ଭାରତୀୟ ରାଜନୀତିରେ ଗୋଟିଏ କଥା ସବୁବେଳେ କୁହାଯାଏ— “ରାଜନୀତିରେ କେହି କାହାର ଚିରସ୍ଥାୟୀ ଶତ୍ରୁ ନୁହନ୍ତି କି ଚିରସ୍ଥାୟୀ ମିତ୍ର ନୁହନ୍ତି।” ଆଉ ଏହି ଉକ୍ତିଟି ଏବେ ପଞ୍ଜାବର ପବନରେ ସମ୍ପୂର୍ଣ୍ଣ ଭାବେ ପ୍ରତିଫଳିତ ହେଉଛି। ପଶ୍ଚିମବଙ୍ଗର ନିର୍ବାଚନ ପରେ ଏବେ ଦେଶର ସବୁଠାରୁ ବଡ଼ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବୀରମାନଙ୍କ ଭୂମି ପଞ୍ଜାବ। ପଞ୍ଜାବରେ ଏସଆଇଆର୍ (SIR) ପ୍ରକ୍ରିୟା ପାଇଁ ନୋଟିଫିକେସନ୍ ଜାରି ହୋଇସାରିଛି ଏବଂ ଆସନ୍ତା ୨୦୨୭ ମସିହାରେ ସେଠାରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। କିନ୍ତୁ ନିର୍ବାଚନ ପୂର୍ବରୁ ହିଁ ପଞ୍ଜାବ ରାଜନୀତିର ପୂରା ଖେଳ ଏବେ ଓଲଟପାଲଟ ହେବାରେ ଲାଗିଛି।
ଏବେଠାରୁ ପଞ୍ଜାବ ପାଇଁ ଏତେ ବଡ଼ ଯୁଦ୍ଧ କାହିଁକି? କାରଣ ବିଜେପି (BJP) ଏବେ ପଞ୍ଜାବକୁ ନିଜର ପରବର୍ତ୍ତୀ ସବୁଠାରୁ ବଡ଼ ଟାର୍ଗେଟ୍ ଭାବେ ଗ୍ରହଣ କରିଛି। ଅନ୍ୟପଟେ, ଦିଲ୍ଲୀ ହରାଇବା ପରେ ଆମ ଆଦମୀ ପାର୍ଟି (AAP) ପାଇଁ ପଞ୍ଜାବ ହେଉଛି ସେମାନଙ୍କର ଶେଷ ଗଡ଼। ଯଦି ଏହି ଗଡ଼ ହାତରୁ ଚାଲିଯାଏ, ତେବେ ଆମ୍ ଆଦମୀ ପାର୍ଟିର ଅସ୍ତିତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବ। ଆଉ ଏସବୁ ଭିତରେ କଂଗ୍ରେସ ନିଜର ଆଭ୍ୟନ୍ତରୀଣ କନ୍ଦଳ ସତ୍ତ୍ୱେ କ୍ଷମତାକୁ ଫେରିବା ପାଇଁ ଗୋଟି ଚଳାଉଛି।
ଆମ୍ ଆଦମୀ ପାର୍ଟିର ବଡ଼ ବଡ଼ ନେତା, ଯେମିତି କି ରାଘବ ଚଢ଼ା ଏବଂ ସଙ୍ଗଠନର ମୁଖ୍ୟ ସନ୍ଦୀପ ପାଠକ ବିଜେପି ଆଡ଼କୁ ମୁହାଁଇବା ପରେ ପଞ୍ଜାବର ଗ୍ରାଉଣ୍ଡ ରିପୋର୍ଟ କ’ଣ କହୁଛି? କାହିଁକି ପଞ୍ଜାବର ଜନସାଧାରଣ ନିଜର ପ୍ରିୟ ‘ଆପ୍’ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି? ଡ଼୍ରଗ୍ସ ସମସ୍ୟା, ଖାଲିସ୍ତାନୀ ଆନ୍ଦୋଳନ, ଅମୃତପାଲ ସିଂଙ୍କ ପ୍ରଭାବ ଏବଂ ମହିଳାମାନଙ୍କୁ ମିଳୁଥିବା ମାସିକ ସହାୟତା କିଭଳି ନିର୍ବାଚନର ମୋଡ଼ ବଦଳାଇବ, ସେହି ସମସ୍ତ ବିଷୟ ନେଇ ଆମେ ଆଲୋଚନା କରିବା।
ବିଜେପିର ମିଶନ ପଞ୍ଜାବ ଏବେ କେଉଁ ସ୍ଥିତିରେ?
ସବୁଠାରୁ ପ୍ରଥମ ପ୍ରଶ୍ନ ହେଉଛି— କ’ଣ ପଞ୍ଜାବରେ ବିଜେପିର ଏହି ମିଶନ ସଫଳ ହେବ? ଯଦି ଆମେ ବରିଷ୍ଠ ରାଜନୈତିକ ସମୀକ୍ଷକ ଏବଂ ଗ୍ରାଉଣ୍ଡ ରିପୋର୍ଟକୁ ଦେଖିବା, ତେବେ ବିଜେପି ନିଜେ ମଧ୍ୟ ଏହା ଭାବି ଚାଲୁନାହିଁ ଯେ ସେମାନେ ୨୦୨୭ରେ ସିଧାସଳଖ ଯାଇ ସେଠାରେ ସରକାର ଗଠନ କରିଦେବେ। ପଞ୍ଜାବରେ ବିଜେପିର ସାଂଗଠନିକ ସ୍ଥିତି ପୂର୍ବରୁ ଏତେ ଶକ୍ତିଶାଳୀ ନ ଥିଲା। କିନ୍ତୁ ବର୍ତ୍ତମାନ ବିଜେପି ଯେଉଁ ସ୍ଥିତିରେ ଅଛି, ସେଠାରୁ ଯଦି ସେମାନେ ଆଗକୁ ବଢ଼ନ୍ତି ଏବଂ ଆସନ୍ତା ନିର୍ବାଚନରେ ୧୦ କିମ୍ବା ତା’ଠାରୁ ଅଧିକ ବିଧାନସଭା ଆସନ ଜିତିବାରେ ସଫଳ ହୁଅନ୍ତି, ତେବେ ଏହା ବିଜେପି ପାଇଁ ଏକ ବଡ଼ ସଫଳତା ବୋଲି ଧରାଯିବ।
ଏଠାରେ ଆମକୁ ବୁଝିବାକୁ ହେବ ଯେ, ପଞ୍ଜାବରେ ରାଜନୈତିକ ସମୀକରଣ ବଦଳାଇବା ପାଇଁ ବିଜେପି ସାମ୍ନାରେ ଦୁଇଟି ରାସ୍ତା ଅଛି। ପ୍ରଥମ— ବିଜେପି ଏକାକୀ ନିର୍ବାଚନ ଲଢ଼ିବ, କିମ୍ବା ଦ୍ୱିତୀୟ— ସେମାନେ ନିଜର ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ (SAD) ସହିତ ପୁଣି ଥରେ ମେଣ୍ଟ କରିବେ। ଆପଣମାନଙ୍କର ମନେଥିବ, କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ବିବାଦ ସମୟରେ ସୁଖବୀର ସିଂ ବାଦଲଙ୍କ ଅକାଳୀ ଦଳ ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଥିଲା। କିନ୍ତୁ ଏବେ ସମୟ ବଦଳିଛି। ରାଜନୀତିରେ କୌଣସି ଜିଦ୍ ସ୍ଥାୟୀ ନୁହେଁ। ଯଦି ଅକାଳୀ ଦଳ ଏବଂ ବିଜେପି ଦୁହେଁ ଅନୁଭବ କରନ୍ତି ଯେ ଏକାଠି ଆସିଲେ ପଞ୍ଜାବ ଗାଦି ମିଳିପାରିବ, ତେବେ ସେମାନେ ନିଶ୍ଚିତ ଭାବେ ପୁଣି ହାତ ମିଳାଇ ପାରନ୍ତି। ବିଶେଷ କରି, ଯେତେବେଳେ ସେମାନେ ଦେଖୁଛନ୍ତି ଯେ ଶାସକ ଆମ୍ ଆଦମୀ ପାର୍ଟି ବିରୋଧରେ ଗ୍ରାଉଣ୍ଡରେ ଆଣ୍ଟି-ଇନକମ୍ବେନ୍ସି ବା ଜନ-ଅସନ୍ତୋଷ ବଢ଼ିବାରେ ଲାଗିଛି ଏବଂ ବିରୋଧୀ କଂଗ୍ରେସ ନିଜ ନିଜ ଭିତରେ ଲଢ଼ି ମରୁଛି, ସେତେବେଳେ ବିଜେପି ଏବଂ ଅକାଳୀ ଦଳର ଏକାଠି ଆସିବା ସେମାନଙ୍କ ପାଇଁ ବଡ଼ ପ୍ଲସ୍ ପଏଣ୍ଟ ସାବ୍ୟସ୍ତ ହୋଇପାରେ।
ବର୍ତ୍ତମାନ ପଞ୍ଜାବ ରାଜନୀତିର ସବୁଠାରୁ ଚାଞ୍ଚଲ୍ୟକର ଖବର ହେଉଛି— ଆମ୍ ଆଦମୀ ପାର୍ଟିର ଚାଣକ୍ୟ କୁହାଯାଉଥିବା ନେତାମାନେ ଏବେ ବିଜେପି କ୍ୟାମ୍ପରେ। ରାଘବ ଚଢ଼ା କେବଳ ଏକାକୀ ଆସିନାହାନ୍ତି, ସେ ନିଜ ସହ ଆଉ ୬ ରୁ ୭ ଜଣ ପ୍ରଭାବଶାଳୀ ନେତାଙ୍କୁ ମଧ୍ୟ ବିଜେପିକୁ ନେଇ ଆସିଛନ୍ତି। ଏହାଦ୍ୱାରା ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ଶକ୍ତି ପ୍ରାୟ ଶେଷ ହୋଇଯାଇଛି ବୋଲି କହିଲେ ଚଳେ।
କିନ୍ତୁ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି— ରାଘବ ଚଢ଼ାଙ୍କ ବିଜେପିକୁ ଆସିବା ବଡ଼ ଖବର ନା ଅନ୍ୟ କିଛି? ରାଜନୈତିକ ସୂତ୍ର ଅନୁସାରେ, ବିଜେପି ପାଇଁ ରାଘବ ଚଢ଼ାଙ୍କଠାରୁ ବି ସବୁଠାରୁ ବଡ଼ ସଫଳତା ହେଉଛି ସନ୍ଦୀପ ପାଠକଙ୍କ ବିଜେପିରେ ସାମିଲ ହେବା। ସନ୍ଦୀପ ପାଠକ! ଯେଉଁମାନେ ପଞ୍ଜାବ ରାଜନୀତିକୁ ବୁଝନ୍ତି, ସେମାନେ ଜାଣନ୍ତି ଯେ ୨୦୨୨ ବିଧାନସଭା ନିର୍ବାଚନରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଯେଉଁ ଐତିହାସିକ ଏବଂ ପ୍ରଚଣ୍ଡ ବିଜୟ ହାସଲ କରିଥିଲା, ତା’ର ଅସଲ ସୂତ୍ରଧାର ବା ମାଷ୍ଟରମାଇଣ୍ଡ ଥିଲେ ସନ୍ଦୀପ ପାଠକ।
ସନ୍ଦୀପ ପାଠକ ହିଁ ପଞ୍ଜାବର ଗାଁ ଗାଁରେ ବୁଲି ଆପ୍ର ସାଙ୍ଗଠନିକ ଢାଞ୍ଚା ତିଆରି କରିଥିଲେ, ବିଧାୟକ ପ୍ରାର୍ଥୀ ଚୟନ କରିଥିଲେ ଏବଂ ଗ୍ରାଉଣ୍ଡ ସ୍ତରର ପ୍ରତିଟି କର୍ମୀଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କ ଥିଲା। ତେଣୁ ସନ୍ଦୀପ ପାଠକ ବିଜେପିକୁ ଯିବା ମାନେ, ସେ କେବଳ ନିଜେ ଯାଇନାହାନ୍ତି, ବରଂ ଆମ୍ ଆଦମୀ ପାର୍ଟିର ପୂରା ସାଂଗଠନିକ ରହସ୍ୟ ଏବଂ ନେଟୱର୍କକୁ ବିଜେପି ହାତରେ ଟେକି ଦେଇଛନ୍ତି। ଏହା ପଞ୍ଜାବରେ ବିଜେପି ପାଇଁ ଏକ ବ୍ରହ୍ମାସ୍ତ୍ର ସଦୃଶ।
ତେବେ ଏଠାରେ ଆଉ ଏକ ପକ୍ଷ ମଧ୍ୟ ଦେଖିବାକୁ ହେବ। ଅନେକ ବିଶ୍ଳେଷକ କହନ୍ତି ଯେ, କେବଳ ବଡ଼ ବଡ଼ ନେତା ବା ରାଜ୍ୟସଭା ସାଂସଦ ପାର୍ଟି ବଦଳାଇଲେ ଗ୍ରାଉଣ୍ଡରେ ଭୋଟ୍ ବଦଳିଯାଏ ନାହିଁ। ବିଜେପିରେ ସାମିଲ ହୋଇଥିବା ଅଧିକାଂଶ ସାଂସଦଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ବଡ଼ ବ୍ୟବସାୟୀ, ଯେଉଁମାନଙ୍କର ଗ୍ରାଉଣ୍ଡ ରାଜନୀତି ବା ଭୋଟ୍ ବ୍ୟାଙ୍କ ସହ କୌଣସି ସିଧାସଳଖ ସମ୍ପର୍କ ନାହିଁ। କିନ୍ତୁ ଏହା ଦ୍ୱାରା ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜେପି ଏକ ବଡ଼ ପଲିଟିକାଲ୍ ପର୍ସେପ୍ସନ ବା ମାନସିକ ଯୁଦ୍ଧ ଜିତିବାରେ ଲାଗିଛି, ଯାହା ଶାସକ ଦଳର ମନୋବଳକୁ ଭାଙ୍ଗି ଦେଇଛି।
୨୦୨୨ ମସିହାରେ ପଞ୍ଜାବବାସୀ ଗୋଟିଏ ବଡ଼ ଆଶା ଏବଂ ବଦଳାଅ ବା ପରିବର୍ତ୍ତନର ସ୍ଲୋଗାନ ଦେଇ ଆମ୍ ଆଦମୀ ପାର୍ଟିକୁ ବିପୁଳ ବହୁମତ ଦେଇଥିଲେ। କିନ୍ତୁ ଆଜି ୫ ବର୍ଷ ଶାସନ ପରେ ପଞ୍ଜାବର ଭିତର ସ୍ଥିତି କ’ଣ? ଗ୍ରାଉଣ୍ଡ ରିପୋର୍ଟ କହୁଛି ଯେ, ଯେଉଁ ଆଶା ନେଇ ଲୋକମାନେ ‘ଆପ୍’କୁ ବାଛିଥିଲେ, ସେହି ଆଶା ଆଜି ସମ୍ପୂର୍ଣ୍ଣ ପୂରଣ ହୋଇପାରି ନାହିଁ। ସ୍ଥାନୀୟ ବିଧାୟକମାନଙ୍କ ଉପରେ ଏବଂ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଜନସାଧାରଣଙ୍କ ଭୟଙ୍କର ଅସନ୍ତୋଷ ରହିଛି।
ଆପଣ ଭାବୁଥିବେ, ଆମ୍ ଆଦମୀ ପାର୍ଟି ତ ପଞ୍ଜାବରେ ମାଗଣା ବିଜୁଳି ଦେଲା, ମାଗଣା ପାଣି ଦେଲା, ଶିକ୍ଷା ଓ ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ ଚେଷ୍ଟା କଲା, ତେବେ ଲୋକେ କାହିଁକି ରାଗିଛନ୍ତି?
କେବଳ ମାଗଣା ବିଜୁଳି ଏବଂ ପାଣି ଦେଇ ଗୋଟିଏ ବଡ଼ ରାଜ୍ୟର ସବୁ ସମସ୍ୟାର ସମାଧାନ କରାଯାଇପାରିବ ନାହିଁ, ଏହାର ସବୁଠାରୁ ବଡ଼ ଉଦାହରଣ ଏବେ ପଞ୍ଜାବ ପାଲଟିଛି। ପଞ୍ଜାବର ସବୁଠାରୁ ବଡ଼ ଏବଂ ମାରାତ୍ମକ ସମସ୍ୟା ହେଉଛି ଡ୍ରଗ୍ସ (Drugs) ବା ନିଶା କାରବାର। ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନ୍ ପ୍ରତିଶ୍ରୁତି ଦେଇଥିଲେ ଯେ ସରକାର ଗଠନ ହେବାର ମାତ୍ର କିଛି ମାସ ମଧ୍ୟରେ ପଞ୍ଜାବରୁ ଡ୍ରଗ୍ସର ମୂଳୋତ୍ପାଟନ କରାଯିବ। କିନ୍ତୁ ବାସ୍ତବତା ହେଉଛି, ଆଜି ମଧ୍ୟ ପଞ୍ଜାବର ଗୋଟିଏ ପୂରା ପିଢ଼ି ଏହି ନିଶା କାରବାର ଭିତରେ ବର୍ବାଦ ହେବାରେ ଲାଗିଛି। ପୂର୍ବରୁ ଯେଉଁ ଆରୋପ ଅକାଳୀ ଦଳ ଉପରେ ଲାଗୁଥିଲା, ଏବେ ସେହି ସମାନ ଆରୋପ ଆମ୍ ଆଦମୀ ପାର୍ଟି ସରକାର ଉପରେ ଲାଗୁଛି। ଏହା ବ୍ୟତୀତ ବେକାରୀ ସମସ୍ୟା, ଯୁବପିଢ଼ିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ମଧ୍ୟ ସେଭଳି ଭାବେ ପୂରଣ ହୋଇପାରି ନାହିଁ। ତେଣୁ ସରକାରଙ୍କ ସାମ୍ନାରେ ଏବେ ସବୁଠାରୁ ବଡ଼ ଆହ୍ୱାନ ହେଉଛି— ଏହି ଆଣ୍ଟି-ଇନକମ୍ବେନ୍ସି ବା ଜନ-ଆକ୍ରୋଶକୁ ସେମାନେ କେମିତି ରୋକିବେ?
ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆମ୍ ଆଦମୀ ପାର୍ଟି ନିଜର ସବୁଠାରୁ ବଡ଼ ରାଜନୈତିକ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ଯାଉଛି। ସେଇଟି ହେଉଛି— ପଞ୍ଜାବର ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ରୁ ୧୫୦୦ ଟଙ୍କା ଦେବାର ଯୋଜନା। ଏହି ସରକାରୀ ଯୋଜନା ଏପ୍ରିଲ୍ ମାସରୁ ଲାଗୁ ହୋଇସାରିଛି ଏବଂ ଆସନ୍ତା ଜୁଲାଇ ମାସରୁ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏରିୟର ବା ବାକି ଅର୍ଥ ସହିତ ଏକାଥରେ ୩୦୦୦ ରୁ ୪୦୦୦ ଟଙ୍କା ପଠାଯିବ।
ଆପ୍ ସରକାର ଆଶା ରଖିଛନ୍ତି ଯେ, ଏହି ଆର୍ଥିକ ସହାୟତା ମାଧ୍ୟମରେ ସେମାନେ ଗରିବ ଏବଂ ମଧ୍ୟବିତ୍ତ ଭୋଟରମାନଙ୍କର ନାରାଜଗିକୁ ଦୂର କରିପାରିବେ ଏବଂ ନିଜର ଭୋଟ୍ ପ୍ରତିଶତକୁ ପୁଣି ଉପରକୁ ନେଇପାରିବେ।
ଯଦି କଂଗ୍ରେସ ପଞ୍ଜାବରେ ସଠିକ୍ ଭାବେ ଲଢ଼େଇ କରେ, ତେବେ ସେମାନେ ନିଶ୍ଚିତ ଭାବେ ଜିତିପାରିବେ, କାରଣ ଆପ୍ ସରକାର ବିରୋଧରେ ଥିବା ଜନ-ଅସନ୍ତୋଷର ସିଧାସଳଖ ଫାଇଦା କଂଗ୍ରେସକୁ ମିଳିବା କଥା। କିନ୍ତୁ କଂଗ୍ରେସର ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ସେମାନଙ୍କର ନିଜ ନିଜ ଭିତରେ ଥିବା ଲଢ଼େଇ ବା ‘ସିର-ଫୁଟବଲ୍’। ଏହାର ଏକ ବଡ଼ ଉଦାହରଣ ନିକଟରେ ଦେଖିବାକୁ ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କର ଏକ ବୈଠକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା। ସେହି ଭିଡିଓରେ ଚନ୍ନି ପ୍ରଶ୍ନ ଉଠାଉଥିଲେ ଯେ, “ଅନୁସୂଚିତ ଜାତି (SC) ବର୍ଗର ଲୋକଙ୍କ ପାଇଁ କଂଗ୍ରେସ ପ୍ରକୃତରେ କ’ଣ କରିଛି?” ଆପଣମାନଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ପଞ୍ଜାବ ରାଜନୀତିରେ ଏସସି (SC) ଭୋଟରମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ଏବଂ ସେମାନେ ହିଁ ସରକାର କାହାର ହେବ ତାହା ସ୍ଥିର କରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, କଂଗ୍ରେସର ଜଣେ ବଡ଼ ଦଳିତ ଚେହେରା ହୋଇ ଚନ୍ନି ଏଭଳି କଥା କହିବା ଏବଂ ସେହି ଆଭ୍ୟନ୍ତରୀଣ ବୈଠକର ଭିଡିଓକୁ ବାହାରକୁ ଲିକ୍ କରିବା ପଛରେ କେଉଁ ନେତାଙ୍କ ହାତ ଥିଲା?
ରାଜନୈତିକ କରିଡରରେ ଆଲୋଚନା ହେଉଛି ଯେ, କଂଗ୍ରେସର ପ୍ରଦେଶ ସଭାପତି ରାଜା ୱାରିଙ୍ଗ ହିଁ ଚନ୍ନିଙ୍କୁ ପଛକୁ ଠେଲିବା ପାଇଁ ଏହି ଭିଡିଓ ଲିକ୍ କରାଇଥିଲେ, ଯଦିଓ ଏହାର କୌଣସି ଆଧିକାରିକ ପ୍ରମାଣ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ୨୦୨୨ ମସିହାରେ ନବଜୋତ ସିଂ ସିଦ୍ଧୁ ଏବଂ କ୍ୟାପଟେନ ଅମରିନ୍ଦର ସିଂଙ୍କ ମଧ୍ୟରେ ଯେଉଁ ଲଢ଼େଇ ଯୋଗୁଁ କଂଗ୍ରେସ କ୍ଷମତା ହରାଇଥିଲା, ସେହି ସମାନ ମାନସିକତା ଆଜି ମଧ୍ୟ କଂଗ୍ରେସ ଭିତରେ ଚାଲିଛି। ମୁଖ୍ୟମନ୍ତ୍ରୀ ଚେହେରା ହେବା ପାଇଁ ସେଠାରେ ପ୍ରତିଯୋଗିତା ଚାଲିଛି। ଯଦି କଂଗ୍ରେସ ଏହି ଆଭ୍ୟନ୍ତରୀଣ କନ୍ଦଳକୁ ରୋକି ନପାରେ, ତେବେ ସେମାନଙ୍କ ହାତକୁ ଆସୁଥିବା ସୁଯୋଗ ମଧ୍ୟ ହାତଛଡ଼ା ହୋଇଯିବ।
ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ଜାତୀୟ ସୁରକ୍ଷା ଏବଂ ‘ଖାଲିସ୍ତାନୀ’ ପ୍ରସଙ୍ଗ ସବୁବେଳେ ଚର୍ଚ୍ଚାରେ ଥାଏ। ବିଶେଷ କରି ସୋସିଆଲ ମିଡିଆରେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ, ଅମୃତପାଲ ସିଂ ଜେଲରେ ଥାଇ ମଧ୍ୟ ଯଦି ପ୍ରାୟ ୬ ଲକ୍ଷ ଭୋଟ୍ ପାଇ ଜିତିପାରୁଛନ୍ତି, ତେବେ ପଞ୍ଜାବର ଜନସାଧାରଣଙ୍କ ମାନସିକତା କ’ଣ? କ’ଣ ପଞ୍ଜାବରେ ଖାଲିସ୍ତାନୀ ଆନ୍ଦୋଳନ ପୁଣି ସକ୍ରିୟ ହେଉଛି?
କିନ୍ତୁ ବାସ୍ତବତା ହେଉଛି ସମ୍ପୂର୍ଣ୍ଣ ଭିନ୍ନ। ପଞ୍ଜାବର ସାଧାରଣ ନାଗରିକ କେବେ ମଧ୍ୟ ଖାଲିସ୍ତାନ କିମ୍ବା କୌଣସି ପ୍ରକାରର ବିଚ୍ଛିନ୍ନତାବାଦକୁ ସମର୍ଥନ କରନ୍ତି ନାହିଁ। ହଁ, ଧାର୍ମିକ ଭାବନା ଏବଂ କିଛି ଅତିବାଦୀ ଚିନ୍ତାଧାରାର ଲୋକ ନିଶ୍ଚିତ ଅଛନ୍ତି, କିନ୍ତୁ ଏହା ପଞ୍ଜାବ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇପାରିବ ନାହିଁ। ଯେତେବେଳେ ଅମୃତପାଲଙ୍କ ଗିରଫଦାରୀ ହୋଇଥିଲା, ସେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥିଲେ।
ଅନ୍ୟପଟେ, ପାକିସ୍ତାନ ସୀମା ଆଡ଼ୁ ଆସୁଥିବା ଡ୍ରୋନ୍, ଡ୍ରଗ୍ସ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗରେ ଏବେ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି। ପଞ୍ଜାବରେ ହୋଇଥିବା ବିସ୍ଫୋରଣ ପରେ ଭଗବନ୍ତ ମାନ୍ ସରକାର ସିଧାସଳଖ ବିଜେପି ଉପରେ ଆରୋପ ଆଣିବା ସହ କହିଛନ୍ତି ଯେ— ସୀମାରୁ ୪୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ବିଏସଏଫ୍ (BSF) ଅଧୀନରେ ଅଛି, ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଅନୁପ୍ରବେଶ ଏବଂ ଡ୍ରଗ୍ସ ଚାଲାଣକୁ କାହିଁକି ରୋକି ପାରୁନାହିଁ? ତେଣୁ ‘ଆପ୍’ ଏବେ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ନିଜର ପ୍ରତିରକ୍ଷା ରଣନୀତି ପ୍ରସ୍ତୁତ କରିସାରିଛି।
ପଞ୍ଜାବ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ବୁଝିବାକୁ ହେଲେ ଆମକୁ ଏହାର ଭୌଗୋଳିକ ଏବଂ ସାମାଜିକ ଗଠନକୁ ବୁଝିବାକୁ ହେବ। ପଞ୍ଜାବର ସହରୀ ଅଞ୍ଚଳରେ ଯେଉଁଠି ହିନ୍ଦୁ ଜନସଂଖ୍ୟା ଅଧିକ, ସେଠାରେ ଭାରତୀୟ ଜନତା ପାର୍ଟି (BJP) ପାଇଁ ଏକ ସକାରାତ୍ମକ ମାହୋଲ ବା ରୁଝାନ୍ ରହିଛି। ଏହି କାରଣରୁ ଗୁରଦାସପୁର ଏବଂ ପଠାନକୋଟ ଭଳି ସୀମାନ୍ତବର୍ତ୍ତୀ ଏବଂ ସହରୀ ଆସନଗୁଡ଼ିକରେ ବିଜେପି ସବୁବେଳେ ଭଲ ପ୍ରଦର୍ଶନ କରିଆସିଛି।
କିନ୍ତୁ ବିଜେପି ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ପଞ୍ଜାବର ‘ପିଣ୍ଡ’ ବା ଗ୍ରାମାଞ୍ଚଳ। ସେହି ଅଞ୍ଚଳରେ ପ୍ରଭାବଶାଳୀ ଜାଠ୍ ଶିଖ୍ (Jat Sikh) ସମ୍ପ୍ରଦାୟ ରହିଛନ୍ତି, ଯେଉଁମାନେ ଗାଁର ରାଜନୈତିକ ନିଷ୍ପତ୍ତିକୁ ନିୟନ୍ତ୍ରଣ କରନ୍ତି। ଏହା ସହିତ ପଞ୍ଜାବରେ ଡେରା (Dera) ସଂସ୍କୃତିର ଏକ ବଡ଼ ଭୂମିକା ରହିଛି। ଅନେକ ବଡ଼ ବଡ଼ ଡେରା ଅଛନ୍ତି, ଯାହାର ଲକ୍ଷ ଲକ୍ଷ ଅନୁଗାମୀ ରହିଛନ୍ତି ଏବଂ ନିର୍ବାଚନ ସମୟରେ ଡେରାରୁ ଯେଉଁ ଆଦେଶ ଆସେ, ସମସ୍ତ ଶ୍ରଦ୍ଧାଳୁ ଏକାଠି ହୋଇ ସେହି ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦିଅନ୍ତି। ବିଜେପି ଏବେ ଏହି ଡେରା ପ୍ରମୁଖ ଏବଂ ଦଳିତ ଅନୁସୂଚିତ ଜାତି (SC) ର ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗତ କିଛି ବର୍ଷ ହେବ ଶିଖ୍ ଧର୍ମଗୁରୁମାନଙ୍କ ସମ୍ମାନାର୍ଥେ ଜାତୀୟ ସ୍ତରରେ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି, ଯାହାକୁ ଶିଖ୍ ସମ୍ପ୍ରଦାୟର ଶିକ୍ଷିତ ଏବଂ ପ୍ରଭାବଶାଳୀ ବ୍ୟକ୍ତିମାନେ ସ୍ୱୀକାର ମଧ୍ୟ କରିଛନ୍ତି। ମନଜିନ୍ଦର ସିଂ ସିରସାଙ୍କ ଭଳି ପ୍ରଭାବଶାଳୀ ଶିଖ୍ ନେତା ଅକାଳୀ ଦଳ ଛାଡ଼ି ବିଜେପିରେ ସାମିଲ ହେବା ପରେ ବିଜେପି ଏବେ ଗ୍ରାମୀଣ ଶିଖ୍ ଭୋଟରଙ୍କ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛି।
ଆକର୍ଷଣୀୟ ପ୍ରଶ୍ନ ! ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ? ବିଜେପି ପାଖରେ ଏବେ ସୁନୀଲ ଜାଖଡ଼ଙ୍କ ଭଳି ବଡ଼ ଚେହେରା ଅଛନ୍ତି ଏବଂ କଂଗ୍ରେସରୁ ଆସିଥିବା ରବନୀତ ସିଂ ବିଟ୍ଟୁଙ୍କୁ ମଧ୍ୟ କେନ୍ଦ୍ରରେ ବଡ଼ ଦାୟିତ୍ୱ ଦିଆଯାଇଛି। କିନ୍ତୁ ପଞ୍ଜାବ ରାଜନୀତିର ଗୋଟିଏ ଅଲିଖିତ ଏବଂ ସବୁଠାରୁ ବଡ଼ ସତ୍ୟ ହେଉଛି— ପଞ୍ଜାବର ମୁଖ୍ୟମନ୍ତ୍ରୀ ସେହି ବ୍ୟକ୍ତି ହିଁ ହୋଇପାରିବେ, ଯିଏ ଜଣେ “ପଗଡ଼ିଧାରୀ ଜାଠ୍ ଶିଖ୍” (Pagridhari Jat Sikh) ହୋଇଥିବେ। ପଞ୍ଜାବର ଜନସାଧାରଣ ଏହି ସାମାଜିକ ସମୀକରଣ ବାହାରେ କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରନ୍ତି ନାହିଁ। ଏହି କାରଣରୁ ବିଜେପି ସୁନୀଲ ଜାଖଡ଼ଙ୍କ ନାମରେ ନିର୍ବାଚନ ଜିତିବା କଥା ଚିନ୍ତା କରିପାରିବ ନାହିଁ, ବରଂ ସେମାନଙ୍କୁ ରବନୀତ ସିଂ ବିଟ୍ଟୁଙ୍କ ଭଳି ଜଣେ ପଗଡ଼ିଧାରୀ ଚେହେରାକୁ ହିଁ ଆଗକୁ ଆଣିବାକୁ ପଡ଼ିବ। ଆମେ ଯଦି ସହଜ ଭାଷାରେ କହିବା, ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ହେଲେ “ମକ୍କା ରୋଟି, ସର୍ଷୋ କା ଶାଗ୍ ଏବଂ ଲସି” ର ସଂସ୍କୃତି ସହ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ହେବାକୁ ପଡ଼ିବ ଏବଂ ଏହା ସବୁ ରାଜନୈତିକ ଦଳ ବହୁତ ଭଲ ଭାବେ ଜାଣନ୍ତି।
ଏହି ସମସ୍ତ ପରିସଂଖ୍ୟାନ ଏବଂ ସମୀକରଣକୁ ଦେଖିବା ପରେ ଯଦି ଆଜିର ସ୍ଥିତିରେ ଆମେ ପଞ୍ଜାବର ପଲିଟିକାଲ୍ ପୋଜିସନ୍ ବା ମାପଦଣ୍ଡକୁ କ୍ରମାନୁସାରେ ସଜାଇବା, ତେବେ ସ୍ଥିତି କ’ଣ ରହିଛି?
ଆଜିର ତାରିଖରେ ମଧ୍ୟ ଗ୍ରାଉଣ୍ଡରେ ଆମ୍ ଆଦମୀ ପାର୍ଟି ନମ୍ବର ୧ ସ୍ଥିତିରେ ଅଛି, କାରଣ ସେମାନଙ୍କ ସଙ୍ଗଠନ ଏବଂ ସରକାରୀ ଯୋଜନା ଏବେ ବି ସକ୍ରିୟ। ଏହା ପଛକୁ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି, ଯିଏ ଆପ୍ର ବିକଳ୍ପ ଭାବେ ଉଭା ହେଉଛି। ପୁରୁଣା ଆଞ୍ଚଳିକ ଦଳ ଶିରୋମଣି ଅକାଳୀ ଦଳ ତୃତୀୟ ସ୍ଥାନରେ ଏବଂ ଭାରତୀୟ ଜନତା ପାର୍ଟି ଅର୍ଥାତ୍ ବିଜେପି ଏବେ ଚତୁର୍ଥ ସ୍ଥାନରେ ରହିଛି।
କିନ୍ତୁ ମନେରଖନ୍ତୁ, ୨୦୨୭ ନିର୍ବାଚନକୁ ଏବେ ମଧ୍ୟ ସମୟ ଅଛି। ଯଦି ବିଜେପି ଏବେଠାରୁ ନିଜର ରଣନୀତି ବଦଳାଏ, ସନ୍ଦୀପ ପାଠକଙ୍କ ସାଙ୍ଗଠନିକ ଦକ୍ଷତାର ଫାଇଦା ଉଠାଏ ଏବଂ ଅକାଳୀ ଦଳ ସହ ମେଣ୍ଟ କରିବାରେ ସଫଳ ହୁଏ, ତେବେ ପଞ୍ଜାବ ରାଜନୀତିର ଏହି ୧, ୨, ୩, ୪ ର କ୍ରମ ଯେକୌଣସି ସମୟରେ ଓଲଟପାଲଟ ହୋଇଯାଇପାରେ।
AlsoRead; https://purvapaksa.com/in-odisha-officers-are-god-chief-minister-servants/
ଓଡ଼ିଶାରେ ଅଫିସର ଭଗବାନ, ମୁଖ୍ୟମନ୍ତ୍ରୀ ସେବକ? || In Odisha, officers are God, Chief Minister servants?


