ମାଆର ଭଲପାଇବା କେବଳ ଶିଶୁର ଏକ ଭାବନାତ୍ମକ ସହାରା ନୁହେଁ, ବରଂ ଏହା ତାର ସାମଗ୍ରିକ ଭବିଷ୍ୟତର ମୂଳଦୁଆ ସଦୃଶ। ବିଶେଷ କରି ଜଣେ ମାଆ ନିଜ ଶିଶୁର ହସ, କାନ୍ଦ, ସ୍ୱର ଏବଂ ତାର ଛୋଟ ଛୋଟ ଇସାରାକୁ କେତେ ସମ୍ବେଦନଶୀଳତାର ସହ ବୁଝୁଛି ଏବଂ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛି, ତାହା ଶିଶୁର ବିକାଶ ପ୍ରକ୍ରିୟାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ନିକଟରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ICMR) ଏବଂ ବେଙ୍ଗାଲୁରୁର ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନ (NIMHANS) ର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ମିଳିତ ଅଧ୍ୟୟନରୁ ଏଭଳି ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ଅନୁସନ୍ଧାନ ଅନୁଯାୟୀ, ମାଆର ସକରାତ୍ମକ ଏବଂ ସମ୍ବେଦନଶୀଳ ଆଚରଣ ଯୋଗୁଁ ବିଶେଷ ଭାବରେ ପୁତ୍ର ସନ୍ତାନମାନଙ୍କର ଭାଷାଗତ ବିକାଶ ଅଧିକ ଉନ୍ନତ ହୋଇଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରସବ ପରେ ମହିଳାମାନଙ୍କଠାରେ ଦେଖାଯାଉଥିବା ମାନସିକ ଅବସାଦ ବା ପୋଷ୍ଟପାର୍ଟମ୍ ଡିପ୍ରେସନ୍ (ଯାହାକୁ ପୋଷ୍ଟନାଟାଲ୍ ଡିପ୍ରେସନ୍ ମଧ୍ୟ କୁହାଯାଏ), ସମସ୍ତ ଶିଶୁଙ୍କ ମାନସିକ ଓ ଭାଷାଗତ ବିକାଶ ଉପରେ ସିଧାସଳଖ ନକରାତ୍ମକ ପ୍ରଭାବ ପକାଏ ବୋଲି ଏହି ଅଧ୍ୟୟନରୁ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ଆନ୍ତର୍ଜାତୀୟ ଜର୍ଣ୍ଣାଲ୍ ‘ଇନ୍ଫାନ୍ସି’ ରେ ପ୍ରକାଶିତ ଏହି ଗବେଷଣା ରିପୋର୍ଟ ପାଇଁ ୩୩୭ ଜଣ ଗର୍ଭବତୀ ମହିଳା ଏବଂ ସେମାନଙ୍କ ଶିଶୁମାନଙ୍କୁ ଗର୍ଭାବସ୍ଥାରୁ ଆରମ୍ଭ କରି ଶିଶୁର ଦୁଇ ବର୍ଷ ବୟସ ହେବା ପର୍ଯ୍ୟନ୍ତ କ୍ରମାଗତ ଭାବେ ଅନୁଧ୍ୟାନ କରାଯାଇଥିଲା। ଗବେଷକମାନେ ପ୍ରସବ ପରେ ମାଆମାନଙ୍କର ମାନସିକ ସ୍ଥିତି ଏବଂ ଅବସାଦର ଲକ୍ଷଣଗୁଡ଼ିକୁ ଆକଳନ କରିଥିଲେ। ଶିଶୁମାନଙ୍କର ବୟସ ୬ ରୁ ୧୨ ମାସ ହୋଇଥିବା ବେଳେ ମାଆ ଏବଂ ଶିଶୁ ଏକାଠି ଖେଳୁଥିବା ସମୟର ଭିଡିଓ ରେକର୍ଡିଂ କରାଯାଇ ସେମାନଙ୍କ ଆଚରଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଶେଷରେ ଶିଶୁକୁ ଦୁଇ ବର୍ଷ ପୂରିବା ପରେ ତାର ଭାଷା ଶିଖିବା ଶୈଳୀ ଏବଂ ସାଂଜ୍ଞାନିକ କ୍ଷମତାର ମୂଲ୍ୟାଙ୍କନ କରାଯାଇଥିଲା।

ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପ୍ରସବ ପରବର୍ତ୍ତୀ ଅବସାଦ ଯୋଗୁଁ ସବୁ ପିଲାଙ୍କ ଉପରେ ଏହାର ସିଧାସଳଖ ଖରାପ ପ୍ରଭାବ ପଡ଼ି ନଥାଏ, ମାତ୍ର ଯେଉଁ ମାଆମାନେ ଡିପ୍ରେସନ୍ ସତ୍ତ୍ୱେ ପିଲାମାନଙ୍କ ସହ ଖେଳିବା ବେଳେ ଅଧିକ ସ୍ନେହ ଓ ସମ୍ବେଦନଶୀଳତା ପ୍ରଦର୍ଶନ କରନ୍ତି, ସେମାନଙ୍କ ପୁତ୍ର ସନ୍ତାନମାନଙ୍କର ଭାଷା ଶିଖିବାର କ୍ଷମତା ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ରହିଥାଏ। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ପ୍ରସବ ପରବର୍ତ୍ତୀ ଅବସାଦ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ପୂର୍ବର ଏକ ତଥ୍ୟ ଅନୁସାରେ, ଭାରତରେ ପ୍ରାୟ ୧୯% ରୁ ୨୪% ପର୍ଯ୍ୟନ୍ତ ମହିଳା ପ୍ରସବ ପରେ ଏହି ମାନସିକ ଅବସାଦ ଦେଇ ଗତି କରିଥାନ୍ତି। ଅର୍ଥାତ୍ ପ୍ରତି ୫ ଜଣରେ ପ୍ରାୟ ଜଣେ ମାଆ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ତେବେ ଏହି ଗବେଷଣା ଅନୁଯାୟୀ, କେବଳ ମାଆ ନୁହେଁ, ବରଂ ଶିଶୁର ସଠିକ୍ ବିକାଶ ପାଇଁ ପୂରା ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଭାରତ ଭଳି ଦେଶରେ ଯେଉଁଠି ଯୌଥ ପରିବାର ବ୍ୟବସ୍ଥା ରହିଛି, ସେଠାରେ ଜେଜେବାପା, ଜେଜେମାଆ କିମ୍ବା ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତି ଏବଂ ସେମାନଙ୍କ ଯତ୍ନ ଶିଶୁର ମାନସିକ ବିକାଶରେ ଏକ ପ୍ରକାର କବଚ ସଦୃଶ କାମ କରେ, ଯାହା ମାଆର ଅବସାଦର ପ୍ରଭାବକୁ ପିଲା ଉପରେ ପଡ଼ିବାକୁ ଦିଏନାହିଁ। ଏହା ବ୍ୟତୀତ ଶିଶୁର ଜନ୍ମ ସମୟର ଓଜନ ଏବଂ ମହିଳା ଜଣକ ପ୍ରଥମ ଥର ପାଇଁ ମାଆ ହୋଇଛନ୍ତି କି ନାହିଁ, ସେହି ସବୁ କାରକ ମଧ୍ୟ ଶିଶୁର କଗ୍ନିଟିଭ୍ ବିକାଶକୁ ନିର୍ଦ୍ଧାରଣ କରିବାରେ ବେଶ୍ ସହାୟକ ହୋଇଥାଏ ବୋଲି ଏହି ବୈଜ୍ଞାନିକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ମାଧ୍ୟମରେ ସମାଜକୁ ଏକ ବାର୍ତ୍ତା ଦିଆଯାଇଛି ଯେ, ପ୍ରସୂତି ମହିଳାମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପିଲାମାନଙ୍କୁ ଏକ ସୁସ୍ଥ ଓ ସକରାତ୍ମକ ପରିବେଶ ଯୋଗାଇଦେବା ପରିବାରର ପ୍ରତିଟି ସଦସ୍ୟଙ୍କ ନୈତିକ ଦାୟିତ୍ୱ।
Also read : https://purvapaksa.com/mp-ashok-mittals-big-statement-said-justice-should-be-equal-for-everyone/


