ତାମିଲନାଡୁରେ ଅନ୍ନାମଲାଇଙ୍କୁ ନେଇ ଚର୍ଚ୍ଚା ତୀବ୍ର, ବିଜେପି ପାଇଁ ବଢ଼ୁଛି ରାଜନୈତିକ ଚାପ
ତାମିଲନାଡୁ ରାଜନୀତିରେ ପୂର୍ବତନ IPS ଅଧିକାରୀ ଏବଂ ତାମିଲନାଡୁ ବିଜେପିର ପୂର୍ବତନ ସଭାପତି କେ. ଅନ୍ନାମଲାଇଙ୍କୁ ନେଇ ଏବେ ଚର୍ଚ୍ଚା ତୀବ୍ର ହୋଇଛି। ରାଜନୈତିକ ମହଳରେ ଏହି ନେଇ ଅନେକ ଅଟକଳନା ଚାଲିଛି ଯେ, ଅନ୍ନାମଲାଇ କି ବିଜେପିଠାରୁ ଅଲଗା ରାସ୍ତା ନେବାକୁ ଯାଉଛନ୍ତି? ସେ କି ନୂଆ ରାଜନୈତିକ ଆନ୍ଦୋଳନ କିମ୍ବା ଦଳ ଗଠନ କରିପାରନ୍ତି? ଏହି ସମ୍ଭାବନାକୁ ନେଇ ତାମିଲନାଡୁର ରାଜନୀତିରେ ନୂଆ ଉତ୍ସୁକତା ସୃଷ୍ଟି ହୋଇଛି।
ତାମିଲନାଡୁରେ ଦଶକ ଧରି ଦ୍ରାବିଡ଼ ରାଜନୀତିର ପ୍ରଭାବ ରହିଆସିଛି। DMK ଏବଂ AIADMK ମଧ୍ୟରେ ହିଁ ରାଜ୍ୟର ମୁଖ୍ୟ ରାଜନୀତି ଘୁରୁଥିଲା। ଏହି ପରିସ୍ଥିତିରେ ଅନ୍ନାମଲାଇ ଏକ ନୂଆ ଚେହେରା ଭାବେ ଉଦୟ ହୋଇଥିଲେ। ପୂର୍ବତନ IPS ଅଧିକାରୀ ଭାବେ ସେ ସରଳ ଏବଂ ଆକ୍ରମକ ଶୈଳୀରେ DMK ସରକାର ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ଏବଂ ସନାତନ ଧର୍ମ ସମ୍ବନ୍ଧୀୟ ବିବାଦୀୟ ବୟାନକୁ ନେଇ DMKକୁ ଖୋଲାଖୋଲି ଟାର୍ଗେଟ୍ କରିଥିଲେ।
ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁସାରେ, ଅନ୍ନାମଲାଇ ତାମିଲନାଡୁର ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂଆ ରାଜନୈତିକ ଉତ୍ସାହ ସୃଷ୍ଟି କରିଥିଲେ। “ମୋ ମାଟି, ମୋ ଲୋକ” ନାମକ ତାଙ୍କ ପଦଯାତ୍ରା ତାମିଲନାଡୁରେ ବିଜେପିର ସଂଗଠନକୁ ଗାଁ ଗାଁରେ ପହଞ୍ଚାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ଶେୟାର ଯେଉଁଠାରେ ୩.୫୮ ପ୍ରତିଶତ ଥିଲା, ୨୦୨୪ରେ ଏହା ୧୧ ପ୍ରତିଶତ ଉପରେ ପହଞ୍ଚିଥିବା ଦାବି କରାଯାଉଛି।
ହେଲେ ଏହି ସମୟରେ ବିଜେପି ହାଇକମାଣ୍ଡ ପୁଣିଥରେ AIADMK ସହ ସମ୍ପର୍କ ମଜବୁତ କରିବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି। ରାଜନୈତିକ ମହଳରେ ଏହାକୁ ନେଇ ମତ ଦିଆଯାଉଛି ଯେ, ଅନ୍ନାମଲାଇ ଯେଉଁ ଦ୍ରାବିଡ଼ ରାଜନୀତିକୁ ଚ୍ୟାଲେଞ୍ଜ କରୁଥିଲେ, ବିଜେପି ପୁଣି ସେହି ପୁରୁଣା ମେଳମିଶା ରାଜନୀତିକୁ ଫେରିବାକୁ ଚେଷ୍ଟା କରିଥିବାରୁ ସେ ଅସନ୍ତୁଷ୍ଟ ହୋଇପାରନ୍ତି।
ନିର୍ବାଚନ ପରେ ଅନ୍ନାମଲାଇଙ୍କ ଦିଲ୍ଲୀ ଗସ୍ତ ଏବଂ ଶୀର୍ଷ ବିଜେପି ନେତାଙ୍କ ସହ ବୈଠକ ପରେ ଅଟକଳନା ଆଉ ଜୋର ଧରିଛି। ଏହା ସହିତ ଚେନ୍ନାଇ ଏୟାରପୋର୍ଟରେ ତାଙ୍କ ଗାଡ଼ିରୁ ବିଜେପି ପତାକା ନଥିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।
ଏହି ସମୟରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଅନ୍ନାମଲାଇଙ୍କ ସମର୍ଥନରେ ପୋଷ୍ଟର ଲାଗିଛି। “Next Avatar to Save Tamil Nadu” ଏବଂ “Our Leader, Come and Lead Us” ଭଳି ସ୍ଲୋଗାନ ସହିତ ସୋସିଆଲ ମିଡିଆରେ “Singham Returns” ଟ୍ରେଣ୍ଡ କରୁଛି। ଏହାକୁ ଅନ୍ନାମଲାଇଙ୍କ ସମର୍ଥକମାନଙ୍କ ଭିତରେ ବଢ଼ୁଥିବା ଉତ୍ସାହର ସଙ୍କେତ ଭାବେ ଦେଖାଯାଉଛି।
ଏପଟେ ତାମିଲ ଅଭିନେତା ବିଜୟଙ୍କ ନୂଆ ରାଜନୈତିକ ଦଳ TVK ମଧ୍ୟ ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି। କିଛି ରାଜନୈତିକ ବିଶ୍ଳେଷକଙ୍କ ମତରେ, ତାମିଲନାଡୁରେ ଯେଉଁ ଆଣ୍ଟି-ଦ୍ରାବିଡ଼ ରାଜନୀତିକ ମାହୋଲ ସୃଷ୍ଟି ହୋଇଛି, ତାହାର ଏକ ବଡ଼ ଭାଗ ଅନ୍ନାମଲାଇଙ୍କ ଆନ୍ଦୋଳନର ପରିଣାମ।
ଏବେ ରାଜନୈତିକ ମହଳରେ ଏହି ଚର୍ଚ୍ଚା ମଧ୍ୟ ଚାଲିଛି ଯେ, ଅନ୍ନାମଲାଇ “Makkal Shakthi Iyakkam” ନାମରେ ଏକ ନୂଆ ସାମାଜିକ କିମ୍ବା ରାଜନୈତିକ ଆନ୍ଦୋଳନ ଆରମ୍ଭ କରିପାରନ୍ତି। ଏହାକୁ ତାମିଲ ସଂସ୍କୃତି ଏବଂ ସନାତନ ଭାବନାକୁ ମିଶାଇ ଏକ ନୂଆ ରାଜନୈତିକ ପରିକଳ୍ପନା ଭାବେ ଦେଖାଯାଉଛି।
RSSର ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। କିଛି ରାଜନୈତିକ ମହଳର ମତ ଅନୁସାରେ, ତାମିଲନାଡୁରେ ସନାତନ ଏବଂ ତାମିଲ ଜାତୀୟତାବାଦକୁ ମିଶାଇ ଯଦି ନୂଆ ଆନ୍ଦୋଳନ ଆରମ୍ଭ ହୁଏ, ତେବେ RSS ତାହାକୁ ସମର୍ଥନ କରିପାରେ। ହେଲେ ଏନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଆସିନାହିଁ।
ଏପର୍ଯ୍ୟନ୍ତ ଅନ୍ନାମଲାଇ ବିଜେପି ଛାଡ଼ିବା କିମ୍ବା ନୂଆ ଦଳ ଗଠନ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ତଥାପି ତାମିଲନାଡୁରେ ଯେଉଁ ରାଜନୈତିକ ସଙ୍କେତ ଦେଖାଯାଉଛି, ତାହା ରାଜ୍ୟର ରାଜନୀତିରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନର ସୂଚନା ଦେଉଛି।
AlsoRead; http://purvapaksa.com/mahabharata-in-bjp-is-dharmendra-an-indirect-target-of-aparajita/


