ଓଡ଼ିଆରେ ଗୋଟିଏ ସୁନ୍ଦର କଥା ଅଛି– ‘ଗୋଦରା କୋଡ଼େ ଯେତେ, ମାଡ଼େ ସେତେ’। ଅର୍ଥାତ୍ ଆପଣ ଯେତେ ଭଲ କାମ କରିବାକୁ ଚେଷ୍ଟା କଲେ ବି, ଯଦି ଆପଣଙ୍କ ପାଖରେ ଥିବା ଲୋକମାନେ ଆପଣଙ୍କ ଗୋଡ଼ ଟାଣିବାକୁ ବସିଛନ୍ତି, ତେବେ ସବୁ ପରିଶ୍ରମ ପାଣିରେ ପଡ଼ିଯିବ। ଆଜି ଓଡ଼ିଶାର ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅବସ୍ଥା ଠିକ୍ ସେଇଆ ହୋଇଛି।
ଏଇ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ବଡ଼ ଗର୍ବର ସହ ଘୋଷଣା କଲେ- ରାଜ୍ୟରେ କେଜିଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ଶିକ୍ଷା ମିଳିବ। ଗରିବ ଓଡ଼ିଆ ପିଲାଙ୍କ ମନରେ ଆଶା ଜାଗିଲା, ଅଭିଭାବକମାନେ ଖୁସି ହେଲେ। କିନ୍ତୁ ଏହି ଘୋଷଣାର ସପ୍ତାହେ ପୂରିନି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସବୁ ସପ୍ନରେ ପାଣି ପକେଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଯେମିତି ଅଣ୍ଟା ଭିଡ଼ି ବାହାରିଛନ୍ତି ବିଭାଗର ମନ୍ତ୍ରୀ ଓ କିଛି ଅଧିକାରୀ!
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟପୁସ୍ତକରେ ଗୋଟିଏ କି ଦୁଇଟି ନୁହେଁ, ପୁରା ୧,୬୮୭ଟି ଭୁଲ୍ ଚିହ୍ନଟ ହୋଇଛି। ଆଶ୍ଚର୍ଯ୍ୟ ଲାଗୁଛି ନା? ଯେଉଁ ବହି ପଢ଼ି ଆମ ପିଲାମାନେ ଦେଶର ଭବିଷ୍ୟତ ଗଢ଼ିବେ, ସେହି ବହିରେ ଭୁଲର ପାହାଡ଼ ଛିଡ଼ା କରାଯାଇଛି।
ସବୁଠାରୁ ବଡ଼ ପ୍ରଶ୍ନ– ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକର ମୂଲ୍ୟ କଣ ଦାୟିତ୍ୱହୀନ ଅଧିକାରୀଙ୍କ ଦରମାରୁ ଭରଣା କରାଯିବ? ଜନତାଙ୍କ ଟିକସ ପଇସାରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ କରି ଛପା ହୋଇଥିବା ଏହି ବାଜେ ବହିଗୁଡ଼ିକ ପାଇଁ କାହାକୁ ଦଣ୍ଡ ମିଳିବ?
ତଦନ୍ତ ନାଁରେ ଭୁଲକୁ ଘୋଡ଼ାଇବାକୁ ଚେଷ୍ଟା?
ଏହି ଖବର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଶ୍ଚିତ ଭାବେ ବିବ୍ରତ ହୋଇଛନ୍ତି। ସେ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରିଛନ୍ତି। କିନ୍ତୁ ଏବେ ବଡ଼ ପ୍ରଶ୍ନ ଉଠୁଛି, ଏହି କମିଟି ପ୍ରକୃତରେ ନ୍ୟାୟ କରିବ ନା ଭୁଲକୁ ଘୋଡ଼ାଇବା ପାଇଁ ଏକ ଅପଚେଷ୍ଟା?
ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଯେ, ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଯେଉଁ ଅଣ-ଓଡ଼ିଆ ଅଧିକାରୀ ଏଭଳି ଦାୟିତ୍ୱହୀନ ଭାବେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳିଛନ୍ତି, ତାଙ୍କ କାମର ତଦନ୍ତ କରିବା ପାଇଁ ଆଉ ଜଣେ ଅଣ-ଓଡ଼ିଆ ଅଧିକାରୀଙ୍କୁ ହିଁ ଦାୟିତ୍ୱ ଦିଆଯାଇଛି!
ଇତିହାସ ସାକ୍ଷୀ ଅଛି, ଅତୀତରେ ଗତବର୍ଷର ରଥଯାତ୍ରା ଦଳାଚକଟା ଘଟଣାରେ ଆଇଏସ୍ ଏବଂ ଆଇପିଏସ୍ ଅଫିସରମାନଙ୍କୁ ତତ୍କାଳୀନ ଉନ୍ନୟନ କମିଶନର କିଭଳି କ୍ଲିନ୍ ଚିଟ୍ ଦେଇଥିଲେ, ତାହା ଆମେ ସମସ୍ତେ ଦେଖିଛେ। ତେଣୁ ଏହି ପାଠ୍ୟପୁସ୍ତକ ଭୁଲ୍ ମାମଲାରେ ମଧ୍ୟ ସେମିତି କିଛି ‘କ୍ଲିନ୍ ଚିଟ୍’ର ଖେଳ ହେବ ନାହିଁ ତ?
ଏହାର କାରଣ ବହୁତ ସ୍ପଷ୍ଟ। ରାଜ୍ୟରେ ସରକାର ବଦଳି ଯାଇଛି ସତ, କିନ୍ତୁ ପୂର୍ବତନ ବିଜେଡି ସରକାରର ‘ଗେହ୍ଲାପୁଅ’ ସାଜିଥିବା ଆଇଏଏସ୍ ଅଫିସରମାନେ ଆଜି ବି ମୋହନ ସରକାରର ତ୍ରାଣକର୍ତ୍ତା ସାଜି ବସିଛନ୍ତି। ସେମାନେ ଆଜି ବି ବିଜେଡି ମୋହ ଛାଡ଼ିପାରି ନାହାନ୍ତି। ସୂତ୍ର ଅନୁସାରେ, ଏମାନେ ଭିତରେ ଭିତରେ ବିଜେଡି ଇସାରାରେ କାମ କରୁଛନ୍ତି, ଯେମିତି ନୂଆ ସରକାର ବଦନାମ ହେବ। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିମ୍ବା ବିଜେପିର ବରିଷ୍ଠ ନେତାମାନେ ଏହି ପ୍ରଶାସନିକ ଷଡ଼ଯନ୍ତ୍ରକୁ କାହିଁକି ଜାଣିପାରୁ ନାହାନ୍ତି?
ବିରୋଧୀଙ୍କ ଆକ୍ରମଣ ଓ ରାଜନୈତିକ ପ୍ରତିକ୍ରିୟା
ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ। ବିରୋଧୀ ଦଳ ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କଲେଣି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି: “ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହ ଶହ ଭୁଲ୍ ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ୱହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି। ଏ ସରକାର ପିଲାମାନଙ୍କୁ ଠିକ୍ ସମୟରେ ବହି ଯୋଗାଇ ପାରୁନାହିଁ, ଆଉ ଯେଉଁ ବହି ମିଳିଛି ସେଥିରେ ବି ଅନେକ ଭୁଲ୍। ଏହା ପିଲାଙ୍କ ପାଠପଢ଼ା ଆଶାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।”
ଅନ୍ୟପଟେ, କଂଗ୍ରେସ ନେତା ଭକ୍ତ ଦାସ ଏହି ମାମଲାରେ ଆହୁରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି: “ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ଜନତାଙ୍କର ୫୦ କୋଟି ଟଙ୍କା ପାଣିରେ ପଡ଼ିଗଲା। କୋର୍ କମିଟିର ଅନୁଧ୍ୟାନ ବିନା ଏହି ବହି କେମିତି ଛପା ହେଲା? ଯେଉଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ପ୍ରାୟ ୩ ବର୍ଷ ସମୟ ଲାଗେ, ତାକୁ ମାତ୍ର ୬ ମାସରେ କେମିତି ପ୍ରସ୍ତୁତ କରାଗଲା? ଏହି ଅପରାଧ ପାଇଁ ଦୋଷୀଙ୍କୁ ଦଣ୍ଡ ମିଳୁ ଏବଂ ଶିକ୍ଷାମନ୍ତ୍ରୀ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ।”
କେଉଁ ସବୁ ସାଙ୍ଘାତିକ ଭୁଲ୍ ରହିଛି ବହିରେ?
ଆସନ୍ତୁ ଦେଖିବା ଏହି ପାଠ୍ୟପୁସ୍ତକରେ କେଉଁଭଳି ଭୁଲ୍ ସବୁ ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୬୮୭ଟି ଭୁଲ୍ ଓଡ଼ିଶା ଶିକ୍ଷା ବିଭାଗ ପ୍ରତି ଏକ ବିରାଟ ଉପହାସ।
• ପ୍ରଥମ ଭୁଲ୍: ସବୁଠାରୁ ଆଶ୍ଚର୍ଯ୍ୟର କଥା, ଶିକ୍ଷାମନ୍ତ୍ରୀ ନିଜ ବିଧାନସଭାକୁ ବି ବହିରେ ଚିହ୍ନିପାରିଲେ ନାହିଁ!
• ଦ୍ୱିତୀୟ ଭୁଲ୍: ଡଙ୍ଗରିଆ ଆଦିବାସୀଙ୍କୁ ‘ଡୋଙ୍ଗୋରିଆ’ ବୋଲି ଭୁଲ୍ ବନାନ ଲେଖାଯାଇଛି।
• ତୃତୀୟ ଏବଂ ସବୁଠାରୁ ସାଙ୍ଘାତିକ ଭୁଲ୍: ସାରା ବିଶ୍ୱରେ ପ୍ରସିଦ୍ଧ ନିୟମଗିରି ଲଢ଼େଇ, ଯେଉଁଠାରେ ରାହୁଲ ଗାନ୍ଧୀ ନିଜେ ନେତୃତ୍ୱ ନେଇଥିଲେ, ସେହି ନିୟମଗିରି ପାହାଡ଼କୁ ଓଡ଼ିଶାରୁ ଉଠାଇ ନେଇ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି!
ଏଭଳି ଶହ ଶହ ଭୁଲର ଲିଷ୍ଟ ଏବେ ସାମ୍ନାକୁ ଆସୁଛି। କିନ୍ତୁ ସବୁଠାରୁ ପରିତାପର ବିଷୟ କଣ ଜାଣନ୍ତି? ଶିକ୍ଷାମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଭୁଲକୁ ସ୍ୱୀକାର କରିବା ପରିବର୍ତ୍ତେ ଓଲଟା କହୁଛନ୍ତି– “ଶିକ୍ଷକମାନେ କ୍ଲାସରେ ଏହାକୁ ସୁଧାରି ପିଲାଙ୍କୁ ପଢ଼ାଇବେ।” ଶିକ୍ଷାମନ୍ତ୍ରୀଙ୍କ ଏଭଳି ବୟାନରୁ ଯାହା ଜଣାପଡ଼ୁଛି ରାଜ୍ୟବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଗୋଟିଏ ବଡ଼ ଷଡ଼ଯନ୍ତ୍ର ଚାଲିଛି। ମୁଖ୍ୟମନ୍ତ୍ରୀ ଅପାରଗ, ତାଙ୍କୁ ବଦଳା ଯାଉ ବୋଲି ଆଗାମୀ ଏହି ଗୋଷ୍ଠୀ କେନ୍ଦ୍ରୀୟ ନେତାଙ୍କ ନିକଟରେ ଦାବି କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରୁଥିବା ଭିନ୍ନ ଗୋଷ୍ଠୀର ମନ୍ତ୍ରୀମାନେ ବାରମ୍ବାର ଅକ୍ଷମଣୀୟ ଭୁଲ କରି ଗାଲୁ ମାରିବାରେ ଲାଗିଛନ୍ତି।
ମନ୍ତ୍ରୀ ମହୋଦୟ, ଏହାଠାରୁ ବଳି ଲଜ୍ଜାଜନକ କଥା ଆଉ କଣ ହୋଇପାରେ? ଆମ ଶିକ୍ଷକମାନେ ଜନଗଣନାଠାରୁ ଆରମ୍ଭ କରି ସରକାରଙ୍କ ପ୍ରତ୍ୟେକ ବାହାର କାମ କରୁଛନ୍ତି। ସେମାନେ ଏବେ ବହିର ଭୁଲ୍ ସୁଧାରିବେ ନା ପିଲାଙ୍କୁ ପାଠ ପଢ଼ାଇବେ?
ଶିକ୍ଷା ବିଭାଗରେ ଅଯୋଗ୍ୟ ଲୋକଙ୍କୁ ଦାୟିତ୍ୱ ଦେଲେ ଶିକ୍ଷାର ଏମିତି ହିଁ ହଜାର ଗୁଣ କ୍ଷତି ହୁଏ। ବହି ପ୍ରସ୍ତୁତ ବେଳେ ସରକାର କଣ ଓଡ଼ିଶାର ବିଦ୍ୱାନ ଶିକ୍ଷକ, ଐତିହାସିକ କିମ୍ବା ବିଶିଷ୍ଟ ଲେଖକମାନଙ୍କ ପରାମର୍ଶ ନେଇପାରିନଥାନ୍ତେ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଶାସକ ଗୋଷ୍ଠୀକୁ ଓଡ଼ିଶାର ସଂସ୍କୃତି, ସଂହତି ବା ପରମ୍ପରା ବିଷୟରେ କିଛି ଜଣାନାହିଁ। କେହି କେହି ତ ଏହା ମଧ୍ୟ କହିଲେଣି ଯେ, ଏମାନେ ଯୋଜନାବଦ୍ଧ ଭାବେ ଓଡ଼ିଶାର ମହାନ ସଂସ୍କୃତି ଓ ଇତିହାସକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।
ଟେଣ୍ଡର ଏବଂ ଦୁର୍ନୀତିର ଗନ୍ଧ
ଏବେ ଆସିବା ଅସଲ ପ୍ରସଙ୍ଗ ଉପରକୁ। NCERT ଏବଂ ଓଡ଼ିଶା ଶିକ୍ଷା ବିଭାଗର ଏହି ବହି ଛାପା ଦାୟିତ୍ୱ କେଉଁ ଏଜେନ୍ସିକୁ ମିଳିଥିଲା? କେଉଁ ନିର୍ଦ୍ଦିଷ୍ଟ ବିଜେପି ନେତାଙ୍କ ସହଯୋଗରେ କୋଟି କୋଟି ଟଙ୍କାର ଏହି ଟେଣ୍ଡର କାମ ସେହି ଏଜେନ୍ସି ପାଇଥିଲା? ଏହାର ନିରପେକ୍ଷ ତଦନ୍ତ ହେବା ଜରୁରୀ।
ଆଜି ଜନସାଧାରଣ ଅଭିଯୋଗ କରୁଛନ୍ତି ଯେ, ଏହି ଅଧିକାରୀ ଏବଂ ନେତାମାନେ କେବଳ ପଇସା ରୋଜଗାର କରିବାରେ ବ୍ୟସ୍ତ, ଜନତାଙ୍କ ସେବା ପାଇଁ ଏମାନଙ୍କ ପାଖରେ ସମୟ ନାହିଁ। ବିରୋଧୀ ତ ଏମିତି ବି କହୁଛନ୍ତି କି, ଏମାନେ ଚାହୁଁଛନ୍ତି ଓଡ଼ିଶାର ଗରିବ ପିଲାମାନେ ମୂର୍ଖ ହୋଇ ବାହାରନ୍ତୁ। କାରଣ ପିଲାମାନେ ମୂର୍ଖ ହେଲେ ଆଉ ସରକାରଙ୍କୁ ଚାକିରି ମାଗିବେ ନାହିଁ କି ପ୍ରଶ୍ନ କରିବେ ନାହିଁ! ଏହା କଣ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର?
ସାରା ଦେଶରେ ଏବେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। କେଉଁଠି NEET ପ୍ରଶ୍ନପତ୍ର ପ୍ରଘଟ ହେଉଛି, ତ କେଉଁଠି CBSE ମୂଲ୍ୟାୟନରେ ବିଭ୍ରାଟ ଦେଖାଯାଉଛି। ଆଉ ଏବେ ଓଡ଼ିଶାରେ ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ପାଇଛି। କିନ୍ତୁ ଦୁଃଖର କଥା, କୌଣସି ବି ମାମଲାରେ ସରକାରଙ୍କ କୌଣସି ମନ୍ତ୍ରୀ ନିଜର ଆଦର୍ଶଗତ ବା ନୈତିକ ଦାୟିତ୍ୱ ନେଉନାହାନ୍ତି କି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
ଶିକ୍ଷା ହେଉଛି ଏକ ଜାତିର ମେରୁଦଣ୍ଡ। ଯଦି ମେରୁଦଣ୍ଡରେ ହିଁ ୧୬୮୭ଟି ଫାଟ ରହିବ, ତେବେ ଓଡ଼ିଶା କେମିତି ଆଗକୁ ବଢ଼ିବ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ଧୂଳିସାତ କରିବା ପାଇଁ ବିଭାଗ ଭିତରେ ଲୁଚି ରହିଥିବା ଅଫିସରମାନଙ୍କୁ ଚିହ୍ନଟ କରାଯିବା ଦରକାର।
ଆମେ ସରକାରଙ୍କୁ ସେହି ସେହି ପ୍ରଶ୍ନ ପଚାରୁଛୁ, ଯାହା ଆଜି ଓଡ଼ିଶାର ପ୍ରତ୍ୟେକ ଅଭିଭାବକ ପଚାରୁଛନ୍ତି:-
୧. ଏହି ବହିଗୁଡ଼ିକୁ ପୁଣିଥରେ ସଂଶୋଧନ କରି ଛାପିବା ପାଇଁ ଯେଉଁ ଅତିରିକ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ, ତାହା କଣ ସେହି ଦାୟିତ୍ୱହୀନ ଅଧିକାରୀଙ୍କ ଦରମାରୁ ଅସୁଲ କରାଯିବ?
୨. ପିଲାଙ୍କ ଭବିଷ୍ୟତ ନଷ୍ଟ କରିଥିବା ଏହି ଅପରାଧୀ ଅଫିସରମାନଙ୍କୁ କେବେ ଜେଲ୍ ପଠାଯିବ? ୩. ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଅଣ-ଓଡ଼ିଆ ଅଫିସରଙ୍କ ମନମାନିରୁ କେବେ ମୁକ୍ତି ମିଳିବ?
AlsoRead; https://purvapaksa.com/operation-lotus-a-masterstroke-of-democracy-or-the-end-of-regional-parties/


