- ତଦନ୍ତ ପାଇଁ କମିଟି ଗଠନ
- କର୍ଫ୍ୟୁ ହେଲା କୋହଳ
ମଣିପୁରର ଜିରିବାମ୍ ଜିଲାରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର ଦୁଇଜଣିଆ କମିଟି ଗଠନ କରିଛନ୍ତି। ପୁଲିସ ଗୁଇନ୍ଦା ବିଭାଗ ଆଇଜି କେ.କବିବଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ରେଞ୍ଜ-୩ ଡିଆଇଜି ନିଙ୍ଗ୍ସେନ ୱର୍ନଗମ ସଦସ୍ୟ ରହିଛନ୍ତି। ରବିବାର ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ନିରାପତ୍ତାରକ୍ଷୀମାନେ ଗୁଳିଚାଳନା କରିଥିବାବେଳେ ଜଣେ ୨୧ ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ। ବିକ୍ଷୋଭକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ରୋକିବାକୁ ଗୁଳିଚାଳନା କରିବାକୁ ପଡିଥିଲା। ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ରେ ୧୦ ଜଣ ବିଦ୍ରୋହୀ ନିହତ ହେବା ପରେ ଗତ ନଭେମ୍ବର ୧୧ ତାରିଖରୁ ଜିରିବାମରେ ବିସ୍ଥାପିତଙ୍କ ଶିବିରରୁ ଏହି ୬ ଜଣ ନିଖୋଜ ଥିଲେ। ତେବେ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତ ସପ୍ତାହରେ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ଦ୍ୱାରା ୬ ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୋଷୀମାନଙ୍କୁ ଖୁବ ଶୀଘ୍ର ଦଣ୍ଡ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମହିଳା ଓ ଶିଶୁ ହତ୍ୟା ମାନବିକତା ବିରୋଧୀ ଅପରାଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ସିଂହ କହିଛନ୍ତି, ଜିରିବାମରେ ବନ୍ଧକ ହେବା ପରେ କୁକି ଆତଙ୍କବାଦୀଙ୍କ ଦ୍ୱାରା ତିନି ଜଣ ନିରୀହ ଶିଶୁ ଏବଂ ତିନି ଜଣ ନିରୀହ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରିବା ପାଇଁ ଆଜି ମୁଁ ଗଭୀର ଦୁଃଖ ଓ କ୍ରୋଧର ସହ ଏଠାରେ ଛିଡ଼ା ହୋଇଛି। କୌଣସି ସଭ୍ୟ ସମାଜରେ ଏଭଳି ବର୍ବରକାଣ୍ଡର କୌଣସି ସ୍ଥାନ ନାହିଁ। ମୁଁ ଆପଣଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଏହି ଆତଙ୍କବାଦୀମାନଙ୍କୁ ଖୋଜିବା ବର୍ତ୍ତମାନ ଚାଲିଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଦଣ୍ଡ ପ୍ରଦାନ କରାଯିବ ।
ଏହାସହ ଜିରିବାମରେ ସିଆରପିଏଫର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସିଂହ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ କର୍ତ୍ତବ୍ୟ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଜିରିବାମର ବୋରୋବେକ୍ରାରେ ଥିବା ରିଲିଫ୍ କ୍ୟାମ୍ପରେ ରହୁଥିବା ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଛି। ପ୍ରାୟ ୪୦ରୁ ୫୦ ଜଣ ସଶସ୍ତ୍ର ଆତଙ୍କବାଦୀ ବୋରୋବେକ୍ରାସ୍ଥିତ ରିଲିଫ୍ କ୍ୟାମ୍ପରେ ରହୁଥିବା ଆଭ୍ୟନ୍ତରୀଣ ବିସ୍ଥାପିତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଜିରିବାମର ଏକ ଥାନାକୁ ଟାର୍ଗେଟ କରିଥିଲେ। ସେମାନେ ଭୟ ଓ ବିନାଶ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ସେଠାରେ ମୁତୟନ ଥିବା ସିଆରପିଏଫ ଯବାନଙ୍କ ଠିକ୍ ସମୟରେ ଏବଂ ନିର୍ଣ୍ଣାୟକ ଜବାବ ଯୋଗୁଁ ଆକ୍ରମଣକୁ ପ୍ରତିହତ କରାଯାଇଥିଲା ଏବଂ ସେମାନଙ୍କଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଘଟଣାସ୍ଥଳରେ ଥିବା ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ଏବଂ ରିଲିଫ୍ କ୍ୟାମ୍ପରେ ରହୁଥିବା ଶହ ଶହ ନିରୀହ ଜୀବନ ବଞ୍ଚାଇଥିଲେ।
ସିଆରପିଏଫ ଏବଂ ରାଜ୍ୟ ବାହିନୀର ଉଲ୍ଲେଖନୀୟ କ୍ୟାରିୟର ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ସିଂହ କହିଛନ୍ତି। ଏହାସହ ରାଜ୍ୟରେ ଶାନ୍ତି ଆଣିବା ପାଇଁ ନିରନ୍ତର ପ୍ରତିଶ୍ରୁତିବଦ୍ଧତା ପାଇଁ କେନ୍ଦ୍ରୀୟ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ତେବେ ମଣିପୁରର ଇମ୍ଫାଲ ଉପତ୍ୟକାର ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ କାକଚିଂ ଜିଲ୍ଲାର ବଜାରରେ ବୁଧବାର ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବାରୁ ଲୋକେ ବାହାରକୁ ବାହାରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାକିଣି କରିଛନ୍ତି।
ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରରେ ଭିଡ଼ ଜମିଥିବା ବେଳେ କର୍ଫ୍ୟୁ କୋହଳ ସମୟରେ ଖୋଲିଥିବା ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗିଛି। ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା। ସରକାର ବାଧ୍ୟତାମୂଳକ ଭାବେ ବ୍ରଡବ୍ୟାଣ୍ଡ ସେବା ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରିଥିଲେ ମଧ୍ୟ ୯ଟି ଜିଲ୍ଲାରେ ମୋବାଇଲ ସେବା ବନ୍ଦ ରହିଛି। ମଙ୍ଗଳବାର କିମ୍ବା ଆଜି ସକାଳେ କୌଣସି ହିଂସାକାଣ୍ଡ ଘଟିନାହିଁ। ଶୃଙ୍ଖଳା ବଜାୟ ରଖିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ସେନା, ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ସମେତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।
previous article: https://purvapaksa.com/guests-shower-%e2%82%b9-20-lakh-cash-at-up-wedding-procession/