ରାଜନୀତିରେ କେତେବେଳେ କେଉଁ ପଶାପାଲି ଓଲଟିଯିବ, ତାହା କେହି କହିପାରିବେ ନାହିଁ। ଯେଉଁ ବିଜେଡି ନେତାମାନେ କିଛିଦିନ ତଳେ ଖୋଲାଖୋଲି ମିଡିଆ ସାମ୍ନାରେ ଗର୍ଜୁଥିଲେ, ଯେଉଁମାନେ ପରାଜୟର ସବୁ ଦୋଷ ଅନ୍ୟ ମୁଣ୍ଡରେ ଲଦି ଦେଇ ନିଜକୁ ସଫା ସୁତୁରା ଦେଖାଇବାକୁ ଚେଷ୍ଟା କରୁଥିଲେ, ଆଜି ସେମାନଙ୍କ ସ୍ୱର ହଠାତ୍ ବଦଳିଯାଇଛି। ହଠାତ୍ ବିଜେଡି ଭିତରେ ଏକ ଅଜଣା ଭୟର ବାତାବରଣ ଖେଳିଯାଇଛି। ଆଉ ଏହି ଭୟ କୌଣସି ବାହାର ଶତ୍ରୁର ନୁହେଁ, ବରଂ ଦଳ ଭିତରର ଏକ ବଡ଼ ପରିବର୍ତ୍ତନର।
ସବୁ ଚର୍ଚ୍ଚା, ସବୁ ଆଲୋଚନାର ପରିସମାପ୍ତି ଘଟାଇ ପୂର୍ବତନ ଆଇଏଏସ୍ ଅଫିସର ତଥା ତାମିଲ ବୋହୂ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଆଉ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଦଳରେ ଏଣ୍ଟ୍ରି ପରେ, ବିଜେଡି ରାଜନୀତିରେ ଏକ ବଡ଼ ଭୂକମ୍ପ ସୃଷ୍ଟି ହୋଇଛି। ଯେଉଁ ନେତାମାନେ ଦିନେ ବିଷ ଓଗାଳୁଥିଲେ, ସେମାନେ ଏବେ ଅତ୍ୟନ୍ତ ଶୃଙ୍ଖଳିତ ଆଚରଣ ଦେଖାଉଛନ୍ତି। ଖାଲି ବିଜେଡି ନୁହେଁ, ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏଣ୍ଟ୍ରି ପରେ ବିଜେପି ଏବଂ କଂଗ୍ରେସର ନେତାମାନଙ୍କ ସ୍ୱର ବି ନରମ ପଡ଼ିଯାଇଛି। ଆଜି ଆମେ ଆଲୋଚନା କରିବା ଯେ, ସୁଜାତା କାର୍ତ୍ତିକେୟନଙ୍କ ଯୋଗଦାନ ପରେ ଓଡ଼ିଶା ରାଜନୀତିର ଚିତ୍ର କେମିତି ବଦଳୁଛି ଏବଂ ବିଜେଡି ନେତାମାନଙ୍କ ମନରେ କେଉଁ ଭୟ ବସା ବାନ୍ଧିଛି!
ବିଷ ଓଗାଳୁଥିବା ନେତା ଆଜି କାହିଁକି ଚୁପ୍?
ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳ ଭିତରେ ଅସନ୍ତୋଷର ନିଆଁ ଜଳୁଥିଲା। ଯେଉଁ ନେତାମାନେ ନିଜ ନିର୍ବାଚନ ମଣ୍ଡଳୀରେ ହାରିଗଲେ, ସେମାନେ ନିଜର ଅପାରଗତା କିମ୍ବା ନିଜର ଭୁଲ୍ ସ୍ୱୀକାର କରିବା ବଦଳରେ ସବୁ ଦୋଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ମୁଣ୍ଡରେ ଲଦି ଦେଇଥିଲେ। ସେମାନେ ସିଧାସଳଖ ଗଣମାଧ୍ୟମ ଆଗକୁ ଆସି କହିଲେ, “ଆମେ ପାଣ୍ଡିଆନଙ୍କ ପାଇଁ ହାରିଗଲୁ”। ନିର୍ବାଚନ ସମୟରେ ଦଳ ପକ୍ଷରୁ ସମସ୍ତ ପ୍ରକାର ସହାୟତା ମିଳିଥିଲେ ବି, କାହିଁକି ସେମାନେ ଭୋଟରଙ୍କ ମନ ଜିତିପାରିଲେ ନାହିଁ, ତାର ଆତ୍ମସମୀକ୍ଷା କେହି କଲେ ନାହିଁ।
ଅବସ୍ଥା ଏମିତି ହେଲା ଯେ, କିଛି ନେତା ଓ ଓଡ଼ିଆ ଝିଅ ବୋଲାଉଥିବା ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ମଧ୍ୟ ଗୁଜବ ସୃଷ୍ଟି କଲେ। କୁହାଗଲା, ଯଦି ତାମିଲ ବୋହୂ ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିକୁ ଆସିବେ, ତେବେ ଦଳ ସମ୍ପୂର୍ଣ୍ଣ ବୁଡ଼ିଯିବ ଏବଂ ଅନେକ ନେତା ଦଳ ଛାଡ଼ିବାକୁ ଚିନ୍ତା କରିବେ। କିନ୍ତୁ ଆଜି ଚିତ୍ରଟା ଦେଖନ୍ତୁ! ସୁଜାତା ରାଉତ କାର୍ତ୍ତିକେୟନ ଦଳରେ ଯୋଗ ଦେବା ମାତ୍ରେ, ସେହି ସବୁ ବିରୋଧୀ ସ୍ୱର ହଠାତ୍ ଗାୟବ ହୋଇଯାଇଛି। ଯେଉଁମାନେ ଗର୍ଜୁଥିଲେ, ସେମାନେ ଏବେ ପୂରା ସାଇଲେଣ୍ଟ ମୋଡ୍ରେ। ଗଣମାଧ୍ୟମରେ ବୟାନବାଜି କରିବା ତ ଦୂରର କଥା, ଫୋନ୍ ଉଠାଇବାକୁ ବି ଭୟ କରୁଛନ୍ତି।
ମଉକା ଦେଖି ଚଉକା ମାରିବା ନୀତି ଏବଂ କ୍ରସଭୋଟିଂର ପରିଣାମ
ଏଠାରେ ଆଉ ଗୋଟିଏ କଥା ଚିନ୍ତା କରିବାର ଅଛି। ଦଳର କିଛି ବିଧାୟକ, ଯେଉଁମାନେ ନିଜ ବଳରେ ଜଣେ ହେଲେ ୱାର୍ଡ ମେମ୍ବର କିମ୍ବା ବିଧାୟକଙ୍କୁ ଜିତାଇବାକୁ ଯୋଗ୍ୟ ନୁହନ୍ତି, ସେମାନେ ମଧ୍ୟ ସୁଯୋଗ ଦେଖି ଚଉକା ମାରିବା ନୀତି ଆପଣେଇଥିଲେ। ତାମିଲନାଡ଼ୁ ନିବାସୀ ପାଣ୍ଡିଆନ ଦମ୍ପତିଙ୍କୁ ଘୋର ବିରୋଧ କରି ନିଜକୁ ବଡ଼ ନେତା ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ।
ଏହି ଆଭ୍ୟନ୍ତରୀଣ କନ୍ଦଳ ଏତେ ତୀବ୍ର ରୂପ ନେଇଥିଲା ଯେ, ଗତ ରାଜ୍ୟସଭା ନିର୍ବାଚନ ସମୟରେ ଦଳ ଭିତରେ କ୍ରସଭୋଟିଂ ଭଳି ସାଂଘାତିକ ସ୍ଥିତି ସୃଷ୍ଟି ହେଲା। ଦଳର ଶୃଙ୍ଖଳା ଭାଙ୍ଗିବା ଅଭିଯୋଗରେ ୮ ଜଣ ବିଧାୟକଙ୍କୁ ନିଲମ୍ବିତ ମଧ୍ୟ କରାଗଲା। କିନ୍ତୁ ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିଧିବଦ୍ଧ ଯୋଗଦାନ ପରେ ସବୁ ବାଦ-ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ସିଧାସଳଖ ହେଉ କିମ୍ବା ପରୋକ୍ଷରେ, ତାଙ୍କୁ ବିରୋଧ କରୁଥିବା ନେତାମାନଙ୍କ ପାଟି ଏବେ ପୂରା ଚୁପ୍।
ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ସୁଜାତା ରାଉତ କାର୍ତ୍ତିକେୟନ ଯେଉଁଦିନ ଦଳରେ ମିଶିଲେ, ସେଦିନ ଦଳର ଅନେକ ନେତା ବିଭିନ୍ନ ବାହାନା ଦେଖାଇ ଅନୁପସ୍ଥିତ ରହିଲେ। ଭାବିଥିଲେ ନିଜର ବିରୋଧ ପ୍ରଦର୍ଶନ କରିବେ। କିନ୍ତୁ ଦଳର ହାଇକମାଣ୍ଡଙ୍କ କଡ଼ା ଆଭିମୁଖ୍ୟ ଦେଖି, ମାତ୍ର ଦିନକ ପରେ ସେହି ନେତାମାନେ ନିଜ ଆଡ଼ୁ ଆସି ସୁଜାତା ରାଉତ କାର୍ତ୍ତିକେୟନଙ୍କ ସହ ଫଟୋ ଉଠାଇବାକୁ ବାଧ୍ୟ ହୋଇଛନ୍ତି। ଏହାହିଁ ଦର୍ଶାଉଛି ଯେ ଦଳ ଭିତରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପାୱାର ଏବଂ ପ୍ରଭାବ କେତେ ଶୀଘ୍ର ବୃଦ୍ଧି ପାଇଛି।
କେବଳ ବିଜେଡି ଭିତରେ ନୁହେଁ, ବାହାରେ ବି ଏହାର ବଡ଼ ପ୍ରଭାବ ପଡ଼ିଛି। ବିଗତ ଦିନରେ ବିଜେପି ଓ କଂଗ୍ରେସ ନେତାମାନେ ‘ତାମିଲ ବୋହୂ’ ପ୍ରସଙ୍ଗକୁ ନେଇ ଓଡ଼ିଆ ଅସ୍ମିତା ସହ ଯୋଡ଼ି ତୀବ୍ର କଟାକ୍ଷ କରୁଥିଲେ। କିନ୍ତୁ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏଣ୍ଟ୍ରି ପରେ ସେମାନଙ୍କ ସ୍ୱର ବି ହଠାତ୍ ବଦଳିଯାଇଛି।
• ବିଜେପି କଣ କହୁଛି? ବିଜେପି ଏବେ ଏହି ପ୍ରସଙ୍ଗରୁ ଦୂରେଇ ଯାଇ କହୁଛି ଯେ, ଏହା ବିଜେଡିର ସମ୍ପୂର୍ଣ୍ଣ “ଘରକଥା” କିମ୍ବା ବ୍ୟକ୍ତିଗତ ବ୍ୟାପାର। ଏହା କହି ବିଜେପି ବିବାଦକୁ ଏଡ଼ାଇବାକୁ ଚେଷ୍ଟା କରୁଛି।
• କଂଗ୍ରେସର ଆଭିମୁଖ୍ୟ କଣ? ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ହାତ ଝାଡ଼ି ଦେଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ସେମାନେ ଜଣେ ମହିଳାଙ୍କୁ ରାଜନୈତିକ ସ୍ତରରେ ବିରୋଧ କରିବେ ନାହିଁ।
ବିରୋଧୀଙ୍କ ଏହି ନରମ ଆଭିମୁଖ୍ୟ ଦେଖି ବିଜେଡିର ତୃଣମୂଳ ସ୍ତରର କର୍ମୀମାନେ ଏବେ ବେଶ୍ ଉତ୍ସାହିତ। ସେମାନଙ୍କ କହିବା କଥା ହେଉଛି, ସୁଜାତା ରାଉତ କାର୍ତ୍ତିକେୟନଙ୍କ ଦଳକୁ ଆସିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ଥିଲା, ଯାହା ବିରୋଧୀଙ୍କ ସବୁ ରଣନୀତିକୁ ଫେଲ୍ କରିଦେଇଛି।
କିନ୍ତୁ ଏ ସବୁ ସକାରାତ୍ମକ ଚିତ୍ର ଭିତରେ ବିଜେଡିର ଏକ ବଡ଼ ସତ୍ୟ ଏବେ ସାମ୍ନାକୁ ଆସିଛି। ଦଳର କିଛି ବରିଷ୍ଠ ନେତା, ଯେଉଁମାନେ ଗଣମାଧ୍ୟମ ଆଗରେ କିଛି କହୁନାହାନ୍ତି, କିନ୍ତୁ ବ୍ୟକ୍ତିଗତ ଆଲୋଚନା ବେଳେ ଏକ ବଡ଼ ଚିନ୍ତା ପ୍ରକଟ କରୁଛନ୍ତି। ସେମାନଙ୍କ କହିବା କଥା ହେଉଛି—”ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜେଡିର ଅନ୍ୟ କୌଣସି ବିକଳ୍ପ ନାହିଁ।”
ଏହି ନେତାମାନେ ଆଶଙ୍କା କରୁଛନ୍ତି ଯେ, ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଯଦି ସ୍ୱୟଂ ନବୀନ ପଟ୍ଟନାୟକ ସାରା ରାଜ୍ୟ ଗସ୍ତ କରି ପ୍ରଚାର ମଇଦାନକୁ ନ ଓହ୍ଲାନ୍ତି, ତେବେ ବିଜେଡିର ଅବସ୍ଥା ୨୦୨୪ ଠାରୁ ବି ଆହୁରି ଗମ୍ଭୀର ହୋଇଯିବ। ଏହି ଆଲୋଚନା ଗୋଟିଏ ପଟେ ସେହି ବରିଷ୍ଠ ନେତାମାନଙ୍କ ଭିତରେ ଥିବା କ୍ଷୋଭକୁ ଦର୍ଶାଉଛି, ତ ଅନ୍ୟପଟେ ସେମାନଙ୍କ ମନରେ ଥିବା ଭବିଷ୍ୟତର ଭୟକୁ ସ୍ପଷ୍ଟ ସୂଚୀତ କରୁଛି। ସେମାନେ ଜାଣିଛନ୍ତି ଯେ, ନବୀନ ବାବୁଙ୍କ ଚେହେରା ବିନା ସେମାନଙ୍କର ରାଜନୈତିକ ଅସ୍ତିତ୍ୱ ସଂକଟରେ ପଡ଼ିପାରେ।
ତେବେ ପ୍ରଶ୍ନ ଉଠୁଛି, ତାମିଲ ବୋହୂ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏହି ଏଣ୍ଟ୍ରି ବିଜେଡିକୁ କେଉଁ ଦିଗକୁ ନେବ? ଏହା କଣ ଦଳ ଭିତରେ ଥିବା ବିରୋଧୀ ସ୍ୱରକୁ ସବୁଦିନ ପାଇଁ ଦବାଇ ଦେବାରେ ସଫଳ ହେବ? କଣ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସଙ୍ଗଠନ ପ୍ରତିଭା ବଳରେ ବିଜେଡି ପୁଣିଥରେ ୨୦୨୯ରେ ଶକ୍ତିଶାଳୀ ହୋଇ ଫେରିପାରିବ? ରାଜ୍ୟ ରାଜନୀତିରେ ହଠାତ୍ ଆସିଥିବା ଏହି ବଡ଼ ପରିବର୍ତ୍ତନ ଆଗକୁ କି ରୂପ ନେଉଛି, ତା’ ଉପରେ ଏବେ ସମଗ୍ର ଓଡ଼ିଶାର ନଜର ରହିଛି।


