ଭାରତ ଭୂମିରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ମୋଦୀ ସରକାର ଏବେ ଏକ ବିରାଟ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିସାରିଛନ୍ତି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରି ସାରା ଦେଶକୁ ଜଣାଇଛନ୍ତି ଯେ, ଭାରତର ସୁରକ୍ଷା ଏବଂ ଜନସାଂଖ୍ୟିକ ଅସନ୍ତୁଳନ ବା ବଦଳୁଥିବା ଡେମୋଗ୍ରାଫି (Demography) ଉପରେ ଏକ ବଡ଼ ସର୍ଜିକାଲ ଆକ୍ସନ ନିଆଯାଉଛି।

ଦେଶରେ ଚାଲିଥିବା ବେଆଇନ ଅନୁପ୍ରବେଶ ଏବଂ ଜନସଂଖ୍ୟାର ଅସ୍ୱାଭାବିକ ପରିବର୍ତ୍ତନର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ ‘ହାଇ ଲେଭଲ୍ କମିଟି ଅନ୍ ଡେମୋଗ୍ରାଫିକ୍ ଚେଞ୍ଜ’ (High Level Committee on Demographic Change) ର ଗଠନ କରିଛନ୍ତି। ଅମିତ ଶାହ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଅସ୍ୱାଭାବିକ ଜନସାଂଖ୍ୟିକ ପରିବର୍ତ୍ତନ ଯେକୌଣସି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ଭୟଙ୍କର ବିପଦ। ଆଜି ଆମେ ‘ପୂର୍ବପକ୍ଷ’ର ଏହି ସ୍ୱତନ୍ତ୍ର ଏପିସୋଡ୍ରେ ସମ୍ପୂର୍ଣ୍ଣ ଆନାଲିସିସ୍ କରିବା ଯେ, ଏହି ହାଇ-ଲେଭଲ୍ କମିଟିର ସୁପର-ପ୍ଲାନ୍ କଣ? କେମିତି ଏହି ବେଆଇନ ବାଂଲାଦେଶୀମାନେ ଭାରତର ଗରିବଙ୍କ ହକ୍ ଏବଂ ଅର୍ଥନୀତିକୁ କ୍ଷତି ପହଞ୍ଚାଉଛନ୍ତି ଏବଂ ଏହା ପଛରେ ଥିବା ଆନ୍ତର୍ଜାତୀୟ କୂଟନୈତିକ ଆହ୍ୱାନ କଣ ରହିଛି।
ଏହି ଶକ୍ତିଶାଳୀ କମିଟିରେ କେଉଁମାନେ ସାମିଲ ଓ ଏହାର କାମ କ’ଣ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୫ ରେ ଲାଲକିଲ୍ଲାରୁ ଯେଉଁ ‘ହାଇ ପାୱାର ଡେମୋଗ୍ରାଫି ମିଶନ’ର ଘୋଷଣା କରିଥିଲେ, ତାହା ଅଧୀନରେ ଏହି କମିଟି ପ୍ରସ୍ତୁତ କରାଯାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ପ୍ରକାଶ ପ୍ରଭାକର ନାଭଲେକରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ତାଙ୍କ ସହ ଦେଶର ଟପ୍ ଏକ୍ସପର୍ଟ— ଯେମିତିକି ଦେଶର ସେନସସ୍ କମିଶନର, ପୂର୍ବତନ ଆଇଏଏସ୍ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ବାଲାଜୀ ଶ୍ରୀବାସ୍ତବ ଏବଂ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଡକ୍ଟର ଶମିକା ରବି ଏଥିରେ ସଦସ୍ୟ ଅଛନ୍ତି।

ଏହି କମିଟି କୌଣସି ସାଧାରଣ ଯାଞ୍ଚ ଦଳ ନୁହେଁ । ଆଗାମୀ ୧୨ ମାସ ଅର୍ଥାତ୍ ଏକ ବର୍ଷ ଭିତରେ ଏହି କମିଟି ସାରା ଭାରତରେ ହେଉଥିବା ବେଆଇନ ଅନୁପ୍ରବେଶର ପ୍ୟାଟର୍ଣ୍ଣ, ଧାର୍ମିକ ଓ ସାମାଜିକ ସ୍ତରରେ ଆସିଥିବା ଅସ୍ୱାଭାବିକ ବଦଳର ସମ୍ପୂର୍ଣ୍ଣ ରିପୋର୍ଟ ଏବଂ ତା’ର ସମୟସୀମା ଭିତ୍ତିକ ସମାଧାନ (Time-bound Solution) ସରକାରଙ୍କୁ ହସ୍ତାନ୍ତର କରିବ । ବିଶେଷ କରି ଆଦିବାସୀ ସମାଜର ସଂରକ୍ଷଣ, ସୀମାନ୍ତ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏହି କମିଟି ଏକ ବଡ଼ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବ । ଗୃହମନ୍ତ୍ରୀଙ୍କ ସଂକଳ୍ପ ଅନୁଯାୟୀ, ଦେଶକୁ ଯେମିତି ନକ୍ସଲବାଦରୁ ମୁକ୍ତ କରାଯାଇଛି, ସେମିତି ଏବେ ଭାରତକୁ ‘ଅନୁପ୍ରବେଶକାରୀ ମୁକ୍ତ ଭାରତ’ କରାଯିବ ।

ଭାରତରେ ବେଆଇନ ଅନୁପ୍ରବେଶର ଆକଳନ କେବଳ ଏକ ସଂଖ୍ୟା ନୁହେଁ, ବରଂ ଏହା ଆମ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ସମ୍ବଳ ଉପରେ ଏକ ଭୟଙ୍କର ଅଦୃଶ୍ୟ ବୋଝ । ଭାରତ ଓ ବାଂଲାଦେଶ ମଧ୍ୟରେ ୪,୦୯୬ କିଲୋମିଟର ଲମ୍ବା ସୀମା ରହିଛି, ଯାହାର ଏକ ବଡ଼ ଅଂଶ ନଦୀ ଏବଂ ଜଙ୍ଗଲ ଦେଇ ଯାଇଛି । ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୧ କୋଟି ୨୦ ଲକ୍ଷ ବେଆଇନ ବାଂଲାଦେଶୀ ରହୁଥିବା ବେଳେ ବିଶେଷଜ୍ଞଙ୍କ ମତରେ ଏହି ସଂଖ୍ୟା ଏବେ ୧.୫ କୋଟିରୁ ୨ କୋଟି ମଧ୍ୟରେ ହୋଇପାରେ ।

ଏହି ଅନୁପ୍ରବେଶକାରୀମାନେ ଭାରତ ଭିତରକୁ ପଶି ପ୍ରଥମେ ସ୍ଥାନୀୟ ଦଲାଲଙ୍କ ସାହାଯ୍ୟରେ ଜାଲ୍ ଆଧାର କାର୍ଡ, ରାସନ କାର୍ଡ ଓ ଭୋଟର ଆଇଡି ପ୍ରସ୍ତୁତ କରି ନିଅନ୍ତି। ଏହାପରେ ସେମାନେ ଭାରତ ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା, ଆୟୁଷ୍ମାନ ଭାରତ ଏବଂ ମାଗଣା ବିଜେଲି-ପାଣି ଭଳି ସମସ୍ତ ଯୋଜନାର ଲାଭ ଉଠାନ୍ତି। ଏହି ସମ୍ବଳ ଏବଂ ଟଙ୍କା ଭାରତର ଗରିବ ନାଗରିକଙ୍କ ହକ୍, ଯାହା ଆମ ଦେଶର ଇମାନଦାର ଟ୍ୟାକ୍ସପେୟରଙ୍କ ପକେଟରୁ ଆସିଥାଏ। ଖାଲି ସେତିକି ନୁହେଁ, ଏହି ବେଆଇନ ପ୍ରବାସୀମାନେ ଯେଉଁ ଟଙ୍କା କମାନ୍ତି, ତା’ର ଏକ ବଡ଼ ଅଂଶ ହବାଲା ନେଟୱର୍କ ଜରିଆରେ ବାଂଲାଦେଶକୁ ପଠାଇ ଦିଅନ୍ତି, ଯାହା ଦ୍ୱାରା ପ୍ରତିବର୍ଷ ଭାରତୀୟ ବଜାରରୁ କୋଟି କୋଟି ଟଙ୍କା ବାହାରକୁ ଚାଲିଯାଏ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ବଡ଼ ସହରରେ ସେମାନେ ବେଆଇନ ଝୁମ୍ପୁଡ଼ି ବସ୍ତି ସୃଷ୍ଟି କରି ସହରର ଇନଫ୍ରାଷ୍ଟ୍ରକ୍ଚର ଏବଂ ଆଇନ ଶୃଙ୍ଖଳା ଉପରେ ବଡ଼ ଚାପ ପକାଉଛନ୍ତି ।
![]()
ଏହା ସହ ମୁଣ୍ଡବିନ୍ଧାର କାରଣ ସାଜିଛି ପାକିସ୍ତାନ ଓ ନେପାଳ ସୀମାରେ ଥିବା ବିପଦ । ପାକିସ୍ତାନ ସୀମାରେ କଡ଼ା କଡ଼ା ଫେନ୍ସିଂ ଯୋଗୁଁ ସାଧାରଣ ଅନୁପ୍ରବେଶ କମିଥିଲେ ମଧ୍ୟ, ପ୍ରତିବର୍ଷ ୩୦୦ ରୁ ଅଧିକ ପାକିସ୍ତାନୀ ଡ୍ରୋନ୍ ଭାରତ ସୀମା ଭିତରକୁ ପଶି ଡ୍ରଗ୍ସ, ଜାଲ୍ ନୋଟ୍ ଏବଂ ଚାଇନିଜ୍ ହତ୍ୟାର ସପ୍ଲାଇ କରୁଛନ୍ତି । ଯାହା ଟେରର ସ୍ଲିପର ସେଲ୍କୁ ମଜବୁତ କରୁଛି । ସେହିପରି ଭାରତ-ନେପାଳର ୧,୭୫୧ କିଲୋମିଟର ଖୋଲା ସୀମାର (Open Border) ସୁଯୋଗ ନେଇ ଚୀନ୍ ଜାସୁସ, ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ଏବଂ ବାଂଲାଦେଶୀ ନାଗରିକମାନେ ବିନା କୌଣସି ପାସପୋର୍ଟ-ଭିସାରେ ୟୁପି ଓ ବିହାର ସୀମା ଦେଇ ଭାରତ ଭିତରେ ପ୍ରବେଶ କରୁଛନ୍ତି ।

ଏହି ସମସ୍ୟା କେବଳ ସୁରକ୍ଷାର ନୁହେଁ, ବରଂ ଏକ ବଡ଼ ଡିପ୍ଲୋମାଟିକ ବା କୂଟନୈତିକ ଆହ୍ୱାନ । ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ଥିବା ବେଳେ ସମ୍ପର୍କ ଭଲ ଥିଲା, କିନ୍ତୁ ମହମ୍ମଦ ୟୁନୁସ ଏବଂ ତାରିଖ୍ ରହମାନଙ୍କ ନୂଆ ପ୍ରଶାସନ ଏବେ ଭାରତକୁ ସହଯୋଗ କରୁନାହିଁ । ଭାରତ ଯେତେବେଳେ ବି ଡିପୋର୍ଟ କଥା କହେ, ଢାକା ସଫା ସଫା ମନା କରିଦିଏ ଯେ ସେମାନେ ତାଙ୍କ ନାଗରିକ ନୁହନ୍ତି । ସେପଟେ ଚୀନ୍ ସବୁବେଳେ ସୁଯୋଗ ଅପେକ୍ଷାରେ ଥାଏ ଯେ ଭାରତ ଯଦି ସିଏଏ, ଏନଆରସି କିମ୍ବା ଡେମୋଗ୍ରାଫିକ ଆକ୍ସନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ, ତେବେ ସେ ନେପାଳ ଓ ବାଂଲାଦେଶକୁ ଭାରତ ବିରୋଧରେ ଉସକେଇ ନିଜ ପାଖକୁ ଟାଣିନେବ । ଆନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରନ୍ତି ।
ତେବେ ସମସ୍ତ ଆହ୍ୱାନ ସତ୍ତ୍ୱେ ମଧ୍ୟ ଭାରତ ସରକାର ଏବେ ସ୍ପଷ୍ଟ କରିସାରିଛନ୍ତି ଯେ ,’ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ସହ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ । ପଶ୍ଚିମବଙ୍ଗ, ଆସାମ ଏବଂ ତ୍ରିପୁରା ସୀମାକୁ ସମ୍ପୂର୍ଣ୍ଣ ସ୍ମାର୍ଟ ବର୍ଡରରେ ପରିଣତ କରାଯାଉଛି । କିନ୍ତୁ ଏହି ଲଢ଼େଇରେ ଆମ ଭଳି ସାଧାରଣ ନାଗରିକଙ୍କ ଦାୟିତ୍ୱ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ।’

ତେବେ ଏ ସବୁରେ ମୋଦୀ ସରକାରଙ୍କ ଏହି ‘ହାଇ ଲେଭଲ୍ କମିଟି ଅନ୍ ଡେମୋଗ୍ରାଫିକ୍ ଚେଞ୍ଜ’ ଦେଶରୁ ଅନୁପ୍ରବେଶକାରୀଙ୍କୁ ସମ୍ପୂର୍ଣ୍ଣ ସଫା କରିବାରେ ସଫଳ ହେବ କି? ଯଦି ଆପଣଙ୍କ ଅଞ୍ଚଳ କିମ୍ବା ଆଖପାଖରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ପରିବାର ବେଆଇନ ଭାବେ ରହୁଥିବାର ଆପଣ ଦେଖୁଛନ୍ତି, ତେବେ ତୁରନ୍ତ ସ୍ଥାନୀୟ ପୋଲିସ ଥାନାରେ ରିପୋର୍ଟ କରନ୍ତୁ, କାରଣ ସେମାନେ ଆମ ଦେଶର ସମ୍ବଳ ଉପରେ ପ୍ରହାର କରି ଭାରତକୁ ଭିତରୁ ଫମ୍ପା କରୁଛନ୍ତି।


