ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ସାମରିକ ତିକ୍ତତା ମଧ୍ୟରେ ଆମେରିକା ନିଜର ସାମରିକ ଅଭିଯାନକୁ ଆହୁରି ବ୍ୟାପକ କରିଛି। ଇରାନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଆମେରିକୀୟ ସେନା ଏବେ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚାବାହାର ବନ୍ଦର କୁ ନିଜର ଟାର୍ଗେଟ୍ କରିଛି। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ସୂଚନା ଅନୁଯାୟୀ, ଇରାନର ପ୍ରାୟ ୯୦ଟି ସାମରିକ ଘାଟି ଉପରେ ପ୍ରବଳ ବୋମାବର୍ଷଣ ଓ ମିସାଇଲ ମାଡ଼ କରାଯାଇଛି।
)
ଇରାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ଯୋଗୁଁ ଚାବାହାର ସମେତ ଅନେକ ସହରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବା ସହ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଆମେରିକାର ଏହି ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କେବଳ ଇରାନ ପାଇଁ ସଙ୍କଟ ଆଣିନାହିଁ, ବରଂ ନୂଆଦିଲ୍ଲୀ ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। କାରଣ ଚାବାହାର ବନ୍ଦର ହେଉଛି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନ୍ୟତମ। ଭାରତ ବର୍ତ୍ତମାନ ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ଭାରତ ପାଇଁ କାହିଁକି ‘ଗେମ୍ ଚେଞ୍ଜର’ ଚାବାହାର?
ଓମାନ ଉପସାଗରର ମୁହାଣରେ ଏବଂ ଇରାନର ସିସ୍ତାନ-ବଲୁଚିସ୍ତାନ ପ୍ରାନ୍ତର ମକରାନ ଉପକୂଳରେ ଅବସ୍ଥିତ ଚାବାହାର ହେଉଛି ଇରାନର ପ୍ରଥମ ଗଭୀର ସମୁଦ୍ର ବନ୍ଦର। ଭାରତ ୨୦୦୨ ମସିହାରୁ ଏହି ପ୍ରକଳ୍ପ ସହିତ ଜଡ଼ିତ ରହିଛି। ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇରାନ ଗସ୍ତ ସମୟରେ ଭାରତ, ଇରାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏହାର ବିକାଶ କାର୍ଯ୍ୟ ଖୁବ୍ ଶୀଘ୍ର ଆଗେଇ ଚାଲିଥିଲା। ଭାରତ ଏହି ପ୍ରକଳ୍ପରେ ଏପର୍ଯ୍ୟନ୍ତ ୧୨୦ ମିଲିୟନ ଡଲାରରୁ ଅଧିକ ନିବେଶ କରିସାରିଛି। ୨୦୧୭ ମସିହାରେ ଭାରତ ଏହି ବନ୍ଦର ଦ୍ୱାରା ହିଁ ଆଫଗାନିସ୍ତାନକୁ ଗହମର ପ୍ରଥମ ପଠାଣ ପଠାଇବାରେ ସଫଳ ହୋଇଥିଲା। ବାଣିଜ୍ୟିକ ସମ୍ପର୍କ ସହ ଏହା ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡରର ଏକ ପ୍ରମୁଖ ଅଂଶ ଭାବେ ଉଭା ହୋଇଛି, ଯାହା ଭାରତକୁ ରୁଷ ଏବଂ ୟୁରୋପ ସହିତ ସହଜରେ ଯୋଡ଼ିଥାଏ।
)
ପାକିସ୍ତାନ ଓ ଚୀନକୁ ଜବାବ ଦେବାର ଏକମାତ୍ର ରାସ୍ତା
ଭାରତ ପାଇଁ ଚାବାହାର ବନ୍ଦରର ଗୁରୁତ୍ୱ କେବଳ ବ୍ୟାପାର ଓ ବାଣିଜ୍ୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହାର ଭୂ-ରାଜନୈତିକ ଗୁରୁତ୍ୱ ବହୁତ ଅଧିକ। ପାକିସ୍ତାନର ଗ୍ୱାଦର ବନ୍ଦରକୁ ଚୀନ ବିକାଶ କରିଛି, ଯାହାକୁ ଏହି ଅଞ୍ଚଳରେ ବେଜିଂର ସାମରିକ ଉପସ୍ଥିତିର ଏକ ବଡ଼ କେନ୍ଦ୍ର ବୋଲି ଧରାଯାଏ। ଗ୍ୱାଦର ବନ୍ଦର ଠାରୁ ଚାବାହାର ମାତ୍ର ୧୭୦ କିଲୋମିଟର ଦୂରରେ ଅବସ୍ଥିତ। ଏଭଳି ପରିସ୍ଥିତିରେ ଚାବାହାର ବନ୍ଦର ଭାରତକୁ ପାକିସ୍ତାନୀ ସୀମା ବ୍ୟବହାର ନକରି ସିଧାସଳଖ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆର ବଜାରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ। ଏହା ଚୀନ ଏବଂ ପାକିସ୍ତାନର ମିଳିତ ସାମୁଦ୍ରିକ ରଣନୀତିକୁ ପ୍ରତିହତ କରିବା ପାଇଁ ଭାରତ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଅଟେ।
ଆମେରିକାର ପ୍ରତିବନ୍ଧକ ଏବଂ ଭାରତର ସତର୍କ ପଦକ୍ଷେପ
ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଆସିବା ପରେ ଇରାନ ଉପରେ ପ୍ରତିବନ୍ଧକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ଚାବାହାର ପ୍ରକଳ୍ପକୁ ମିଳିଥିବା ଆମେରିକୀୟ କୋହଳ ଅବଧି ୨୦୨୬ ଏପ୍ରିଲରେ ଶେଷ ହୋଇଯାଇଥିଲା। ନିଜର ବିପୁଳ ନିବେଶକୁ ସୁରକ୍ଷିତ ରଖିବା ଏବଂ ଆମେରିକାର ଆର୍ଥିକ ପ୍ରତିବନ୍ଧକରୁ ବଞ୍ଚିବା ପାଇଁ ଭାରତ ଚାବାହାର ଫ୍ରି ଜୋନରେ ଥିବା ନିଜର ଅଂଶଧନକୁ ଅସ୍ଥାୟୀ ଭାବେ ଏକ ସ୍ଥାନୀୟ ଇରାନୀ କମ୍ପାନୀକୁ ହସ୍ତାନ୍ତର କରିଦେଇଛି। ବର୍ତ୍ତମାନ ଭାରତୀୟ କର୍ମଚାରୀମାନେ ସେଠାରେ ସିଧାସଳଖ ସକ୍ରିୟ ନାହାନ୍ତି। ତେଣୁ ସାମ୍ପ୍ରତିକ ଆକ୍ରମଣ ଯୋଗୁଁ ଭାରତର କୌଣସି ଚାଲୁ ରହିଥିବା ପ୍ରକ୍ରିୟାରେ ତୁରନ୍ତ କ୍ଷତି ହୋଇନାହିଁ, କିନ୍ତୁ ବନ୍ଦରର ଭିତ୍ତିଭୂମି ନଷ୍ଟ ହେବା ଦ୍ୱାରା ଭାରତର ଭବିଷ୍ୟତ ଯୋଜନାକୁ ଶକ୍ତ ଧକ୍କା ଲାଗିଛି।’

ପାକିସ୍ତାନକୁ ମିଳିପାରେ ଫାଇଦା
ବିଶେଷଜ୍ଞଙ୍କ ମତରେ, ଇରାନ ଉପରେ ଆମେରିକାର ଏହି ଘନ ଘନ ଆକ୍ରମଣ ଯୋଗୁଁ ଇରାନ ଦୁର୍ବଳ ହେଲେ ଏହାର ସିଧାସଳଖ ଲାଭ ପାକିସ୍ତାନକୁ ମିଳିବ। ଇରାନ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସେତେଟା ମଧୁର ନଥିବାରୁ, ଚାବାହାର ବନ୍ଦର ଅକାମୀ ହେଲେ ଆଞ୍ଚଳିକ ବାଣିଜ୍ୟ ପାଇଁ ଗ୍ୱାଦର ବନ୍ଦରର ଗୁରୁତ୍ୱ ପୁଣି ବଢ଼ିଯିବ। ପଶ୍ଚିମ ଏବଂ ମଧ୍ୟ ଏସିଆ ସହ କନେକ୍ଟିଭିଟି ବଜାୟ ରଖିବା ପାଇଁ ଭାରତ ଯେଉଁ ସ୍ୱପ୍ନ ଦେଖିଥିଲା, ତାହା ଏବେ ଏହି ଯୁଦ୍ଧ ସ୍ଥିତି ଯୋଗୁଁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ବର୍ତ୍ତମାନର ଏହି ଜଟିଳ ଭୂ-ରାଜନୈତିକ ସଂକଟ ସମୟରେ ଆମେରିକା ଏବଂ ଇରାନ ଉଭୟ ଦେଶ ସହିତ ସନ୍ତୁଳିତ ସମ୍ପର୍କ ରକ୍ଷା କରି ନିଜର ଜାତୀୟ ସ୍ୱାର୍ଥର ସୁରକ୍ଷା କରିବା ନୂଆଦିଲ୍ଲୀ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
Also read : https://purvapaksa.com/it-is-not-wise-to-reopen-old-wounds-warns-former-union-minister-ashwani-kumar/


