ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ସହ ଜଡ଼ିତ ସରକାରୀ ଦସ୍ତାବିଜ ଏବଂ ରେକର୍ଡଗୁଡ଼ିକୁ ସର୍ବସାଧାରଣ କରାଯାଇପାରିବ ନାହିଁ। ଏହିସବୁ ରେକର୍ଡକୁ ‘ଗୋପନୀୟ’ ଶ୍ରେଣୀରେ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ରୀୟ ସୂଚନା କମିଶନ ସଠିକ୍ ବୋଲି ଦର୍ଶାଇଛନ୍ତି। ସୁରକ୍ଷା ଏବଂ ସଂବେଦନଶୀଳତା ଦୃଷ୍ଟିରୁ ଏହି ତଥ୍ୟକୁ ସୂଚନା ଅଧିକାର ଆଇନ ର ପରିସରରୁ ବାହାରେ ରଖାଯାଇଛି। ଗୃହ ମନ୍ତ୍ରଣାଳୟର ଯୁକ୍ତିକୁ ଗ୍ରହଣ କରି ସିଆଇସି କହିଛନ୍ତି ଯେ, ଏହି ସୂଚନା ପ୍ରକାଶ କଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ।

ମାମଲାର ପୃଷ୍ଠଭୂମି
ଏହି ସମ୍ପୂର୍ଣ୍ଣ ବିବାଦ ନୀରଜ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆରଟିଆଇ ଆବେଦନ ସହ ଜଡ଼ିତ। ସେ ୫ ଫେବୃଆରୀ ୨୦୨୦ ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ସମ୍ବନ୍ଧୀୟ ଯୋଜନାର ଏକ ସତ୍ୟାପିତ ନକଲ ଏବଂ ସରକାରୀ ଆଦେଶ ପତ୍ର ମାଗିଥିଲେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ସେ କେନ୍ଦ୍ରୀୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ, ଏହି ପ୍ରସଙ୍ଗର ଅତ୍ୟଧିକ ସଂବେଦନଶୀଳତାକୁ ଦେଖି ଟ୍ରଷ୍ଟ ଗଠନ ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଆରଟିଆଇ ଆଇନର ଧାରା ୮(୧)(ଜି) ଅନୁଯାୟୀ ସୁରକ୍ଷିତ ଓ ଗୋପନୀୟ ରଖାଯାଇଛି। ତତ୍କାଳୀନ ମୁଖ୍ୟ ସୂଚନା କମିଶନର ହୀରାଲାଲ ସାମରିୟା ଗୃହ ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣକୁ ଉପଯୁକ୍ତ ମାନି ଆବେଦନର ସମାଧାନ କରିଛନ୍ତି।

ରାମ ମନ୍ଦିର ଟ୍ରଷ୍ଟ ଏକ ସ୍ୱାଧୀନ ସଂସ୍ଥା
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସିଆଇସି ଏହା ମଧ୍ୟ ବିଚାର କରିଥିଲେ ଯେ, ରାମ ମନ୍ଦିର ଟ୍ରଷ୍ଟ ଆରଟିଆଇ ଆଇନର ଧାରା ୨(ଏଚ୍) ଅନୁଯାୟୀ ଏକ ‘ସର୍ବସାଧାରଣ କର୍ତ୍ତୃପକ୍ଷ’ ବା ସରକାରୀ ସଂସ୍ଥା ଅଟେ କି ନାହିଁ। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଏବଂ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଏକ ସ୍ୱାଧୀନ ଏବଂ ସ୍ୱୟଂଶାସିତ ସଂସ୍ଥା। ଏଥିରେ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କର ଆର୍ଥିକ କିମ୍ବା ପ୍ରଶାସନିକ ହସ୍ତକ୍ଷେପ ନାହିଁ।
ସୁପ୍ରିମକୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟର ଅନୁପାଳନ କରି କେନ୍ଦ୍ର ସରକାର କେବଳ ଏହି ଟ୍ରଷ୍ଟର ପ୍ରତିଷ୍ଠାତା ସାଜିଥିଲେ ଏବଂ ଏହାର ଭୂମିକା କେବଳ ଗଠନ ପ୍ରକ୍ରିୟା ପର୍ଯ୍ୟନ୍ତ ସୀମିତ ଥିଲା। ସରକାର ଏହି ଟ୍ରଷ୍ଟକୁ କୌଣସି ଆର୍ଥିକ ଅନୁଦାନ ଦେଇନାହାନ୍ତି କିମ୍ବା ଏହା ଉପରେ ସରକାରଙ୍କର କୌଣସି ମାଲିକାନା ଅଧିକାର ନାହିଁ।
କମିଶନଙ୍କ ଚୂଡ଼ାନ୍ତ ମତ

କେନ୍ଦ୍ରୀୟ ସୂଚନା କମିଶନ ନିଜ ରାୟରେ କହିଛନ୍ତି ଯେ, ଏହି ଟ୍ରଷ୍ଟ କୌଣସି ସରକାରୀ ବିଜ୍ଞପ୍ତି ଦ୍ୱାରା ପ୍ରତିଷ୍ଠିତ ହୋଇନାହିଁ, ବରଂ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏକ ‘ଟ୍ରଷ୍ଟ ଡିଡ୍’ ମାଧ୍ୟମରେ ଗଠିତ ହୋଇଛି। ଏହା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ କିମ୍ବା ଆର୍ଥିକ ସହାୟତା ପ୍ରାପ୍ତ ସଂସ୍ଥା ନୁହେଁ ବୋଲି ପ୍ରମାଣିତ ହୋଇଛି। ତେଣୁ ଏହାକୁ ‘ସର୍ବସାଧାରଣ କର୍ତ୍ତୃପକ୍ଷ’ ର ମାନ୍ୟତା ଦିଆଯାଇପାରିବ ନାହିଁ। ଏହି କାରଣରୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସମ୍ପୂର୍ଣ୍ଣ ଭାବେ ଆରଟିଆଇ ଆଇନର ପରିସରରୁ ବାହାରେ ରହିବ।


