ଏମିତି ଏକ ବିଷୟ, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଏବଂ ଆପଣଙ୍କ ପ୍ରିୟ ଗାଡ଼ି ସହିତ ଜଡ଼ିତ। ଆପଣ ଯେତେବେଳେ ପେଟ୍ରୋଲ ପମ୍ପକୁ ଗାଡ଼ିରେ ପେଟ୍ରୋଲ ପକାଇବାକୁ ଯାଉଛନ୍ତି, ସେତେବେଳେ ଆପଣ ଭାବୁଛନ୍ତି କି ଆପଣ ଶୁଦ୍ଧ ପେଟ୍ରୋଲ୍ ପକାଉଛନ୍ତି? କିନ୍ତୁ ବାସ୍ତବତା ହେଉଛି, ସରକାର ସେଥିରେ ୨୦ ପ୍ରତିଶତ ଇଥାନଲ୍ (Ethanol) ମିଶାଇ ଆପଣଙ୍କୁ ବିକୁଛନ୍ତି, ଯାହାକୁ କୁହାଯାଉଛି E20 ଫ୍ୟୁଏଲ୍।
ଦେଶରେ ୨୦୨୫ ପରଠାରୁ ଏହି E20 ଇନ୍ଧନକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିଦିଆଯାଇଛି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାକୁ ନେଇ ଅଭିଯୋଗର ବାଢ଼ ଆସିଯାଇଛି। ଲୋକମାନେ କହୁଛନ୍ତି କି ଏହି ପେଟ୍ରୋଲ କାରଣରୁ ସେମାନଙ୍କ ଗାଡ଼ିର ମାଇଲେଜ୍ କମିଯାଉଛି, ପୁରୁଣା ଗାଡ଼ିଗୁଡ଼ିକର ଇଞ୍ଜିନ, କାର୍ବୁରେଟର ଏବଂ ଫିଲ୍ଟର ଖରାପ ହେବାରେ ଲାଗିଛି। ସବୁଠାରୁ ବଡ଼ ଚମକାଇ ଦେବା ଭଳି କଥା ହେଉଛି, ଏହି ମାମଲା ଯେତେବେଳେ ଦେଶର ସର୍ବୋଚ୍ଚ ଅଦାଲତ ଅର୍ଥାତ୍ ସୁପ୍ରିମକୋର୍ଟରେ ପହଞ୍ଚିଲା, ସେତେବେଳେ ସରକାରଙ୍କ ପକ୍ଷ ରଖୁଥିବା ଓକିଲ କୋର୍ଟରେ କହିଦେଲେ ଯେ E20 ଇନ୍ଧନ ବର୍ତ୍ତମାନ କେବଳ ଏକ ‘ଏକ୍ସପେରିମେଣ୍ଟାଲ୍ ଫେଜ୍’ (Experimental Phase) ବା ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି! ତେବେ ପ୍ରଶ୍ନ ଉଠୁଛି, କଣ ଦେଶର ସାଧାରଣ ଜନତା, ଗରିବ ବାଇକ୍ ଚାଳକମାନେ ସରକାରଙ୍କ ପାଇଁ ଲାବୋରେଟରୀର ମୂଷା ପାଲଟିଛନ୍ତି, ଯାହାଙ୍କ ଉପରେ ଏହି ପ୍ରୟୋଗ କରାଯାଉଛି? ଆଜି ଆମେ ଏହି ଭିଡିଓରେ ସମ୍ପୂର୍ଣ୍ଣ ଘଟଣାର ପଛର ରାଜନୀତି ଏବଂ ବାସ୍ତବତାକୁ ଡିକୋଡ୍ କରିବା।
ଯେତେବେଳେ ବି ଏହି E20 ଇନ୍ଧନକୁ ନେଇ ସରକାରଙ୍କୁ ପ୍ରଶ୍ନ କରାଯାଏ, ସରକାର ସବୁବେଳେ ଗୋଟିଏ କଥା କୁହନ୍ତି – “ବ୍ରାଜିଲ ଏବଂ ଆମେରିକା ଭଳି ବଡ଼ ବଡ଼ ଦେଶରେ ତ ବହୁ ବର୍ଷ ଧରି ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାର କରାଯାଉଛି।” ବ୍ରାଜିଲରେ ପ୍ରାୟ ୧୯୭୦ ଦଶକରୁ ଏବଂ ଆମେରିକାରେ E10 ଇନ୍ଧନ ବ୍ୟବହାର ହେଉଛି। ସରକାରଙ୍କ କହିବା କଥା ହେଉଛି, ଏହା ଦ୍ଵାରା ପ୍ରଦୂଷଣ କମିବ ଏବଂ ଭାରତର ଅଶୋଧିତ ତୈଳ ଆମଦାନୀ ବିଲ୍ (Import Bill) ହ୍ରାସ ପାଇବ, ଯାହା ଦେଶର ଅର୍ଥନୀତି ପାଇଁ ଲାଭଦାୟକ।
କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି – ବ୍ରାଜିଲ ଏହି ବ୍ୟବସ୍ଥାକୁ ଧୀରେ ଧୀରେ ବହୁ ବର୍ଷ ଧରି ଲାଗୁ କଲା, କିନ୍ତୁ ଭାରତରେ ମାତ୍ର ୩ ବର୍ଷ ଭିତରେ ଏହାକୁ ସାରା ଦେଶରେ ବାଧ୍ୟତାମୂଳକ କରିଦିଆଗଲା। ଯେଉଁମାନେ ୨୦୨୨ ପୂର୍ବରୁ ଗାଡ଼ି କିଣିଥିଲେ, ସେମାନଙ୍କ ଗାଡ଼ିର ଇଞ୍ଜିନ ଏହି ଇଥାନଲ୍କୁ ସହ୍ୟ କରିବା ପାଇଁ ପ୍ରସ୍ତୁତ ନୁହେଁ। ଏହା ସହିତ, ଯଦି ଇଥାନଲ୍ ମିଶାଇବା ଦ୍ଵାରା ଆମଦାନୀ ଖର୍ଚ୍ଚ କମୁଛି, ତେବେ ସେହି ଲାଭ ସାଧାରଣ ଜନତାଙ୍କୁ କାହିଁକି ମିଳୁନାହିଁ? ଲିଟର ପିଛା ପ୍ରାୟ ୬୦ ଟଙ୍କାରେ ମିଳୁଥିବା ଇଥାନଲ୍କୁ ସରକାର ପେଟ୍ରୋଲ୍ରେ ମିଶାଇ ଜନତାଙ୍କୁ ସେହି ୧୦ ଟଙ୍କାର ପୁରୁଣା ଦରରେ ହିଁ ବିକୁଛନ୍ତି। ତେବେ ଫାଇଦା କାହାର ହେଉଛି?
ଏହି ସମଗ୍ର ବିବାଦ ସେତେବେଳେ ଆହୁରି ଗମ୍ଭୀର ହେଲା, ଯେତେବେଳେ ନଚିକେତ ଦେଶପାଣ୍ଡେ ନାମକ ଜଣେ ସାଧାରଣ ନାଗରିକ ତଥା ଆକ୍ଟିଭିଷ୍ଟ ସରକାରଙ୍କ ପାଖରେ ଏକ RTI (Right to Information) ଦାଖଲ କଲେ। ସେ ସରକାରଙ୍କୁ ସିଧା ପ୍ରଶ୍ନ ପଚାରିଥିଲେ ଯେ – “ଆପଣ ଯେଉଁ କହୁଛନ୍ତି E20 ଇନ୍ଧନ ଗାଡ଼ି ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ, ସେହି ଗବେଷଣା ବା ଟେଷ୍ଟିଂ ଡାଟା (Testing Data) ଆମକୁ ଦେଖାନ୍ତୁ। କେଉଁ କେଉଁ ଗାଡ଼ି ଉପରେ ଏହି ପରୀକ୍ଷା ସଫଳ ହୋଇଛି, ତାହାର ରିପୋର୍ଟ ଦିଅନ୍ତୁ।”
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମିନିଷ୍ଟ୍ରି ଅଫ୍ ପେଟ୍ରୋଲିୟମ୍ ଏହି RTI କୁ ଦୁଇ ମାସ ଧରି ଚାପି ରଖିଲା ଏବଂ ଶେଷରେ ଉତ୍ତର ମିଳିଲା ଯେ, “ଏହି ଟେଷ୍ଟିଂ ଡାଟା ହେଉଛି ଅତ୍ୟନ୍ତ ଗୋପନୀୟ (Confidential) ଏବଂ ଏହା ଏକ ରାଷ୍ଟ୍ରୀୟ ଗୋପନ ତଥ୍ୟ (State Secret), ତେଣୁ ଏହାକୁ ସାଧାରଣ କରାଯାଇପାରିବ ନାହିଁ।” ଜନସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ଗାଡ଼ି ସହିତ ଜଡ଼ିତ ଏକ ତଥ୍ୟ କେମିତି ଗୋପନୀୟ ହୋଇପାରେ? ଯଦି ସରକାରଙ୍କ ପାଖରେ ସବୁ ଠିକ୍ ଡାଟା ଅଛି, ତେବେ ତାହାକୁ ଦେଖାଇବା ପାଇଁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି?
ବର୍ତ୍ତମାନ ଏହି ବିଷୟଟି ହଠାତ୍ ଜାତୀୟ ଗଣମାଧ୍ୟମରେ କାହିଁକି ହେଡଲାଇନ୍ ପାଲଟିଲା, ତାହାର ଅସଲ କାରଣ ଜାଣିବା ନିହାତି ଜରୁରୀ। ଏହା ପଛରେ ରହିଛି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଥିବା ଏକ ବଡ଼ ରାଜନୈତିକ ଟଣାଓଟରା। ଘଟଣାଟି ହେଉଛି କର୍ଣ୍ଣାଟକର। କର୍ଣ୍ଣାଟକ ହାଇକୋର୍ଟ ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ବିପିସିଏଲ (Bharat Petroleum Corporation Limited) କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସେଠାକାର ଏକ ଘରୋଇ ସୁଗାର ମିଲ୍ ‘ୱିନ୍ ଡିଷ୍ଟିଲେରିଜ୍ ଆଣ୍ଡ ସୁଗାର ପ୍ରାଇଭେଟ ଲିମିଟେଡ’ (Vim Distilleries) ପାଖରୁ ଅଧିକ ମାତ୍ରାରେ ଇଥାନଲ୍ କିଣନ୍ତୁ।
କିନ୍ତୁ ବିପିସିଏଲ ଏହି ନିର୍ଦ୍ଦେଶକୁ ବିରୋଧ କରି ସିଧା ସୁପ୍ରିମକୋର୍ଟରେ ପହଞ୍ଚିଲା। ଏବେ ଜାଣନ୍ତୁ ଏହି ‘ୱିନ୍ କମ୍ପାନୀ’ର ମାଲିକ କିଏ? ଏହାର ଓନର ହେଉଛନ୍ତି ଶିବରାମ ହେବ୍ବାରଙ୍କ ପୁଅ ବିବେକ ହେବ୍ବାର। ଶିବରାମ ହେବ୍ବାର କର୍ଣ୍ଣାଟକରେ ବିଜେପି ସରକାର ସମୟରେ ସୁଗାର ମିଲ୍ ମିନିଷ୍ଟର ଥିଲେ। କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ପୁଅ କଂଗ୍ରେସରେ ଯୋଗ ଦେଲେ ଏବଂ ୨୦୨୫ ରେ ବିଜେପି ତାଙ୍କୁ ଦଳରୁ ବାହାର କରିଦେଲା। ବ୍ୟବସାୟିକ ସ୍ଵାର୍ଥ ଏବଂ ରାଜନୈତିକ ପରିବର୍ତ୍ତନ ଯୋଗୁଁ ଯେତେବେଳେ ଏହି କମ୍ପାନୀରୁ ଇଥାନଲ୍ କିଣିବା କମାଇ ଦିଆଗଲା, ସେତେବେଳେ ଏହି ମାମଲା କୋର୍ଟକୁ ଗଲା। ସୁପ୍ରିମକୋର୍ଟରେ ସରକାରଙ୍କ ଅଟର୍ଣ୍ଣି ଜେନେରାଲ୍ ବିପିସିଏଲ ପକ୍ଷରୁ ଲଢ଼ୁଥିବା ବେଳେ ତାଙ୍କ ମୁହଁରୁ ବାହାରି ପଡ଼ିଲା ଯେ – “ସରକାର ବର୍ତ୍ତମାନ E20 କୁ ନେଇ ନିଜେ ଏକ୍ସପେରିମେଣ୍ଟ (ପ୍ରୟୋଗ) କରୁଛନ୍ତି, ଆମେ ଏବେଠାରୁ କେମିତି କହିବୁ କି ଆଗକୁ କେତେ ଇଥାନଲ୍ କିଣାଯିବ!” ଏହି ଭିଡିଓ କ୍ଲିପ୍ ଟି ଇଣ୍ଟରନେଟରେ ଭାଇରାଲ୍ ହେବା ପରେ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି।
ଏହି ସମୟରେ ସୋସିଆଲ ମିଡିଆରେ କିଛି ଭ୍ରାମକ ଏବଂ ଗୁଜବ ଖବର ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଭିଡିଓରେ ଦେଖାଗଲା ଯେ ପେଟ୍ରୋଲ ଟାଙ୍କି ପାଖରେ ପିମ୍ପୁଡ଼ି ଲାଗୁଛନ୍ତି, କାରଣ ସେଥିରେ ଆଖୁ ରସ ବା ଇଥାନଲ୍ ମିଶିଛି। କିନ୍ତୁ ଜଣେ ବିଜ୍ଞାନର ଛାତ୍ର ହିସାବରେ ଏବଂ ସରକାରଙ୍କ ସ୍ପଷ୍ଟୀକରଣ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଭୁଲ୍। ଇଥାନଲ୍ ହେଉଛି ଏକ ଆଲକୋହଲ୍ (Alcohol) ଯାହା ଫର୍ମେଣ୍ଟେସନ୍ (Fermentation) ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ। ଆପଣ କେବେ ମଦ ବୋତଲରେ ପିମ୍ପୁଡ଼ି ଲାଗିବାର ଦେଖିଛନ୍ତି କି? ବିଲକୁଲ୍ ନାହିଁ।
ସେହିପରି ପେଟ୍ରୋଲ ଏବଂ ଇଥାନଲ୍ ପରସ୍ପର ସହ ସମ୍ପୂର୍ଣ୍ଣ ଦ୍ରବୀଭୂତ (Soluble)। ସେମାନେ କେବେ ବି ଆପେ ଆପେ ଅଲଗା ହୋଇ ରହିପାରିବେ ନାହିଁ, ଯେମିତି କ୍ଷୀରରେ ପାଣି ମିଶିଗଲେ ଅଲଗା କରିବା ସହଜ ନୁହେଁ। କିନ୍ତୁ ହଁ, ଯଦି ପେଟ୍ରୋଲ ଟାଙ୍କିରେ କୌଣସି ପ୍ରକାରେ ବାହାରୁ ପାଣି ପ୍ରବେଶ କରେ, ତେବେ ଇଥାନଲ୍ ସେହି ପାଣିକୁ ଶୋଷି ନିଏ ଏବଂ ଇଞ୍ଜିନରେ କଳଙ୍କି (Corrosion) ବା ଫଙ୍ଗସ୍ ସୃଷ୍ଟି କରେ, ଯାହା ଗାଡ଼ି ପାଇଁ ବିପଜ୍ଜନକ।
ଏହି ସମଗ୍ର ବିବାଦ ଉପରେ ଯେତେବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପ୍ରଶ୍ନ କରାଗଲା, ସେ ଏହାକୁ ଏକ ‘ପେଡ୍ କ୍ୟାମ୍ପେନ’ (Paid Campaign) ବୋଲି କହିଥିଲେ। ତାଙ୍କ କହିବା ଅନୁଯାୟୀ, ଭାରତ ଯେତେବେଳେ ବାହାରୁ କ୍ରୁଡ୍ ଅଏଲ୍ ଆମଦାନୀ କରୁଥିଲା, ସେତେବେଳେ କିଛି ନିର୍ଦ୍ଦିଷ୍ଟ ବଡ଼ କମ୍ପାନୀ ବା ଲବି (Lobby) ପ୍ରଚୁର ଲାଭ କରୁଥିଲେ। ଏବେ ଭାରତ ନିଜ ଦେଶରେ ୨୦ ପ୍ରତିଶତ ଇନ୍ଧନ ପ୍ରସ୍ତୁତ କରୁଥିବାରୁ ସେହି ଆମଦାନୀ କମ୍ପାନୀଗୁଡ଼ିକର କୋଟି କୋଟି ଟଙ୍କାର ବ୍ୟବସାୟ କ୍ଷତି ହେଉଛି। ତେଣୁ ସେହି ଲବି ଏବେ ସରକାରଙ୍କ E20 ନୀତି ବିରୋଧରେ ମିଛ ପ୍ରଚାର କରୁଛି।
କିନ୍ତୁ ଜନସାଧାରଣଙ୍କ ପ୍ରଶ୍ନ ହେଉଛି – ଯଦି ଏହା କେବଳ କମ୍ପାନୀମାନଙ୍କର ପ୍ରୋପାଗାଣ୍ଡା, ତେବେ ସାଧାରଣ ଲୋକଙ୍କ ଗାଡ଼ି କାହିଁକି ଖରାପ ହେଉଛି? ସରକାର କାହିଁକି ବଜାରରେ E00 (ଶୁଦ୍ଧ ପେଟ୍ରୋଲ୍) ର ବିକଳ୍ପ ରଖୁନାହାନ୍ତି, ଯାହା ଦ୍ଵାରା ଗ୍ରାହକ ନିଜ ଇଚ୍ଛା ଅନୁସାରେ ତେଲ ପକାଇପାରିବେ?
ଜନସାଧାରଣ ନିଶ୍ଚିତ ଭାବେ ଚାହାନ୍ତି ଯେ ଦେଶରେ ପ୍ରଦୂଷଣ କମ୍ ହେଉ ଏବଂ ଆମ ଦେଶର ଚାଷୀ ଭାଇମାନେ ଇଥାନଲ୍ ଉତ୍ପାଦନ କରି ଲାଭବାନ ହୁଅନ୍ତୁ, କାରଣ ଆମର ଏକ ବଡ଼ ଜନସଂଖ୍ୟା କୃଷି ଉପରେ ନିର୍ଭର କରେ। କିନ୍ତୁ ସରକାରଙ୍କର ଏହି ନୀତି ଯଦି ଜନତାଙ୍କ ହିତ ପାଇଁ, ତେବେ ଡାଟା ଲୁଚାଇବା ଏବଂ କୋର୍ଟରେ ଏହାକୁ ‘ଏକ୍ସପେରିମେଣ୍ଟ’ ବୋଲି କହିବା କେତେଦୂର ଯୁକ୍ତିଯୁକ୍ତ? ସରକାରଙ୍କୁ ଜନସାଧାରଣଙ୍କ ଭରସା ଜିତିବାକୁ ହେବ ଏବଂ ସାଜ୍ଞାନିକ ପ୍ରମାଣ ସାମ୍ନାକୁ ଆଣିବାକୁ ହେବ।
AlsoRead; https://purvapaksa.com/crores-of-rupees-looted-on-pakhala-divas/
ପଖାଳ ଦିବସ ନାଁରେ କୋଟି କୋଟି ଟଙ୍କା ଲୁଟ୍! || Crores of rupees looted on Pakhala Divas!


