କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ‘ଆସିବାକୁ ଥିବା ନୂତନ ଦୁର୍ନୀତି ନିରୋଧୀ ବିଲ୍ଗୁଡ଼ିକର ଉଦ୍ଦେଶ୍ୟ କଦାପି ଅଣ-ବିଜେପି ସରକାରଗୁଡ଼ିକୁ ଦୁର୍ବଳ କରିବା ନୁହେଁ।’ ‘କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ ଆଇନ ସଂଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି ଏବଂ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ଦଳ ଦ୍ୱାରା ପରିଚାଳିତ ରାଜ୍ୟ ସରକାରଗୁଡ଼ିକୁ ଅସ୍ଥିର କରିବା ପାଇଁ ଏହା ଅଣାଯାଉଛି’ ବୋଲି ବିରୋଧୀ ଦଳଗୁଡ଼ିକ ଯେଉଁ ଅଭିଯୋଗ ଆଣିଥିଲେ, ତାହାକୁ ଗୃହ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

୩୦ ଦିନ ଜେଲ୍ରେ ରହିଲେ ପଦ ଯିବ, ହେଲେ ସଦସ୍ୟତା ରହିବ
ଗୃହ ମନ୍ତ୍ରଣାଳୟ ଏକ ସଂସଦୀୟ ସମିତିକୁ ଜଣାଇଛି ଯେ, ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗମ୍ଭୀର ଅପରାଧିକ କିମ୍ବା ଦୁର୍ନୀତି ମାମଲାରେ କ୍ରମାଗତ ଭାବେ ୩୦ ଦିନ ପର୍ଯ୍ୟନ୍ତ ଜେଲ୍ ବା ହେପାଜତରେ ରହନ୍ତି, ତେବେ ସେ ସ୍ୱତଃପ୍ରବୃତ୍ତ ଭାବେ ନିଜ ପଦବୀରୁ ହଟିଯିବେ। କିନ୍ତୁ ଏହାଦ୍ୱାରା ସମ୍ପୃକ୍ତ ନେତାଙ୍କର ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହେବ ନାହିଁ। ଏହି କାରଣରୁ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସ୍ଥିରତା ଉପରେ କୌଣସି ଆଞ୍ଚ ଆସିବ ନାହିଁ।
ଗଣତାନ୍ତ୍ରିକ ଜନାଦେଶ ରହିବ ସୁରକ୍ଷିତ
ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପଦରୁ ହଟିଥିବା ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ସେହି ସମାନ ଶାସକ ଦଳ କିମ୍ବା ମେଣ୍ଟର ଅନ୍ୟ କୌଣସି ସଦସ୍ୟଙ୍କୁ ନୂଆ ନେତା ଭାବେ ଚୟନ କରିବାର ସମ୍ପୂର୍ଣ୍ଣ ସୁଯୋଗ ମିଳିବ, ଯାହାଙ୍କ ପାଖରେ ସଂଖ୍ୟାଗରିଷ୍ଠତାର ସମର୍ଥନ ଥିବ। ତେଣୁ ଏହି ବିଲ୍ ଦ୍ୱାରା ଜନସାଧାରଣଙ୍କ ଗଣତାନ୍ତ୍ରିକ ଜନାଦେଶ ‘ସମ୍ପୂର୍ଣ୍ଣ ରୂପେ ଅପ୍ରଭାବିତ’ ରହିବ।
ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଗୃହମନ୍ତ୍ରୀ ଅମିତ ଶାହ ଏହି ମୌସୁମୀ ଅଧିବେଶନରେ ଦୁର୍ନୀତିର ଅଭିଯୁକ୍ତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କୁ ପଦରୁ ହଟାଇବା ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଆଗତ କରିପାରନ୍ତି। ଆଗାମୀ ଦିନରେ ସଂସଦୀୟ ସମିତି ଏହି ବିଲ୍ ଉପରେ ନିଜର ରିପୋର୍ଟକୁ ଗ୍ରହଣ କରି ଲୋକସଭାରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି।


