ତିବ୍ଦତୀୟ ସଂସ୍କୃତି, ଭାଷା ଏବଂ ସେମାନଙ୍କର ସ୍ୱତନ୍ତ୍ର ପରିଚୟକୁ ସିଷ୍ଟମାଟିକ୍ ବା କ୍ରମାଗତ ଭାବେ ସମୂଳେ ବିନାଶ କରିବା ପାଇଁ ଚୀନ ପକ୍ଷରୁ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି। ଏଥିପାଇଁ ଚୀନ ସେଠାକାର କୋମଳମତି ଶିଶୁମାନଙ୍କୁ ‘ହତିଆର’ ଭାବେ ବ୍ୟବହାର କରୁଛି। ପ୍ରସିଦ୍ଧ ଭୂ-ରାଜନୈତିକ ବିଶ୍ଳେଷକ (Geopolitical Analyst) ବ୍ରହ୍ମା ଚେଲାନୀ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଲେଖିଥିବା ନିଜ ଆର୍ଟିକିଲ୍ରେ ଏହି ସଙ୍ଗୀନ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚୀନର ଏହି ପଦକ୍ଷେପ କେବଳ ମାନବାଧିକାରର ଉଲ୍ଲଂଘନ ନୁହେଁ, ବରଂ ଏହା ଏକ ବଡ଼ ଭୂ-ରାଜନୈତିକ ପ୍ରୋଜେକ୍ଟ, ଯାହାର ସୁଦୂରପ୍ରସାରୀ ପ୍ରଭାବ ଏସିଆର ଶକ୍ତି ସନ୍ତୁଳନ ଏବଂ ବିଶେଷ କରି ଭାରତର ସୁରକ୍ଷା ଉପରେ ପଡ଼ିବାକୁ ଯାଉଛି।

୧୦ ଲକ୍ଷରୁ ଅଧିକ ଶିଶୁଙ୍କୁ ଜବରଦସ୍ତ ବୋର୍ଡିଂ ସ୍କୁଲରେ ଭର୍ତ୍ତି
ରିପୋର୍ଟ ଅନୁଯାୟୀ, ଚୀନ ସରକାର ପ୍ରାୟ ୧୦ ଲକ୍ଷରୁ ଅଧିକ ତିବ୍ଦତୀୟ ଶିଶୁଙ୍କୁ ସେମାନଙ୍କ ପରିବାରଠାରୁ ଜବରଦସ୍ତ ଅଲଗା କରି ସରକାରୀ ବୋର୍ଡିଂ ସ୍କୁଲରେ ଭର୍ତ୍ତି କରିଛନ୍ତି। ଏହି ସ୍କୁଲଗୁଡ଼ିକରେ କେବଳ ‘ମାଣ୍ଡାରିନ୍’ (ଚାଇନିଜ୍) ଭାଷାରେ ଶିକ୍ଷାଦାନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ପାରମ୍ପରିକ ରୀତିନୀତି, ବୌଦ୍ଧ ଧର୍ମ ଏବଂ ସଂସ୍କୃତିଠାରୁ ଦୂରେଇ ରଖାଯାଉଛି। ଏପରିକି ତିବ୍ଦତୀୟ ସଂସ୍କୃତି ପଛୁଆ ବୋଲି ସେମାନଙ୍କ ମନରେ ପିଲାଦିନରୁ ବିଷ ମଞ୍ଜି ବୁଣାଯାଉଛି। ଚୀନର ନୂତନ ସାମ୍ରାଜ୍ୟବାଦୀ ଚିନ୍ତାଧାରା ହେଉଛି “ଶିଶୁମାନଙ୍କୁ ନିୟନ୍ତ୍ରଣ କର, ତେବେ ସେମାନଙ୍କ ଭବିଷ୍ୟତ ନିଜେ ନିୟନ୍ତ୍ରଣ ହୋଇଯିବ।”
ଭାରତ ପାଇଁ କାହିଁକି ବଢ଼ୁଛି ରଣନୈତିକ ବିପଦ ?
ବିଶେଷଜ୍ଞଙ୍କ ଅନୁଯାୟୀ, ତିବ୍ଦତ କେବଳ ଏକ ସୀମାନ୍ତ ଅଞ୍ଚଳ ନୁହେଁ, ବରଂ ଏହା ଏସିଆର ଭୌଗୋଳିକ ଏବଂ ରଣନୈତିକ ହୃଦପିଣ୍ଡ। ଏହାକୁ ‘ବିଶ୍ୱର ଛାତ’ (Roof of the World) କୁହାଯାଏ। ୧୯୫୦ ଦଶକରେ ଚୀନ ଏହାକୁ ଜବରଦସ୍ତ ଦଖଲ କରିବା ପୂର୍ବରୁ ତିବ୍ଦତ ଏକ ସ୍ୱୟଂଶାସିତ ଅଞ୍ଚଳ ଥିଲା। ଚୀନ ଏହାକୁ ନିଜ ଅଧୀନକୁ ନେବା ପରେ ଏସିଆର ସାମରିକ ଏବଂ ଜଳବାୟୁ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।

ତିବ୍ଦତ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଚୀନ ହିମାଳୟ ସୀମାରେ ଭାରତ ଉପରେ ସାମରିକ ଚାପ ପକାଇବାକୁ ଚେଷ୍ଟା କରୁଛି। ଏହା ସହିତ ସେହି ଅଞ୍ଚଳରେ ଚୀନ ବଡ଼ ବଡ଼ ଜଳବିଦ୍ୟୁତ ପ୍ରକଳ୍ପ ଓ ଡ୍ୟାମ୍ ନିର୍ମାଣ କରୁଛି, ଯାହା ଭାରତ ଆଡ଼କୁ ପ୍ରବାହିତ ନଦୀଗୁଡ଼ିକର ଗତିପଥ ଓ ଜଳରାଶିକୁ ପ୍ରଭାବିତ କରିବାର କ୍ଷମତା ରଖୁଛି।
ପାଶ୍ଚାତ୍ୟ ଦେଶଗୁଡ଼ିକର ନୀରବତା ଉପରେ ପ୍ରଶ୍ନବାଚୀ
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପାଶ୍ଚାତ୍ୟ ତଥା ବିକଶିତ ଦେଶଗୁଡ଼ିକର ନୀରବତା ଉପରେ ବ୍ରହ୍ମା ଚେଲାନୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ତିବ୍ଦତର ଏହି ସାଂସ୍କୃତିକ ଗଣସଂହାରକୁ ଚୀନର ଏକ ‘ଆଭ୍ୟନ୍ତରୀଣ ମାମଲା’ ବୋଲି ଭାବି ନଜରଅନ୍ଦାଜ କରୁଛନ୍ତି, ଯାହା ଆଗାମୀ ଦିନରେ ସମଗ୍ର ଏସିଆ ମହାଦେଶ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ।


