ଆମ ଦେଶ ଭାରତରେ ଗଣତନ୍ତ୍ରର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ଏଠାକାର ଆଞ୍ଚଳିକ ଦଳ (Regional Parties)। ସ୍ଥାନୀୟ ସଂସ୍କୃତି, ଆଞ୍ଚଳିକ ଅସ୍ମିତା ଏବଂ ଜନସାଧାରଣଙ୍କ ସ୍ୱରକୁ ନେଇ ଏହି ଦଳଗୁଡ଼ିକ ଗଠନ ହୋଇଥିଲା।
ସେ ଜାତୀୟ ସ୍ତରରେ କଂଗ୍ରେସ କିମ୍ବା ବିଜେପି ଭଳି ବଡ଼ ବଡ଼ ଜାତୀୟ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଇ ରାଜ୍ୟଗୁଡ଼ିକରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। କିନ୍ତୁ ଆଜି ଆମେ ଏମିତି ଏକ କାହାଣୀ ବିଷୟରେ ଆଲୋଚନା କରିବା, ଯେଉଁଥିରେ ଆପଣ ଦେଖିବେ ଯେ, କେମିତି ଏହି ଶକ୍ତିଶାଳୀ ଆଞ୍ଚଳିକ ଦଳଗୁଡ଼ିକ ବାହାର ଶତ୍ରୁ ଯୋଗୁଁ ନୁହେଁ, ବରଂ ନିଜ ଘର ଭିତରର ‘ଉତ୍ତରାଧିକାରୀ କନ୍ଦଳ’ (Heir Leadership Conflict) ଯୋଗୁଁ ଖଣ୍ଡ-ଖଣ୍ଡ ହୋଇ ଭାଙ୍ଗିଯାଇଛନ୍ତି।
୨. ଇତିହାସ: ଆଞ୍ଚଳିକ ଦଳଗୁଡ଼ିକର ଉତ୍ଥାନ କେମିତି ହୋଇଥିଲା?
ଭାରତ ସ୍ୱାଧୀନ ହେବାର ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଦେଶରେ କେବଳ ଗୋଟିଏ ଦଳର ଶାସନ ଥିଲା— ସେ ହେଉଛି କଂଗ୍ରେସ। କିନ୍ତୁ ୧୯୬୦ ଏବଂ ୧୯୭୦ ଦଶନ୍ଧି ଆଡ଼କୁ ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ସମସ୍ୟା, ସ୍ଥାନୀୟ ଭାଷା ଏବଂ ସଂସ୍କୃତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା। ଦିଲ୍ଲୀରେ ବସିଥିବା ହାଇକମାଣ୍ଡ ଶାସନକୁ ବିରୋଧ କରି ରାଜ୍ୟଗୁଡ଼ିକରେ ଶକ୍ତିଶାଳୀ ନେତାମାନଙ୍କର ଉତ୍ଥାନ ହେଲା।
ତାମିଲନାଡୁରେ ଦ୍ରାବିଡ଼ ଆନ୍ଦୋଳନରୁ ଜନ୍ମ ନେଲା ଡିଏମକେ, ଆନ୍ଧ୍ରପ୍ରଦେଶରେ ତେଲକୁ ଅସ୍ମିତାକୁ ନେଇ ଏନ.ଟି. ରାମାରାଓ ଗଠନ କଲେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ଓ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଭଳି ଦଳଗୁଡ଼ିକ ଆଞ୍ଚଳିକ ଶକ୍ତି ଭାବେ ଉଭା ହେଲେ। ଏହି ନେତାମାନେ ଗ୍ରାଉଣ୍ଡ ସ୍ତରରେ ଏତେ ଲୋକପ୍ରିୟ ଥିଲେ ଯେ, ସେମାନଙ୍କୁ ନିଜ ନିଜ ରାଜ୍ୟର ଅଘୋଷିତ ସମ୍ରାଟ କୁହାଯାଉଥିଲା।
ଏହି ଆଞ୍ଚଳିକ ଦଳଗୁଡ଼ିକର ସବୁଠାରୁ ବଡ଼ ଦୁର୍ବଳତା ଥିଲା— ‘ପରିବାରବାଦ’ ଏବଂ ‘ୱାନ୍-ମ୍ୟାନ୍ ଶୋ’ (One-Man Show)। ଦଳର ପ୍ରତିଷ୍ଠାତା ଯେ ପର୍ଯ୍ୟନ୍ତ ଜୀବିତ ବା ସକ୍ରିୟ ଥିଲେ, ସେ ପର୍ଯ୍ୟନ୍ତ ଦଳ ମଜବୁତ ଥିଲା। କିନ୍ତୁ ଯେତେବେଳେ ସେମାନଙ୍କର ବୟସ ହେଲା ଏବଂ ନିଜର ଉତ୍ତରାଧିକାରୀ ବାଛିବା ସମୟ ଆସିଲା, ସେତେବେଳେ ଘର ଭିତରୁ ହିଁ ବିଦ୍ରୋହ ଆରମ୍ଭ ହୋଇଗଲା। ଆସନ୍ତୁ ନଜର ପକାଇବା ଏମିତି କିଛି ବଡ଼ ରାଜନୈତିକ ଉଦାହରଣ ଉପରେ।
ଏହି ଆଞ୍ଚଳିକ ଦଳମାନଙ୍କ ଭିତରୁ ଏବେ ଟିଏମସି ବଡ଼ ଚର୍ଚ୍ଚାରେ ରହିଛି। କାରଣ ଗତ ମାସରେ ନିର୍ବାଚନ ହାରିବା ପରେ ଏବେ ଦଳ ଏହାର ଉତ୍ତରାଧିକାରୀକୁ ନେଇ ବଡ଼ ସମସ୍ୟାରେ ପଡ଼ିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଟିଏମସିର ଭବିଷ୍ୟତ ନେତା ବୋଲି କୁହାଯାଉଛି। ତାଙ୍କୁ ବିରୋଧ କରି ୮୦ଜଣ ବିଧାୟକମାନଙ୍କ ମଧ୍ୟରୁ ୬୦ଜଣ ବିଧାୟକ ଓ ଲୋକସଭାରେ ଥିବା ୨୯ଜଣ ସାଂସଦଙ୍କ ମଧ୍ୟରୁ ୨୦ଜଣ ଅଲଗା ହୋଇ ପାର୍ଟି ଉପରେ କବଜା କରିବାକୁ ଯାଉଛନ୍ତି। ଆଗକୁ କ’ଣ ହେବ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ।
ଆଞ୍ଚଳିକ ଦଳ ଭାଙ୍ଗିବାର ସବୁଠାରୁ ବଡ଼ ଏବଂ ପ୍ରଥମ ଐତିହାସିକ ଉଦାହରଣ ହେଉଛି ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)। ଏହାର ପ୍ରତିଷ୍ଠାତା ଏନ.ଟି. ରାମାରାଓ, ସେଠାରେ ଭଗବାନଙ୍କ ଭଳି ପୂଜା ପାଉଥିଲେ। କିନ୍ତୁ ୧୯୯୫ ମସିହାରେ ତାଙ୍କର ଦ୍ୱିତୀୟ ପତ୍ନୀ ଲକ୍ଷ୍ମୀ ପାର୍ବତୀଙ୍କର ଦଳ ଭିତରେ ପ୍ରଭାବ ବଢ଼ିବାକୁ ନେଇ ପରିବାରରେ କନ୍ଦଳ ସୃଷ୍ଟି ହେଲା। ଏନ.ଟି. ରାମାରାଓଙ୍କ ଜାମାତା ଚନ୍ଦ୍ରବାବୁ ନାଇଡୁ ଏହାର ସୁଯୋଗ ନେଇ ଦଳର ଅଧିକାଂଶ ବିଧାୟକଙ୍କୁ ନିଜ ଆଡ଼କୁ ଆଣିଲେ ଏବଂ ନିଜ ଶ୍ୱଶୁର ଏନ.ଟି. ରାମାରାଓଙ୍କୁ କ୍ଷମତାରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ପାଲଟିଗଲେ। ଏହି ଧକ୍କାକୁ ଏନ.ଟି. ରାମାରାଓ ସହ୍ୟ କରିପାରିନଥିଲେ।
ତାମିଲନାଡୁରେ ଡିଏମକେ ଗୋଟିଏ ବଡ଼ ଆନ୍ଦୋଳନରୁ ଆସିଥିବା ଦଳ।
ପେରିୟାର…
ଅନ୍ନାଦୁରୈ…
କରୁଣାନିଧିଙ୍କ ନେତୃତ୍ୱରେ ଏହି ଦଳ ଦକ୍ଷିଣ ଭାରତର ରାଜନୀତିକୁ ବଦଳାଇ ଦେଇଥିଲା।
କିନ୍ତୁ ଏଠି ମଧ୍ୟ ଉତ୍ତରାଧିକାର ରାଜନୀତି ଆସିଲା।
କରୁଣାନିଧି ପରେ ଷ୍ଟାଲିନ।
ଏବେ ଆଲୋଚନା—
ଷ୍ଟାଲିନ ପରେ ଉଦୟନିଧି ଷ୍ଟାଲିନ?
ଅର୍ଥାତ ଦଳରେ ନେତୃତ୍ୱ ଗୋଟିଏ ପରିବାର ଭିତରେ ହିଁ ଘୁରୁଛି।
ଏହା ଲୋକତନ୍ତ୍ର?
ନା “ରାଜନୀତିକ ରାଜତନ୍ତ୍ର”?
ମହାରାଷ୍ଟ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାଲାସାହେବ ଠାକରେଙ୍କ ଦ୍ୱାରା ଗଠିତ ଶିବସେନାର ଅସଲ ଉତ୍ତରାଧିକାରୀ କୁହାଯାଉଥିବା ତାଙ୍କ ପୁତୁରା ରାଜ୍ ଠାକରେଙ୍କୁ ପଛରେ ପକାଇ, ବାଲାସାହେବ ନିଜ ପୁଅ ଉଦ୍ଧବ ଠାକରେଙ୍କୁ ଦଳର କମାଣ୍ଡ ଦେଲେ। ପରିଣାମସ୍ୱରୂପ ରାଜ୍ ଠାକରେ ଦଳ ଛାଡ଼ି ନୂଆ ପାର୍ଟି ଏମଏନଏସ ଗଠନ କଲେ। ସେତିକିରେ ଏହି କନ୍ଦଳ ସରିଲାନି, ପରବର୍ତ୍ତୀ ସମୟରେ ଏକନାଥ ସିନ୍ଦେ ବିଦ୍ରୋହ କରି ଅସଲ ଶିବସେନାକୁ ହିଁ ନିଜ ନିୟନ୍ତ୍ରଣକୁ ନେଇଗଲେ।
ଠିକ୍ ସେହିପରି ଶରଦ ପାୱାରଙ୍କ ଏନସିପି ଦଳରେ ମଧ୍ୟ ତାଙ୍କ ପୁତୁରା ଅଜିତ ପାୱାର ଏବଂ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରେ ଉତ୍ତରାଧିକାରୀ ଯୁଦ୍ଧ ହେଲା। ଶରଦ ପାୱାର ନିଜ ଝିଅକୁ ଆଗକୁ ବଢ଼ାଇବାରୁ ଅସନ୍ତୁଷ୍ଟ ହୋଇ ଅଜିତ ପାୱାର ବିଧାୟକମାନଙ୍କୁ ନେଇ ଦଳ ଭାଙ୍ଗିଦେଲେ ଏବଂ ଅସଲ ପାର୍ଟି ଚିହ୍ନ ହାସଲ କରିନେଲେ।
ବିହାରରେ ଲାଲୁ ପ୍ରସାଦ ଯାଦବ ଗୋଟିଏ ବଡ ନାଁ।
ତାଙ୍କର ରାଜନୀତି… ତାଙ୍କର ଭାଷା…
ଆଜି ମଧ୍ୟ ଅଲଗା ପ୍ରଭାବ ରଖେ।
କିନ୍ତୁ ଲାଲୁ ଜେଲ୍ ଯିବା ପରେ…
ଦଳର ନିୟନ୍ତ୍ରଣ କାହା ପାଖରେ?
ରାବଡ଼ୀ ଦେବୀ?
ତେଜସ୍ୱୀ?
ତେଜ ପ୍ରତାପ?
ଦଳ ଧୀରେ ଧୀରେ “ପରିବାର କେନ୍ଦ୍ରିକ” ହୋଇଗଲା।
ତେଜସ୍ୱୀ ନିଶ୍ଚୟ ଆଜି ବିକଳ୍ପ ଭାବେ ଉଠିଛନ୍ତି।
କିନ୍ତୁ ପ୍ରଶ୍ନ ଆଜି ମଧ୍ୟ ରହିଛି—
ଆରଜେଡି କେବଳ ଲାଲୁ ପରିବାରର ଦଳ ନା?
ଉତ୍ତର ପ୍ରଦେଶର ସବୁଠାରୁ ବଡ଼ ରାଜନୈତିକ ପରିବାର ଯାଦବ ପରିବାରରେ ମଧ୍ୟ ୨୦୧୭ ନିର୍ବାଚନ ପୂର୍ବରୁ ଏକ ବଡ଼ ମହାଭାରତ ଦେଖିବାକୁ ମିଳିଥିଲା। ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ୍ ଯାଦବ ଏବଂ ପୁଅ ଅଖିଳେଶ ଯାଦବଙ୍କ ମଧ୍ୟରେ ଦଳ ଉପରେ କବ୍ଜା କରିବାକୁ ନେଇ ଏଭଳି ଯୁଦ୍ଧ ହେଲା ଯେ, ଅଖିଳେଶ ନିଜ ପିତା ମୁଲାୟମ ସିଂହଙ୍କୁ ଜାତୀୟ ସଭାପତି ପଦରୁ ହଟାଇ ନିଜେ ଦଳର ସର୍ବେସର୍ବା ପାଲଟିଗଲେ ଏବଂ କକା ଶିବପାଲ୍ଙ୍କୁ ଦଳରୁ ବାହାର କରିଦିଆଗଲା।
ଏହି ସବୁ ଜାତୀୟ ଉଦାହରଣ ଦେଖିବା ପରେ ଏବେ ଆମ ଓଡ଼ିଶାର ସାଧାରଣ ଜନତାଙ୍କ ମନରେ ମଧ୍ୟ ଏକ ବଡ଼ ପ୍ରଶ୍ନ ଉଠୁଛି। ଓଡ଼ିଶାରେ ବିଗତ ୨୪ ବର୍ଷ ଧରି ଶାସନ ଗାଦିରେ ଥିବା ଏବଂ ଓଡ଼ିଶାର ସବୁଠାରୁ ସଫଳ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ବା ବିଜେଡିର ଭବିଷ୍ୟତ କଣ ହେବ?
ବିଜେଡିର ସର୍ବେସର୍ବା ନବୀନ ପଟ୍ଟନାୟକଙ୍କର କୌଣସି ପାରିବାରିକ ଉତ୍ତରାଧିକାରୀ ନାହାନ୍ତି। ଗତ ନିର୍ବାଚନରେ ଦଳ କ୍ଷମତାରୁ ଦୂରେଇ ଯିବା ପରେ ଏବେ ଦଳର ଦ୍ୱିତୀୟ ସ୍ତରର ନେତୃତ୍ୱ କିଏ ନେବ, ତାକୁ ନେଇ ଏକ ଅଦୃଶ୍ୟ ଦ୍ୱନ୍ଦ୍ୱ ଚାଲିଛି। ଇତିହାସ କହୁଛି ଯେଉଁ ଆଞ୍ଚଳିକ ଦଳ ନିଜର ସଠିକ୍ ଏବଂ ଗ୍ରହଣଯୋଗ୍ୟ ଉତ୍ତରାଧିକାରୀ ସମୟ ଥାଉ ଥାଉ ପ୍ରସ୍ତୁତ କରିପାରିନାହିଁ, ସେହି ଦଳଗୁଡ଼ିକ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ ବିଭାଜନର ସାମ୍ନା କରିଛନ୍ତି।
ଆଞ୍ଚଳିକ ଦଳଗୁଡ଼ିକର ଇତିହାସ ଏବଂ ସେମାନଙ୍କର ଏହି ପାରିବାରିକ କ୍ଷମତା ଯୁଦ୍ଧ ଆମକୁ ଏହା ଶିଖାଏ ଯେ— ରାଜନୀତିରେ ଯେତେବେଳେ ଆଦର୍ଶ ପଛରେ ରହିଯାଏ ଏବଂ ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା ଆଗକୁ ଚାଲିଆସେ, ସେତେବେଳେ ବଡ଼ ବଡ଼ ସାମ୍ରାଜ୍ୟ ମଧ୍ୟ ତାସର ଘର ଭଳି ଭାଙ୍ଗିଯାଏ। ପରିବାରବାଦରୁ ବାହାରି ଯେଉଁ ଦଳ ଗ୍ରାଉଣ୍ଡ ସ୍ତରର ଯୋଗ୍ୟ ନେତାଙ୍କୁ ନିଜର ଉତ୍ତରାଧିକାରୀ ବାଛିବ, ସେହି ଆଞ୍ଚଳିକ ଦଳ ହିଁ ଗଣତନ୍ତ୍ରରେ ଦୀର୍ଘ ଦିନ ଧରି ତିଷ୍ଠି ରହିପାରିବ।
AlsoRead; https://purvapaksa.com/oshb-is-implementing-6877-new-housing-projects-under-the-scheme-in-odisha/


