ଓଡ଼ିଶା ରାଜନୀତିରେ ଏବେ ଏକ ଅଜବ ସ୍ଥିତି। ଶାସକ ଭାରତୀୟ ଜନତା ଦଳ (ବିଜେପି) ଶିବିରରେ ଏବେ ‘ସବୁ ଅଛି, କିନ୍ତୁ କିଛି ଠିକ୍ ନାହିଁ’। ୨୪ ବର୍ଷର ପ୍ରତୀକ୍ଷା ପରେ ରାଜ୍ୟରେ ବିଜେପି ସରକାର ଗଢ଼ିଛି ସତ, କିନ୍ତୁ ଦଳ ଭିତରେ କ୍ଷମତାର କେନ୍ଦ୍ରବିନ୍ଦୁକୁ ନେଇ ଚାଲିଥିବା ‘ଶୀତଳ ଯୁଦ୍ଧ’ ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣାଠାରୁ ଆରମ୍ଭ କରି ଫଳାଫଳ ପର୍ଯ୍ୟନ୍ତ—ଯେଉଁଭଳି ଭାବେ ସମୀକରଣ ବଦଳିଲା, ତାହା ଦର୍ଶାଉଛି ଯେ ଓଡ଼ିଶା ବିଜେପିରେ ଏବେ ‘ଧର୍ମେନ୍ଦ୍ର ଯୁଗ’ର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ଧର୍ମେନ୍ଦ୍ର ପ୍ରଧାନ ଦିନେ ଦଳର ପ୍ରତିଟି ନିଷ୍ପତ୍ତିର ସୂତ୍ରଧର ସାଜୁଥିଲେ, ସେ ଆଜି ନିଜ ସମର୍ଥକଙ୍କ ପାଇଁ ‘ମୌନବ୍ରତ’ କାହିଁକି ଅବଲମ୍ବନ କରିଛନ୍ତି?
ବିଧାନସଭା ନିର୍ବାଚନ ପରେ ଏହାକୁ ରାଜ୍ୟର ବିଜେପି ରାଜନୀତି ପରିପ୍ରେକ୍ଷୀରେ ଏକ ନୂତନ ଅଧ୍ୟାୟ ଭାବେ ଦେଖାଯାଉଛି। ତେଣୁ ବିଜେପି ଭିତରେ ଏକ ଅପରିକଳ୍ପିତ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ନେଇ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସମର୍ଥକମାନେ ଏବେ ପ୍ରଶ୍ନ ଉଠାଉଛନ୍ତି — ରାଜ୍ୟସଭା ପ୍ରାର୍ଥୀ ଚୟନରେ ଧର୍ମେନ୍ଦ୍ର ପ୍ରଧାନ ନିଜ ଲୋକଙ୍କ ପାଇଁ କାହିଁକି ଆଗକୁ ଆସିଲେ ନାହିଁ?
ଦଳ ଭିତରର ଏହି ଅସନ୍ତୋଷ ଏବେ ଧୀରେ ଧୀରେ ସାର୍ବଜନୀନ ଆଲୋଚନାର ବିଷୟ ହେବାରୁ ଓଡ଼ିଶା ବିଜେପିର ଅଭ୍ୟନ୍ତରୀଣ ସମୀକରଣକୁ ନେଇ ନୂଆ ପ୍ରଶ୍ନ ଉଠିଛି।
ପ୍ରାର୍ଥୀ ଚୟନ କମିଟିରେ କ’ଣ ଘଟିଲା?
ବିଜେପିର ଜଣେ ବରିଷ୍ଠ ରାଜ୍ୟସ୍ତରୀୟ ନେତାଙ୍କ ସୂଚନା ଅନୁସାରେ, ରାଜ୍ୟସଭା ପ୍ରାର୍ଥୀ ଚୟନ ପାଇଁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ହେଁ ସେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଥିଲେ। ନିଜର ଅନୁଗତ ନେତାମାନଙ୍କ ପାଇଁ ଦୃଢ଼ ଯୁକ୍ତି ବାଢ଼ିବା ପରିବର୍ତ୍ତେ ସେ କେବଳ ଦଳୀୟ ନିଷ୍ପତ୍ତିକୁ ମୁଣ୍ଡପାତି ସହିନେବା ଭଳି ଆଚରଣ ପ୍ରଦର୍ଶନ କରିଥିଲେ। ରାଜନୈତିକ ସମୀକ୍ଷକମାନେ ଏହାକୁ ଧର୍ମେନ୍ଦ୍ରଙ୍କ ‘ସ୍ଥିତି ରକ୍ଷା’ର ଏକ ରଣନୀତି ବୋଲି କହୁଛନ୍ତି। ବୋଧହୁଏ ଦିଲ୍ଲୀ ଦରବାରରେ ନିଜର ଗୁରୁତ୍ୱ ବଜାୟ ରଖିବା ପାଇଁ ସେ ଓଡ଼ିଶାରେ ନିଜ ସମର୍ଥକଙ୍କୁ ବଳି ପକାଇବାକୁ ପଛାଇ ନାହାନ୍ତି।
ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ହତାଶା
ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସବୁଠାରୁ ବଡ଼ ଝଟକା ଲାଗିଛି ରାଜ୍ୟ ବିଜେପିର ଦୁଇ ପ୍ରମୁଖ ଚେହେରା ଗୋଲକ ମହାପାତ୍ର ଏବଂ ସମୀର ମହାନ୍ତିଙ୍କୁ।
• ଗୋଲକ ମହାପାତ୍ର:- ଧର୍ମେନ୍ଦ୍ର ପ୍ରଧାନଙ୍କ ଅତ୍ୟନ୍ତ କ୍ଲୋଜ୍ ସର୍କଲରେ ଥିବା ଗୋଲକ ମହାପାତ୍ର ରାଜ୍ୟସଭା ଯିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ସେ ଗଣମାଧ୍ୟମରେ ନିଜର ନାମକୁ ମଧ୍ୟ ବେଶ୍ ଚର୍ଚ୍ଚାରେ ରଖିଥିଲେ। କେବଳ ରାଜ୍ୟସଭା ନୁହେଁ, ରାଜ୍ୟ ସଭାପତି ପଦ ପାଇଁ ମଧ୍ୟ ସେ ଆଶାୟୀ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାମ କଟିଯିବା ଏବଂ ତାଙ୍କ ‘ଗୁରୁ’ ଧର୍ମେନ୍ଦ୍ର ଚୁପ୍ ରହିବା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିବା ଏବେ କହି ବୁଲୁଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏବେ ସେ ନିଜର କ୍ଷୋଭ ଖୋଲାଖୋଲି ପ୍ରକାଶ ନ କଲେ ମଧ୍ୟ, ତାଙ୍କର ନୈରାଶ୍ୟ ଦଳ ଭିତରେ ବିଦ୍ରୋହର ସଙ୍କେତ ଦେଉଛି।
• ସମୀର ମହାନ୍ତି: ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସ୍ଥିତି ମଧ୍ୟ ସମାନ। ଦଳର ସଂଗଠନକୁ ଗଢ଼ିବାରେ ଯାହାଙ୍କର ପ୍ରମୁଖ ଭୂମିକା ଥିଲା, ତାଙ୍କୁ ଉପଯୁକ୍ତ ସମ୍ମାନ ନମିଳିବା କେବଳ ଜଣେ ବ୍ୟକ୍ତିର ପରାଜୟ ନୁହେଁ, ବରଂ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପତନ ବୋଲି କୁହାଯାଉଛି। ସମୀର ମହାନ୍ତି ମଧ୍ୟ ଏହି ଦୌଡ଼ରେ ଥିଲେ। ଦଳ ପାଇଁ ବହୁବର୍ଷ ଧରି କାମ କରିବା ପରେ ଉପଯୁକ୍ତ ସମ୍ମାନ ନ ମିଳିବାରୁ ସେ ଏବେ ହତାଶ ହୋଇପଡ଼ିଛନ୍ତି।
ବିରୋଧୀ ଗୋଷ୍ଠୀଙ୍କ ହାତରେ କ୍ଷମତାର ଚାବି
ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ଯେତେବେଳେ କୋଣଠେସା ହେଉଛନ୍ତି, ସେହି ସମୟରେ ତାଙ୍କର ଘୋର ବିରୋଧୀ ଭାବେ ଜଣାଶୁଣା ନେତାମାନେ ଶୀର୍ଷ ସ୍ଥାନ ଦଖଲ କରିବାରେ ସଫଳ ହୋଇଛନ୍ତି।
- ମନମୋହନ ସାମଲ:- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଯିଏକି ଧର୍ମେନ୍ଦ୍ରଙ୍କ ରଣନୀତିକୁ ଅନେକ ସମୟରେ ବିରୋଧ କରିବାରେ ନିଜେ ସଫଳ ହେବା ସହିତ ଦଳକୁ ସଫଳତା ଦେଇଛନ୍ତି, ସେ ନିଜେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ଏହା ଧର୍ମେନ୍ଦ୍ର ଶିବିର ପାଇଁ ଏକ ବଡ଼ ପରାଜୟ। ମନମୋହନ ସବୁବେଳେ ନିଜର ସ୍ୱାଧୀନ ରଣନୀତି ପାଇଁ ଜଣାଶୁଣା ଏବଂ ସେ ପ୍ରମାଣ କରିଛନ୍ତି ଯେ ବିନା କୌଣସି ‘ଛତ୍ରଛାୟା’ରେ ମଧ୍ୟ ସେ ଦିଲ୍ଲୀର ଭରସା ଜିତିପାରିବେ।
- ଦିଲ୍ଲୀପ ରାୟ: ଅନ୍ୟପଟେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବା ଘଟଣା ଧର୍ମେନ୍ଦ୍ରଙ୍କ ପ୍ରଭାବ ହ୍ରାସ ପାଉଥିବାର ସୂଚନା ଦେଉଛି। ଦିଲ୍ଲୀପ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଥିବା ଶୀତଳ ଯୁଦ୍ଧ ସମସ୍ତଙ୍କୁ ଜଣା। ଏଭଳି ସ୍ଥିତିରେ ଦିଲ୍ଲୀପଙ୍କୁ ସମର୍ଥନ କରିବା ବିଜେପିର କେନ୍ଦ୍ରୀୟ ନେତୃତ୍ୱର ଏକ ସ୍ପଷ୍ଟ ସଙ୍କେତ ଯେ ଓଡ଼ିଶାରେ ଏବେ ‘ଏକଛତ୍ରବାଦୀ’ ଚୟନର ଅନ୍ତ ଘଟିଛି।
ବିଧାନସଭା ନିର୍ବାଚନରେ ହସ୍ତକ୍ଷେପ ଏବେ ମହଙ୍ଗା ପଡ଼ୁଛଇ ଧର୍ମେନ୍ଦ୍ରଙ୍କୁ
ବର୍ତ୍ତମାନର ଅସନ୍ତୋଷ ପଛରେ ଗତ ବିଧାନସଭା ନିର୍ବାଚନର ଟିକେଟ୍ ବଣ୍ଟନ ମଧ୍ୟ ଏକ ବଡ଼ କାରଣ। ଧର୍ମେନ୍ଦ୍ର ନିଜର ବ୍ୟକ୍ତିଗତ ସଚିବ ଥିବା ସମ୍ବିତ ତ୍ରିପାଠୀଙ୍କୁ ବଡ଼ମ୍ବା-ନରସିଂହପୁରରୁ ଏବଂ ସ୍ମୃତିରେଖା ପହିଙ୍କୁ ଧର୍ମଶାଳାରୁ ଟିକେଟ୍ ଦେଇଥିଲେ। କିନ୍ତୁ ଫଳାଫଳ ଆସିଲା ଓଲଟା। ଉଭୟ ପ୍ରାର୍ଥୀ ଜିତିବା ତ ଦୂରର କଥା, ତୃତୀୟ ସ୍ଥାନରେ ରହିଥିବା ବେଳେ, ବିଜେପିରୁ ବିଦ୍ରୋହ କରି ସ୍ୱାଧୀନ ଲଢ଼ିଥିବା ନେତାମାନେ ବିଜୟୀ ହେଲେ। ଏହି ଘଟଣା ପ୍ରମାଣ କରିଥିଲା ଯେ ଧର୍ମେନ୍ଦ୍ରଙ୍କ ‘ଗ୍ରାଉଣ୍ଡ ରିପୋର୍ଟ’ ଏବଂ ‘ପସନ୍ଦ’ ତୃଣମୂଳ ସ୍ତରର ବାସ୍ତବତାଠାରୁ ଦୂରରେ ଥିଲା। ଏହି ବିଫଳତା ହିଁ ଆଜି ତାଙ୍କୁ ଦିଲ୍ଲୀ ଦରବାରରେ ଦୁର୍ବଳ କରିଦେଇଛି।
ଗତ ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଇଛା ଅନୁସାରେ ନିଜର ସମର୍ଥକମାନଙ୍କୁ ଦଳୀୟ ଟିକଟ ଦେଇଥିଲେ। କିନ୍ତୁ ବଡ଼ମ୍ବାରେ ଦଳୀୟ ନେତା ବିଜୟ ଦଳବେହେରା ପରିବର୍ତ୍ତେ ନିଜର ବ୍ୟକ୍ତିଗତ ସଚିବ ଥିବା ସମ୍ବିତ ତ୍ରିପାଠୀ ଧର୍ମଶାଳାରେ ହିମାଂଶୁ ସାହୁଙ୍କ ପରିବର୍ତ୍ତେ ସ୍ମୃତିରେଖା ପହିଙ୍କୁ ଦଳୀୟ ଟିକେଟ ଦେଇଥିଲେ। ଉଭୟ ପ୍ରାର୍ଥୀ ଜିତିବା ତ ଦୂରର କଥା ଆଶାନୁରୂପ ଭୋଟ ପାଇନଥିଲେ। ଉଭୟ ତୃତୀୟ ସ୍ଥାନରେ ରହିଥିଲେ। ବିଜେପି ଯାହାଙ୍କୁ ଦଳୀୟ ଟିକଟ ଦେଇନଥିଲା ସେମାନେ ହେଲେ ବିଜୟ ଦଳବେହେରା ଓ ହିମାଂଶୁ ସାହୁ (ଲିକୁ)। ଏହି ଦୁଇ ଜଣ ସ୍ୱାଧୀନ ଲଢ଼ି ବିଜୟୀ ହେବା ସହିତ ଏବେ ବିଜେପି ସରକାରର ନୟନ ପିତୁଳା ସାଜିଛନ୍ତି।।
ଧର୍ମେନ୍ଦ୍ରଙ୍କ ‘ମ୍ୟାଜିକ୍’ କ’ଣ ଶେଷ ହେଉଛି?
ବିଶ୍ଳେଷକଙ୍କ ମତରେ, ଓଡ଼ିଶାରେ ମୋହନ ମାଝୀ ସରକାର ଆସିବା ପରେ ରାଜ୍ୟ ବିଜେପିରେ କେନ୍ଦ୍ରୀୟ ହସ୍ତକ୍ଷେପ ଏବଂ ଗୋଷ୍ଠୀଗତ ନିୟନ୍ତ୍ରଣରେ ପରିବର୍ତ୍ତନ ଆସିଛି। ଧର୍ମେନ୍ଦ୍ର ପ୍ରଧାନ ହୁଏତ ଅନୁଭବ କରୁଛନ୍ତି ଯେ ଏବେ ସିଧାସଳଖ ନିଜ ଲୋକଙ୍କ ପାଇଁ ଲଢ଼ିଲେ ତାଙ୍କର କେନ୍ଦ୍ରୀୟ ପଦବୀ ଉପରେ ପ୍ରଭାବ ପଡ଼ିପାରେ। କିନ୍ତୁ ଏହି ରଣନୀତି ତାଙ୍କର ‘ଜିଲ୍ଲା ଓ ରାଜ୍ୟ ସ୍ତରୀୟ’ ସଙ୍ଗଠନକୁ ଦୁର୍ବଳ କରିଦେଇଛି।
ଓଡ଼ିଶା ବିଜେପିରେ ଏବେ ‘ସମର୍ଥକ ବନାମ ସଂସ୍ଥା’ର ଲଢ଼େଇ ଚାଲିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଶକ୍ତିଶାଳୀ ନେତା ଯେତେବେଳେ ନିଜ ସମର୍ଥକଙ୍କ ପାଇଁ ଶବ୍ଦଟିଏ କହିପାରୁ ନାହାନ୍ତି, ସେତେବେଳେ ଦଳ ଭିତରେ ଥିବା ଆସ୍ଥା ଓ ବିଶ୍ୱାସର ମୂଳଦୁଆ ଦୋହଲିବା ସ୍ୱାଭାବିକ। ପ୍ରଧାନଙ୍କ ଭଳି ଜଣେ ଶକ୍ତିଶାଳୀ ନେତାଙ୍କ ନୀରବତା ଏକ ରଣନୈତିକ ପଦକ୍ଷେପ ହୋଇପାରେ, କିନ୍ତୁ ଏହା ଦଳୀୟ ଆସ୍ଥାକୁ ଦୋହଲାଇ ଦେଇଛି। ମାର୍ଚ୍ଚ ୧୬ର ନିର୍ବାଚନ ଓଡ଼ିଶା ବିଜେପିର ଅସଲ କ୍ଷମତା କାହା ହାତରେ ଅଛି, ତାହା ମଧ୍ୟ ସ୍ପଷ୍ଟ କରିଦେଇଛି। ଓଡ଼ିଶା ବିଜେପିରେ ଏବେ ‘ସମର୍ଥକ ବନାମ ସଂସ୍ଥା’ର ଲଢ଼େଇ ଚାଲିଛି। ଧର୍ମେନ୍ଦ୍ର ରାଜ୍ୟସଭା ନିର୍ବାଚନର ଏହି ପରିଣାମ ଓଡ଼ିଶା ବିଜେପିରେ ଏକ ବଡ଼ ଧରଣର ସଂସ୍କାର ଏବଂ ପରିବର୍ତ୍ତନର ସୂଚନା ଦେଉଛି। ଧର୍ମେନ୍ଦ୍ରଙ୍କ ଏହି ‘ମୌନବ୍ରତ’ ତାଙ୍କୁ ପୁଣି ଥରେ ଶୀର୍ଷକୁ ଫେରାଇ ଆଣିବ ନା ସେ ଦଳରେ ଏକ ‘ମାର୍ଗଦର୍ଶକ ମଣ୍ଡଳୀ’ର ଭୂମିକାକୁ ଠେଲି ହୋଇଯିବେ, ତାହା ସମୟ ହିଁ କହିବ।
AlsoRead; https://purvapaksa.com/learn-about-the-iranian-island-where-missiles-are-hidden/


