ଟିକିଏ ଚିନ୍ତା କରନ୍ତୁ, ଯଦି ପରିବାରର କେହି ଜଣେ ସଦସ୍ୟ କିମ୍ବା ପଡ଼ୋଶୀ ଭୁଲ୍ କରି ମଧ୍ୟ ଓଲଟା ଆପଣଙ୍କୁ ଆଖି ଦେଖାଏ ଏବଂ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ କହେ, ତେବେ କେମିତି ଲାଗିବ? ବର୍ତ୍ତମାନ ବାଂଲାଦେଶ ସହିତ ଠିକ୍ ସେଇଆ ହିଁ ଘଟୁଛି। ବାଂଲାଦେଶ ବର୍ତ୍ତମାନ ଭାରତ ପାଖରୁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା ଦାବି କରୁଛି।
କିନ୍ତୁ ହଠାତ୍ ଏମିତି କଣ ହେଲା ଯେ ବାଂଲାଦେଶ ଏତେ ବଡ଼ ଦାବି କରୁଛି? ଏହାର ମୂଳ କାରଣ ହେଉଛି ପଶ୍ଚିମବଙ୍ଗର ରାଜନୀତିରେ ଆସିଥିବା ଏକ ବିରାଟ ପରିବର୍ତ୍ତନ। ପଶ୍ଚିମବଙ୍ଗରେ ସରକାର ବଦଳିବା ପରଠାରୁ ବାଂଲାଦେଶର ନିଦ ହଜିଯାଇଛି। ବର୍ଷ ବର୍ଷ ଧରି ଭାରତ ମାଟିରେ ବେଆଇନ ଭାବେ ରହି ଆସୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଏବେ ଖୋଜି ଖୋଜି ସୀମା ପାର୍ କରାଯାଉଛି। ଭାରତର ଏହି କଡ଼ା ଆକ୍ସନ ଯୋଗୁଁ ବାଂଲାଦେଶ ଏତେ ମାତ୍ରାରେ ବିବ୍ରତ ହୋଇପଡ଼ିଛି ଯେ, ବର୍ତ୍ତମାନ ସେଠାକାର ସଂସଦରେ କେବଳ ଗୋଟିଏ ହିଁ ପ୍ରସଙ୍ଗ ଗୁଞ୍ଜରିତ ହେଉଛି – ଆଉ ତାହା ହେଉଛି ଭାରତର ବିରୋଧ। ଭାରତ କେତେ ଜଣଙ୍କୁ ଘଉଡ଼ାଇଛି? ବାଂଲାଦେଶ କାହିଁକି କ୍ଷେପିଛି? ଏବଂ ଏହି ସୀମା ବିବାଦ ଭିତରେ ଚୀନ୍ କିଭଳି ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି।
ଘଟଣାର ମୂଳକୁ ଗଲେ ଆମକୁ ଦେଖିବାକୁ ମିଳିବ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ। ଯେବେଠାରୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି, ସେବେଠାରୁ ସେ ରାଜ୍ୟରେ ଏକ ବଡ଼ ଧରଣର ସଫେଇ ଅଭିଯାନ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଯେଉଁ ଅନୁପ୍ରବେଶ ସମସ୍ୟାକୁ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଅଣଦେଖା କରାଯାଉଥିଲା, ତାହା ଉପରେ ଏବେ ଶୁଭେନ୍ଦୁ ସରକାର ବୁଲଡୋଜର ଚଲାଇବା ଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ବଡ଼ ପଦକ୍ଷେପସ୍ଵରୂପ, ସେ ଭାରତ-ବାଂଲାଦେଶ ସୀମାରେ କଡ଼ା ତାରବାଡ଼ (Fencing) ନିର୍ମାଣ କରିବା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ (BSF) କୁ ୧୭୫ ଏକର ଜମି ହସ୍ତାନ୍ତର କରିଛନ୍ତି।
କେବଳ ସେତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦,୦୦୦ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବାଂଲାଦେଶ ସୀମା ଭିତରକୁ ପଠାଇ ଦିଆଯାଇଛି। ଯେତେବେଳେ ୧୦ ହଜାର ଲୋକ ଏକାସଙ୍ଗେ ସୀମା ପାର୍ ହୋଇ ବାଂଲାଦେଶରେ ପ୍ରବେଶ କଲେ, ସେତେବେଳେ ଢାକାରେ ଥିବା ସରକାରଙ୍କ ପାଦତଳୁ ମାଟି ଖସିଗଲା। ବାଂଲାଦେଶ ସରକାର ଏବଂ ସେଠାକାର ପ୍ରଶାସନ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ପାଗଳ ହୋଇଯାଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ବାଂଲାଦେଶରେ ଏହି ଆକ୍ସନକୁ ନେଇ ସବୁଠାରୁ ଅଧିକ କାହାକୁ କଷ୍ଟ ହେଉଛି? ସେଠାରେ ସରକାରରେ ଥିବା ଲୋକଙ୍କ ଅପେକ୍ଷା ବିରୋଧୀ ଦଳ ଏବଂ କିଛି ନିର୍ଦ୍ଦିଷ୍ଟ ଚେହେରା ଅଧିକ ବିଷୋଦଗାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ନାହିଦ୍ ଇସଲାମ। ଏହି ନାହିଦ୍ ଇସଲାମ ହେଉଛନ୍ତି ସେହି ବ୍ୟକ୍ତି ଯିଏ କିଛି ମାସ ପୂର୍ବରୁ ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ଭାଙ୍ଗିବାରେ ମୁଖ୍ୟ ସୂତ୍ରଧର ସାଜିଥିଲେ ଏବଂ ମହମ୍ମଦ ୟୁନୁସଙ୍କର ଅତି ପ୍ରିୟ ବୋଲି ଜଣାଶୁଣା।
ନାହିଦ୍ ଇସଲାମ ବାଂଲାଦେଶ ସଂସଦରେ ଏବଂ ଗଣମାଧ୍ୟମ ସାମ୍ନାରେ ଭାରତ ବିରୋଧରେ ବିଷ ଓଗାଳି କହିଛନ୍ତି ଯେ, “ଭାରତ ଯାହା କରୁଛି ତାହା ସମ୍ପୂର୍ଣ୍ଣ ବେଆଇନ। ଭାରତ ପ୍ରଥମେ ଆମକୁ ଏହି ଲୋକମାନଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ସୁଯୋଗ ଦେଉ, ସେମାନେ ପ୍ରକୃତରେ ବାଂଲାଦେଶୀ କି ନୁହଁନ୍ତି ତାହା ସ୍ପଷ୍ଟ ହେଉ। ଭାରତ ଏଭଳି ଜବରଦସ୍ତ ଲୋକଙ୍କୁ ଆମ ଦେଶକୁ ଠେଲି ପାରିବ ନାହିଁ।” ଏହା ସହିତ ସେ ଦାବି କରିଛନ୍ତି ଯେ ଭାରତ ପୂର୍ବରୁ ଶେଖ୍ ହସିନାଙ୍କ ସରକାରକୁ ସମର୍ଥନ କରୁଥିଲା, ତେଣୁ ବର୍ତ୍ତମାନର ଏହି ପଦକ୍ଷେପ ପାଇଁ ଭାରତର ଉଚ୍ଚାୟୁକ୍ତ ଏବଂ ଭାରତ ସରକାର ସାର୍ବଜନୀନ ଭାବେ ବାଂଲାଦେଶ ପାଖରେ କ୍ଷମା ମାଗନ୍ତୁ।
ଭାରତୀୟ ସୀମା ସୁରକ୍ଷା ବଳ (BSF) ହାତରେ କେଉଁଭଳି ଚମକାଇ ଦେବା ଭଳି ପ୍ରମାଣ ଲାଗିଛି। ଯେତେବେଳେ ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଗଲା, ସେତେବେଳେ ଜଣାପଡ଼ିଲା ଯେ ଏହି ଅନୁପ୍ରବେଶକାରୀମାନଙ୍କ ପାଖରେ ବାଂଲାଦେଶର ନାଗରିକତା ପ୍ରମାଣପତ୍ର ତ ଅଛି, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କ ପାଖରେ ପଶ୍ଚିମବଙ୍ଗର ବୈଧ ଭୋଟର ଆଇଡି (Voter ID) ମଧ୍ୟ ରହିଛି! ଅର୍ଥାତ୍, ଏମାନେ ବାଂଲାଦେଶରୁ ଆସନ୍ତି, ଭାରତରେ ଭୋଟ୍ ଦିଅନ୍ତି, ଏଠାକାର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି ଏବଂ ପୁଣି ନିଜ ଦେଶକୁ ଫେରିଯାନ୍ତି। ପୂର୍ବ ସରକାରଙ୍କ ସମୟରେ ଏହି ଭୋଟ୍ ବ୍ୟାଙ୍କ ରାଜନୀତି ଚରମ ସୀମାରେ ଥିଲା।
ଚଳିତ ସଫେଇ ଅଭିଯାନରେ ପଶ୍ଚିମବଙ୍ଗର ଭୋଟର ଲିଷ୍ଟରୁ ପ୍ରାୟ ୯୭ ଲକ୍ଷରୁ ଅଧିକ ସନ୍ଦିଗ୍ଧ ଏବଂ ନକଲି ନାମ କାଟି ଦିଆଯାଇଛି। ଏହା କୌଣସି ଛୋଟ ସଂଖ୍ୟା ନୁହେଁ।
ଏହି ଅନୁପ୍ରବେଶକାରୀଙ୍କୁ ରଖିବା ଏବଂ ସେମାନଙ୍କର ଠିକ୍ ଭାବେ ଯାଞ୍ଚ କରିବା ପାଇଁ ସୀମାରେ ୧୮ଟି ଡିଟେନସନ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆହୁରି ୪,୫୦୦ ଲୋକଙ୍କ ଉପରେ ଯାଞ୍ଚ ଚାଲିଛି ଏବଂ ପ୍ରମାଣ ମିଳିବା ମାତ୍ରେ ସେମାନଙ୍କୁ ମଧ୍ୟ ସୀମା ପାର୍ କରାଯାଇ ବାଂଲାଦେଶ ପଠାଇ ଦିଆଯିବ। କେବଳ ପଶ୍ଚିମବଙ୍ଗ ନୁହେଁ, ତ୍ରିପୁରାର ପ୍ରାୟ ୬୫% ସୀମାନ୍ତ ଗ୍ରାମ ଏବଂ ମେଘାଳୟର ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏହି ବାଂଲାଦେଶୀମାନେ ବେଆଇନ ଭାବେ ବସବାସ କରୁଥିଲେ, ଯେଉଁମାନଙ୍କୁ ଏବେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ତଡ଼ିବା ଆରମ୍ଭ କଲେଣି।
ଏହି ସମଗ୍ର ଘଟଣା ଏବେ ଏକ ନୂଆ ଏବଂ ଭୟଙ୍କର ମୋଡ଼ ନେଇଛି। ବାଂଲାଦେଶ ସରକାର ନିଜର ନାଗରିକମାନଙ୍କୁ ଭାରତରୁ ଫେରିବା ରୋକିବା ପାଇଁ ଏବଂ ଭାରତୀୟ ଆକ୍ସନର ମୁକାବିଲା କରିବା ପାଇଁ ସେଠାକାର ସୀମା ସୁରକ୍ଷା ବଳ ଅର୍ଥାତ୍ ‘ବାଂଲାଦେଶ ବର୍ଡର ଗାର୍ଡ’ (BGB) କୁ ସମ୍ପୂର୍ଣ୍ଣ ଦାୟିତ୍ଵ ଦେଇଛି। BGB ଏବେ ଏକ ନୂଆ ଚାଲ୍ ଚଳାଇଛି। ସୀମାରେ ଯେଉଁ ସବୁ ଅଞ୍ଚଳରେ ତାରବାଡ଼ ନାହିଁ, ଯେଉଁଠି ନଦୀ, ନାଳ କିମ୍ବା ପାହାଡ଼ ରହିଛି ଏବଂ ସୈନିକଙ୍କ ସଂଖ୍ୟା କମ୍ ଅଛି, ସେଠାକାର ସ୍ଥାନୀୟ ବାଂଲାଦେଶୀ ଗ୍ରାମବାସୀଙ୍କୁ BGB ପକ୍ଷରୁ ୫ ରୁ ୧୦ ଦିନର ସ୍ୱତନ୍ତ୍ର ସାମରିକ ଟ୍ରେନିଂ ଦିଆଯାଉଛି।
କେବଳ ଟ୍ରେନିଂ ନୁହେଁ, ସେମାନଙ୍କ ହାତରେ ମାରାତ୍ମକ ହତିଆର କିମ୍ବା ବନ୍ଧୁକ ମଧ୍ୟ ଟେକି ଦିଆଯାଇଛି। ସେମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ଭାରତ ପଟରୁ କୌଣସି ବାଂଲାଦେଶୀ ନିଜ ଜିନିଷପତ୍ର ଧରି ନିଜ ଦେଶକୁ ଫେରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କୁ ସେଠାରେ ହିଁ ଅଟକାଅ, ଆବଶ୍ୟକ ପଡ଼ିଲେ ଗୁଳି ମଧ୍ୟ ଚଲାଅ (Shoot and Sight)। ନିକଟରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରୁଥିବା ଏବଂ ଫେରିବାକୁ ଚେଷ୍ଟା କରୁଥିବା ସମୟରେ ପ୍ରାୟ ୧୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଛି।
ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରେ ଏହି ଖବର ପହଞ୍ଚିଲା ଯେ ବାଂଲାଦେଶ ନିଜ ଗ୍ରାମବାସୀଙ୍କୁ ସଶସ୍ତ୍ର କରୁଛି, ସେତେବେଳେ ସେ କହିଲେ – “ଯଦି ବାଂଲାଦେଶ ଏହା କରିପାରିବ, ତେବେ ଭାରତ କାହିଁକି ନୁହେଁ?” ଏବେ ଭାରତ ପଟୁ ମଧ୍ୟ ସୀମାନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ତାଲିମ ଏବଂ ସତର୍କ ରହିବା ପାଇଁ ପ୍ରସ୍ତୁତ କରାଯାଉଛି। ଏହାର ପରିଣାମ ସ୍ଵରୂପ, ସେହି ଅନୁପ୍ରବେଶକାରୀମାନେ ଏବେ ମଝିରେ ଫସି ଯାଇଛନ୍ତି – “ଏପଟେ ଗଲେ କୂଅ, ସେପଟେ ଗଲେ ଖାଇ”। ବାଂଲାଦେଶ ଗଲେ ନିଜ ଦେଶର ଲୋକେ ଗୁଳି ମାରିବେ, ଆଉ ଭାରତରେ ରହିଲେ ବିଏସଏଫ ଏବଂ କାନୁନ ସେମାନଙ୍କୁ ଛାଡ଼ିବ ନାହିଁ।
ଏହି ସମଗ୍ର ବିବାଦ କେବଳ ଦୁଇଟି ଦେଶର ଅନୁପ୍ରବେଶ ସମସ୍ୟା ଭିତରେ ସୀମିତ ହୋଇ ରହିନାହିଁ। ଏହା ଏବେ ଏକ ବଡ଼ ଆନ୍ତର୍ଜାତୀୟ ଏବଂ ସାମରିକ ସଙ୍କଟର ରୂପ ନେଉଛି। ଆଉ ଏହାର ସବୁଠାରୁ ଅଧିକ ଫାଇଦା ଉଠାଇବାକୁ ସଦାସର୍ବଦା ପ୍ରସ୍ତୁତ ଥାଏ ଭାରତର ପରମ ଶତ୍ରୁ ଚୀନ୍। ବର୍ତ୍ତମାନ ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ଵାକ୍ଷରିତ ହୋଇଛି, ଯେଉଁଥିରେ ବାଂଲାଦେଶ ନିଜର ଗୁରୁତ୍ଵପୂର୍ଣ୍ଣ ‘ମୋଙ୍ଗଲା ପୋର୍ଟ’ (Mongla Port) କୁ ଚୀନ୍ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି।
ଯଦି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୀମା ଉତ୍ତେଜନା ଏଭଳି ବଢ଼ି ଚାଲେ, ତେବେ ଚୀନ୍ ସିଧାସଳଖ ଭାବେ ବାଂଲାଦେଶକୁ ସାମରିକ ଏବଂ ଆର୍ଥିକ ସାହାଯ୍ୟ ଯୋଗାଇଦେବ। ଚୀନ୍ ଏହି ସୁଯୋଗରେ ଭାରତର ପଡ଼ୋଶୀ ମାଟିରେ ନିଜର ସାମରିକ ଘାଟି (Military Base) ସ୍ଥାପନ କରିବାକୁ ଚେଷ୍ଟା କରିବ, ଯାହା ଭାରତର ପୂର୍ବ ସୀମାନ୍ତ ସୁରକ୍ଷା ପାଇଁ ଏକ ବଡ଼ ବିପଦ ସାଜିପାରେ। ପୂର୍ବରୁ ମଧ୍ୟ ସୀମାରେ ଏଭଳି ମୁହାଁମୁହିଁ ପରିସ୍ଥିତିରେ ଆମର ୨୬ ଜଣ ବୀର ସୈନିକ ଶହୀଦ ହୋଇଥିଲେ। ତେଣୁ ଏହି ସୀମା ବିବାଦକୁ ଭାରତ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି। ଏବେ ସୀମା ସୁରକ୍ଷାରେ କେବଳ ବିଏସଏଫ ନୁହେଁ, ବରଂ ଦେଶର ସଚେତନ ଗ୍ରାମବାସୀ ମଧ୍ୟ ସୈନିକ ସାଜି ଠିଆ ହୋଇଛନ୍ତି।
ବାଂଲାଦେଶ ସଂସଦରେ ଭାରତ ବିରୋଧରେ ଯେଉଁ କଡ଼ା ଭାଷା ବ୍ୟବହାର କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ। ପ୍ରକୃତରେ କ୍ଷମା କାହାକୁ ମାଗିବା ଉଚିତ? ଭାରତକୁ, ନା ବାଂଲାଦେଶକୁ? ବାଂଲାଦେଶ ନିଜ ଦେଶର ନାଗରିକମାନଙ୍କୁ ସମ୍ଭାଳି ପାରୁନାହିଁ, ସେମାନଙ୍କୁ ରୋଜଗାର ଦେଇପାରୁନାହିଁ, ଯାହା ଫଳରେ ସେମାନେ ବେଆଇନ ଭାବେ ଭାରତ ମାଟିରେ ପ୍ରବେଶ କରୁଛନ୍ତି। ଆଉ ଯେତେବେଳେ ଭାରତ ନିଜର ସୁରକ୍ଷା ପାଇଁ ଆକ୍ସନ ନେଉଛି, ସେତେବେଳେ ବାଂଲାଦେଶ ଓଲଟା ଆମକୁ ଆଖି ଦେଖାଉଛି। ଏହି ପରିପ୍ରେକ୍ଷୀରେ ତ୍ରିପୁରାର ସୀମାନ୍ତ ଲୋକଙ୍କ ଆକ୍ସନ ପ୍ରଶଂସନୀୟ, ଯେଉଁମାନେ ନିଜ ସୀମାକୁ ନିଜେ ସୁରକ୍ଷିତ ରଖିବା ପାଇଁ ଆଗେଇ ଆସିଛନ୍ତି।
AlsoRead; https://purvapaksa.com/the-math-of-parliament-has-changed-what-will-be-the-bjds-approach/


