ଜାମ୍ମୁ-କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତର ପାଲଟା କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ ସମୟରେ ଇସଲାମର ଦ୍ୱାହି ଦେଇ ପାକିସ୍ତାନ କୋଳରେ ବସିଥିବା ତୁର୍କୀର ସ୍ୱର ଏବେ ଭାରତକୁ ନେଇ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି। ପାକିସ୍ତାନକୁ ସମର୍ଥନ କରିବା କାରଣରୁ ଭାରତୀୟ ପର୍ଯ୍ୟଟକମାନେ ତୁର୍କୀ ଯିବା ବନ୍ଦ କରିଦେଇଥିଲେ, ଯାହାଫଳରେ ସେଠାକାର ପର୍ଯ୍ୟଟନ ବ୍ୟବସାୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏହି ଆର୍ଥିକ ମାଡ଼ ପରେ ଏବେ ଅକଲ ଗୁଡୁମ୍ ହୋଇଥିବା ତୁର୍କୀ, ଭାରତକୁ ନିଜ ପାଇଁ ‘ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ବୋଲି କହିବା ଆରମ୍ଭ କରିଛି।
![]()
ଭାରତୀୟ ପର୍ଯ୍ୟଟକ ଓ ଡେଷ୍ଟିନେସନ୍ ୱେଡିଂ ଉପରେ ତୁର୍କୀର ନଜର
ଭାରତରେ ଅବସ୍ଥାପିତ ତୁର୍କୀର ରାଜଦୂତ ଅଲୀ ମୁରତ ଏରସୋଏ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ତୁର୍କୀ ଏବେ ଭାରତୀୟ ଟ୍ରାଭେଲ୍ ଏଜେଣ୍ଟ ଏବଂ ୱେଡିଂ ପ୍ଲାନର୍ମାନଙ୍କ ସହ ମିଳିତ ଭାବେ କାମ କରୁଛି। ତୁର୍କୀର ଲକ୍ଷ୍ୟ ହେଉଛି ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି କରିବା। ବିଶେଷ କରି ଭାରତୀୟ ଧନୀ ଶ୍ରେଣୀର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ‘ଡେଷ୍ଟିନେସନ୍ ୱେଡିଂ’ ଏବଂ ବିଜନେସ୍ କନଫରେନ୍ସ ପାଇଁ ଆକର୍ଷଣୀୟ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି।
ଭାରତର ଆର୍ଥିକ ଓ କୂଟନୈତିକ ମାଡ଼ରେ ଚେତା ପଶିଲା
![]()
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ତୁର୍କୀ ଏବଂ ଆଜେରବାଇଜାନ୍ ପାକିସ୍ତାନ ସପକ୍ଷରେ ବାହାରିଥିଲେ, ସେତେବେଳେ ଭାରତୀୟ ପର୍ଯ୍ୟଟକ ଓ ପ୍ରମୁଖ ଟ୍ରାଭେଲ୍ କମ୍ପାନୀଗୁଡ଼ିକ (ଯେପରିକି EaseMyTrip ଏବଂ Ixigo) ମିଳିତ ଭାବେ ତୁର୍କୀ ଯାତ୍ରାକୁ ବୟକଟ୍ କରିଥିଲେ। ଏହାଯୋଗୁଁ ତୁର୍କୀକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ପ୍ରାୟ ୩୬% ରୁ ୩୭% ପର୍ଯ୍ୟନ୍ତ ବଡ଼ ହ୍ରାସ ଘଟିଥିଲା ଏବଂ ସେଠାକାର ଅର୍ଥନୀତିକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହା ବ୍ୟତୀତ, ଭାରତ ସରକାର ଦେଶର ୯ଟି ବିମାନବନ୍ଦରର ଅପରେସନ୍ ସମ୍ଭାଳୁଥିବା ଏକ ତୁର୍କୀ କମ୍ପାନୀର ସିକ୍ୟୁରିଟି କ୍ଲିୟରାନ୍ସ ମଧ୍ୟ ରଦ୍ଦ କରିଦେଇଥିଲେ।
ତୁର୍କୀ ବୈଦେଶିକ ମନ୍ତ୍ରୀଙ୍କ ଆକୁଳ ନିବେଦନ

ଏହି କୂଟନୈତିକ ଏବଂ ଆର୍ଥିକ ଘେରାବନ୍ଦୀରେ ଛଟପଟ ହୋଇ ଜୁନ୍ ୨୦୨୬ ର ପ୍ରଥମ ସପ୍ତାହରେ ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ଭାରତ ସରକାରଙ୍କୁ ବିଶେଷ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ପାକିସ୍ତାନ ସହ ତୁର୍କୀର ଯେଉଁ ସମ୍ପର୍କ ରହିଛି, ସେଥିପାଇଁ ଭାରତ ଯେପରି ତୁର୍କୀ ଉପରେ କୌଣସି ଅସନ୍ତୋଷ କିମ୍ବା ରାଗ ନ ରଖେ। କଶ୍ମୀର ପ୍ରସଙ୍ଗରେ ସବୁବେଳେ ଭାରତ-ବିରୋଧୀ ବିବୃତି ଦେଉଥିବା ତୁର୍କୀର ଏହି ଆଭିମୁଖ୍ୟ ବଦଳିବା, ଭାରତର ବୈଦେଶିକ କୂଟନୀତି ଏବଂ ଆର୍ଥିକ ଶକ୍ତିର ଏକ ବଡ଼ ବିଜୟ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


