ଆଉ ମାତ୍ର ଦୁଇଟା ଦିନ.. ତା’ପରେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ। ନନ୍ଦିଘୋଷ, ତାଳଧ୍ୱଜ ଆଉ ଦେବଦଳନ ରଥକୁ ଟାଣିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଛୁଟି ଆସିବେ ଲକ୍ଷ ଲକ୍ଷ ଭକ୍ତ। ଚଳିତ ବର୍ଷ ଏହି ସମାଗମ ସବୁ ରେକର୍ଡ ଭାଙ୍ଗିପାରେ ବୋଲି ଆକଳନ କରାଯାଉଛି। ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ପାଦ ପଡ଼ିବ ପୁରୀ ବଡ଼ଦାଣ୍ଡରେ। କିନ୍ତୁ ଏହି ଆନନ୍ଦ, ଏହି ଭକ୍ତି ଭାବନା ଭିତରେ ଆଜି ଓଡ଼ିଶାବାସୀଙ୍କ ମନରେ ଗୋଟିଏ ବଡ଼ ପ୍ରଶ୍ନବାଚୀ ଓ ଭୟ ସୃଷ୍ଟି ହୋଇଛି। ପ୍ରଶ୍ନଟି ହେଉଛି— ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ ଏବଂ ଶୃଙ୍ଖଳିତ ହେବ ତ? ନା ପୂର୍ବ ଦୁଇ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାର ଓ ପ୍ରଶାସନର ମୁଣ୍ଡରେ ନିନ୍ଦାର କାଳିମା ଲିପି ହୋଇଯିବ?
ଓଡ଼ିଶାର ଜନମତ କହୁଛି, ମୋହନ ବାବୁ! ଆପଣ ପ୍ରଶାସନିକ ଅଫିସର ଓ ନିଜ ସରକାରର ମନ୍ତ୍ରୀମାନଙ୍କ ଉପରେ ଅନ୍ଧଭାବେ ଭରସା କରନ୍ତୁ ନାହିଁ। କାରଣ ଗତ ଦୁଇଟି ରଥାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ରଥଯାତ୍ରା ଦାୟିତ୍ୱ ଦିଆଯାଇଥିଲା, ଫଳ କଣ ହେଲା ବିଶ୍ୱବାସୀ ଦେଖିଲେ। କେବଳ ନିନ୍ଦା ହିଁ ନିନ୍ଦା ମିଳିଲା ସରକାରଙ୍କୁ। ତେଣୁ ରଥଯାତ୍ରାର ସମସ୍ତ ଦାୟିତ୍ୱ ନିଜ ହାତକୁ ନିଅନ୍ତୁ ଏବଂ ନିଜେ ଠିଆହୋଇ ଏହାର ତଦାରଖ କରନ୍ତୁ।
ଅତୀତର ପାଠ ଏବଂ ବିଜେପି ସରକାରଙ୍କ ଦୁଇଟି ବଡ଼ ବିଫଳତା
ରାଜ୍ୟରେ ବିଜେପି ସରକାର ଶାସନ ଗାଦିକୁ ଆସିବା ପରଠାରୁ ଦୁଇ ଦୁଇଟି ରଥଯାତ୍ରା ପରିଚାଳନା କରିବାର ସୁଯୋଗ ପାଇ ସାରିଛି। କିନ୍ତୁ ଅତି ଦୁଃଖ ଏବଂ ପରିତାପର ବିଷୟ ଯେ, ଏହି ଦୁଇଟିଯାକ ରଥଯାତ୍ରାରେ ସରକାରଙ୍କକୁ ଚାରିଆଡ଼ୁ କେବଳ ନିନ୍ଦା, ଅପବାଦ ଏବଂ ସମାଲୋଚନା ହିଁ ମିଳିଛି।
ପ୍ରଥମ ବର୍ଷର କ୍ଷତ: ବଡ଼ଠାକୁରଙ୍କ ଚାରମାଳ ବିଭ୍ରାଟ
ମନେପକାନ୍ତୁ ସେହି ପ୍ରଥମ ବର୍ଷର ସେହି ଦୁର୍ଭାଗ୍ୟଜନକ ଘଟଣାକୁ। ଯେତେବେଳେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ରଙ୍କର ଗୁଣ୍ଡିଚା ମନ୍ଦିର ନିକଟରେ ପହଣ୍ଡି ବିଜେ ଚାଲିଥିଲା, ସେତେବେଳେ ଚାରମାଳ ଉପରେ ଏକ ବଡ଼ ବିଭ୍ରାଟ ଘଟିଲା। ପ୍ରଶାସନିକ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ବଡ଼ଠାକୁର ଚାରମାଳ ଉପରେ ଖସିପଡ଼ିଲେ। କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କର ଏଭଳି ଅବସ୍ଥା ଦେଖି ଜଗନ୍ନାଥ ପ୍ରେମୀଙ୍କ ଆଖିରୁ ଲୁହ ଶୁଖିନଥିଲା। ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି ଓ ସରକାରଙ୍କ ପରିଚାଳନା ଶୈଳୀକୁ ନେଇ ପ୍ରଶ୍ନ ଉଠିଥିଲା।
ସେତେବେଳେ ଦାୟିତ୍ୱରେ ଥିବା ପ୍ରଶାସନିକ କଳ ଚେତିବା କଥା, ନିଜର ଭୁଲ୍ ସ୍ୱୀକାର କରି ସୁଧାରିବା କଥା। କିନ୍ତୁ ବାସ୍ତବରେ ତାହା ଘଟିଲା ନାହିଁ।
ଦ୍ୱିତୀୟ ବର୍ଷର ବିପତ୍ତି: ‘ବିରଳ ରଥଯାତ୍ରା’ ଆଳରେ ଦଳାଚକଟା ଓ ଭକ୍ତଙ୍କ ମୃତ୍ୟୁ
ପ୍ରଥମ ବର୍ଷରୁ ଶିକ୍ଷା ଲାଭ କରିବା ପରିବର୍ତ୍ତେ, ତା’ ପର ବର୍ଷ ପ୍ରଶାସନ ନିଜର ଦୋଷ ଲୁଚାଇବାକୁ ଯାଇ ‘ବିରଳ ରଥଯାତ୍ରା’ ପରିଚାଳନାର ବାହାସ୍ଫୋଟ ମାରିଲା। ଆଉ ଏହି ବିରଳ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ରହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତଥା ରାଜ୍ୟର ଅତି ବାହାଦୂରୀଆ ପ୍ରଶାସନିକ କଳ।
ରଥଯାତ୍ରା ତ ବିରଳ ହେଲା, କିନ୍ତୁ ତାହା ଏକ ଅପବାଦର ବିରଳ ରେକର୍ଡରେ ପରିଣତ ହୋଇଗଲା। ପ୍ରଶାସନର କୋହଳ ବ୍ୟବସ୍ଥା ଆଉ ଭୁଲ୍ ପରିଚାଳନା ଯୋଗୁଁ ବଡ଼ଦାଣ୍ଡରେ ଦଳାଚକଟା ହେଲା। ଆଉ ଏହି ଦଳାଚକଟାରେ ୩ ଜଣ ନିରୀହ ଭକ୍ତଙ୍କର ଜୀବନ ଚାଲିଗଲା। କାଳିଆ ଦର୍ଶନ ପାଇଁ ଆଶା ଆଉ ଉତ୍ସାହ ନେଇ ଆସିଥିବା ଭକ୍ତ ଶବ ହୋଇ ଘରକୁ ଫେରିଲେ। ଏହା ଠାରୁ ବଡ଼ ଦୁଃଖଦ ଘଟଣା ଆଉ କ’ଣ ହୋଇପାରେ?
‘ମାର ମାର ଭଣ୍ଡାରିଆକୁ ମାର’ ନୀତି ଏବଂ ଅଫିସରରାଜ୍
ଯେତେବେଳେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହେଲା, ସେତେବେଳେ ସାଧାରଣ ଜନତା ଆଶା କରାଯାଉଥିଲା କି ସରକାର କୌଣସି ବଡ଼ ଅଫିସର, ବଡ଼ ପ୍ରଶାସନିକ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଯେଉଁମାନେ ଏହି ବ୍ୟବସ୍ଥା ପାଇଁ ଦାୟୀ ଥିଲେ। କିନ୍ତୁ ଆମ ଓଡ଼ିଶାର ସେହି ପୁରୁଣା ଢଗ ଅଛି ନା— “ମାର ମାର ଭଣ୍ଡାରିଆକୁ ମାର”। ପ୍ରଶାସନ ଠିକ୍ ସେଇଆ ହିଁ କଲା।
ବଡ଼ ବାବୁଙ୍କୁ ସୁରକ୍ଷା, ତଳିଆ କର୍ମଚାରୀଙ୍କୁ ବଳି
ବଡ଼ ବଡ଼ ଆଇଏଏସ୍ (IAS) ଆଉ ଆଇପିଏସ୍ (IPS) ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ, ସେମାନଙ୍କ ଉପରେ ଘଣ୍ଟ ଘୋଡ଼ାଇବା ପାଇଁ କେବଳ କିଛି ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ବା ସସପେଣ୍ଡ କରି ପ୍ରଶାସନ ନିଜ ଦାୟିତ୍ୱ ସାରିଦେଲା।
ଏଇଠି ପ୍ରଶ୍ନ ଉଠୁଛି, ଯଦି ନୀତି ଓ ନିୟମ କେବଳ ତଳିଆ କର୍ମଚାରୀଙ୍କ ପାଇଁ, ତେବେ ଏହି ଏସି ରୁମ୍ରେ ବସି ଯୋଜନା କରୁଥିବା ବଡ଼ ବାବୁମାନେ କାହିଁକି ଦାୟୀ ରହିବେ ନାହିଁ? ଆଉ ଏହି ଅଫିସରମାନଙ୍କ ଭରସାରେ ମୁଖ୍ୟମନ୍ତ୍ରୀ ଏଥର ମଧ୍ୟ ରଥଯାତ୍ରାକୁ ଛାଡ଼ିଦେବେ କି?
ଇତିହାସରୁ ଶିକ୍ଷା — ଜାନକୀ ବାବୁଙ୍କ ସେହି ସଫଳ ଫର୍ମୁଲା
ଇତିହାସର ପୃଷ୍ଠା ଓଲଟାଇବା। ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା କଂଗ୍ରେସ ଶାସନ ସମୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଥା ମନେପକାଇବା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଯେତେବେଳେ ରଥଯାତ୍ରା ଆସୁଥିଲା, ସେତେବେଳେ ସେ କୌଣସି ଅଫିସର ବା ପ୍ରଶାସନିକ କଳ ଉପରେ ଅନ୍ଧଭାବେ ବିଶ୍ୱାସ କରୁନଥିଲେ। ସେ ଜାଣିଥିଲେ ଯେ ମହାପ୍ରଭୁଙ୍କ ଯାତ୍ରାରେ ସାମାନ୍ୟ ତ୍ରୁଟି ମଧ୍ୟ ସରକାରଙ୍କ ପ୍ରତିଷ୍ଠାକୁ ଧୂଳିସାତ୍ କରିଦେଇପାରେ।
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ୍: ପ୍ରଶାସନକୁ ସିଧାସଳଖ ନିୟନ୍ତ୍ରଣ
ତେଣୁ ଜାନକୀ ବଲ୍ଲଭ ପଟ୍ଟନାୟକ ରଥଯାତ୍ରା ସମୟରେ ନିଜେ ପୁରୀରେ ଡେରା ପକାଉଥିଲେ। ସେ ପୁରୀ ଛାଡ଼ୁନଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ପୁରୀରେ ଉପସ୍ଥିତ ରହୁଥିଲେ, ସମଗ୍ର ରାଜ୍ୟର ପ୍ରଶାସନିକ କଳ, ସବୁ ବଡ଼ ବଡ଼ ଅଧିକାରୀ ସେତେବେଳେ ତତ୍ପର ହୋଇ ୨୪ ଘଣ୍ଟା ଆଖିରେ ପଲକ ନ ପକାଇ କାମ କରୁଥିଲେ। କାରଣ ସେମାନେ ଜାଣିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିଧାସଳଖ ସୁପରଭିଜନ ଚାଲିଛି। ଫଳରେ ରଥଯାତ୍ରା ଅତି ସୁଚାରୁରୂପେ ସମ୍ପନ୍ନ ହେଉଥିଲା। ମୋହନ ମାଝୀଙ୍କୁ ଆଜି ସେହି ସଫଳ ଫର୍ମୁଲା ଆପଣାଇବାକୁ ପଡ଼ିବ।
ମୋହନ ମାଝୀଙ୍କ ଅସଲ ଆହ୍ୱାନ ଏବଂ ଭିତରର ଷଡ଼ଯନ୍ତ୍ର
ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖିଲେ, ବିଜେପି ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ରାଜ୍ୟର ପ୍ରଶାସନିକ କଳ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଯେଉଁଭଳି କର୍ତ୍ତୁତ୍ୱ ଓ ଦୃଢ଼ତା ରହିବା କଥା, ତାହା ଦେଖିବାକୁ ମିଳୁନାହିଁ। ଅଫିସରମାନେ ସେମାନଙ୍କ ମନମୁଖୀ କାମ କରୁଛନ୍ତି, ଯାହା ସରକାରଙ୍କ ଗ୍ରାଉଣ୍ଡ ରିପୋର୍ଟକୁ ପ୍ରଭାବିତ କରୁଛି।
ଦଳୀୟ ଅସନ୍ତୋଷ ଏବଂ ରାଜନୈତିକ କ୍ୟାରିୟରର ସଙ୍କଟ
ତା’ଠାରୁ ବଡ଼ ଚିନ୍ତାଜନକ କଥା ହେଉଛି, ଖୋଦ୍ ବିଜେପି ଦଳ ଭିତରେ ହିଁ ମୋହନ ମାଝୀଙ୍କ ବିରୋଧରେ ଅସନ୍ତୋଷ ଏବଂ ଷଡ଼ଯନ୍ତ୍ରର କଳା ବାଦଲ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ତାଙ୍କୁ ଘେରିବା ପାଇଁ, ତାଙ୍କକୁ ବିଫଳ ପ୍ରମାଣିତ କରିବା ପାଇଁ ଦଳ ଭିତରେ ଓ ବାହାରେ ଅନେକ ଶତ୍ରୁ ସୁଯୋଗ ଖୋଜୁଛନ୍ତି।
ଚେତାବନୀ
ଏଭଳି ସ୍ଥିତିରେ ଯଦି ଚଳିତ ବର୍ଷର ରଥଯାତ୍ରାରେ ସାମାନ୍ୟତମ ବିଭ୍ରାଟ ଘଟେ ବା କୌଣସି ଅଘଟଣ ଘଟେ, ତେବେ ସମସ୍ତ ଦୋଷ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁଣ୍ଡରେ ଲଦି ଦିଆଯିବ। ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼ କାଳିମାର ଦାଗ ଲାଗିଯିବ, ଯାହାକୁ ବିରୋଧୀ ଓ ଦଳୀୟ ପ୍ରତିଦ୍ୱନ୍ଦ୍ୱୀମାନେ ଅସ୍ତ୍ର କରିବେ।
ଜନମତର ଦାବି: ମୁଖ୍ୟମନ୍ତ୍ରୀଙ୍କୁ ନିଶ୍ଚିତ ପଦକ୍ଷେପ ନେବାକୁ ହେବ
ତେଣୁ ଆଜି ଚାରିଆଡ଼ୁ ଗୋଟିଏ ସ୍ପଷ୍ଟ ମତ ପ୍ରକାଶ ପାଉଛି। ଓଡ଼ିଶାର ଜନତା ଦାବି କରୁଛନ୍ତି କି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥର କୌଣସି ବିପଦ ନ ନିଅନ୍ତୁ।
• ପୁରୀରେ କ୍ୟାମ୍ପ୍ ପ୍ରତିଷ୍ଠା: ରଥଯାତ୍ରା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ବାହୁଡ଼ା ଏବଂ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେ ନିଜେ ପୁରୀରେ କ୍ୟାମ୍ପ ପକାଇ ରୁହନ୍ତୁ।
• ସିଧାସଳଖ ତଦାରଖ: ପ୍ରତିଟି ନୀତିକାନ୍ତି, ପ୍ରତିଟି ସୁରକ୍ଷା ବ୍ୟବସ୍ଥାକୁ ନିଜ ଆଖିରେ ପରଖନ୍ତୁ।
• ଅଫିସରମାନଙ୍କ ସହ ସମୀକ୍ଷା: କେବଳ ରିପୋର୍ଟ ଉପରେ ନିର୍ଭର ନକରି ଅଫିସରମାନଙ୍କ ସହ ସିଧାସଳଖ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରନ୍ତୁ।
ଯଦି ମୋହନ ଚରଣ ମାଝୀ ଏପରି କରନ୍ତି, ତେବେ ପ୍ରଶାସନ ଛାନିଆରେ ଠିକ୍ ଭାବେ କାମ କରିବ ଏବଂ ୧୫ ଲକ୍ଷ ଭକ୍ତ ସୁରକ୍ଷିତ ଭାବେ କାଳିଆର ଦର୍ଶନ କରି ଫେରିବେ। ନଚେତ୍, ଅଫିସରଙ୍କ ଭରସାରେ ରହିଲେ ପରିଣାମ ଭୟଙ୍କର ହୋଇପାରେ।
https://purvapaksa.com/it-is-the-duty-of-all-of-us-to-protect-the-dignity-of-constitutional-institutions-abuse-will-not-be-tolerated-in-courts-supreme-court/


