ବର୍ତ୍ତମାନ ସମୟରେ ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ଅଧିକ ମୁସଲିମ୍ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ଜଣାଶୁଣା। ମାତ୍ର ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡ଼େ ଯେ, ଏହି ଦେଶଟି ଏକଦା ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦେଶ ଥିଲା, ଯାହାକୁ ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକରେ ‘ସୁବର୍ଣ୍ଣଦ୍ୱୀପ’ ବୋଲି କୁହାଯାଉଥିଲା। ତେବେ ଏକ ସମୃଦ୍ଧ ହିନ୍ଦୁ-ବୌଦ୍ଧ ସାମ୍ରାଜ୍ୟରୁ ଏହି ଦେଶଟି କିଭଳି ଇସଲାମିକ ରାଷ୍ଟ୍ରରେ ପରିଣତ ହେଲା ଏବଂ ଏଥିରେ ଭାରତର ଗୁଜରାଟର କି ଭୂମିକା ଥିଲା, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଇସଲାମ୍ ପୂର୍ବରୁ ଥିଲା ଶୈବ ଓ ବୌଦ୍ଧ ଶାସନ
ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ହିଁ ଭାରତୀୟ ସଂସ୍କୃତି ଓ ଧର୍ମର ପ୍ରଭାବ ଇଣ୍ଡୋନେସିଆ ଉପରେ ପଡ଼ିଥିଲା। ଏଠାରେ ଶୈବ (ହିନ୍ଦୁ) ଏବଂ ବୌଦ୍ଧ ଧର୍ମର ପ୍ରାଧାନ୍ୟ ରହିଥିଲା। ଶ୍ରୀବିଜୟ ଏବଂ ମାଜାପାହିତ ଭଳି ଶକ୍ତିଶାଳୀ ହିନ୍ଦୁ-ବୌଦ୍ଧ ସାମ୍ରାଜ୍ୟଗୁଡ଼ିକ ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ଶାସନ କରିଥିଲେ। ଆଜି ମଧ୍ୟ ବିଶ୍ୱର ସବୁଠାରୁ ବଡ଼ ବୌଦ୍ଧ ସ୍ତୁପ ‘ବୋରୋବୁଦୁର’ ଏବଂ ବିଶାଳ ହିନ୍ଦୁ ମନ୍ଦିର ପ୍ରାମ୍ବନନ ଏହି ପ୍ରାଚୀନ ଗୌରବର ସାକ୍ଷୀ ବହନ କରୁଛନ୍ତି।

ମସଲା ବ୍ୟାପାର ଓ ଗୁଜରାଟ କନେକ୍ସନ
ଇଣ୍ଡୋନେସିଆରେ ଇସଲାମର ଆଗମନ କୌଣସି ସୈନ୍ୟ ଆକ୍ରମଣ କିମ୍ବା ରକ୍ତପାତ ଦ୍ୱାରା ହୋଇନଥିଲା, ବରଂ ବ୍ୟାପାର ମାଧ୍ୟମରେ ହୋଇଥିଲା। ଇଣ୍ଡୋନେସିଆ ପ୍ରାଚୀନ କାଳରୁ ଲବଙ୍ଗ, ଜାଈଫଳ ଏବଂ ଗୋଲମରିଚ ଭଳି ଦୁର୍ଲଭ ମସଲା ପାଇଁ ବିଶ୍ୱ ପ୍ରସିଦ୍ଧ ଥିଲା। ଏହି ମସଲା ବ୍ୟାପାର ପାଇଁ ଭାରତର ଗୁଜରାଟର ମୁସଲିମ୍ ବ୍ୟବସାୟୀମାନେ ୧୩ଶ ଶତାବ୍ଦୀ ଆଡ଼କୁ ଇଣ୍ଡୋନେସିଆର ତଟବର୍ତ୍ତୀ ଅଞ୍ଚଳରେ ଆସି ବସବାସ କରିବା ଆରମ୍ଭ କଲେ। ଗୁଜରାଟୀ ବ୍ୟବସାୟୀଙ୍କ ସରଳ ବ୍ୟବହାର, ସମୃଦ୍ଧି ଏବଂ ସାଂସ୍କୃତିକ ଆଦାନପ୍ରଦାନ ସ୍ଥାନୀୟ ଲୋକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ମୋରୋକୋର ପ୍ରସିଦ୍ଧ ପର୍ଯ୍ୟଟକ ଇବନ ବତୁତା ଏବଂ ଇଟାଲୀର ମାର୍କୋ ପୋଲୋ ମଧ୍ୟ ସେମାନଙ୍କ ଯାତ୍ରା ବିବରଣୀରେ ଏହି ତଟବର୍ତ୍ତୀ ଅଞ୍ଚଳରେ ଗଢ଼ିଉଠିଥିବା ମୁସଲିମ୍ ସମୁଦାୟ ବିଷୟରେ ଉଲ୍ଲେଖ କରିଛନ୍ତି।
ଧୀରେ ଧୀରେ ସ୍ଥାନୀୟ ହିନ୍ଦୁ ରାଜାମାନେ ମଧ୍ୟ ବ୍ୟାପାରିକ ଲାଭ ଏବଂ ଆରବ ସହ ସମ୍ପର୍କ ମଜବୁତ କରିବା ପାଇଁ ଇସଲାମ୍ ଗ୍ରହଣ କଲେ। ୧୫ଶ ଶତାବ୍ଦୀ ସୁଦ୍ଧା ମାଜାପାହିତ ସାମ୍ରାଜ୍ୟର ପତନ ପରେ ଇସଲାମ୍ ଏଠାକାର ମୁଖ୍ୟ ଧର୍ମ ପାଲଟିଗଲା।
ଆଜିର ସ୍ଥିତି ଏବଂ ମାନବୀୟ ସୌହାର୍ଦ୍ଦ୍ୟ
ବର୍ତ୍ତମାନ ଇଣ୍ଡୋନେସିଆର ପ୍ରାୟ ୮୭.୧% ଜନସଂଖ୍ୟା ମୁସଲିମ୍, ୧୦.୪% ଖ୍ରୀଷ୍ଟିୟାନ୍ ଏବଂ ମାତ୍ର ୧.୭% ଲୋକ ହିନ୍ଦୁ ଧର୍ମାବଲମ୍ବୀ। ଏତେ ବଡ଼ ପରିବର୍ତ୍ତନ ସତ୍ତ୍ୱେ ଇଣ୍ଡୋନେସିଆର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ଏକ ଧର୍ମନିରପେକ୍ଷ ଦେଶ ଏବଂ ଏଠାରେ ଆଜି ବି ହିନ୍ଦୁ ସଂସ୍କୃତିର ଗଭୀର ଛାପ ରହିଛି। ଏଠାକାର ମୁଦ୍ରାରେ ଭଗବାନ ଗଣେଶଙ୍କ ଫଟୋ ଥିବା ବେଳେ ପ୍ରତିଟି ସହରରେ ରାମାୟଣ ଓ ମହାଭାରତର ଚରିତ୍ରଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଦେଶର ‘ବାଲି’ ଦ୍ୱୀପରେ ଆଜି ମଧ୍ୟ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ଏବଂ ସେମାନେ ନିଜର ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।
Also read : https://purvapaksa.com/chinas-watch-tower-at-bangladeshs-mongla-port-dragons-eye-on-indian-navy/


