କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ଚାକିରିଆ ଓ ନିଯୁକ୍ତିଦାତା ମାନଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ମାସିକ ୧,୮୦୦ ଟଙ୍କାରୁ ଅଧିକ ପ୍ରଭିଡେଣ୍ଟ ଫଣ୍ଡ ଯୋଗଦାନକୁ ଏବେ ସମ୍ପୂର୍ଣ୍ଣ ରୂପେ ସ୍ବଇଚ୍ଛାଧୀନ ବା ଇଚ୍ଛାଧୀନ କରାଯାଇଛି। ଏହାର ଅର୍ଥ ହେଉଛି, ଯଦି କୌଣସି କର୍ମଚାରୀ କିମ୍ବା କମ୍ପାନୀ ଚାହିଁବେ, ତେବେ ହିଁ ସେମାନେ ୧,୮୦୦ ଟଙ୍କାରୁ ଅଧିକ ଅର୍ଥ ପିଏଫ୍ ଆକାଉଣ୍ଟରେ ଜମା କରିପାରିବେ, ନଚେତ୍ ଏହା ଆଉ ବାଧ୍ୟତାମୂଳକ ରହିବ ନାହିଁ।

କ’ଣ ଥିଲା ପୁରୁଣା ନିୟମ ଏବଂ କେଉଁଠି ଆସିଲା ପରିବର୍ତ୍ତନ ?
ପୂର୍ବ ନିୟମ ଅନୁଯାୟୀ, ଜଣେ କର୍ମଚାରୀଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତା ର ୧୨% ପିଏଫ୍ ବାବଦକୁ କଟାଯାଉଥିଲା ଏବଂ କମ୍ପାନୀ ମଧ୍ୟ ସମାନ ପରିମାଣର ଅର୍ଥ ଯୋଗଦାନ କରୁଥିଲା। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମୂଳ ଦରମା ସୀମା ୧୫,୦୦୦ ଟଙ୍କା ହିସାବରେ ଏହି ବାଧ୍ୟତାମୂଳକ କାଟ୍ ମାସିକ ୧,୮୦୦ ଟଙ୍କା ରହିଥିଲା। କିନ୍ତୁ ଅଧିକାଂଶ କମ୍ପାନୀ କର୍ମଚାରୀଙ୍କ ପ୍ରକୃତ ଉଚ୍ଚ ମୂଳ ଦରମା ଉପରେ ୧୨% କାଟୁଥିଲେ, ଯାହା ୧୮୦୦ ଟଙ୍କାରୁ ଯଥେଷ୍ଟ ଅଧିକ ହେଉଥିଲା। ଇପିଏଫ୍ଓର ନୂଆ ନିର୍ଦ୍ଦେଶନାମା ଅନୁସାରେ, ଏହି ୧୮୦୦ ଟଙ୍କାର ସୀମା ଉପରକୁ କରାଯାଉଥିବା ଯେକୌଣସି ଅତିରିକ୍ତ ଯୋଗଦାନ ପାଇଁ ଏଣିକି କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କ ସହମତି ଜରୁରୀ।
ସାଧାରଣ କର୍ମଚାରୀଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ?
![]()
ଇପିଏଫ୍ଓ (EPFO) ର ଏହି ନୂଆ ନିୟମ ଯୋଗୁଁ ବିଶେଷ କରି ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କ ଉପରେ ଦୁଇ ପ୍ରକାରର ପ୍ରଭାବ ଦେଖିବାକୁ ମିଳିବ:
- ହାତକୁ ଅଧିକ ଦରମା : ଯେଉଁ କର୍ମଚାରୀମାନେ ପ୍ରତି ମାସରେ ନିଜ ଆକାଉଣ୍ଟରେ ଅଧିକ ନଗଦ ଟଙ୍କା ଚାହାନ୍ତି, ସେମାନେ ୧୮୦୦ ଟଙ୍କାରୁ ଅଧିକ ପିଏଫ୍ ନକାଟିବାକୁ ବିକଳ୍ପ ବାଛିପାରିବେ। ଏହାଦ୍ୱାରା ସେମାନଙ୍କର ପ୍ରତିମାସରେ ହାତକୁ ଆସୁଥିବା ଦରମା ବୃଦ୍ଧି ପାଇବ।
- ଭବିଷ୍ୟତ ସଞ୍ଚୟରେ ହ୍ରାସ : ଯଦି କୌଣସି କର୍ମଚାରୀ ପିଏଫ୍ ଯୋଗଦାନ ହ୍ରାସ କରନ୍ତି, ତେବେ ତାଙ୍କର ଦୀର୍ଘକାଳୀନ ଅବସରକାଳୀନ ପାଣ୍ଠି କମିଯିବ ଏବଂ କମ୍ପାନୀ ପକ୍ଷରୁ ମିଳୁଥିବା ସମାନ ପରିମାଣର ଅର୍ଥ ମଧ୍ୟ ହ୍ରାସ ପାଇବ।
ଉଭୟଙ୍କ ଲିଖିତ ସହମତି ଜରୁରୀ

ଇପିଏଫ୍ଓ ସ୍ପଷ୍ଟ କରିଛି ଯେ, ଯଦି ଜଣେ କର୍ମଚାରୀ ୧୮୦୦ ଟଙ୍କାରୁ ଅଧିକ ପିଏଫ୍ କାଟିବାକୁ ଚାହାନ୍ତି, ତେବେ ତାଙ୍କୁ ଏବଂ ତାଙ୍କ କମ୍ପାନୀକୁ ମିଳିତ ଭାବେ ଏକ ଆବେଦନ କିମ୍ବା ଲିଖିତ ସହମତି ପତ୍ର ଦାଖଲ କରିବାକୁ ହେବ। କମ୍ପାନୀଗୁଡ଼ିକ ନିଜ ଆଡ଼ୁ ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କ ଦରମାରୁ ଏହି ଅତିରିକ୍ତ ଅର୍ଥ କାଟିପାରିବେ ନାହିଁ। ଏହି ନିୟମ ଦ୍ୱାରା କର୍ମଚାରୀମାନଙ୍କୁ ସେମାନଙ୍କର ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅଧିକ ସ୍ୱାଧୀନତା ମିଳିବ ବୋଲି ଆଶା କରାଯାଉଛି।


