ଉଡାଯାଇଛି ପ୍ରାୟ ୨୦ ଲକ୍ଷ ଟଙ୍କା
ନିଜ ବିବାହକୁ ଖାସ୍ କରିବାରୁ ଲୋକେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିଏ ମେନୁ ତ କିଏ ଭେନୁ ଆଉ କିଏ ସାଜସଜା ଓ ଖାଇବାପିଇବାରେ ଉଡ଼ାନ୍ତି ଟଙ୍କା । ହେଲେ କେଉଁଠି ବିବାହ ଉତ୍ସବରେ ଟଙ୍କା ଉଡ଼ାଯାଉଥିବାର ଖବର ଶୁଣିଛନ୍ତି। ନା କେବେ ଶୁଣି ନଥିବେ। କେଉଁଠି ମଦଶାଳା ତ କେଉଁଠି ଡ୍ୟାନ୍ସ ବ୍ୟାରରେ ଟଙ୍କା ଉଡାଯାଉଥିବା ଦେଖିଥିବେ କିମ୍ବା ଶୁଣି ଥିବେ। କିନ୍ତୁ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏକ ବିବାହ ଶୋଭାଯାତ୍ରାରେ ଉଡିଛି ଟଙ୍କା। ଶହେ ନୁହେଁ କି ଦୁଇଶହ ନୁହେଁ ଉଡିଛି ପୂଳା ପୂଳା ଟଙ୍କା । ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟାଣ୍ଡ, ବାଜା ବଜାଇ ବର ପକ୍ଷ କନିଆ ଘର ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ବିବାହ ଆରମ୍ଭ ହୋଇଥିବା ବେଳେ କନିଆ ଘର ଛାତ ଉପରେ ତଥା ନିକଟରେ ଥିବା ଜେସିବି ଉପରେ ବର ଯାତ୍ରୀ ଚଢ଼ି ଯାଇଥିଲେ। ଏହାପରେ ସେମାନେ ଯାହା କଲେ ସମସ୍ତେ ଚକିତ ହୋଇଗଲେ।
କାରଣ କାଗଜ ଖଣ୍ଡ ଉଡ଼ିବା ପରି ଆକାଶରୁ ଉଡ଼ିଲା ଟଙ୍କା। ଛାତ ଉପରେ ତଥା ଜେସିବି ଉପରେ ଚଢ଼ିଯାଇଥିବା ବର ଯାତ୍ରୀ ଖାଲି ଶହେ, ଦୁଇ ଶହ ଓ ୫ଶହ ଟଙ୍କାର ନୋଟ୍ ବର୍ଷା କରିବାକୁ ଲାଗିଲେ। ଏପରି କରି ସେମାନେ ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ଶୁଣିବାକୁ ମିଳୁଛି। ତଳେ ଥିବା ଲୋକେ ଆଖି ପିଛୁଳାକେ ଏହି ସବୁ ନୋଟ୍ ଗୋଟାଇ ନେଇ ଯାଇଥିଲେ। ଅଫଜାଲ ଓ ଅରମାନଙ୍କ ବିବାହ ଉତ୍ସବରେ ଏପରି ଦେଖିବାକୁ ମିଳିଛି। ଏହି ବିବାହକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯାହାକୁ ନେଇ ବିଭିନ୍ନ ପ୍ରତିକ୍ରିୟାମାନ ମିଳିବାରେ ଲାଗିଛି। କେତେକ ଏହାକୁ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଏପରି ଟଙ୍କା ଉଡାଇ ନଷ୍ଟ କରିବା ଅପେକ୍ଷା ଗରିବଙ୍କୁ ବାଣ୍ଟିଦେଇଥିଲେ ଭଲ ହୋଇଥାନ୍ତା। ଅନ୍ୟ ଜଣେ କହିଛନ୍ତି ଏହି ଟଙ୍କାରେ ୪ଜଣ ଗରିବ ଝିଅଙ୍କ ବିବାହ ହୋଇପାରିଥାନ୍ତା। କେତେକ ଏହି ଘଟଣାରେ ଆୟକର ବିଭାଗ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି।
previous article: https://purvapaksa.com/shivering-darjiling-of-odisha/