ବିଶ୍ୱ ମାନଚିତ୍ରରେ ଗୋଟିଏ ଛୋଟ ଜଳପଥ ଅଛି ଯାହାର ନାମ ହେଉଛି ‘ହର୍ମୁଜ ପ୍ରଣାଳୀ’ (Strait of Hormuz)। ଦୁନିଆର ପ୍ରାୟ ୨୫ ପ୍ରତିଶତ ତେଲ ଏବଂ ଗ୍ୟାସ୍ ଏହି ରାସ୍ତା ପରିବହନ କରାଯାଏ । କିନ୍ତୁ ବର୍ତ୍ତମାନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ରାସ୍ତା ଏବେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି।

ଏହି ଛୋଟ ଜଳପଥ ଦେଇ ଦୁନିଆର ଏକ ଚତୁର୍ଥାଂଶ ତେଲ ଯାଉଥିବା ବେଳେ, ଏବେ ଏହା ଯୁଦ୍ଧ ଯୋଗୁଁ ବନ୍ଦ ହେବା ପରିସ୍ଥିତିରେ । ଏହି ସମୟରେ ଇରାନ ଏକ ବିକଳ୍ପ ରାସ୍ତା ଖୋଜୁଛି। ପାକିସ୍ତାନ ନିଜ ଭୂମିକୁ ଇରାନର ସାମଗ୍ରୀ ପାଇଁ ‘ଟ୍ରାଞ୍ଜିଟ୍ ରୁଟ୍’ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଛି । କିନ୍ତୁ ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ଏକ କଠୋର ବାସ୍ତବତା କହିଛନ୍ତି- “ଭାରତ ବିନା ପାକିସ୍ତାନର ଏହି ସବୁ ରାସ୍ତା କେବଳ ମରୁଭୂମିର ବାଲି ହୋଇ ରହିଯିବ।”
୧. କାହିଁକି ଇରାନ ପାଇଁ ଭାରତୀୟ ବଜାର ଅମ୍ଳଜାନ ସଦୃଶ?
୨. ପାକିସ୍ତାନର ରାସ୍ତା କାହିଁକି ଭାରତୀୟ ଟଙ୍କା ବିନା ତିଷ୍ଠି ପାରିବ ନାହିଁ?
୩. ଚୀନ୍ର ଭୂମିକା ଏଠାରେ କ’ଣ?
ଏହି ସମୟରେ ପାକିସ୍ତାନ ଏବଂ ଇରାନ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। ଇରାନ ନିଜର ସାମଗ୍ରୀ ପଠାଇବା ପାଇଁ ପାକିସ୍ତାନର ଭୂମିକୁ ବ୍ୟବହାର କରିବାକୁ ଚାହୁଁଛି । ପାକିସ୍ତାନ ଏହାକୁ ନିଜ ପାଇଁ ଏକ ବଡ଼ ସୁଯୋଗ ବୋଲି ଭାବୁଛି । କିନ୍ତୁ ବିଶେଷଜ୍ଞମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି- “ଭାରତ ବିନା ଏହି ସମସ୍ତ ଯୋଜନା ସମ୍ଭବ ନୁହେଁ।”

ହର୍ମୁଜ ପ୍ରଣାଳୀର ଗୁରୁତ୍ୱ ଏବଂ ଇରାନର ଅସୁବିଧା
ପ୍ରଥମେ ବୁଝିବା ସମସ୍ୟାଟି କେଉଠି ? ଇରାନ ଉପରେ ଆମେରିକାର ଅନେକ କଟକଣା ଅଛି। ଏହା ସହ ହର୍ମୁଜ ପ୍ରଣାଳୀରେ ଯଦି ଯୁଦ୍ଧ ହୁଏ, ତେବେ ଇରାନର ସବୁ ବ୍ୟାପାର ବନ୍ଦ ହୋଇଯିବ। ତେଣୁ ଇରାନ ଏକ ବିକଳ୍ପ ରାସ୍ତା ଖୋଜୁଛି। ସେ ଚାହୁଁଛି ପାକିସ୍ତାନ ଦେଇ ସ୍ଥଳପଥରେ ନିଜର ସାମଗ୍ରୀ ଚୀନ୍ ଏବଂ ଭାରତ ଭଳି ବଡ଼ ବଜାରକୁ ପଠାଇବା ପାଇଁ।

ଏହି ପ୍ରସ୍ତାବ ପରେ ପାକିସ୍ତାନ ନିଜକୁ ଏକ ବଡ଼ ‘ଟ୍ରେଡ୍ ହବ୍’ ଭାବେ ଉପସ୍ଥାପନ କରୁଛି । ସେ ଭାବୁଛି ଇରାନର ମାଲ୍ ପାକିସ୍ତାନ ଦେଇ ଚୀନ୍ ଯିବ ଏବଂ ପାକିସ୍ତାନକୁ କୋଟି କୋଟି ଟଙ୍କାର ଟ୍ରାଞ୍ଜିଟ୍ ଫି’ ମିଳିବ। କିନ୍ତୁ ସମସ୍ୟା ହେଉଛି ଚୀନ୍ର ଅର୍ଥନୀତି ଏବେ ନିଜେ ସଙ୍କଟରେ । ଅପରପକ୍ଷରେ, ଭାରତ ହେଉଛି ସେହି ସାମଗ୍ରୀର ସବୁଠାରୁ ବଡ଼ ଖାଉଟି। ବିନା ଭାରତରେ ଏହି ରାସ୍ତାରେ ଗାଡ଼ି ଚାଲିବ ସତ, କିନ୍ତୁ ସେଥିରେ କୌଣସି ଲାଭ ହେବ ନାହିଁ।

ଭାରତରୁ ବିଶ୍ୱ ବଜାରକୁ ରାସ୍ତା
ନିକଟରେ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପାକିସ୍ତାନ ଯେତେ ବି ରୋଡ୍ କିମ୍ବା ରେଳ ଲାଇନ୍ ବିଛାଇ ଦେଉ ନା କାହିଁକି ଯଦି ସେଥିରେ ଭାରତୀୟ ବଜାର ସାମିଲ ନ ହୁଏ, ତେବେ ଏହା କେବଳ ଏକ ‘ଡେଡ୍ ଏଣ୍ଡ୍’ (Dead End) ହୋଇ ରହିଯିବ।
![]()
ଏକ୍ସପର୍ଟମାନେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାରତ ଏହି ବ୍ୟବସାୟିକ ରୁଟ୍ର ଅଂଶବିଶେଷ ନ ହୋଇଛି, ସେପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ପୁଞ୍ଜିନିବେଶ ମିଳିବ ନାହିଁ । କିନ୍ତୁ କାହିଁକି? କାରଣ ବିଶ୍ୱର ଯେକୌଣସି କମ୍ପାନୀ ଯେତେବେଳେ ରାସ୍ତା ତିଆରି କରେ, ସେ ଦେଖେ ଯେ ସେହି ରାସ୍ତା ଦେଇ ଯାଉଥିବା ସାମଗ୍ରୀକୁ କିଣିବା ପାଇଁ ଶେଷରେ କୌଣସି ବଡ଼ ବଜାର ଅଛି କି ନାହିଁ । ଆଉ ମଧ୍ୟ-ଏସିଆ ପାଇଁ ଭାରତ ହିଁ ସେହି ଶେଷ ବଜାର।
ପାକିସ୍ତାନ ଭାରତ ପାଇଁ ରାସ୍ତା ଖୋଲିବାକୁ ଭୟ କରୁଛି। ସେ ଭାବୁଛି ଯଦି ଭାରତର ସମ୍ପର୍କ ଇରାନ ଏବଂ ଆଫଗାନିସ୍ତାନ ସହ ସିଧାସଳଖ ହୋଇଯାଏ, ତେବେ ପାକିସ୍ତାନର ମୂଲ୍ୟ ରହିବ ନାହିଁ। କିନ୍ତୁ ବାସ୍ତବତା ହେଉଛି, ଭାରତ ସହ ବ୍ୟାପାର ନ କଲେ ପାକିସ୍ତାନ ନିଜେ ଦେବାଳିଆ ହୋଇଯିବ।
କେମିତି ଏତେ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ବଜାର ଓ କାହିଁକି?

୧. କ୍ରୟ ଶକ୍ତି: ଭାରତ ହେଉଛି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ରାଷ୍ଟ୍ର । ଇରାନର ଗ୍ୟାସ୍ ଏବଂ ତେଲ ପାଇଁ ଭାରତ ଠାରୁ ବଡ଼ ଗ୍ରାହକ କେହି ନାହାନ୍ତି।
୨. ଚାବାହାର ବନ୍ଦର: ଭାରତ ନିଜେ ଇରାନରେ ‘ଚାବାହାର ବନ୍ଦର’ ବିକଶିତ କରୁଛି । ଯଦି ପାକିସ୍ତାନ ନିଜ ରାସ୍ତା ଦେଇ ଭାରତକୁ ବାଣିଜ୍ୟ କରିବାକୁ ସୁଯୋଗ ନ ଦିଏ, ତେବେ ଇରାନ ନିଜେ ଭାରତକୁ ସମର୍ଥନ କରିବ, ପାକିସ୍ତାନକୁ ନୁହେଁ।
୩. କାଶ୍ମୀର ଏବଂ ସୀମା ବିବାଦ: ପାକିସ୍ତାନ ସବୁବେଳେ ଭାରତ ସହ ବ୍ୟାପାର ବନ୍ଦ କରି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି । ଏବେ ଇରାନ ମଧ୍ୟ ପାକିସ୍ତାନ ଉପରେ ଚାପ ପକାଉଛି ଯେ ଭାରତ ସହ ସମ୍ପର୍କ ସୁଧାର, ନ ହେଲେ ବ୍ୟବସାୟ ହୋଇପାରିବ ନାହିଁ।
ପାକିସ୍ତାନର ଦ୍ୱନ୍ଦ୍ୱ – ଚୀନ୍ ନା ଭାରତ ?

ପାକିସ୍ତାନ ଏବେ ଏକ ଅଜବ ସ୍ଥିତିରେ। ଗୋଟିଏ ପଟେ ଚୀନ୍ର ଋଣ ବୋଝ (CPEC), ଆଉ ଅନ୍ୟପଟେ ଇରାନର ବାଧ୍ୟବାଧକତା । ଚୀନ୍ ଚାହୁଁଛି ପାକିସ୍ତାନ ରାସ୍ତା ଦେଇ ସବୁ ଜିନିଷ କେବଳ ବେଜିଂ ଯାଉ । କିନ୍ତୁ ଇରାନ ଜାଣିଛି ଯେ ଚୀନ୍ ବହୁତ ଶସ୍ତାରେ ଜିନିଷ କିଣେ । ପ୍ରକୃତ ଲାଭ ଯଦି ପାଇବାକୁ ହେବ, ତେବେ ଭାରତ ସହ ବ୍ୟବସାୟ କରିବାକୁ ପଡ଼ିବ।
ବିଶେଷଜ୍ଞଙ୍କ ଅନୁସାରେ, ପାକିସ୍ତାନର ‘ଟ୍ରାଞ୍ଜିଟ୍ ହବ୍’ ହେବାର ସ୍ୱପ୍ନ ସେତେବେଳେ ପୂରଣ ହେବ, ଯେତେବେଳେ ସେ ୱାଘା ବର୍ଡର (Wagah Border) ଖୋଲିବ । ଯଦି ଭାରତରୁ ମାଲ୍ ଆଫଗାନିସ୍ତାନ, ଇରାନ ଏବଂ ମଧ୍ୟ ଏସିଆକୁ ଯାଏ, ତେବେ ପାକିସ୍ତାନକୁ କୋଟି କୋଟି ଟଙ୍କାର ଟ୍ୟାକ୍ସ ମିଳିବ । କିନ୍ତୁ ନିଜର ଅହଂକାର ପାଇଁ ପାକିସ୍ତାନ ଆଜି ଭିକ ମାଗୁଛି ଏବଂ ନିଜର ସୁବର୍ଣ୍ଣ ସୁଯୋଗକୁ ହରାଉଛି ।

ଏହା ମଧ୍ୟରେ ଭାରତ ଇରାନରେ ଚାବାହାର ବନ୍ଦର ବିକଶିତ କରିଛି । ପାକିସ୍ତାନର ଗ୍ୱାଦର ବନ୍ଦର ଚୀନ୍ ସାହାଯ୍ୟରେ ତିଆରି ହୋଇଛି । କିନ୍ତୁ ଆଜି ଚାବାହାର କାମ କରୁଛି, ଆଉ ଗ୍ୱାଦରରେ କେବଳ ମାଛି ଉଡୁଛନ୍ତି।
ଇରାନ ଜାଣିଛି ଯେ ପାକିସ୍ତାନ ଏକ ଅସ୍ଥିର ଦେଶ। ସେଥିପାଇଁ ଇରାନ ଚାହୁଁଛି ଯେ ଭାରତ ଏହି ପୁରା ଟ୍ରାଞ୍ଜିଟ୍ ନେଟୱାର୍କର ନେତୃତ୍ୱ ନେଉ। ଯଦି ପାକିସ୍ତାନ ରାସ୍ତା ନ ଦିଏ, ତେବେ ଭାରତ ‘ଇଣ୍ଟରନ୍ୟାସନାଲ୍ ନର୍ଥ-ସାଉଥ୍ ଟ୍ରାଞ୍ଜିଟ୍ କରିଡର’ (INSTC) ମାଧ୍ୟମରେ ରୁଷିଆ ଏବଂ ଇରାନ ସହ ଯୋଡ଼ି ହୋଇସାରିଛି । ପାକିସ୍ତାନ ଏଠାରେ ନିଜେ ନିଜକୁ ଏକଘରକିଆ କରୁଛି।
ଭାରତର ‘ମାଷ୍ଟରଷ୍ଟ୍ରୋକ’ – IMEC ଏବଂ ଅନ୍ୟାନ୍ୟ ବିକଳ୍ପ
ଭାରତ ମଧ୍ୟ ବସି ରହିନାହିଁ। ଭାରତ ଜାଣିଛି ଯେ ପାକିସ୍ତାନ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ତେଣୁ ଭାରତ IMEC (India-Middle East-Europe Economic Corridor) ଉପରେ କାମ କରୁଛି । ଏହି ରାସ୍ତା ସମୁଦ୍ର ଏବଂ ରେଳପଥ ଦେଇ ସିଧା ୟୁରୋପକୁ ଯିବ, ଯେଉଁଥିରେ ପାକିସ୍ତାନର କୌଣସି ନାମ ଗନ୍ଧ ନାହିଁ।
ଯଦି ପାକିସ୍ତାନ ଏବେ ବି ନ ବୁଝେ, ତେବେ ଇରାନର ମାଲ୍ ପାକିସ୍ତାନ ରାସ୍ତାରେ ପଡ଼ି ପଡ଼ି ସଢ଼ିଯିବ, କିନ୍ତୁ ଭାରତ ନିଜର ଅଲଗା ବାଟ ଖୋଜି ନେଇସାରିଛି।

ଶେଷରେ ଏତିକି କୁହାଯାଇପାରେ- ବିଶ୍ୱ ରାଜନୀତିରେ ‘ଭୂଗୋଳ’ ବଦଳାଯାଇପାରିବ ନାହିଁ । ପାକିସ୍ତାନ ଭାରତ ଏବଂ ଇରାନ ମଝିରେ ଅଛି ସତ, କିନ୍ତୁ ସେ ଗୋଟିଏ ବ୍ରିଜ୍ (Bridge) ହେବ ନା କାନ୍ଥ (Wall), ତାହା ତାକୁ ହିଁ ସ୍ଥିର କରିବାକୁ ପଡ଼ିବ । ବିନା ଭାରତରେ ଇରାନର ଅର୍ଥନୀତି ବଞ୍ଚିପାରିବ ନାହିଁ ଏବଂ ବିନା ଭାରତରେ ପାକିସ୍ତାନର ରାସ୍ତା କେବେ ବି ଆନ୍ତର୍ଜାତୀୟ ବାଣିଜ୍ୟ ମାର୍ଗ ହୋଇପାରିବ ନାହିଁ।
ପାକିସ୍ତାନ ପାଇଁ ଏହା ଏକ ‘କର ବା ମର’ ପରିସ୍ଥିତି । ସେ ନିଜର ଅହଂକାର ରଖି ଭିକ ମାଗିବ ନା ଭାରତ ପାଇଁ ରାସ୍ତା ଖୋଲି ନିଜ ଅର୍ଥନୀତିକୁ ସୁଧାରିବ? ଇରାନ ମଧ୍ୟ ପାକିସ୍ତାନ ଉପରେ ଚାପ ପକାଉଛି । ଆଗାମୀ ଦିନରେ ହୁଏତ ଦେଖିବାକୁ ମିଳିପାରେ ଯେ, ମୟୂରଭଞ୍ଜର ଧାନ କିମ୍ବା ଓଡ଼ିଶାର ଲୁହାପଥର ପାକିସ୍ତାନ ରାସ୍ତା ଦେଇ ଇରାନ ପହଞ୍ଚୁଛି । କିନ୍ତୁ ସେଥିପାଇଁ ପାକିସ୍ତାନକୁ ନିଜର ମାନସିକତା ବଦଳାଇବାକୁ ପଡ଼ିବ।
Also read : https://purvapaksa.com/how-far-is-the-credibility-of-exit-polls/
କେତେଦୂର ବିଶ୍ୱସନୀୟତା ଏକ୍ଜିଟ୍ ପୋଲ୍ || How far is the credibility of exit polls?


