ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ଥାୟୀ, ପ୍ରଦୂଷଣମୁକ୍ତ ଏବଂ ‘ନେଟ୍-ଶୂନ୍ୟ’ ସ୍ମାର୍ଟ ସିଟିରେ ପରିଣତ କରିବା ଦିଗରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଆଉ ଏକ ପରିବେଶ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛି। ସହରର ଗ୍ରୀନ ମୋବିଲିଟି ଏବଂ ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଏମସି ପକ୍ଷରୁ ସାର୍ବଜନୀନ ସ୍ଥାନଗୁଡ଼ିକରେ ସୌରଶକ୍ତି ଚାଳିତ ‘ସ୍ମାର୍ଟ ବେଞ୍ଚ’ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି।

ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସ୍ମାର୍ଟ ଜନପଥ କଡ଼ରେ ଦୁଇଟି ସ୍ମାର୍ଟ ସୋଲାର ବେଞ୍ଚ ପ୍ରତିଷ୍ଠା କରାଯାଇଛି। ଏହି ବେଞ୍ଚଗୁଡ଼ିକ କେବଳ ସାଧାରଣ ଲୋକଙ୍କ ବସିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏଥିରେ ଅନେକ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ରହିଛି। ଖରା ହେଉ କି ବର୍ଷା, ପଥଚାରୀମାନେ ଏହି ଆବୃତ ବେଞ୍ଚ ତଳେ ଆରାମରେ ବସିପାରିବେ। ଏହା ସହିତ ଏହି ବେଞ୍ଚଗୁଡ଼ିକରେ ଇନ-ବିଲ୍ଟ ଲାଇଟିଂ ସିଷ୍ଟମ ଏବଂ ମୋବାଇଲ୍ ତଥା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗେଜେଟ୍ ଚାର୍ଜ କରିବା ପାଇଁ ସ୍ୱତନ୍ତ୍ର ଚାର୍ଜିଂ ପଏଣ୍ଟର ସୁବିଧା ମଧ୍ୟ ଦିଆଯାଇଛି।

ବିଏମସି ଡେପୁଟି କମିଶନର ଏନ୍. ଗଣେଶ ବାବୁଙ୍କ ସୂଚନା ଅନୁଯାୟୀ, ‘ସାର୍ବଜନୀନ ସ୍ଥାନଗୁଡ଼ିକରେ ସବୁଜ ଏବଂ ସ୍ଥାୟୀ ସୌରଶକ୍ତିର ବ୍ୟବହାର ବଢ଼ାଇବା ସହ ନାଗରିକମାନଙ୍କୁ ସୁବିଧା ଯୋଗାଇଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ପ୍ରାଥମିକ ପର୍ଯ୍ୟାୟରେ ଏହାର ସଫଳତାକୁ ଦେଖି ଆଗାମୀ ଦିନରେ ସହରର ବିଭିନ୍ନ ପ୍ରମୁଖ ପାର୍କ, ଧାର୍ମିକ ସ୍ଥଳ ଏବଂ ଅଧିକ ଭିଡ଼ ହେଉଥିବା ରାସ୍ତା କଡ଼ରେ ଆହୁରି ୩୦ଟି ସ୍ମାର୍ଟ ସୋଲାର ବେଞ୍ଚ ସ୍ଥାପନ କରିବାକୁ ବିଏମସି ଯୋଜନା ପ୍ରସ୍ତୁତ କରିଛି।’

ସୂଚନାଯୋଗ୍ୟ ଯେ, ‘ଗ୍ରୀନ ସିଟି ମିଶନ’ ଅଧୀନରେ ରାଜଧାନୀର ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ସହଯୋଗରେ ବିଏମସି ପକ୍ଷରୁ ସୋଲାର ଚାଳିତ ୱାଟର କିଓସ୍କ ମଧ୍ୟ ସ୍ଥାପନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସହରରେ ପ୍ରାୟ ୩୦ଟି ଏଭଳି ପାଣି ପିଇବା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ୧୦୦ଟି ସ୍ଥାନରେ ଏହାକୁ ଉପଲବ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଏମସିର ଏହି ପରିବେଶ ଅନୁକୂଳ ଉଦ୍ୟମକୁ ସହରବାସୀ ବେଶ୍ ପ୍ରଶଂସା କରିଛନ୍ତି।
Also read : https://purvapaksa.com/owaisi-strongly-criticizes-bjp-government-over-maharashtra-tet-paper-leak-issue/


