ଦିଲ୍ଲୀରୁ, କୋଲକାତା, ଭୁବନେଶ୍ୱର— ରାଜନୈତିକ ପାଣିପାଗ ଏବେ ଅତ୍ୟନ୍ତ ଉଷ୍ମ। ଭାରତୀୟ ଜନତା ପାର୍ଟିର ‘ଅପରେସନ୍ ଲୋଟସ୍’ ଏବେ ଏକ ନୂଆ ରୂପରେ ସାମ୍ନାକୁ ଆସିଛି, ଯାହାକୁ ରାଜନୈତିକ ସମୀକ୍ଷକମାନେ ‘ରାଘବ ସମୀକରଣ’ ବୋଲି କହୁଛନ୍ତି। ଆମ୍ ଆଦମୀ ପାର୍ଟି (AAP)ର ଶୀର୍ଷ ନେତୃତ୍ୱରେ ଫାଟ ଏବଂ ରାଜ୍ୟସଭା ସାଂସଦମାନଙ୍କର ଗଣ-ଦଳବଦଳ ସଙ୍କେତ କେବଳ ଦିଲ୍ଲୀ ନୁହେଁ, ବରଂ ଓଡ଼ିଶାର ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ଓ ପଶ୍ଚିମବଙ୍ଗର ଆଞ୍ଚଳିକ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ମଧ୍ୟ ଏକ ବଡ଼ ଚେତାବନୀ ସାଜିଛି।
ଦିଲ୍ଲୀ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛି ଆମ୍ ଆଦମୀ ପାର୍ଟି। କାରଣ ଯେଉଁ ନେତାଙ୍କ ଉପରେ ଏ ପାର୍ଟି ଭରସା କରି ଦାୟିତ୍ୱ ଦେଲା ସେ ପାର୍ଟି ପାଇଁ କାଳ ସର୍ପ ସାଜିଥିବା ନଜରକୁ ଆସିଛି। ପୁଣି ଜଣେ ନୁହେଁ, ଦୁଇଜଣ ନେତା ନୁହଁନ୍ତି, ଏବେ ରାଜ୍ୟସଭାରେ ଥିବା ଦଳର ୧୦ ଜଣ ସାଂସଦଙ୍କ ମଧ୍ୟରୁ ୭ ଜଣ ଆପ୍ ସାଂସଦ ବିରୋଧୀ ବିଜେପିରେ ସାମଲ ହୋଇସାରିଛନ୍ତି। ଏପରିକି ରାଜ୍ୟସଭାରେ ଅଧ୍ୟକ୍ଷ ମଧ୍ୟ ତାହାକୁ ଗ୍ରହଣ କରିନେଇଛନ୍ତି। ଏ ପରିସ୍ଥିତି ଖାଲି ଦିଲ୍ଲୀ ବା ଆପ୍ ରାଜନୀତିରେ ହଡ଼କମ୍ପ ସୃଷ୍ଟି କରୁଛି ତା’ ନୁହେଁ; ଏହା ଓଡ଼ିଶାକୁ ମଧ୍ୟ ପ୍ରଭାବିତ କରିଛି। କୁହାଯାଉଛି ଆପ୍ ଭଳି ଓଡ଼ିଶାର ସର୍ବବୃହତ୍ ଆଞ୍ଚଳିକ ଦଳ ବିଜେଡି ଓ ପଶ୍ଚିମବଙ୍ଗର କ୍ଷମତାରେ ଥିବା ଟିଏମସି ବି ସମାନ ଅବସ୍ଥା ଭୋଗିବାକୁ ଯାଉଛି। କାରଣ ଆପ୍ ଓ ବିଜେଡି-ଟିଏମସି ଭିତରେ ରହିଛି ଅନେକ କିଛି ସାମଞ୍ଜସ୍ୟ।
ନିକଟ ଅତୀତରେ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଆମ୍ ଆଦମୀ ପାର୍ଟି ରାଜ୍ୟସଭାରେ ଦଳର ଉପନେତା ପଦବୀରୁ ରାଘବ ଚଢ଼ାଙ୍କୁ ହଟାଇଥିଲା। ଏହା ସେତେବେଳେ ଦେଶର ରାଜନୀତିରେ ବେଶ୍ ଚର୍ଚ୍ଚିତ ହେଉଥିଲା। କାରଣ ଏକଦା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅତ୍ୟନ୍ତ ନିକଟତର ହୋଇଥିବା ରାଘବ ହଠାତ୍ କାହିଁକି ପାର୍ଟିର କାଳସର୍ପ ବୋଲି ବିଚାର ହେଲେ ତାହାକୁ ଅନେକ ହଜମ କରିପାରିଲେ ନାହିଁ।
ଅପରେସନ୍ ଲୋଟସର ନୂଆ ଅଧ୍ୟାୟ
ଏହି ମିଶ୍ରଣ ବିଜେପି ରାଜନୀତି ତଥା ଦେଶରେ ରାଜନୀତିକ ପଟ୍ଟ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ଉନ୍ମୋଚନ କରିବାକୁ ଯାଉଛି। ଯେଉଁ ସଭାରେ ବିଜେପି ଦିନେ ଗୌଣ ରହିଥିଲା, ସରକାର ଥାଇ ମଧ୍ୟ ଏହାର ଅନେକ ବିଧେୟକ ପାରିତ ହୋଇ ପାରୁନଥିଲା ଏବେ ତାହା ଆଉ ହେବ ନାହିଁ। ଏବେ ବିଜେପି ଅଧିକ ଶକ୍ତିଶାଳୀ ହୋଇ ପ୍ରସ୍ଫୁଟିତ ହେବ।
ଏବେକାର ସଂଖ୍ୟା ଗଣିତକୁ ଦେଖିଲେ ବିଜେପି ପାଖରେ ରାଜ୍ୟସଭାର ୧୦୬ ଆସନ ରହିଛି। ଆପ୍ର ୭ ସଦସ୍ୟଙ୍କ ଯଦି ମିଶ୍ରଣ ପରେ ଏହି ସଂଖ୍ୟା ଏବେ ୧୧୩ରେ ପହଞ୍ଚିଛି। ସେହିପରି ଏନ୍ଡିଏର ଅନ୍ୟ ସଦସ୍ୟ ଯେମିତି, ଏଆଇଏଡିଏମ୍କେ, ଜେଡିୟୁ, ଏନ୍ସିପି( ଅଜିତ ପାଓ୍ୱାର, ଟିଡିପି, ଶିବସେନା ଓ ମନୋନୀତ ତଥା ସ୍ୱାଧୀନ ସାଂସଦଙ୍କୁ ମିଶାଇଲେ ସଂଖ୍ୟା ୧୪୬ରେ ପହଞ୍ଚିଛି। ତଥାପି ଏହା ଦୁଇ ତୃତୀୟାଂଶ ଆସନ ସଂଖ୍ୟାଠୁ କମ୍। କାରଣ ରାଜ୍ୟସଭାରେ ଏବେ ୨୪୪ ଜଣ ସଦସ୍ୟ ରହିଛନ୍ତି।
ମୋଟ ୨୪୫ ସଦସ୍ୟଙ୍କ ଭିତରୁ ଝାଡ଼ଖଣ୍ଡ ପାଇଁ ଉଦ୍ଦିଷ୍ଟ ଏକ ଆସନ ଖାଲି ପଡ଼ିଛି। ଏହିକ୍ରମରେ ଦୁଇ ତୃତୀୟାଂଶ ମ୍ୟାଜିକ ସଂଖ୍ୟାକୁ ଦେଖିଲେ ଏନ୍ଡିଏକୁ ୧୬୩ ଆସନରେ ସମର୍ଥନ ଆବଶ୍ୟକ। ଅର୍ଥାତ୍ ଆହୁରି ୧୭ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହା ନ ହେଲେ, ‘ସଂସଦରେ ଆସନ ସଂଖ୍ୟା’ ବୃଦ୍ଧି ହେଉ ବା ‘ଏକ ଦେଶ -ଏକ ନିର୍ବାଚନ’ ନିୟମ ଲାଗୁ କରିବା ଭଳି ନୀତି ବିଜେପି ଆଣି ପାରିବ ନାହିଁ।
ହେଲେ ୨୦୨୯ ପୂର୍ବରୁ ‘ଏକ ଦେଶ- ଏକ ନିର୍ବାଚନ’ ଏବଂ ‘ଆସନ ସଂଖ୍ୟା ବୃଦ୍ଧି’ ପ୍ରସ୍ତାବକୁ ଆଇନରେ ପରିଣତ କରିବାର ପଣ କରିଥିବା ବିଜେପି ଅନ୍ୟ ଆଞ୍ଚଳିକ ଦଳ ଉପରେ ନଜର ପକାଇବ। ଏଥିରେ ବିଜେଡି, ଓ୍ୱାଇଏସ୍ଆରସିପି ଭଳି ପାର୍ଟି ଭଙ୍ଗୁର ରୂପ ଧାରଣ କରିପାରନ୍ତି। ଅର୍ଥାତ୍ ଏ ଦଳଗୁଡ଼ିକର ସୁପ୍ରିମୋମାନେ ବିଜେପିକୁ ସମର୍ଥନ କରି ନିଜ ସତ୍ତା ରକ୍ଷା କରିପାରନ୍ତି ନ ହେଲେ ଆପ୍ ଭଳି ଅବସ୍ଥା ସୃଷ୍ଟି ହୋଇପାରେ। ଏପରିକି ପଶ୍ଚିମବଙ୍ଗ ନିର୍ବାଚନ ପରେ ଯଦି ବିଜେପି ଭଲ ପ୍ରଦର୍ଶନ କରେ ତେବେ ତୃଣମୂଳ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।
କୁହାଯାଏ ମୋଦୀ-ଶାହ ମେଣ୍ଟ ଯାହା ସ୍ଥିର କରନ୍ତି ତାହାକୁ କରି ଦେଖାଇଥାଆନ୍ତି। ଅର୍ଥାତ୍ ସମ୍ବିଧାନ ସଂଶୋଧନ ବିଧେୟକ ଆଣିବା ନିକଟ ଭବିଷ୍ୟତରେ ଅବଶ୍ୟମ୍ଭାବୀ ରହିବ। ଅର୍ଥାତ୍ ରାଜ୍ୟସଭାରେ କୌଣସି ସମ୍ବିଧାନ ସଂଶୋଧନ ବିଧେୟକକୁ ପାରିତ କରିବା ଏବେ ବିଜେପିକୁ ସହଜ ହୋଇପାରେ।
ସଂଶୟରେ ବିଜେଡି ଓ ଟିଏମସି
ହେଲେ ଏ ଭିତରେ ବଡ଼ ସଂଶୟ ଭିତରେ ରହିଛନ୍ତି ବିଜୁ ଜନତା ଦଳର ନେତାମାନେ। ଏକଦା ଏହି ଦଳର ୧୦ରୁ ୧୦ ଆସନ ରାଜ୍ୟସଭାରେ ରହିଥିଲା। ହେଲେ କ୍ଷମତା ଯିବା ପରେ ଏବେ ଏହି ଆସନ ସଂଖ୍ୟା ୬ରେ ପହଞ୍ଚିଛି। ଆପ୍ ଭଳି ବିଜେଡିରେ ମଧ୍ୟ ଅସନ୍ତୋଷକୁ ଦୃଷ୍ଟିରେ ରଖି ପାର୍ଟି ଅଧ୍ୟକ୍ଷ ପାର୍ଟିର ରାଜ୍ୟସଭାରେ ନେତା ଥିବା ସସ୍ମିତ ପାତ୍ରଙ୍କୁ ହଟାଇ ଦେଇଛନ୍ତି। ଏହାପରେ ମାନସ ମଙ୍ଗରାଜ ହୋଇଛନ୍ତି ପାର୍ଟିର ରାଜ୍ୟସଭାରେ ନେତା। ଏଭଳି ପରିସ୍ଥିତିରେ ଦଳରୁ ନୂଆ କରି ସାଂସଦ ହୋଇଛନ୍ତି ସନ୍ତୃପ୍ତ ମିଶ୍ର। କୁହାଯାଉଛି ବିଜେଡିର ୪ଜଣ ସାଂସଦ ଏବେ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ରହି ବିଜେପିରେ ସାମିଲ ହେବାକୁ ବ୍ୟଗ୍ର ଅଛନ୍ତି।
କେବଳ ବିଜେଡି ନୁହେଁ, ଯଦି ଚଳିତ ନିର୍ବାଚନରେ ଟିଏମସିର ପରାଜୟ ହୁଏ ତେବେ ଉଭୟ ରାଜ୍ୟସଭା ଓ ଲୋକସଭାର ଅନେକ ସାଂସଦ ଦଳ ଛାଡ଼ି ପାରନ୍ତି ବୋଲି ଆଲୋଚନା ହେଉଛି। ଏହି ସାଂସଦମାନେ ଦଳର ମୁସଲମାନ ପ୍ରୀତି ଓ ଦଳରେ ଅଭିଷେକ ବାନାର୍ଜୀଙ୍କର ବଢ଼ୁଥିବା ପ୍ରଭାବକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଯଦି ଟିଏମସି ନିର୍ବାଚନରେ ପରାଜିତ ହୁଏ ତେବେ ଅନେକ ସାଂସଦ ନିଜର ଭବଷ୍ୟତ ସୁରକ୍ଷିତ କରିବା ପାଇଁ ଦଳ ଛାଡ଼ି ବିଜେପିକୁ ଯିବେ ବୋଲି ଆଲୋଚନା ହେଉଛି।
ବିଜେଡିର ୬ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪ ଜଣ ନେତା ବିଜେପି ସହ ଯୋଗାଯୋଗରେ ଥିବା ନେଇ ଗୁଇନ୍ଦା ସୂଚନା ମିଳୁଛି। ଏହି ନେତାମାନେ ହେଲେ ସେମାନେ, ଯେଉଁମାନେ: ଦଳ ଭିତରେ ପାଣ୍ଡିଆନ୍-କୁଟ୍ଟେ ସମର୍ଥକ ଗୋଷ୍ଠୀଙ୍କ ପ୍ରଭାବକୁ ସହ୍ୟ କରିପାରୁନାହାନ୍ତି।
ଯେଉଁ ସାଂସଦମାନେ ପ୍ରତି ପ୍ରସଙ୍ଗରେ ଅଧିକ ମୁଖର ହେଉଛନ୍ତି ତଥା ବିଜେଡିର ଅତନ୍ତ ଏକାନ୍ତ ବୋଲି ଜଣାଇବାକୁ ଚାହିଁ ବିଜେପିକୁ ଅଧିକ ସମାଲୋଚନା କରୁଛନ୍ତି ସେହି ସାଂସଦମାନେ ଏହି ତାଲିକାରେ ଥିବା ଆଲୋଚନା ହେଉଛି। ଏଥିଲାଗି ସମୟ ଓ ସୁବିଧାକୁ ଅପେକ୍ଷା କରି ରହିଥିବା ଆଲୋଚନା ହେଉଛି। ଆଉ ତାହା ହେଲେ ରାଜ୍ୟରେ ଏକ ନୂଆ ସମୀକରଣ ସୃଷ୍ଟି ହେବ।
ପୁଣି ସୀମା ପୁନର୍ଗଠନ ହେଲେ ନିଜ ପାଇଁ ଆସନନଟିଏ ସୁରକ୍ଷିତ କରିବା ଲକ୍ଷ୍ୟରେ କିଛି ସାଂସଦ ବିଜେପି ପକ୍ଷଭୁକ୍ତ ହେବା ପାଇଁ ଅପେକ୍ଷା କରିଥିବା କୁହାଯାଉଛି। ଏହି ଚାରିଜଣିଆ ତାଲିକାରେ ପାଣ୍ଡିଆନ୍-କୁଟ୍ଟେ ସମର୍ଥକଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ଅନ୍ତର୍ଭୁକ୍ତ ରହିଛନ୍ତି। ଏପରିକି ତାଲିକାଭୁକ୍ତ ସଦସ୍ୟଙ୍କ ଭିତରୁ ଜଣେ ସାଂସଦ ବିଜେପି ଯୋଗାଯୋଗରେ ରହିଥିବା ନେଇ ଚର୍ଚ୍ଚା ଚାଲିଛି। ସେଇ ଏଥିପାଇଁ ବିଜେପି ନେତାଙ୍କ ସହିତ ଆଲୋଚନା କରୁଛନ୍ତି।
ଆଉ ଏକ ବିଚାର ଗୋଷ୍ଠୀ ଅନୁସାରେ ବିଜେଡି ପୂର୍ବରୁ ବିଜେପିର ସହଯୋଗୀ ହୋଇ ରହି ଆସିଛି। ମହିଳା ଆରକ୍ଷଣ ବିଧେୟକ ଲାଗୁ ପାଇଁ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ବିଧେୟକ ରାଜ୍ୟସଭାରେ ଆଲୋଚନା ହୋଇନଥିବାରୁ ବିଜେଡିର ପକ୍ଷ ଜଣା ପଡ଼ିନଥିଲା। ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ପ୍ରସ୍ତାବ ଦେଇଥିଲେ।
ଏବେ କେନ୍ଦ୍ର ସରକାର ଜନଗଣନାକୁ ଭିତ୍ତି ନ କରି ଆନୁପାତିକ ହାତରେ ରାଜ୍ୟଗୁଡ଼ିକର ଆସନ ସଂଖ୍ୟାକୁ ୫୦ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ଦେଇଥିବାରୁ ବିଜେଡି ଏହାକୁ ଅଣଦେଖା କରିନପାରେ। ଅର୍ଥାତ୍ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଦୋମୁହାଁ ନୀତି ଧରିପାରେ- ରାଜ୍ୟରେ ବିରୋଧ ଓ କେନ୍ଦ୍ରରେ ବିଜେପିକୁ ସମର୍ଥନ କରି ନିଜର ସତ୍ତା ରକ୍ଷା କରିପାରେ।
କିନ୍ତୁ ବିଜେଡିରେ ଚାଲିଥିବା ଉତ୍ତରାଧିକାର ବିବାଦ ଭିତରେ ପାଣ୍ଡିଆନ୍ଙ୍କ ପ୍ରବେଶକୁ ଉନ୍ମୁକ୍ତ କରିବା ଲାଗି ନବୀନ ଏହି ନୀତିକୁ ପରିହାର କରି ଦଳ ବିଭାଜନକୁ ଗ୍ରହଣ କରିପାରନ୍ତି। ଏହା ହେଲେ ବିଶ୍ୱାସଘାତକ ନାଁରେ ପାଣ୍ଡିଆନ୍ ବିରୋଧୀଙ୍କୁ ସହଜରେ ଦଳରୁ ଅପସାରଣ କରାଯାଇପାରିବ ବୋଲି ଅଙ୍କ କଷା ହେଉଛି।
ରାଜନୀତିରେ କେହି ଚିରସ୍ଥାୟୀ ବନ୍ଧୁ ବା ଶତ୍ରୁ ନୁହନ୍ତି। ରାଘବ ଚଢ଼ାଙ୍କ ଏହି ‘ବିଦ୍ରୋହ’ ଯଦି ସଫଳ ହୁଏ, ତେବେ ଏହାର ପ୍ରତିଧ୍ୱନି ଓଡ଼ିଶାରେ ନିଶ୍ଚିତ ଶୁଭିବ। ବିଜେଡିର ସେହି ୪ ଜଣ ପ୍ରଭାବଶାଳୀ ନେତା କିଏ, ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ। କିନ୍ତୁ ଏତିକି ସୁନିଶ୍ଚିତ ଯେ, ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପଟ୍ଟ ପରିବର୍ତ୍ତନ ଅବଶ୍ୟମ୍ଭାବୀ।
AlsoRead; https://purvapaksa.com/ratna-debonath-a-mothers-silent-prayer-and-fight-for-justice/


