ଶାସନ କ୍ଷମତାର ଅହଂକାର ଯେତେବେଳେ ସୀମା ପାର୍ କରିଯାଏ, ସେତେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେଉଁଠୁ ବାହାରିବା ପାଇଁ ଆଉ କୌଣସି ରାସ୍ତା ମିଳେନାହିଁ। ପଞ୍ଜାବରେ ଆଜି ଯାହା ଘଟୁଛି, ତାହା ଭାରତୀୟ ଗଣତନ୍ତ୍ର ଏବଂ ଧାର୍ମିକ ପରମ୍ପରାର ଇତିହାସରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏହାକୁ ଆପଣ ସମ୍ପୂର୍ଣ୍ଣ ରୂପେ ‘ଅଭୂତପୂର୍ବ’ ବୋଲି କହିପାରିବେ।
ପଞ୍ଜାବର ସବୁ ଦଳର ବିଧାୟକମାନଙ୍କୁ ଶିଖ୍ ସମ୍ପ୍ରଦାୟର ସର୍ବୋଚ୍ଚ ସଂଗଠନ ‘ଅକାଳ ତଖ୍ତ’ ନିଜ ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ଆଉ ସେଠାରେ ସବୁ ଦଳର ବିଧାୟକମାନେ ନତମସ୍ତକ ହୋଇ ଠିଆ ହେଲେ। ପ୍ରଶ୍ନ ପଚରାଗଲା— ଆପଣମାନେ ବିଧାନସଭାରେ ଯେଉଁ ‘ଧର୍ମନିନ୍ଦା ଆଇନ’ ପାସ୍ କରିଛନ୍ତି, ତାହା ଅକାଳ ତଖ୍ତ ସହିତ ବିନା ଆଲୋଚନାରେ କେମିତି କଲେ? ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ବିଧାୟକମାନଙ୍କୁ ପଚରାଗଲା ଯେ ଆପଣମାନେ ଏହି ବିଲ୍କୁ ପାସ୍ କରିବା ପୂର୍ବରୁ ପଢ଼ିଥିଲେ କି? ସେତେବେଳେ ଅଧିକାଂଶ ବିଧାୟକ ଉତ୍ତର ଦେଲେ— “ନା, ଆମେ ପଢ଼ିନଥିଲୁ! ସରକାର ଅତି ଖୁବ୍ ଶୀଘ୍ର ଏହାକୁ ଆଣିଲେ, ଆମ ହାତକୁ ଦେଲେ ଆଉ ଆମେ ଭୋଟ୍ ଦେଇଦେଲୁ।” ଏପରିକି ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ।
ଏହି ଆଇନରେ ଗୋଟିଏ ଶବ୍ଦ ବ୍ୟବହାର କରାଯାଇଛି— ‘କଷ୍ଟୋଡିଆନ୍’। ଜଣେ ବିଧାୟକଙ୍କୁ ଯେତେବେଳେ ପଚରାଗଲା ଯେ ଏହି ‘କଷ୍ଟୋଡିଆନ୍’ର ଅର୍ଥ କଣ, ସେ କହିଲେ, “ମୁଁ ଜାଣିନାହିଁ!” ଏହାହିଁ ହେଉଛି ଆଜିର ରାଜନୀତିର ବାସ୍ତବତା। ଏବେ ଅକାଳ ତଖ୍ତ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ଗୋଟିଏ ମାସ ମଧ୍ୟରେ ଏହି ଆଇନରେ ସଂଶୋଧନ କରାଯାଉ। ଅକାଳ ତଖ୍ତର ମୁଖ୍ୟ ଆପତ୍ତି ହେଉଛି— ଧାର୍ମିକ ମାମଲାରେ ସରକାର କାହିଁକି ହସ୍ତକ୍ଷେପ କରୁଛନ୍ତି? ସରକାର କାହିଁକି ନିଜ ଆଡ଼ୁ ଆଇନ ତିଆରି କରୁଛନ୍ତି?
କଣ ଏହି ‘ ଧର୍ମନିନ୍ଦା ଆଇନ’ ଏବଂ ଏହାର ପଛର ରାଜନୀତି?
ଆସନ୍ତୁ ପ୍ରଥମେ ବୁଝିବା ଏହି ଆଇନ ପ୍ରକୃତରେ କଣ। ଏହାକୁ ‘ବ୍ଲାସଫେମୀ ଲ’ ବା ଧର୍ମନିନ୍ଦା ବିରୋଧୀ ଆଇନ ବୋଲି କୁହାଯାଇପାରିବ। ଏଭଳି କଠୋର ଆଇନ ପାକିସ୍ତାନ କିମ୍ବା ଅନ୍ୟ କେତେକ ଇସ୍ଲାମିକ ଦେଶରେ ଦେଖିବାକୁ ମିଳେ। ଭାରତର ଅନ୍ୟ କୌଣସି ରାଜ୍ୟରେ ଏଭଳି ଆଇନ ନାହିଁ। ତେବେ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କୁ ଏହି ଆଇନ ଆଣିବାର ଆବଶ୍ୟକତା କାହିଁକି ପଡ଼ିଲା?
ଏହାର ପଛରେ ଥିଲା ଏକ ବଡ଼ ରାଜନୈତିକ ଚାଲ୍। ଆମ ଆଦମୀ ପାର୍ଟି ଚାହୁଁଥିଲା ପଞ୍ଜାବରୁ ଶିରୋମଣି ଅକାଳୀ ଦଳକୁ ସମ୍ପୂର୍ଣ୍ଣରୂପେ ଶେଷ କରିଦେବା ପାଇଁ। ଆପଣମାନଙ୍କର ମନେଥିବ, ଯେତେବେଳେ ଅକାଳୀ ଦଳ ସରକାରରେ ଥିଲା, ସେତେବେଳେ ପଞ୍ଜାବରେ ଗୁରୁ ଗ୍ରନ୍ଥ ସାହିବଙ୍କ ଧର୍ମନିନ୍ଦା ବା ଅପମାନର ମାମଲା ସାମ୍ନାକୁ ଆସିଥିଲା। ସେହି ମାମଲାରେ ସୁଖବୀର ସିଂହ ବାଦଲଙ୍କୁ ଅକାଳ ତଖ୍ତ ‘ତନଖୈୟା’ (ଧାର୍ମିକ ଦୋଷୀ) ଘୋଷିତ କରି ସଜା ଶୁଣାଇଥିଲା ଏବଂ ସେ ନିଜର ସଜା ମଧ୍ୟ ପୂରଣ କରିଥିଲେ।
କିନ୍ତୁ ଭଗବନ୍ତ ମାନ୍ ସରକାର ଚାହୁଁଥିଲେ ଯେ ଏହି ମାମଲାରେ ସଂଶ୍ଳିଷ୍ଟ ଲୋକଙ୍କୁ ସରକାରୀ ଆଇନ ଅନୁସାରେ ମଧ୍ୟ ଜେଲ୍ରେ ପୂରାଇ ଦିଆଯାଉ, ଯାହାଦ୍ୱାରା ଅକାଳୀ ଦଳ ସମ୍ପୂର୍ଣ୍ଣରୂପେ କୋଣଠେସା ହୋଇଯିବ। ଅର୍ଥାତ୍, ଆମ ଆଦମୀ ପାର୍ଟି ଫସାଇବାକୁ ଯାଇଥିଲା ଅକାଳୀ ଦଳକୁ, କିନ୍ତୁ ଏବେ ସେ ନିଜେ ସେହି ଜାଲରେ ବନ୍ଦୀ ହୋଇଯାଇଛି।
ଖୋଦ୍ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ‘ଗୁରୁଦ୍ରୋହୀ’!
ଘଟଣା ଏତିକିରେ ସରିନାହିଁ। ଅକାଳ ତଖ୍ତ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍ଙ୍କୁ ପୂର୍ବରୁ ହିଁ ‘ତନଖୈୟା’ ଅର୍ଥାତ୍ ଶିଖ୍ ପରମ୍ପରାରେ ‘ଗୁରୁଦ୍ରୋହୀ’ ବୋଲି ଘୋଷଣା କରାଯାଇ ସାରିଛି। ଅକାଳ ତଖ୍ତ ସମସ୍ତ ବିଧାୟକମାନଙ୍କୁ ପ୍ରଶ୍ନ କରିଛି— “ଯାହାକୁ ଆମେ ସର୍ବୋଚ୍ଚ ଆସନରୁ ଗୁରୁଦ୍ରୋହୀ ବୋଲି କହିଛୁ, ତା ସହିତ ଆପଣମାନେ କାହିଁକି ସମ୍ପର୍କ ରଖିଛନ୍ତି? କାହିଁକି ତାଙ୍କ ସରକାରରେ ସାମିଲ ଅଛନ୍ତି?” ଏହି ପ୍ରଶ୍ନର ଉତ୍ତର କୌଣସି ବି ବିଧାୟକଙ୍କ ପାଖରେ ନ ଥିଲା।
ଏବେ ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— କଣ ସରକାର ଅକାଳ ତଖ୍ତ ସାମ୍ନାରେ ମୁଣ୍ଡ ନୁଆଁଇବେ? କଣ ଅକାଳ ତଖ୍ତର ଦାବି ଅନୁଯାୟୀ ଏହି ଆଇନରେ ସଂଶୋଧନ କରାଯିବ? ଯଦି ଏମିତି ହୁଏ, ତେବେ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବ ଯେ ଗୋଟିଏ ଧାର୍ମିକ ସଂସ୍ଥା ଏକ ନିର୍ବାଚିତ ଗଣତାନ୍ତ୍ରିକ ସରକାର ବା ବିଧାନସଭାକୁ ଡାକି ଆଇନ ବଦଳାଇବାକୁ ବାଧ୍ୟ କରୁଛି।
ଶିଖ୍ ଧର୍ମରେ ଅକାଳ ତଖ୍ତର ସ୍ଥାନ ସବୁଠାରୁ ଉପରେ। ଏହାର ଶକ୍ତି କେତେ, ତାହା ବୁଝିବା ପାଇଁ ଆମକୁ ଇତିହାସର ଗୋଟିଏ ବଡ଼ ଉଦାହରଣ ଦେଖିବାକୁ ହେବ। ଆପଣମାନେ ପଞ୍ଜାବର ମହାରାଜା ରଣଜିତ୍ ସିଂହଙ୍କ ନାଁ ନିଶ୍ଚୟ ଶୁଣିଥିବେ, ଯାହାଙ୍କୁ ‘ଟାଇଗର୍ ଅଫ୍ ପଞ୍ଜାବ’ ବୋଲି କୁହାଯାଉଥିଲା। ଲାହୋର ବିଜୟ ପରେ ସେ ଜଣେ ମୁସଲମାନ ମହିଳା ମୋରାନ୍ ସରକାରଙ୍କୁ ପ୍ରେମ ବିବାହ କରିଥିଲେ। ଅକାଳ ତଖ୍ତ ଏହାକୁ ଶିଖ୍ ପରମ୍ପରାର ବିରୋଧୀ ବୋଲି ମାନିଥିଲା ଏବଂ ମହାରାଜାଙ୍କୁ ଅକାଳ ତଖ୍ତ ସାମ୍ନାରେ ହାଜର ହେବାକୁ ଆଦେଶ ଦେଇଥିଲା।
ସେହି ସମୟର ଜଥେଦାର ଅକାଳୀ ଫୁଲା ସିଂହ ମହାରାଜା ରଣଜିତ୍ ସିଂହଙ୍କୁ ‘୧୦୦ କୋରଡ଼ା’ ମାରିବାର ସଜା ଶୁଣାଇଥିଲେ! ଜଣେ ଶକ୍ତିଶାଳୀ ମହାରାଜାଙ୍କୁ ଅମୃତସରର ଏକ ତେନ୍ତୁଳି ଗଛରେ ବାନ୍ଧି ଦିଆଯାଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଲୋକ ଜମା ହୋଇଥିଲେ। ପରେ ଲୋକଙ୍କ ଅନୁରୋଧ କ୍ରମେ ସଜାକୁ କମାଇ ୧୦୦ ବଦଳରେ ‘ଏକ କୋରଡ଼ା’ କରାଗଲା, କିନ୍ତୁ ମହାରାଜାଙ୍କୁ ସେହି ଗୋଟିଏ କୋରଡ଼ାର ପ୍ରହାର ସହିବାକୁ ପଡ଼ିଥିଲା।
ଶିଖ୍ ସମାଜ ଏହି ଉଦାହରଣ ଦେଇ ବୁଝାଏ ଯେ ଅକାଳ ତଖ୍ତ ସାମ୍ନାରେ କେହି ବି ବଡ଼ ନୁହଁନ୍ତି— ଚାହେଁ ସେ ସାଧାରଣ ମଣିଷ ହେଉ ବା ସମ୍ରାଟ୍। ସେହିପରି ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ, ପ୍ରକାଶ ସିଂହ ବାଦଲଙ୍କ ଭଳି ବଡ଼ ବଡ଼ ନେତା ମଧ୍ୟ ଏଠାରୁ ସଜା ପାଇଛନ୍ତି।
ଏବେ ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚ ମାସରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସମୟରେ ଆମ ଆଦମୀ ପାର୍ଟି ସମ୍ପୂର୍ଣ୍ଣରୂପେ ଫସିଯାଇଛି। ଯଦି ସେମାନେ ଅକାଳ ତଖ୍ତର କଥା ମାନୁଛନ୍ତି, ତେବେ ସରକାର ଏବଂ ବିଧାନସଭାର ମର୍ଯ୍ୟାଦା ହାନି ହେଉଛି। ଆଉ ଯଦି ନ ମାନୁଛନ୍ତି, ତେବେ ସମ୍ପୂର୍ଣ୍ଣ ଶିଖ୍ ସମାଜର ଆକ୍ରୋଶ ସେମାନଙ୍କୁ ସାମ୍ନା କରିବାକୁ ପଡ଼ିବ। ଅକାଳ ତଖ୍ତ ସ୍ପଷ୍ଟ ଚେତାବନୀ ଦେଇଛି ଯେ ଯଦି ସରକାର ଏହି ହୁକୁମନାମାକୁ ଅମାନ୍ୟ କରନ୍ତି, ତେବେ ଅକାଳ ତଖ୍ତର ପ୍ରତିନିଧିମାନେ ପଞ୍ଜାବର ପ୍ରତିଟି ଜିଲ୍ଲା, ପ୍ରତିଟି ଗାଁକୁ ଯାଇ ଏହି ସରକାର ବିରୋଧରେ ପ୍ରଚାର କରିବେ।
ଏହାର ଅର୍ଥ ପଞ୍ଜାବର ନିର୍ବାଚନ ଏବେ ‘ଆପ୍ ବନାମ କଂଗ୍ରେସ କିମ୍ବା ବିଜେପି’ ହୋଇ ରହିନାହିଁ, ବରଂ ଏହା ‘ଆମ ଆଦମୀ ପାର୍ଟି ବନାମ ଅକାଳ ତଖ୍ତ’ ହୋଇଯାଇଛି। ଯଦିଓ ଅକାଳ ତଖ୍ତ ନିର୍ବାଚନ ଲଢ଼ୁନାହିଁ, କିନ୍ତୁ ଏହାର ଗୋଟିଏ ନିଷ୍ପତ୍ତି ଆମ ଆଦମୀ ପାର୍ଟିର ରାଜନୈତିକ ଅସ୍ତିତ୍ୱକୁ ପଞ୍ଜାବରୁ ଶେଷ କରିଦେଇପାରେ। କାରଣ କୌଣସି ବି ଶିଖ୍ ନେତା ଅକାଳ ତଖ୍ତକୁ ଅବମାନନା କରି ପଞ୍ଜାବରେ ରାଜନୀତି କରିପାରିବ ନାହିଁ।
ଏହି ସବୁ ଭିତରେ ଅରବିନ୍ଦ କେଜ୍ରିୱାଲ କେଉଁଠି ଅଛନ୍ତି? ସେ ଏବେ ପଞ୍ଜାବର ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅମୃତସରରେ ଭଗବାନ ଲବ-କୁଶ ଏବଂ ମାତା ସୀତାଙ୍କ ମନ୍ଦିର ନିର୍ମାଣ କରିବା କଥା କହୁଛନ୍ତି। କିନ୍ତୁ ସେ ବୋଧହୁଏ ଜାଣିନାହାଁନ୍ତି ଯେ ଜନତା ଏବେ ଏହି ସବୁ ରାଜନୈତିକ ନାଟକକୁ ବୁଝି ସାରିଲେଣି। କେଜ୍ରିୱାଲ ଚାହୁଁଛନ୍ତି ଯେ ଶିଖ୍ ଭୋଟ୍ ଗଲେ ମଧ୍ୟ ହିନ୍ଦୁ ଭୋଟ୍ ମିଳିଯାଉ, କିନ୍ତୁ ପଞ୍ଜାବର ଭାଇଚାରା ଏବଂ ସାମାଜିକ ସ୍ଥିତି ଏତେ ସହଜ ନୁହେଁ। ଆମ ଆଦମୀ ପାର୍ଟିର ହାତରେ ଦୁଇଟି ରାଜ୍ୟରେ ସରକାର ଥିଲା— ଦିଲ୍ଲୀ ଏବଂ ପଞ୍ଜାବ। ଦିଲ୍ଲୀରେ ସେମାନଙ୍କ ସ୍ଥିତି କଣ ସମସ୍ତେ ଜାଣନ୍ତି, ଆଉ ଏବେ ପଞ୍ଜାବ ମଧ୍ୟ ହାତରୁ ଯିବାକୁ ବସିଲାଣି।
ସବୁଠାରୁ ବଡ଼ ପ୍ରମାଣ ହେଉଛି ଭଗବନ୍ତ ମାନ୍ଙ୍କର ସେହି ବିବାଦୀୟ ଭିଡିଓ। ସରକାର କହୁଥିଲେ ତାହା ‘ଏଆଇ ଜେନେରେଟେଡ୍’ ବା ଫେକ୍ ଭିଡିଓ। କିନ୍ତୁ ଅକାଳ ତଖ୍ତ ଦୁଇଟି ଅଲଗା ଅଲଗା ଫୋରେନ୍ସିକ ଲ୍ୟାବ୍ରୁ ଏହାର ଯାଞ୍ଚ କରାଇ ସାରିଛି ଏବଂ ପ୍ରମାଣିତ କରିଛି ଯେ ଭିଡିଓଟି ସମ୍ପୂର୍ଣ୍ଣ ସତ୍ୟ ଏବଂ ସେଥିରେ ଥିବା ବ୍ୟକ୍ତିଜଣକ ଖୋଦ୍ ଭଗବନ୍ତ ମାନ୍। ଗୁରୁଙ୍କ ଅପମାନର ଆରୋପ ମୁଣ୍ଡରେ ଧରି କୌଣସି ନେତା ପଞ୍ଜାବରେ ନିର୍ବାଚନ ବୈତରଣୀ ପାର୍ ହୋଇପାରିବେ ନାହିଁ।
ଏବେ ପ୍ରଶ୍ନ ଉଠୁଛି, ଯଦି ଆମ ଆଦମୀ ପାର୍ଟି ହାରୁଛି, ତେବେ ଜିତୁଛି କିଏ?
1. କଂଗ୍ରେସ: ସେମାନେ ହେଉଛନ୍ତି ମୁଖ୍ୟ ବିରୋଧୀ ଦଳ। କିନ୍ତୁ ସେମାନଙ୍କର ଗୋଷ୍ଠୀ କନ୍ଦଳ ଏବଂ ନେତୃତ୍ୱର ଦୁର୍ବଳତା ଯୋଗୁଁ ଜନତା ସେମାନଙ୍କୁ ସହଜରେ ବିକଳ୍ପ ଭାବେ ଗ୍ରହଣ କରୁନାହାଁନ୍ତି।
2. ଅକାଳୀ ଦଳ: ସୁଖବୀର ବାଦଲଙ୍କ ସଜା ଏବଂ ପୁରୁଣା ବିବାଦ ଯୋଗୁଁ ସେମାନଙ୍କର ବିଶ୍ୱସନୀୟତା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି।
3. ଭାରତୀୟ ଜନତା ପାର୍ଟି (BJP): ବିଜେପି ଏବେ ପଞ୍ଜାବରେ ଅତି ରଣନୈତିକ ଭାବେ କାମ କରୁଛି। ସେମାନେ ସାରା ପଞ୍ଜାବ ନୁହେଁ, ବରଂ ୩୫ ରୁ ୪୫ଟି ନିର୍ଦ୍ଦିଷ୍ଟ ବିଧାନସଭା ଆସନ ଉପରେ ଫୋକସ୍ କରୁଛନ୍ତି। ଯଦି ସେହି ସୀମିତ ଆସନରେ ସେମାନଙ୍କର ସଫଳତା ହାର ୮୦ ରୁ ୯୦ ପ୍ରତିଶତ ରହେ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ୨୦୨୭ରେ ପଞ୍ଜାବରେ ବିଜେପି ନେତୃତ୍ୱରେ ଏକ ମେଣ୍ଟ ସରକାର ଗଠନ ହୋଇପାରେ।
ପଞ୍ଜାବରେ ଏକ ତ୍ରିଶଙ୍କୁ ବିଧାନସଭା ହେବାର ସମ୍ଭାବନା ସବୁଠାରୁ ଅଧିକ। କୌଣସି ଗୋଟିଏ ଦଳକୁ ସ୍ପଷ୍ଟ ବହୁମତ ମିଳିବା କଷ୍ଟକର ଦେଖାଯାଉଛି।
ସିଧା କଥାରେ କହିବାକୁ ଗଲେ, ଆମ ଆଦମୀ ପାର୍ଟି ଏବେ ଏମିତି ଏକ ବାଟରେ ଠିଆ ହୋଇଛି ଯେଉଁଠି ଆତ୍ମସମର୍ପଣ କଲେ ଗଣତନ୍ତ୍ର ଏବଂ ବିଧାନସଭାର ସର୍ବୋଚ୍ଚତା ପ୍ରତି ବିପଦ, ଆଉ ଆତ୍ମସମର୍ପଣ ନକଲେ ନିଜର ରାଜନୈତିକ ସମାଧି ସୁନିଶ୍ଚିତ। ପଞ୍ଜାବର ଏହି ହଟଚମଟ ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବା ବେଶ୍ ଆକର୍ଷଣୀୟ ହେବ।
AlsoRead; https://purvapaksa.com/2026-boundary-determination-and-the-future-of-odisha/
୨୦୨୬ ସୀମା ନିର୍ଦ୍ଧାରଣ ଓ ଓଡ଼ିଶାର ଭବିଷ୍ୟତ || 2026 boundary determination and the future of Odisha


