ଟ୍ରେନ ଚଳାଚଳକୁ ଅଧିକ ବେଗବାନ ଓ ସମୟାନୁବର୍ତ୍ତୀ କରିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଟ୍ରେନଗୁଡ଼ିକର ବିଳମ୍ବ ଜନିତ ସମସ୍ୟାର ତୁରନ୍ତ ସମାଧାନ ଏବଂ ଉତ୍ତମ ପରିଚାଳନା ପାଇଁ ରେଳବାଇ ପକ୍ଷରୁ ଏକ ନୂତନ ଆଣ୍ଡ୍ରଏଡ୍ ଆଧାରିତ ମୋବାଇଲ୍ ଆପ୍ଲିକେସନ ‘ପଙ୍କଚୁଆଲିଟି ବିଜେଡ୍ଏ’ ଲଞ୍ଚ କରାଯାଇଛି। ଏହି ଆପ୍ ସାହାଯ୍ୟରେ ରେଳ ଅଧିକାରୀମାନେ ଏବେ ସିଧାସଳଖ ନିଜ ମୋବାଇଲ୍ରେ ଟ୍ରେନଗୁଡ଼ିକର ସଠିକ୍ ସ୍ଥିତି ଓ ସମୟାନୁବର୍ତ୍ତିତା ଉପରେ ନଜର ରଖିପାରିବେ।

କେବଳ ରେଳ ଅଧିକାରୀଙ୍କ ଆଭ୍ୟନ୍ତରୀଣ ବ୍ୟବହାର ପାଇଁ
ଉଲ୍ଲେଖଯୋଗ୍ୟ ଯେ, ଏହି ନୂତନ ଆପ୍ଟି ସାଧାରଣ ଯାତ୍ରୀମାନଙ୍କ ପାଇଁ ନୁହେଁ, ବରଂ ରେଳବାଇର ଆଭ୍ୟନ୍ତରୀଣ ଟ୍ରେନ ଅପରେଟିଂ ଅଫିସର ଏବଂ କଣ୍ଟ୍ରୋଲରମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଦକ୍ଷିଣ ଉପକୂଳ ରେଳବାଇ ର ବିଜୟୱାଡା ଡିଭିଜନ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ପ୍ରଥମ ଆପ୍ ପ୍ରସ୍ତୁତ କରାଯାଇଛି। ଏହାପୂର୍ବରୁ ଅଧିକାରୀମାନଙ୍କୁ କମ୍ପ୍ୟୁଟର ଡେସ୍କଟପ୍ ସିଷ୍ଟମ ଏବଂ ପାରମ୍ପରିକ ICMS ୱେବ୍ ପୋର୍ଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା, ଯେଉଁଥିରେ ବାରମ୍ବାର OTP ଏବଂ ଅନେକ ସ୍କ୍ରିନ ଖୋଲିବାକୁ ପଡ଼ୁଥିଲା। ମାତ୍ର ଏହି ନୂଆ ଆପ୍ ସେହି ସମସ୍ତ ଝଞ୍ଜଟକୁ ଦୂର କରି ଗୋଟିଏ କ୍ଲିକ୍ରେ ସବୁ ସୂଚନା ଦେବ।

ଆପ୍ର ମୁଖ୍ୟ ବୈଶିଷ୍ଟ୍ୟ ଏବଂ କାର୍ଯ୍ୟଶୈଳୀ
ତୁରନ୍ତ ଆଲର୍ଟ : ଯଦି କୌଣସି ଟ୍ରେନ ୧୫ ମିନିଟ୍ରୁ ଅଧିକ ବିଳମ୍ବ ହୁଏ, ତେବେ ସମ୍ପୃକ୍ତ ଷ୍ଟେସନର କଣ୍ଟ୍ରୋଲର ଏବଂ ରେଳ ଅଧିକାରୀଙ୍କ ପାଖକୁ ତୁରନ୍ତ ଆଲର୍ଟ ବା ମେସେଜ୍ ଚାଲିଯିବ।
ଜିପିଏସ୍ ଆଧାରିତ ସ୍ୱୟଂଚାଳିତ ବ୍ୟବସ୍ଥା : ଏହାକୁ ‘ଏଲ୍ଟିଏମ୍ ବିଜେଡ୍ଏ’ ସିଷ୍ଟମ ସହ ଯୋଡ଼ା ଯାଇଛି। ଜିପିଏସ୍ ଜରିଆରେ ଟ୍ରେନର ଆଗମନ, ପ୍ରସ୍ଥାନ ଏବଂ ଗତିର ସ୍ୱୟଂଚାଳିତ ହିସାବ ରେଳ କଣ୍ଟ୍ରୋଲ ରୁମ୍ ସହିତ ସିଙ୍କ୍ରୋନାଇଜ୍ ହୋଇ ରହିବ।
ଦୁର୍ଘଟଣା ଏଡ଼ାଇବାରେ ସହାୟକ : ଟ୍ରେନଗୁଡ଼ିକର ଗତିବିଧି ଉପରେ ପ୍ରତି ସେକେଣ୍ଡର ନଜର ରହୁଥିବାରୁ, ଏହା ଦ୍ୱାରା ଟ୍ରେନଗୁଡ଼ିକ ଆପସରେ ଧକ୍କା ହେବା ଭଳି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରିବ।
ବିଳମ୍ବର କାରଣ ସହଜରେ ଜଣାପଡ଼ିବ : ଯଦି କୌଣସି ସ୍ଥାନରେ ଟ୍ରେନ ଅଟକି ରହେ, ତେବେ ଟ୍ରେନ ମ୍ୟାନେଜର (ଗାର୍ଡ) ଆପ୍ଲିକେସନ ମାଧ୍ୟମରେ ତାର କାରଣ ରେକର୍ଡ କରିପାରିବେ, ଯାହା ତୁରନ୍ତ କଣ୍ଟ୍ରୋଲରଙ୍କ ଡାସବୋର୍ଡରେ ଦେଖାଯିବ।
ସୁରକ୍ଷା ଓ ଯାତ୍ରୀ ସେବା ଉପରେ ଅଧିକ ଧ୍ୟାନ

ବିଜୟୱାଡା ଡିଭିଜନର ସିନିୟର ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହାକୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ରେଳ ଅଧିକାରୀମାନେ ଯେକୌଣସି ସ୍ଥାନରେ ଥାଇ ମଧ୍ୟ ଟ୍ରେନ ପରିଚାଳନା କରିପାରିବେ। କାଗଜପତ୍ର କାମ ହ୍ରାସ ପାଇବା ଫଳରେ ରେଳ କର୍ମଚାରୀମାନେ ଏବେ ଟ୍ରେନର ସୁରକ୍ଷା ଏବଂ ଯାତ୍ରୀମାନଙ୍କ ସେବା ଉପରେ ଅଧିକ ଧ୍ୟାନ ଦେଇପାରିବେ। ଆଗାମୀ ଦିନରେ ଏହି ବ୍ୟବସ୍ଥା ଦ୍ୱାରା ସାରା ଦେଶରେ ଟ୍ରେନ ବିଳମ୍ବ ସମସ୍ୟାରେ ବଡ଼ ସୁଧାର ଆସିବ ବୋଲି ଆଶା କରାଯାଉଛି।
Also read : https://purvapaksa.com/pakistans-air-strike-on-afghanistan-india-says-big-threat-to-regional-peace/


