ଲୁଣ ଆମ ଖାଦ୍ୟର ଏକ ମୁଖ୍ୟ ଉପାଦାନ । ଲୁଣ ବିନା ପ୍ରତ୍ୟେକ ଖାଦ୍ୟ ସ୍ଵାଦହୀନ। ଯେପରି ଲୁଣର ପରିମାଣ ଅଳ୍ପ ହୋଇଗଲେ ଖାଇବାର ମଜା ଆସେ ନାହିଁ, ସେହିପରି ଖାଇବାରେ ଲୁଣ ଅଧିକ ହୋଇଗଲେ ମଧ୍ୟ ଖାଇବାର ସ୍ୱାଦ ବଦଳି ଯାଏ ।
ଲୁଣକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ଚାହିଦା ରହିଛି । କିଏ ଖାଇବାରେ ଅଧିକ ଲୁଣ ପସନ୍ଦ କରେ ତ ଅନେକେ ବହୁତ କମ ଲୁଣ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଖାଦ୍ୟରେ ଅଧିକ ପରିମାଣର ଲୁଣ ଖାଇବା ଦ୍ୱାରା ଶରୀରରେ ଲୁଣର ପରିମାଣ ବଢିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ଦୁର୍ବଳତା ଭଳି ଅନେକ ରୋଗ ଦେଖା ଦେଇଥାଏ ।
ଲୁଣରେ ସୋଡିୟମ୍ ଏବଂ ପୋଟାସିୟମ୍ ଥାଏ । ଯେଉଁ କାରଣରୁ ଶରୀରରେ ଜଳର ପରିମାଣ ସଠିକ୍ ରହିଥାଏ। ଏହା ସ୍ନାୟୁ ଏବଂ ଭାସ୍କୁଲାର ସିଷ୍ଟମ ଫଙ୍କସନରେ ସାହାଯ୍ୟ କରିଥାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି କୁହାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ମାତ୍ରାଧିକ ଲୁଣ ଖାଇବାରୁ ହୃଦଘାତ, ଷ୍ଟ୍ରୋକ ଓ କିଡନୀ ରୋଗ ଯୋଗୁଁ ପ୍ରତି ବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଏହାକୁ ନେଇ ସଚେତନ ହେବା ନିହାତି ଆବଶ୍ୟକ ।
ମାତ୍ରାଧିକ ଲୁଣ ଖାଇଲେ ଶରୀରରେ ରକ୍ତ ଚାପ ବଢ଼ିଯାଏ । ମାତ୍ରାଧିକ ଲୁଣ ଖାଇଲେ ହୃଦରୋଗ ହେବାର ସମ୍ଭାବନା ବଢ଼ିଯାଏ । ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ଦ୍ରୁତ ହୃଦସ୍ପନ୍ଦନ ଅନ୍ତର୍ଭୁକ୍ତ । ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଲେ କିଡନୀ ଉପରେ ପ୍ରଭାବ ପଡିଥାଏ । ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟୋନ ଭଳି ସମସ୍ୟା ହୋଇଥାଏ । ଫଳରେ ତଳିପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ପାଣି ଜମା ହୋଇପାରେ । ଏହାଦ୍ୱାରା ହାତ, ପାଦ, ମୁହଁ ଏବଂ ପେଟ ଫୁଲି ଯାଇଥାଏ । ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ବାରମ୍ବାର ଶୋଷ ଲାଗିବ ସହ ଆପଣଙ୍କର ପରିସ୍ରାର ରଙ୍ଗ ବଦଳିବା ସହ ଏହାର ପରିମାଣ ମଧ୍ୟ କମିଥାଏ । ଏହା କିଡନୀ ଉପରେ ଚାପ ପକେଇଥାଏ । ତେଣୁ ଲୁଣର ପରିମାଣକୁ ନିୟନ୍ତ୍ରଣ କରିବା ଜରୁରୀ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଅନୁଯାୟୀ, ପ୍ରାୟତଃ ସମସ୍ତେ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି । ଅନେକ ସମୟରେ ମାତ୍ର ଗୋଟିଏ ସମୟ ଖାଦ୍ୟରେ ଦୁଇ ଦିନର ଲୁଣ ଖାଉଛନ୍ତି ଲୋକେ । ତେବେ ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ଖାଦ୍ୟରେ ଲୁଣର ପରିମାଣ କମାଇବାକୁ ପରାମର୍ଶ ଦିଆଯାଇଛି । ତେଣୁକରି ଉଚିତ ମାତ୍ରାରେ ଲୁଣ ଖାଇବା ନିହାତି ଆବଶ୍ୟକ ।
PREVIOUS POST: https://purvapaksa.com/almond-helps-control-daibetes/