ମହାଭାରତର ଦୁର୍ଯ୍ୟୋଧନ କେବଳ ଦ୍ୱାପର ଯୁଗରେ ଥିଲେ ବୋଲି ଭାବିବା ଭୁଲ୍। ସେହି ଚରିତ୍ର, ସେହି ମାନସିକତା ଏବଂ ସେହି ସମାନ ଅହଂକାର ଆଜିର କଳିଯୁଗରେ ମଧ୍ୟ ଜୀବିତ ଅଛି। ବିଶେଷ କରି ଭାରତୀୟ ରାଜନୀତିରେ ଏମିତି ଅନେକ ‘କଳିଯୁଗର ଦୁର୍ଯ୍ୟୋଧନ’ ଅଛନ୍ତି, ଯେଉଁମାନେ ନିଜ ଅହଂକାର ଏବଂ ଜିଦ୍ଖୋର ମନୋଭାବ ଯୋଗୁଁ ନିଜର ହିଁ ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି।
ଦୁର୍ଯ୍ୟୋଧନର ସବୁଠାରୁ ବଡ଼ ଦୁର୍ଗୁଣ କ’ଣ ଥିଲା ଜାଣନ୍ତି? ଯାହାକୁ ସେ ନିଜର ସବୁଠାରୁ ବଡ଼ ସଦ୍ଗୁଣ ବୋଲି ଭାବୁଥିଲା— ତାହା ହେଉଛି ତାର ଚରମ ଅହଂକାର, ଅନ୍ଧ ଜିଦ୍ ଏବଂ କାହାରି ସଠିକ୍ ପରାମର୍ଶ ନ ଶୁଣିବାର ପ୍ରବୃତ୍ତି। ଆଜି ଆମେ ଦେଶର ଏମିତି ରାଜନେତାଙ୍କ ବିଷୟରେ ଆଲୋଚନା କରିବା, ଯାହାଙ୍କ ଭିତରେ ଆପଣଙ୍କୁ ମହାଭାରତର ଦୁର୍ଯ୍ୟୋଧନର ସ୍ପଷ୍ଟ ଛବି ଦେଖିବାକୁ ମିଳିବ।
ଅଭିଷେକ ବାନାର୍ଜୀ
ଏହି ତାଲିକାରେ ସବୁଠାରୁ ପ୍ରଥମ ଏବଂ ସର୍ବଶେଷ ନାଁଟି ହେଉଛି ପଶ୍ଚିମବଙ୍ଗର ଅଭିଷେକ ବାନାର୍ଜୀ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା। କିନ୍ତୁ ଏତିକି ପରିଚୟ ଯଥେଷ୍ଟ ନୁହେଁ, ବାସ୍ତବରେ ସେ ଟିଏମସିର ସର୍ବେସର୍ବା ସାଜିଥିଲେ। ୨୦୧୧ରେ ଯେତେବେଳେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଲା, ସେତେବେଳେ ଅଭିଷେକଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା। ଅର୍ଥାତ୍ ରାଜନୀତିରେ ପାଦ ଦେବା ମାତ୍ରେ ତାଙ୍କୁ ପିଉସୀଙ୍କ ତିଆରି ସାମ୍ରାଜ୍ୟ ସୁନା ଥାଳିରେ ପରସା ହୋଇ ମିଳିଗଲା। କୌଣସି ସଂଘର୍ଷ ନ କରି ସେ ସାଂସଦ ହେଲେ, ଦଳର ସାଧାରଣ ସମ୍ପାଦକ ଅର୍ଥାତ୍ ନମ୍ବର-୨ ପଦବୀ ପାଇଗଲେ।
ଏହି ସହଜ ସଫଳତା ତାଙ୍କ ଭିତରେ ଚରମ ଅହଂକାର ଜନ୍ମ ଦେଇଥିଲା। ସେ ଦଳର ପ୍ରତିଷ୍ଠାତା ଓ ବରିଷ୍ଠ ନେତାମାନଙ୍କୁ ଅପମାନିତ କରିବାକୁ ମଧ୍ୟ ପଛାଇଲେ ନାହିଁ। ଠିକ୍ ଯେମିତି ଦୁର୍ଯ୍ୟୋଧନ ମହାଭାରତରେ କାହାକୁ ସମ୍ମାନ ଦେଉନଥିଲା, ଅଭିଷେକ ମଧ୍ୟ ସେମିତି ଆଚରଣ କଲେ। ତାଙ୍କ ଅହଂକାରର ସବୁଠାରୁ ବଡ଼ ଉଦାହରଣ ଥିଲା ୨୦୨୬ ନିର୍ବାଚନ ସମୟରେ, ଯେତେବେଳେ ସେ ଗାଡ଼ିର ବୋନେଟ୍ ଉପରେ ଛିଡ଼ା ହୋଇ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଥିଲେ, “ଦେଖିବା କେଉଁ ବାପା ତୁମକୁ ଦିଲ୍ଲୀରୁ ଆସି ବଞ୍ଚାଉଛି!”
କିନ୍ତୁ ସମୟ ବଦଳିବାକୁ ମାତ୍ର ଦେଢ଼ ମାସ ଲାଗିଲା। ନିର୍ବାଚନ ଫଳାଫଳ ପରେ ପ୍ରଥମେ ସରକାର ଗଲା, ତା’ପରେ ଦଳ ଭାଙ୍ଗିଲା, ବିଧାୟକ ଦଳ ଓ ସଂସଦୀୟ ଦଳ ସବୁ ହାତରୁ ଚାଲିଗଲା। ପଶ୍ଚିମବଙ୍ଗରେ ଟିଏମସିର ଅବସ୍ଥା ମହାରାଷ୍ଟ୍ରର ଶିବସେନା ଏବଂ ଏନସିପି ଭଳି ହେବାକୁ ଯାଉଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିନାଶ ପଛରେ ମମତା ବାନାର୍ଜୀ ‘ଗାନ୍ଧାରୀ’ର ଭୂମିକା ଗ୍ରହଣ କରିଛନ୍ତି। ସେ ସବୁ ଦେଖି ମଧ୍ୟ ନିଜ ଆଖିରେ ପଟି ବାନ୍ଧି ଦେଇଛନ୍ତି। ପୁତୁରା ମୋହରେ ଅନ୍ଧ ହୋଇ ସେ ବରିଷ୍ଠ ନେତାଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲେ। ପଶ୍ଚିମବଙ୍ଗର ଜନସାଧାରଣ ୫ ବର୍ଷ ଧରି ଟିଏମସି ଗୁଣ୍ଡାଙ୍କ ଅତ୍ୟାଚାର ଏବଂ ଅଭିଷେକଙ୍କ ଅହଂକାର ସହିଲେ, ଆଉ ଶେଷରେ ଭୋଟ୍ ମାଧ୍ୟମରେ ସେମାନଙ୍କୁ କ୍ଷମତାରୁ ଦୂରେଇ ଦେଲେ। ଅଭିଷେକ ବାନାର୍ଜୀଙ୍କ ରାଜନୈତିକ ଜୀବନର ଅନ୍ତ ଏବେ ସୁନିଶ୍ଚିତ ହୋଇସାରିଛି।
ରାହୁଲ ଗାନ୍ଧୀ
ଏବେ ଆସନ୍ତୁ ଆଲୋଚନା କରିବା ଦ୍ୱିତୀୟ ଚରିତ୍ରଙ୍କ ବିଷୟରେ, ଯାହାଙ୍କୁ ଆପଣ ରାଜନୀତିର ‘ସଦାବହାର ଦୁର୍ଯ୍ୟୋଧନ’ କହିପାରିବେ। ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୨୦୦୪ରେ ସେ ରାଜନୀତିକୁ ଆସିଲେ ଏବଂ ସେହି ବର୍ଷ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଗଠନ ହେଲା। ଦୀର୍ଘ ୧୦ ବର୍ଷ ସରକାର ରହିଲା ଏବଂ ଗତ ୧୨ ବର୍ଷ ହେବ ସେ ବିରୋଧୀ ଦଳରେ ଅଛନ୍ତି। ଅର୍ଥାତ୍ ପ୍ରାୟ ୨୨ ବର୍ଷରୁ ଅଧିକ ସମୟ ଧରି ନିଜର ପ୍ରତିଭା ଦେଖାଇବା ପାଇଁ ତାଙ୍କୁ ସୁଯୋଗ ମିଳିଛି, କିନ୍ତୁ ପରିଣାମ ଶୂନ। ସେ ସରକାରରେ ଥାଇ ମଧ୍ୟ କିଛି କରିପାରିଲେ ନାହିଁ କି ବିରୋଧୀ ଆସନରେ ବସି ମଧ୍ୟ ଦଳକୁ ସମ୍ଭାଳି ପାରିଲେ ନାହିଁ।
ଠିକ୍ ଦୁର୍ଯ୍ୟୋଧନ ଭଳି ରାହୁଲ ମଧ୍ୟ ନିଜ ଜିଦ୍ ଏବଂ ଭୁଲ୍ ନୀତିରୁ ଶିକ୍ଷା ଗ୍ରହଣ କରୁନାହାନ୍ତି। ଏହାର କାରଣ ହେଉଛନ୍ତି ତାଙ୍କ ମାତା ସୋନିଆ ଗାନ୍ଧୀ। ସୋନିଆ ଗାନ୍ଧୀ ଏଠାରେ ଗାନ୍ଧାରୀ ସାଜିଛନ୍ତି, ଯାହାଙ୍କୁ ପୁତ୍ରର କୌଣସି ଭୁଲ୍ ଦେଖାଯାଉନାହିଁ। ଯଦି ମହାଭାରତରେ ଗାନ୍ଧାରୀ ସମୟ ଥାଉ ଥାଉ ଦୁର୍ଯ୍ୟୋଧନ ଉପରେ ଅଙ୍କୁଶ ଲଗାଇଥାନ୍ତେ, ତେବେ କୌରବ ବଂଶ ନାଶ ହୋଇନଥାନ୍ତା। ସେହିପରି ସୋନିଆ ଗାନ୍ଧୀ ରାହୁଲଙ୍କୁ ସଠିକ୍ ସମୟରେ ଅଟକାଇ ନଥିବାରୁ କେବଳ ଗାନ୍ଧୀ ପରିବାର ନୁହେଁ, ବରଂ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଧୀରେ ଧୀରେ ବିଲୁପ୍ତ ଆଡ଼କୁ ଗତି କରୁଛି। କ୍ରମାଗତ ତିନିଟି ଲୋକସଭା ନିର୍ବାଚନ ହାରିବା ପରେ ମଧ୍ୟ ଏହି ଅହଂକାର ଓ ଜିଦ୍ ଭାଙ୍ଗୁନାହିଁ।
ତେଜସ୍ୱୀ ଯାଦବ
ଏହି କ୍ରମରେ ତୃତୀୟ ଦୁର୍ଯ୍ୟୋଧନ ହେଉଛନ୍ତି ବିହାରର ତେଜସ୍ୱୀ ଯାଦବ। ୨୦୧୫ରେ ଯେତେବେଳେ ସେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ିଲେ, ଜେଡିୟୁ ଏବଂ ଆରଜେଡି ମେଣ୍ଟ ଯୋଗୁଁ ସେ ସିଧାସଳଖ ଉପ-ମୁଖ୍ୟମନ୍ତ୍ରୀ (Deputy CM) ଆସନରେ ବସିଗଲେ। ଏହି ରେଡିମେଡ ସାମ୍ରାଜ୍ୟ ତାଙ୍କ ମୁଣ୍ଡକୁ ଏତେ ପିତ୍ତ ଚଢ଼ାଇ ଦେଲା ଯେ, ସେ ନିଜ ପିତାଙ୍କ ବୟସର ନୀତିଶ କୁମାରଙ୍କୁ ଅପମାନିତ କରିବାକୁ ପଛାଇଲେ ନାହିଁ। ବିହାରର ଜନସାଧାରଣଙ୍କୁ ସେ ନିଜର ପ୍ରଜା ଭାବିବା ଆରମ୍ଭ କରିଦେଲେ।
ବିହାର ଜନସାଧାରଣ ୨୦୨୦ ନିର୍ବାଚନରେ ଆରଜେଡିକୁ ସବୁଠାରୁ ବଡ଼ ଦଳ ଭାବେ ସୁଯୋଗ ଦେଇଥିଲେ, କିନ୍ତୁ ତେଜସ୍ୱୀଙ୍କ ଅହଂକାର ଆଗରେ ସେସବୁ ମୂଲ୍ୟହୀନ ସାବ୍ୟସ୍ତ ହେଲା। ପରିଣାମସ୍ୱରୂପ, ୨୦୨୫ ବିଧାନସଭା ନିର୍ବାଚନରେ ଆରଜେଡି ମାତ୍ର ୨୫ଟି ଆସନରେ ସିମିଟି ଗଲା— ଯାହା କେବଳ ବିରୋଧୀ ଦଳ ନେତା ପଦବୀ ପାଇଁ ହିଁ ଯଥେଷ୍ଟ। ଲାଲୁ ଯାଦବ ଏବଂ ରାବ୍ରୀ ଦେବୀ ନିଜ ପୁତ୍ରର କାର୍ଯ୍ୟକଳାପ ଉପରେ ଆଖି ବୁଜି ଦେଇଥିଲେ, ଯାହାର ମୂଲ୍ୟ ଆଜି ସାରା ପରିବାର ଓ ଦଳକୁ ଦେବାକୁ ପଡ଼ୁଛି।
ଭି କେ ପାଣ୍ଡିଆନ
ଏହି କ୍ରମରେ ଚତୁର୍ଥ ଦୁର୍ଯ୍ୟୋଧନ ହେଉଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ଗେଲବସରର ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ୨୦୧୪ ଓ ୨୦୧୯ ନିର୍ବାଚନ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରଣନୀତି ଅନୁସାରେ ଦଳ ଲଢ଼ି ଅପାର ସଫଳତା ଲାଭ କଲା। ଏଇଠୁ ଆରମ୍ଭ ହେଲା ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ନିଶା। ୨୦୨୪ ନିର୍ବାଚନରେ ସେ ନିଜକୁ ବିଜେଡିର ସର୍ବେସର୍ବା ଭଳି ଲୋକଙ୍କ ସାମ୍ପାରେ ଉପସ୍ଥାପିତ କଲେ। ଟାହା ପଲରେ ଓଡ଼ିଶାବାସୀ ତାଙ୍କୁ ଓ ନବୀନଙ୍କ ପାନେ ଦେବା ପାଇଁ ଶାସନ କ୍ଷମତାରୁ ହଟାଇ ଦେଲେ। ଏତେସବୁ ହେଲା ପରେ ବି ନବୀନ ପାଣ୍ଡିଆନଙ୍କୁ ଛାଡ଼ି ପାରୁ ନାହାନ୍ତି, ବରଂ ତାଙ୍କ ପ୍ରଶଂସା ବାରମ୍ବାର କରିବାରେ ଲାଗିଛନ୍ତି।
ଏହି ରାଜନେତାଙ୍କ କାହାଣୀରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼ୁଛି— ପ୍ରତ୍ୟେକ ଦୁର୍ଯ୍ୟୋଧନ ପଛରେ ଏଭଳି ପିତାମାତା ବା ଅଭିଭାବକ ଥାନ୍ତି, ଯେଉଁମାନେ ହୁଏତ ଜନ୍ମରୁ ଅନ୍ଧ କିମ୍ବା ସବୁ ଦେଖି ମଧ୍ୟ ଆଖିରେ ପଟି ବାନ୍ଧିଦିଅନ୍ତି। ଧୃତରାଷ୍ଟ୍ର ସବୁ ବୁଝୁଥିଲେ, କିନ୍ତୁ ପୁତ୍ର ମୋହରେ ସେ ସବୁକିଛି ବିନାଶ ହେବାକୁ ଦେଲେ। ଆଜିର ରାଜନୀତିରେ ମଧ୍ୟ ସେଇଆ ହିଁ ହେଉଛି। ପୁତ୍ର କିମ୍ବା ପୁତୁରା ମୋହରେ ଅନ୍ଧ ହୋଇ ଦଳ, ସଙ୍ଗଠନ ଏବଂ ସରକାର ସବୁକିଛି ହାତରୁ ଚାଲିଯାଉଛି।
ଇତିହାସ ସାକ୍ଷୀ ଅଛି, ଦୁର୍ଯ୍ୟୋଧନ ଯେଉଁ ଯୁଗରେ ବି ଆସୁନା କାହିଁକି, ସେ ନିଜର ହିଁ ସାମ୍ରାଜ୍ୟକୁ ଧ୍ୱଂସ କରେ। ଗଣତନ୍ତ୍ରରେ ଜନସାଧାରଣ ହିଁ ସର୍ବୋପରି ଏବଂ ଏଠାରେ ଅହଂକାରର ସ୍ଥାନ ନାହିଁ।
AlsoRead; https://purvapaksa.com/odisha-coast-is-the-target-of-the-enemy/
ଶତ୍ରୁଙ୍କ ଟାର୍ଗେଟରେ ଓଡ଼ିଶା ଉପକୂଳ! || Odisha coast is the target of the enemy!


