ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ବଜ୍ରପାତ ସହ ଜୋରରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ରାଜ୍ୟର ୯ଟି ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ୯ଟି ଜିଲ୍ଲା ହେଲା; ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତି। ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
୨୧ ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’
ଏହା ବ୍ୟତୀତ ଉପକୂଳବର୍ତ୍ତୀ ଓଡ଼ିଶା ଏବଂ ଏହାର ଆଖପାଖ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅନ୍ୟ ୨୧ଟି ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରି ସତର୍କ କରାଯାଇଛି।
ଶନିବାର ପାଇଁ ମଧ୍ୟ ସତର୍କତା
/sambad-english/media/post_attachments/wp-content/uploads/2020/05/rain-4.jpg)
ଆସନ୍ତାକାଲି ଅର୍ଥାତ୍ ଶନିବାର ପାଇଁ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ଦିନ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ମଧ୍ୟ ଅରେଞ୍ଜ ଆଲର୍ଟରେ ରଖାଯାଇଛି।
ଆଗାମୀ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରତିକୂଳ ପାଣିପାଗ ସ୍ଥିତି ରହିବାକୁ ଥିବାରୁ ବଜ୍ରପାତ ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।


