍ରୀ ବଦଳିଲେ ନାହିଁ।
• ଉଦାହରଣ ୨: ଅଜୟ ମିଶ୍ର ଟୋନି (ଗୃହ ରାଜ୍ୟମନ୍ତ୍ରୀ) ୨୦୨୧ରେ ଲଖିମପୁର ଖେରୀରେ ଗାଡ଼ି ଚଢ଼ାଇ ୪ ଜଣ କୃଷକଙ୍କୁ ହତ୍ୟା କରିବା ଅଭିଯୋଗ ମନ୍ତ୍ରୀଙ୍କ ପୁଅ ବିରୋଧରେ ଲାଗିଲା। ସାରା ଦେଶରେ ଆକ୍ରୋଶ ପ୍ରକାଶ ପାଇଲା। ସଂସଦ ଅଚଳ ହେଲା। କିନ୍ତୁ ମନ୍ତ୍ରୀଙ୍କ ଚୌକି ସୁରକ୍ଷିତ ରହିଲା।
• ଉଦାହରଣ ୩: ସୁରେଶ ପ୍ରଭୁ (୨୦୧୭) ଏଠାରେ ଗୋଟିଏ ରୋଚକ କଥା ଶୁଣନ୍ତୁ! ୨୦୧୭ରେ ଟ୍ରେନ୍ ଦୁର୍ଘଟଣା ପରେ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ନିଜେ ‘ନୈତିକତା’ ଦେଖାଇ ଇସ୍ତଫା ଦେବାକୁ ଚାହିଁଥିଲେ। କିନ୍ତୁ ସରକାର ତାଙ୍କ ଇସ୍ତଫା ଗ୍ରହଣ କଲେ ନାହିଁ! ଅର୍ଥାତ୍ ଏହି ସିଷ୍ଟମ୍ରେ ନୈତିକ ଦାୟିତ୍ୱ ନେବା ପାଇଁ ବି ଉପରୁ ଅନୁମତି ଦରକାର। ପରେ ନୀରବରେ କ୍ୟାବିନେଟ୍ ଫେରବଦଲ ସମୟରେ ତାଙ୍କ ମନ୍ତ୍ରଣାଳୟ ବଦଳାଇ ଦିଆଗଲା।
• ଉଦାହରଣ ୪: ସ୍ମୃତି ଇରାନୀ ଓ ଅମିତ ଶାହ ୨୦୧୬ରେ ରୋହିତ ଭେମୁଲା ଆତ୍ମହତ୍ୟା ଓ JNU ବିବାଦ ସମୟରେ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି ହୋଇଥିଲା, ପରେ ମନ୍ତ୍ରଣାଳୟ ବଦଳିଲା। ମଣିପୁରରେ ୨ ବର୍ଷ ଧରି ହିଂସା ଜଳିଲା, ବିରୋଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ମାଗିଲେ, କିନ୍ତୁ କିଛି ହେଲାନି।
ସମ୍ପୂର୍ଣ୍ଣ ୧୨ ବର୍ଷରେ ମୋଦୀ ସରକାରରେ କେବଳ ଗୋଟିଏ ଇସ୍ତଫା ହୋଇଛି— ସେ ହେଉଛନ୍ତି ଏମ୍.ଜେ. ଆକବର। ଆଉ ସେଇଟି ବି କୌଣସି ସରକାରୀ କାର୍ଯ୍ୟର ବିଫଳତା ପାଇଁ ନୁହେଁ, ବରଂ ‘Me Too’ ବ୍ୟକ୍ତିଗତ ଅଭିଯୋଗ କାରଣରୁ! ଅର୍ଥାତ୍ ପ୍ରଶାସନିକ କାର୍ଯ୍ୟରେ ଯେତେ ବଡ଼ ଭୁଲ୍ ହେଉ ନା କାହିଁକି, ‘ୱାର୍କ ପରଫୋର୍ମାନ୍ସ’ କିମ୍ବା ‘ଅବହେଳା’ ଭିତ୍ତିରେ ଜଣେ ହେଲେ ବି ମନ୍ତ୍ରୀଙ୍କୁ ହଟାଯାଇନାହିଁ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି— ଭାରତୀୟ ଗଣତନ୍ତ୍ରରେ କ’ଣ ସବୁବେଳେ ଏମିତି ହେଉଥିଲା? ଇସ୍ତଫା କ’ଣ କେବେ ହେଉନଥିଲା?
ଚାଲନ୍ତୁ ଇତିହାସର ପୃଷ୍ଠା ଓଲଟାଇବା।
୧୯୫୬ ମସିହା। ମହବୁବନଗର ଟ୍ରେନ୍ ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲା। ତତ୍କାଳୀନ ରେଳମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ନିଜେ ଗାଡ଼ି ଚଲାଉ ନଥିଲେ କି ପାଟିରେ ପେପର ଲିକ୍ କରୁନଥିଲେ। କିନ୍ତୁ ସେ କହିଥିଲେ— “ମୋ ମନ୍ତ୍ରଣାଳୟର ବିଫଳତା ପାଇଁ ନୈତିକ ଦାୟିତ୍ୱ ମୋର।” ସେ ଇସ୍ତଫା ଦେଲେ। ପ୍ରଧାନମନ୍ତ୍ରୀ ନେହେରୁ ସଂସଦରେ କହିଥିଲେ— “ଶାସ୍ତ୍ରୀଜୀ ଦୁର୍ଘଟଣା ପାଇଁ ଦାୟୀ ନୁହନ୍ତି, କିନ୍ତୁ ଗଣତନ୍ତ୍ରରେ ଏକ ଭବିଷ୍ୟତର ଉଦାହରଣ ଓ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ମୁଁ ତାଙ୍କ ଇସ୍ତଫା ଗ୍ରହଣ କରୁଛି।”
ବିଜେପିର ନିଜସ୍ୱ ଅତୀତ— ଅଟଳ ବିହାରୀ ବାଜପେୟୀଙ୍କ NDA ସରକାର ସମୟକୁ! ୧୯୯୯ରେ ଗୈସଲ ଟ୍ରେନ୍ ଦୁର୍ଘଟଣା ପରେ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାର ନୈତିକ ଆଧାରରେ ଇସ୍ତଫା ଦେଇଥିଲେ। ୨୦୦୧ରେ ତହେଲକା କାଣ୍ଡ ପରେ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ ଇସ୍ତଫା ଦେଇଥିଲେ।
ସେହିପରି UPA ସରକାର ସମୟରେ, ଯଦିଓ ସେତେବେଳେ ବହୁତ ଦୁର୍ନୀତି ଅଭିଯୋଗ ଥିଲା, କୋର୍ଟ ଓ ଜନସାଧାରଣଙ୍କ ଚାପରେ ୨G ଦୁର୍ଘଟଣାରେ ଏ. ରାଜା, ଆଦର୍ଶ ଦୁର୍ନୀତିରେ ଅଶୋକ ଚଭାଣ, କିମ୍ବା ଲାଞ୍ଚ ଅଭିଯୋଗରେ ପବନ ବଂଶଲଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
କିନ୍ତୁ ଆଜି? ଆଜି ନୈତିକତା କେବଳ ପ୍ରେସ୍ ରିଲିଜ୍ରେ ସୀମିତ ରହିଯାଇଛି!
ସାଧାରଣ ମନରେ ପ୍ରଶ୍ନ ଆସିପାରେ— ସରକାର ମନ୍ତ୍ରୀମାନଙ୍କର ଇସ୍ତଫା କାହିଁକି ନିଅନ୍ତି ନାହିଁ?
ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଏହା ପଛରେ ଗୋଟିଏ ବଡ଼ ସ୍ଟ୍ରାଟେଜି ବା ରଣନୀତି ରହିଛି:
1. ଭୁଲ୍ ସ୍ୱୀକାର ନକରିବାର ଅହଂକାର: ସରକାର ଭାବନ୍ତି ଯେ ଯଦି ଜଣେ ମନ୍ତ୍ରୀଙ୍କ ଇସ୍ତଫା ନିଆଯାଏ, ତେବେ ମେସେଜ୍ ଯିବ ଯେ ସରକାର ନିଜର ଭୁଲ୍ କିମ୍ବା ବିରୋଧୀଙ୍କ ଦାବିକୁ ସ୍ୱୀକାର କରିନେଲେ।
2. ଆନ୍ଦୋଳନକୁ ଥକାଇଦେବା (Tiring out Protests): କୃଷକ ଆନ୍ଦୋଳନ ହେଉ କି ଛାତ୍ର ଆନ୍ଦୋଳନ— ସରକାର ସମୟ ଗଡ଼ାଇ ଦିଅନ୍ତି। ଭାବନ୍ତି ଯେ ଦିନ ବିତିଗଲେ ଲୋକଙ୍କ ଆକ୍ରୋଶ ଆପେ ଆପେ କମିଯିବ।
3. କ୍ୟାବିନେଟ୍ ଫେରବଦଲର ଆଢ଼ୁଆଳ: ଯଦି କୌଣସି ମନ୍ତ୍ରୀଙ୍କୁ ହଟାଇବାର ଥାଏ, ତେବେ ଜନସାଧାରଣଙ୍କ ଦାବି ଆଗରେ ନୁହେଁ, ବରଂ କିଛି ମାସ ପରେ ‘କ୍ୟାବିନେଟ୍ ରିଶଫଲ୍’ ନାମରେ ଚୁପଚାପ୍ ତାଙ୍କ ବିଭାଗ ବଦଳାଇ ଦିଆଯାଏ।
ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ବି ସେଇଆ। ସେ ସଂଘ ଓ ସଂଗଠନର ଜଣେ ଗୁରୁତ୍ୱପୂର୍ଣ୍ଣ ଚେହେରା। ଓଡ଼ିଶାରେ ବିଜେପିକୁ ଶୀର୍ଷକୁ ନେବାରେ ତାଙ୍କର ବଡ଼ ଭୂମିକା ରହିଛି। ସେଥିପାଇଁ ଟିମ୍ର ସେଭଳି ‘ପ୍ରଭାବଶାଳୀ ଖେଳାଳି’ଙ୍କୁ ବାହାରେ ବସାଇବାକୁ ସରକାର ଚାହାଁନ୍ତି ନାହିଁ— ସ୍କୋରବୋର୍ଡରେ ଯେତେ ଭୁଲ୍ ଥାଉ ନା କାହିଁକି!
ପ୍ରଶ୍ନ କେବଳ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ଅଶ୍ୱିନୀ ବୈଷ୍ଣବ ରହିବେ କି ଯିବେ ସେତିକି ନୁହେଁ। ପ୍ରଶ୍ନ ହେଉଛି— ଭାରତୀୟ ଗଣତନ୍ତ୍ରରେ ‘ଉତ୍ତରଦାୟିତ୍ୱ’ (Accountability) ଓ ‘ନୈତିକତା’ର ନିୟମ ସଦାସର୍ବଦା ପାଇଁ ବଦଳିଗଲା କି?
ଆମେ ଯେତେବେଳେ ଏକ ବୃହତ୍ ଗଣତନ୍ତ୍ରର କଥା କହୁଛୁ, ସେତେବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କାନ୍ଦ, ବାଲେଶ୍ୱରରେ ନିଜ ପ୍ରିୟଜନଙ୍କୁ ହରାଇଥିବା ୨୯୬ଟି ପରିବାରର ଲୁହ— କ’ଣ କେବଳ ଗୋଟିଏ ପ୍ରେସ୍ କନ୍ଫରେନ୍ସ କିମ୍ବା ତଦନ୍ତ କମିଟି ଗଠନରେ ଶେଷ ହୋଇଯିବ?
ବ୍ରିଟେନ୍ ଭଳି ଦେଶରେ ମନ୍ତ୍ରୀମାନଙ୍କ ପାଇଁ ‘ଲିଖିତ କୋଡ୍ ଅଫ୍ କଣ୍ଡକ୍ଟ’ ରହିଛି। ଆମ ଦେଶରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଭଳି ମହାନ ନେତାଙ୍କ ଉଦାହରଣ ରହିଛି। କିନ୍ତୁ ଆଜି ଯଦି ଭୁଲ୍ ହେବା ପରେ ବି ଇସ୍ତଫା ନଦେବା ଏକ ସାଧାରଣ ନିୟମ ପାଲଟିଯାଏ, ତେବେ ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ଦାବିର ମୂଲ୍ୟ ରହିଲା କେଉଁଠି?
ଏହା କ’ଣ ସେହି ରାମରାଜ୍ୟର ପରିକଳ୍ପନା, ଯେଉଁଠି ପ୍ରଜାଙ୍କ ସନ୍ଦେହ ବା ଅଭିଯୋଗ ମାତ୍ରକେ ନୈତିକତାର ବଡ଼ ପରୀକ୍ଷା ଦେବାକୁ ପଡ଼ୁଥିଲା?
AlsoRead; https://purvapaksa.com/what-about-tamil-bohu/


