ଜମ୍ମୁ-କାଶ୍ମୀରରେ ବ୍ୟାପକ ମୌସୁମୀ ବର୍ଷା ଯୋଗୁଁ ଚିନାବ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀରେ ସୃଷ୍ଟି ହୋଇଥିବା ପ୍ରବଳ ବନ୍ୟା ଜଳର ଚାପକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପ୍ରଶାସନ ପକ୍ଷରୁ ରାମବନ ଜିଲ୍ଲାରେ ଅବସ୍ଥିତ ବଗଲିହାର ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପର ୩ଟି ଗେଟ୍ ଖୋଲି ଦିଆଯାଇଛି। ଫଳରେ ବିପୁଳ ପରିମାଣର ବନ୍ୟା ଜଳ ଏବେ ତଳମୁଣ୍ଡରେ ଥିବା ପାକିସ୍ତାନ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଚାଲିଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି।

ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା
କିଛି ଦିନ ପୂର୍ବରୁ ସୀମାପାର ଆତଙ୍କବାଦକୁ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତି (IWT) ର ସଂଶୋଧନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହି କାରଣରୁ ଗତ ମେ ମାସରେ ବଗଲିହାର ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା ଏବଂ ପାକିସ୍ତାନ ଜଳକଷ୍ଟର ସାମ୍ନା କରୁଥିଲା। ମାତ୍ର ମାତ୍ର ଦୁଇ-ତିନି ଦିନର ପ୍ରବଳ ବର୍ଷା ସାରା ସ୍ଥିତିକୁ ବଦଳାଇ ଦେଇଛି। ଏବେ ପାଣି ପାଇଁ ଡହଳବିକଳ ହେଉଥିବା ପାକିସ୍ତାନ ଆଗରେ ବନ୍ୟାର ଭୟାବହତା ଦେଖାଦେଇଛି।
ଏହି ବନ୍ୟା ଜଳ ଯୋଗୁଁ ପାକିସ୍ତାନର ସିଆଲକୋଟ ନିକଟରେ ଥିବା ‘ମରାଲା ହେଡୱର୍କସ’ ସବୁଠାରୁ ପ୍ରଥମେ ପ୍ରଭାବିତ ହେବାର ଆଶଙ୍କା ରହିଛି। ପାକିସ୍ତାନର କୃଷି ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଚିନାବ ନଦୀର ଜଳ ଉପରେ ନିର୍ଭର କରେ। ହେଲେ ହଠାତ୍ ନଦୀରେ ଆସିଥିବା ଏହି ବନ୍ୟା ଯୋଗୁଁ ସେଠାରେ ବ୍ୟାପକ ଚାଷଜମି ଓ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି।
ସତର୍କ ସୂଚନା ଦେଇଛି ଭାରତ
ଭାରତ ସିନ୍ଧୁ ଜଳ ଚୁକ୍ତିକୁ ନେଇ କଠୋର ଆଭିମୁଖ୍ୟ ରଖିଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଜନଧନର କ୍ଷତି ରୋକିବା ପାଇଁ ପାକିସ୍ତାନକୁ ପୂର୍ବରୁ ହିଁ ସତର୍କ ସୂଚନା ଜାରି କରିଛି। ତେବେ ବର୍ତ୍ତମାନର ବିବାଦ ଯୋଗୁଁ ପାକିସ୍ତାନକୁ ଭାରତ ପକ୍ଷରୁ ‘ରିଅଲ-ଟାଇମ୍ ହାଇଡ୍ରୋଲିକ୍ ଡାଟା’ (ଜଳ ପ୍ରବାହର ତଥ୍ୟ) ମିଳୁନାହିଁ, ଯାହାଫଳରେ ପାକିସ୍ତାନ ପାଇଁ ବନ୍ୟାର ମୁକାବିଲା କରିବା ଅଧିକ ଜଟିଳ ହୋଇପଡ଼ିଛି।
ଅପରପକ୍ଷରେ, ଡୋଡା ଏବଂ କିଶ୍ତୱାର ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜମ୍ମୁ-କାଶ୍ମୀର ପ୍ରଶାସନ ହାଇ-ଆଲର୍ଟରେ ରହିଛି। ବନ୍ୟା ପରିସ୍ଥିତି ଏବଂ ଚିନାବ ନଦୀର ଜଳସ୍ତର ଉପରେ ପ୍ରଶାସନିକ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି।
Also read : https://purvapaksa.com/erdogan-shehbaz-meeting-in-istanbul-alarm-bells-rang-for-india/


