ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବା ଦିନଠୁ ଯୁବ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ କେବଳ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। କେହି କେହି ତାଙ୍କୁ ଅନଭିଜ୍ଞ କହୁଥିଲେ, ତ ପୁଣି କିଏ କହୁଥିଲେ ଅଷ୍ଟ୍ରେଲିଆରେ ଖେଳିବା ଭଳି ଦକ୍ଷତା ତାଙ୍କ ନିକଟରେ ନାହିଁ। ହେଲେ ନୀତୀଶ ଆଜି ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଇଥିଲେ। ଭାରତୀୟ ଦଳର ବ୍ୟାଟିଂ ମହାରଥୀମାନେ ଅପ୍ଟସ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବୋଲରଙ୍କ ଅଗ୍ନୀ ବର୍ଷି ବୋଲିଂକୁ ସାମ୍ନା କରିପାରୁନଥିବାବେଳେ ନୀତୀଶ ଏକୁଟିଆ ଲଢେଇ କରିଥିଲେ। ତାଙ୍କର ଉପଯୋଗୀ ୪୧ ରନ ବଳରେ ଦଳୀୟ ସ୍କାର ୧୫୦ରେ ପହଞ୍ଚିଥିଲା। ଏହି ଇନିଂସରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ରଣଜୀ ଟ୍ରଫିରେ ନୀତୀଶ ମାତ୍ର ୨୩ଟି ମ୍ୟାଚ୍ ଖେଳିଛନ୍ତି। ୩୬.୬୩ ହାରରେ ୪୦୩ ରନ୍ ସଂଗ୍ରହ କରିବା ସହ ସେ ୫୬ଟି ୱିକେଟ ମଧ୍ୟ ନେଇଛନ୍ତି। ଗତ ଆଇପିଏଲ୍ ସମୟରେ ନୀତିଶଙ୍କ ଦକ୍ଷତା ପ୍ରଥମେ ଲୋକଲୋଚନକୁ ଆସିଥିଲା। ବିସିସିଆଇ ଓ ଚୟନ କମିଟି ପକ୍ଷରୁ ତାଙ୍କ ଦକ୍ଷତାକୁ ଶାଣିତ କରିବା ପାଇଁ ସଙ୍ଗେ ସଙ୍ଗେ ପ୍ରୟାସ ଆରମ୍ଭ ହୋଇଯାଇଥିଲା। ୬ମାସ ମଧ୍ୟରେ ସେ ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିଲେ ଓ ପରେ ପରେ ଟେଷ୍ଟ ଦଳକୁ ଆସିଥିଲେ। ବର୍ଡର-ଗାଭାସ୍କର ଟ୍ରଫି ଭଳି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପାଇଁ ତାଙ୍କ ଭଳି ଯୁବ ଖେଳାଳି ପ୍ରସ୍ତୁତ ନଥିବା ବହୁ ପୂର୍ବତନ ଖେଳାଳି ମତ ଦେଇଥିଲେ। କିନ୍ତୁ ଆଜିର ପ୍ରଦର୍ଶନ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି।
ଆଜି ପର୍ଥରେ ନୀତୀଶ ଟେଷ୍ଟ ପଦାର୍ପଣ କରିଥିଲେ। ବିରାଟ କୋହଲି ତାଙ୍କୁ ଟେଷ୍ଟ କ୍ୟାପ୍ ପ୍ରଦାନ କରିଥିଲେ। କୋହଲି କହିଥିଲା, ନୀତୀଶ ତୁମେ କଠିନ ପରିଶ୍ରମ କରି ଏଠାରେ ପହଞ୍ଚିଛି। ନେଟ୍ସରେ ତୁମ ଖେଳ ଦେଖିଛି। ତୁମ ଅଲ୍ରାଉଣ୍ଡ ଦକ୍ଷତା ସମଗ୍ର ଦଳକୁ ପ୍ରଭାବିତ କରିଛି। ବର୍ତ୍ତମାନ ଦକ୍ଷତା ବିକାଶ କରିବାର ଉପଯୁକ୍ତ ସମୟ। ଶ୍ରେଷ୍ଠ ଖେଳ ପ୍ରଦର୍ଶନ କର। ଆମେ ସମସ୍ତେ ତୁମ ସହ ରହିଛୁ।
previous article: https://purvapaksa.com/perth-prepares-for-the-same-threat-fast-bowlers-steaming-in-at-them/

