ଅରୁଣ ସାହୁ ଦୁଇ ଦୁଇଟି ସଭାରେ ଖୋଲାଖୋଲି ଭାବେ କହିଛନ୍ତି କି— “ବିଜେପି ନେତାମାନେ ହେଉଛନ୍ତି ମାଇଚିଆ, କେହି ବିଜେପିରେ ଅଣ୍ଡିରି ପୁଅ ଉଦ୍ଧବ ନାହାନ୍ତି।”
ଅରୁଣ ସାହୁଙ୍କର ଏହି ବ୍ୟଙ୍ଗାତ୍ମକ ଏବଂ ଅପମାନଜନକ ବକ୍ତବ୍ୟର ଅର୍ଥ ଓଡ଼ିଶାର ଜନସାଧାରଣ କଣ ବୋଲି ଭାବିବେ? ତାଙ୍କ କହିବା କଥା ଯଦି ବିଜେପିରେ କେହି ‘ଅଣ୍ଡିରି ପୁଅ ଉଦ୍ଧବ’ ନାହାନ୍ତି, ତେବେ ତାର ଓଲଟା ଅର୍ଥ ଏଇଆ ତ ଯେ କେବଳ ବିଜୁ ଜନତା ଦଳ ଭିତରେ ହିଁ ସବୁଯାକ ବୀର ପୁରୁଷ ଏବଂ ‘ଅଣ୍ଡିରି ପୁଅ ଉଦ୍ଧବ’ ଭରି ରହିଛନ୍ତି? ଅରୁଣ ସାହୁ ନିଜ ଦଳର ନେତାମାନଙ୍କୁ ବହୁତ ବଡ଼ ଶକ୍ତିଶାଳୀ ବୋଲି ଦେଖାଇବାକୁ ଚେଷ୍ଟା କରୁଛନ୍ତି।

କିନ୍ତୁ ସତ କଣ ସତରେ ସେୟା? ଆଜି ଆମେ ଏହି ମଞ୍ଚରୁ ଆପଣଙ୍କୁ ସେହି ପ୍ରଶ୍ନ ପଚାରିବୁ, ଯାହାର ଉତ୍ତର ହୁଏତ ଅରୁଣ ସାହୁଙ୍କ ପାଖରେ ନାହିଁ। ଯଦି ବିଜେଡିରେ ଏତେ ସାରା ଯୋଗ୍ୟ ଏବଂ ବୀର ନେତା ଅଛନ୍ତି, ତେବେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକ କାହିଁକି ବିଜେଡିର ଓଡ଼ିଆ ନେତାମାନଙ୍କୁ ଯୋଗ୍ୟ ବୋଲି ଭାବିଲେ ନାହିଁ? କାହିଁକି ସାରା ଓଡ଼ିଶାର ସ୍ୱାଭିମାନକୁ ଗୋଟିଏ କୋଣରେ ମାଡ଼ି ବସି, ଜଣେ ବାହାର ରାଜ୍ୟର ଅଫିସରଙ୍କ ପରିବାର ହାତରେ ଦଳର ରିମୋଟ୍ କଣ୍ଟ୍ରୋଲ୍ ଟେକି ଦେବାକୁ ବସିଛନ୍ତି?
ନବୀନଙ୍କ ନଜରରେ ଓଡ଼ିଆ ନେତା ‘ଅଯୋଗ୍ୟ’?
ବାସ୍ତବତା ତ ଏଇଆ ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ଓଡ଼ିଆ ନେତାମାନଙ୍କୁ କେବେ ବି ପ୍ରକୃତ ନେତୃତ୍ୱ ଦେବା ପାଇଁ ଯୋଗ୍ୟ ବୋଲି ଭାବିନାହାନ୍ତି। ଅରୁଣ ସାହୁ ଯେଉଁମାନଙ୍କୁ ‘ଅଣ୍ଡିରି ପୁଅ’ ବୋଲି କହୁଛନ୍ତି, ନବୀନ ପଟ୍ଟନାୟକଙ୍କ ନଜରରେ ସେମାନେ ହେଉଛନ୍ତି ସମ୍ପୂର୍ଣ୍ଣ ନିଷ୍କ୍ରିୟ ଏବଂ ଶକ୍ତିହୀନ। ଦଳର ଶୀର୍ଷ ନେତୃତ୍ୱ ନେବା ପାଇଁ କିମ୍ବା ଭବିଷ୍ୟତରେ ବିଜେଡିର ମୁଖିଆ ହେବା ପାଇଁ ଦଳର କୌଣସି ଓଡ଼ିଆ ନେତାଙ୍କ ଭିତରେ ସେ ଯୋଗ୍ୟତା ଦେଖିବାକୁ ପାଇନାହାନ୍ତି ନବୀନ ପଟ୍ଟନାୟକ।

ତେଣୁ ସେ କଣ କଲେ? ସେ ତାଙ୍କର ସବୁଠୁ ପ୍ରିୟ, ସବୁଠୁ ବିଶ୍ୱସ୍ତ ‘ତାମିଲ ପୁଅ’ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପରିବାର ସଦସ୍ୟ ତଥା ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଆଣି ଦଳର ଆଗ ଧାଡ଼ିରେ ଛିଡ଼ା କରିଦେଲେ। ଏପରିକି ଆଗାମୀ ଦିନରେ ସୁଜାତା ହିଁ ଦଳର ସବୁକିଛି ହେବେ, ସେ ହିଁ ଦଳର ପରବର୍ତ୍ତୀ ମୁଖିଆ ବୋଲି ନବୀନ ବାବୁ ସମସ୍ତ ବରିଷ୍ଠ ବିଜେଡି ନେତାମାନଙ୍କୁ ଏକ ପରୋକ୍ଷ ସଂକେତ ମଧ୍ୟ ଦେଇ ସାରିଛନ୍ତି।
ଏବେ ସାରା ଓଡ଼ିଶା ଅରୁଣ ସାହୁଙ୍କୁ ପ୍ରଶ୍ନ କରିବ— ଯଦି ବିଜେଡିରେ ପ୍ରକୃତରେ ଯୋଗ୍ୟ ନେତାମାନେ ଥିଲେ, ତେବେ ସେମାନେ କାହିଁକି ନବୀନଙ୍କ ନଜରରେ ଦଳର ଚେହେରା ହୋଇପାରିଲେ ନାହିଁ? ସେ ନିଜେ ଦଳର ଏତେ ବଡ଼ ନେତା ହୋଇ ମଧ୍ୟ, ଜଣେ ପୂର୍ବତନ ଆଇଏଏସ୍ ଅଫିସରଙ୍କ ପତ୍ନୀଙ୍କ ପଛରେ କାହିଁକି ହାତ ଯୋଡ଼ି ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି? କି ଉତ୍ତର ଦେବେ ଅରୁଣ ସାହୁ? ଏହାର ଜବାବ ଓଡ଼ିଶାର ଜନସାଧାରଣ ତାଙ୍କଠାରୁ ଚାହୁଁଛନ୍ତି।
ପ୍ରମିଳା ମଲ୍ଲିକଙ୍କୁ ପ୍ରଶ୍ନବାଣ ଓ ‘କବାଟ କିଳା’ ରାଜନୀତି
ଏବେ ଆସନ୍ତୁ ଦେଖିବା ବିଜେଡିର ଆଉ ଜଣେ ହେଭିୱେଟ୍ ନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବକ୍ତବ୍ୟକୁ। ପ୍ରମିଳା ମାଡାମଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କଲେ, ସେତେବେଳେ ସେ ବହୁତ ସହଜରେ କହିଦେଲେ କି— “ସୁଜାତା ରାଉତ କାର୍ତ୍ତିକେୟନ ହେଉଛନ୍ତି ଦଳର ଜଣେ ସାଧାରଣ କର୍ମୀ।”
ପ୍ରମିଳା ମଲ୍ଲିକ ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କୁ ଏତେ ବୋକା ଭାବୁଛନ୍ତି କେମିତି? ସେ ଭାବୁଛନ୍ତି କି ସେ ଯାହା କହିବେ, ଓଡ଼ିଶାବାସୀ ତାକୁ ଆଖି ବନ୍ଦ କରି ବିଶ୍ୱାସ କରିନେବେ? ଆସନ୍ତୁ ଟିକେ ଇତିହାସ ଉପରେ ନଜର ପକାଇବା। ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ, ଏହି ଦଳରେ ଶହ ଶହ ବଡ଼ ନେତା, ସାଂସଦ, ବିଧାୟକ, ଚଳଚ୍ଚିତ୍ର ତାରକା ଏବଂ ବଡ଼ ବଡ଼ ଜନନେତା ସାମିଲ ହୋଇଛନ୍ତି। ସେମାନଙ୍କର ମିଶ୍ରଣ ପର୍ବ କେମିତି ହୁଏ, ତାହା ସାରା ଓଡ଼ିଶା ଦେଖିଛି।

ସେମାନେ ସମସ୍ତେ ନବୀନ ନିବାସକୁ ଯାଆନ୍ତି, ସେଠାରେ ନବୀନ ବାବୁଙ୍କ ହାତରୁ ଦଳୀୟ ଉତ୍ତରୀୟ ଗ୍ରହଣ କରନ୍ତି ଏବଂ ଗୋଟିଏ ବୁକେ ଦେଇ ଫଟୋ ଉଠାଇ ଫେରିଆସନ୍ତି। କୌଣସି ନୂଆ ନେତା ନବୀନ ପଟ୍ଟନାୟକଙ୍କ ସାମ୍ନାରେ ଛିଡ଼ା ହୋଇ ମାଇକ୍ରେ ଲମ୍ବା ଚଉଡ଼ା ଭାଷଣ ଦେବାର କେହି କେବେ ଦେଖିନାହାନ୍ତି।
କିନ୍ତୁ ସୁଜାତା ରାଉତ କାର୍ତ୍ତିକେୟନଙ୍କ କ୍ଷେତ୍ରରେ କଣ ହେଲା? ସେ କଣ ଜଣେ ସାଧାରଣ କର୍ମୀ? ଯଦି ସେ ସାଧାରଣ କର୍ମୀ, ତେବେ ସ୍ୱୟଂ ନବୀନ ପଟ୍ଟନାୟକ ନିଜ ନିବାସ ଛାଡ଼ି ଶଙ୍ଖ ଭବନକୁ କାହିଁକି ଆସିଲେ? ଶଙ୍ଖ ଭବନ ଭିତରେ କବାଟ କିଳା ମିଶ୍ରଣ ପର୍ବ କାହିଁକି ହେଲା? ଏବଂ ସବୁଠାରୁ ବଡ଼ କଥା ହେଉଛି, ସେହି ମିଶ୍ରଣ ପର୍ବରେ ସୁଜାତା ଦଳର ସବୁ ବଡ଼ ବଡ଼ ନେତାମାନଙ୍କୁ ସାମ୍ନାରେ ବସାଇ ମଞ୍ଚ ଉପରୁ ଭାଷଣ ଦେଲେ!
ଏହା କଣ ଜଣେ ସାଧାରଣ କର୍ମୀର ଲକ୍ଷଣ? ଏହା କେଉଁ ପ୍ରକାରର ସଂକେତ ଦେଉଛି, ପ୍ରମିଳା ମଲ୍ଲିକ ଏହାର ସ୍ପଷ୍ଟ ଉତ୍ତର ଓଡ଼ିଶାବାସୀଙ୍କୁ ଦେବେ କି? ଏହି ପ୍ରଶ୍ନରୁ ବିଜେଡି ନେତାମାନେ ମୁହଁ ଲୁଚାଇ ପାରିବେ ନାହିଁ।
ଦେବାଶୀଷ ସାମନ୍ତରାୟଙ୍କ ସେହି ଚାଞ୍ଚଲ୍ୟକର ବୟାନ ସତ ପ୍ରମାଣିତ!
ଏହି ସମସ୍ତ ଘଟଣାକ୍ରମରୁ ଏବେ ଗୋଟିଏ କଥା ସୂର୍ଯ୍ୟ ପରି ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି ଯେ, ଦିନେ ବିଜେଡିର ପୂର୍ବତନ ବରିଷ୍ଠ ନେତା ତଥା ସାଂସଦ ଦେବାଶୀଷ ସାମନ୍ତରାୟ ଦଳ ଭିତରେ ଚାଲିଥିବା ଯେଉଁ ଗୁପ୍ତ ରହସ୍ୟ ବିଷୟରେ କହିଥିଲେ, ତାହା ଶତପ୍ରତିଶତ ସତ ଥିଲା। ଦେବାଶୀଷ ସାମନ୍ତରାୟ ସ୍ପଷ୍ଟ କରିଥିଲେ କି, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପଛ ଦ୍ୱାର ଦେଇ, ଅର୍ଥାତ୍ ବ୍ୟାକ୍-ଡୋର୍ ଏଣ୍ଟ୍ରି କରି ସମ୍ପୂର୍ଣ୍ଣ ବିଜୁ ଜନତା ଦଳକୁ ନିଜ କବ୍ଜାକୁ ନେଇ ସାରିଛନ୍ତି।
ଆଜି ସେହି କଥା ପ୍ରମାଣିତ ହେଉଛି। ଯେଉଁ ପାଣ୍ଡିଆନ ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କ୍ୟାମେରା ସାମ୍ନାକୁ ଆସି କହିଥିଲେ କି ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି, ସେହି ସନ୍ନ୍ୟାସ କେବଳ ଗୋଟିଏ ବଡ଼ ନାଟକ ଥିଲା। ସେ ସିଧାସଳଖ ସାମ୍ନାକୁ ନ ଆସି, ନିଜ ପତ୍ନୀଙ୍କ ମାଧ୍ୟମରେ ଦଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି।
ପାଣ୍ଡିଆନଙ୍କର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଏବେ ମଧ୍ୟ ମରିନାହିଁ। ସେ ନିଜେ ପଛରେ ରହି, ପତ୍ନୀ ସୁଜାତାଙ୍କୁ ଆଗକୁ କରି ଓଡ଼ିଶାର କ୍ଷମତା ଗାଦି ଉପରେ ପୁଣିଥରେ ନଜର ପକାଇଛନ୍ତି। ବିଜେଡିର ସମସ୍ତ ପୁରୁଖା ଓଡ଼ିଆ ନେତା ଏବେ କେବଳ ଦର୍ଶକ ସାଜିଛନ୍ତି ଏବଂ ଜଣେ ଅଣ-ଓଡ଼ିଆ ପ୍ରଭାବଶାଳୀ ଗୋଷ୍ଠୀ ଦଳକୁ ନିଜ ଇସାରାରେ ନଚାଉଛି।
ଧର୍ମେନ୍ଦ୍ର ପ୍ରଧାନଙ୍କ ସେହି ‘ଶଶୀକଳା ମଡେଲ୍’ ଚେତାବନୀ
ଦର୍ଶକବନ୍ଧୁ, ଆପଣମାନଙ୍କର ମନେ ଥିବ, ଗତ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କୋଣ ଅନୁକୋଣକୁ ଯାଇ ସଭା ସମିତିରେ ଏକ ବଡ଼ ଚେତାବନୀ ଦେଉଥିଲେ। ସେ ବାରମ୍ବାର ତାମିଲନାଡ଼ୁ ରାଜନୀତିର ଉଦାହରଣ ଦେଇ କହୁଥିଲେ କି— “ତାମିଲନାଡ଼ୁରେ ଯେଭଳି ଶଶୀକଳା ଅସଦ୍ ଉପାୟରେ, ଗୁପ୍ତ ରଣନୀତି କରି ଜୟଲଳିତାଙ୍କୁ ନିଜ କବ୍ଜାରେ ରଖିଥିଲେ ଏବଂ ସମସ୍ତ କ୍ଷମତା ନିଜ ହାତକୁ ନେଇଯାଇଥିଲେ, ଠିକ୍ ସେହିପରି ଓଡ଼ିଶାରେ ତାମିଲ ପୁଅ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ସମ୍ପୂର୍ଣ୍ଣ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ କବ୍ଜା କରି ରଖିଛନ୍ତି।”

ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ କହିଥିଲେ କି ପାଣ୍ଡିଆନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ନବୀନଙ୍କ ଅସୁସ୍ଥତାର ସୁଯୋଗ ନେଇ ଦଳ ଏବଂ ସରକାରର ମୁଖିଆ ହେବା। ଏହି କଥାକୁ ଓଡ଼ିଶାର ସ୍ୱାଭିମାନୀ ଓଡ଼ିଆ ମତଦାତାମାନେ ଖୁବ୍ ଭଲ ଭାବରେ ବୁଝିପାରିଲେ। ସେମାନେ ଦେଖିଲେ କି ଓଡ଼ିଶାର ଶାସନ ଜଣେ ଅଣ-ଓଡ଼ିଆଙ୍କ ହାତକୁ ଚାଲିଯାଉଛି। ସେଥିପାଇଁ ଓଡ଼ିଆ ମତଦାତାମାନେ ନିଜର ସ୍ୱାଭିମାନ ରକ୍ଷା କରିବା ପାଇଁ ଗତ ନିର୍ବାଚନରେ ବିଜେଡିକୁ କ୍ଷମତାରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଲେ।
କ୍ଷମତା ଯିବା ପରେ ପାଣ୍ଡିଆନ ବୁଝିଗଲେ କି ଓଡ଼ିଶା ଜନସାଧାରଣ ତାଙ୍କୁ ସିଧାସଳଖ ଗ୍ରହଣ କରିବେ ନାହିଁ। ସେଥିପାଇଁ ସେ ଗୋଟିଏ ନୂଆ ନାଟକ ରଚନା କଲେ। ପ୍ରଥମେ ରାଜନୀତିରୁ ସନ୍ନ୍ୟାସ ନେବାର ଭିଡିଓ ଜାରି କଲେ ଏବଂ ଏବେ ନିଜର ପତ୍ନୀ, ଯିଏ କି ଜଣେ ତଥାକଥିତ ଓଡ଼ିଆ ଘରର ଝିଅ କିନ୍ତୁ ତାମିଲ ବୋହୂ— ସେହି ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡିରେ ସାମିଲ କରାଇଛନ୍ତି। ଏହାର ସିଧା ସଳଖ ଅର୍ଥ ହେଉଛି, ପାଣ୍ଡିଆନ ଏବେ ମଧ୍ୟ ପଛରେ ରହି ଦଳର ନେତୃତ୍ୱ ନେଉଛନ୍ତି ଏବଂ ଆଗାମୀ ଦିନରେ ସୁଜାତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରିବାକୁ ଯାଉଛନ୍ତି।

ତେବେ ପ୍ରଶ୍ନ ଉଠୁଛି କି ଓଡ଼ିଶାର ସ୍ୱାଭିମାନ କଣ ଏମିତି ବାରମ୍ବାର ପଛ ଦ୍ୱାର ରାଜନୀତି ପାଖରେ ବଳି ପଡ଼ିବ? ଅରୁଣ ସାହୁ ଯେଉଁମାନଙ୍କୁ ‘ମାଇଚିଆ’ ବୋଲି କହୁଛନ୍ତି, ଆଜି ସେହି ଭାଷା ନିଜ ଦଳ ଆଡ଼କୁ ଇସାରା କରୁଛି କି ନାହିଁ, ତାହା ଆପଣମାନେ ନିଜେ ବିଚାର କରନ୍ତୁ। ବିଜେଡିର ଏହି ନୂଆ ‘ସୁଜାତା ମଡେଲ’ କଣ ଦଳକୁ ପୁଣିଥରେ ବଞ୍ଚାଇ ପାରିବ, ନା ଓଡ଼ିଶାର ସ୍ୱାଭିମାନୀ ମତଦାତା ଏହି ପରିବାରବାଦ ଏବଂ ପଛଦ୍ୱାର କବ୍ଜା ରାଜନୀତିକୁ ପୁଣିଥରେ ଉଚିତ ଜବାବ ଦେବେ?
ଆପଣଙ୍କୁ କଣ ଲାଗୁଛି? ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏଣ୍ଟ୍ରି ପରେ ବିଜେଡିର ଭବିଷ୍ୟତ କଣ ହେବ? ଅରୁଣ ସାହୁ ଏବେ କଣ ଉତ୍ତର ଦେବେ?
Also read : https://purvapaksa.com/the-3-biggest-masterstrokes-of-indian-politics-modi-kejriwal-and-indira-gandhi/


