ରାତିରେ ନିଦ ହେଉନାହିଁ କି ? ଯୋଗଗୁରୁ କରିପାରିବେ ଆପଣଙ୍କୁ ଶାନ୍ତିରେ ଶୋଇବାରେ ସାହାଯ୍ୟ | ଏହି 7ପ୍ରକାର ଯୋଗାସନ କରି ହୋଇପାରିବେ ଅନେକ ପ୍ରକାର ରୋଗରୁ ମୁକ୍ତ | ଆସନ୍ତୁ ବିସ୍ତାରରେ ଜାଣିବା କିପରି କରିବେ ଏହି ପ୍ରାଣାୟାମ ସବୁ ଓ କ’ଣ ରହିଛି ଏହାର ଫାଇଦା |
ଯଦି ଆପଣ ରାତିରେ ଭଲ ନିଦ ପାଆନ୍ତି ନାହିଁ, ତେବେ ଆପଣ ଦିନସାରା ଆପଣଙ୍କ ଶରୀରରେ ଭାରୀ ଅନୁଭବ କରନ୍ତି। କେବଳ ଏତିକି ନୁହେଁ, ଆପଣଙ୍କ ଚିନ୍ତା କରିବାର କ୍ଷମତା ମଧ୍ୟ ସ୍ପଷ୍ଟ ଭାବରେ ପ୍ରଭାବିତ ହୁଏ । ଯୋଗ ନିଦ୍ରା ଆସନ, ଶବାସନ, ସେତୁବନ୍ଧାନ, ଉତ୍ଥିତା ବାଲାସନ, ଭ୍ରାମରୀ, ଓମ୍ ନାଦ ପ୍ରାଣାୟମ ଏବଂ ବାୟୁ ଧ୍ୟାନ ଭଳି ଯୋଗ ଆସନ ଆପଣଙ୍କୁ ଭଲ ଏବଂ ଗଭୀର ନିଦ ପାଇବାରେ ସାହାଯ୍ୟ କରିପାରିବ ନେଇ କୁହନ୍ତି ବିଶେଷଜ୍ଞ |
ନିଦ କେବଳ ଶରୀର ପାଇଁ ବିଶ୍ରାମର ଏକ ମାଧ୍ୟମ ନୁହେଁ, ବରଂ ଏହା ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀର ସ୍ୱାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ। ଯଦି କେହି ନିଦ୍ରା ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ ହୁଏତ ତାଙ୍କ ମନ ସକ୍ରିୟ ରହିପାରେ କିନ୍ତୁ ତାଙ୍କ ଶରୀର କ୍ଳାନ୍ତ ରହିବ ଏବଂ ସାଧାରଣ କାର୍ଯ୍ୟ କରିବାରେ ମଧ୍ୟ ସେମାନଙ୍କୁ ଥକ୍କା ଓ ଅଳସ ପରି ଲାଗିବ | ଏପରି ପରିସ୍ଥିତିରେ ଯୋଗ ଶରୀରକୁ ଚାପ ଅବସ୍ଥାରୁ ସିଧାସଳଖ ଗଭୀର ଶାନ୍ତ ଅବସ୍ଥାକୁ ନେଇଯିବାର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇଯାଏ। ଆସନ୍ତୁ ଏହାକୁ ଆଉଟିକେ ପାଖରୁ ବୁଝିବା ଓ ଜାଣିବା |
୧. ଯୋଗ ନିଦ୍ରା ଆସନ
![]()
ଏହି ଆସନ ପାଇଁ, ଭୂଇଁ କିମ୍ବା ଏକ ସମତଳ ପୃଷ୍ଠରେ ଶୋଇ ପଡ଼ନ୍ତୁ ଏବଂ ଏକ ଆରାମଦାୟକ ସ୍ଥିତିରେ ଆପଣଙ୍କ ହାତକୁ ହାଲ୍କା ବାହାରକୁ ଖୋଲନ୍ତୁ। ଆପଣଙ୍କ ଗୋଡ଼କୁ ଆରାମ ଏବଂ ପରସ୍ପରଠୁ ଟିକିଏ ଦୂରତାରେ ରଖନ୍ତୁ । ଏହି ସ୍ଥିତିରେ, ଶରୀର ନିଷ୍କ୍ରିୟ ରହିଥାଏ, କିନ୍ତୁ ମନ ସଚେତନ ରହିଥାଏ। ଆପଣଙ୍କ ନାକ ମାଧ୍ୟମରେ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ ଏବଂ ଛାଡ଼ନ୍ତୁ । ଏହା ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବା ସହ ଚାପ ହ୍ରାସ କରିବା , ଶାରୀରିକ, ମାନସିକ ଏବଂ ଭାବପ୍ରବଣ ଶାନ୍ତିର ଭାବନା ଆଣିବ। ଏହା ମନକୁ ଗଭୀର ନିଦ୍ରାରେ ପ୍ରବେଶ କରିବାରେ ସାହାଯ୍ୟ କରିବ ।
୨. ଶବାସନ
![]()
ଅନ୍ୟାନ୍ୟ ଯୋଗ ଆସନ ତୁଳନାରେ ଏହା ଅପେକ୍ଷାକୃତ ସରଳ | ଏହା ସ୍ନାୟୁ ପ୍ରଣାଳୀ ଉପରେ ଏକ ଶକ୍ତିଶାଳୀ ପ୍ରଭାବ ପକାଏ । ଏଥିରେ ମୁହଁକୁ ଉପରକୁ କରି ଶୋଇବା ପରେ ହାତ ଓ ଗୋଡ଼କୁ ଦୁଇ ପାର୍ଶ୍ୱରେ ଆରାମ ଦାୟକ ସ୍ଥିତିରେ ଖୋଲା ରଖାଯାଏ | ଆଖି ବନ୍ଦ ରଖାଯାଏ । ଏହି ଆସନ ମସ୍ତିଷ୍କକୁ ଏକ ବାର୍ତ୍ତା ପଠାଏ ଯେ ଶରୀର ସୁରକ୍ଷିତ । ଏହି ଆସନରେ ମାଂସପେଶୀ ଗୁଡ଼ିକ ଆରାମ କରିବାକୁ ଆରମ୍ଭ କରନ୍ତି, ଚାପ ମୁକ୍ତ ହୁଅନ୍ତି ଏବଂ ନିଶ୍ୱାସ କୋମଳ ହୁଏ । ଏହି ଆସନ ପାରାସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରେ, ଯାହା ଶରୀରକୁ ଆରାମ ଏବଂ ସୁସ୍ଥ କରିବାରେ ସାହାଯ୍ୟ କରେ। ପ୍ରତିଦିନ ଅଭ୍ୟାସ କଲେ ଏହା ଶରୀରକୁ ଶୋଇବା ପୂର୍ବରୁ ଶାରୀରିକ ଏବଂ ମାନସିକ ଚାପ ମୁକ୍ତ କରିବାର ଅଭ୍ୟାସ ବିକଶିତ କରେ, ଯାହା ପାଇଁ ଭଲ ନିଦ ମଧ୍ୟ ଆସେ।
୩. ସେତୁ ବନ୍ଧାସନ
![]()
ଏହି ଆସନ ସମୟରେ ଛାତି କେନ୍ଦ୍ରିତ ରହିଥାଏ ଏବଂ ମେରୁଦଣ୍ଡ ଧୀରେ ଧୀରେ ବିସ୍ତାରିତ ହୋଇଥାଏ । ଯେତେବେଳେ ଶରୀରର ମଧ୍ୟଭାଗକୁ ଉପରକୁ ଉଠାଇ ଛାତି ଉପରକୁ ଉଠାଯାଇଥାଏ , ତାହା ଫୁସଫୁସର କ୍ଷମତାକୁ ଉନ୍ନତ କରିବା ସହ ଗଭୀର ଶ୍ୱାସକ୍ରିୟାକୁ ସହଜ କରିଥାଏ । ଏହା ଅମ୍ଳଜାନ ପ୍ରବାହକୁ ଉନ୍ନତ କରେ , ଯାହା ଶକ୍ତିକୁ ସନ୍ତୁଳିତ କରେ ଏବଂ ଥକାପଣ ମଧ୍ୟ ଦୂର କରେ । ଏହି ଆସନ ଥାଇରଏଡ୍ ଗ୍ରନ୍ଥି ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ | ଯାହା ନିଦ୍ରା ଶୈଳୀକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହି ଆସନ କରିବାରେ ସାମାନ୍ୟ କଠିନ ହୋଇଥିବାରୁ ଏହା ମେରୁଦଣ୍ଡର ହାଡ଼ର ଯନ୍ତ୍ରଣାକୁ ମଧ୍ୟ ଦୂର କରେ, ଯାହା ବ୍ୟକ୍ତିକୁ ଅଧିକ ବିଶ୍ରାମ ଦିଏ।
୪.ଉତ୍ଥିତା ବାଲାସନ
![]()
ଏହି ଆସନ ଆମ ଶରୀରକୁ ପ୍ରଚୁର ଆରାମ ପ୍ରଦାନ କରେ। ଏହି ଆସନ କରିବା ସମୟରେ, ଜଣେ ଆଣ୍ଠୁମାଡ଼ି ବସିଲା ପରେ ଆଗକୁ ନଇଁ କପାଳକୁ ଏକ ମାଟ୍ କିମ୍ବା କୁଶନ ଉପରେ ରଖି ତଳକୁ ରଖାଯାଏ ଯାହା ପେଟରେ ମୃଦୁ ଚାପ ସୃଷ୍ଟି କରେ। ଏହା ରକ୍ତଚାପ ଦୂର କରିବାରେ ସାହାଯ୍ୟ କରେ । ଏହା ସାରା ଦିନ ପିଠି ଏବଂ ଅଣ୍ଟାରେ ଜମା ହୋଇଥିବା ମାଂସପେଶୀର ଚାପକୁ ମଧ୍ୟ ମୁକ୍ତ କରେ। ଏହି ଆସନରେ ନିଶ୍ୱାସ ନେବା ଦ୍ୱାରା ହାଲୁକା ଅନୁଭବ ହୁଏ, ଚିନ୍ତା ହ୍ରାସ ହୁଏ ଏବଂ ଧୀରେ ଧୀରେ ମନ ଶାନ୍ତ ଓ ସ୍ଥିର ହୁଏ |
୫.ଭ୍ରାମରୀ ପ୍ରାଣାୟାମ
![]()
ଏଥିରେ ମୁହଁ ବନ୍ଦ କରି ଗଭୀର ନିଶ୍ୱାସ ନେବା ସହିତ ଏକ ଗୁଣୁଗୁଣ ଶବ୍ଦ ଉତ୍ପନ୍ନ କରାଯାଏ | ଏହା ଦ୍ୱାରା ସୃଷ୍ଟି ହୋଇଥିବା ଛୋଟ ଶବ୍ଦ କମ୍ପନ ଭେଗସ୍ ସ୍ନାୟୁକୁ ସକ୍ରିୟ କରେ, ଯାହା ଶରୀରକୁ ଆରାମର ଅବସ୍ଥାରେ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭ୍ରାମରୀ ହୃଦସ୍ପନ୍ଦନକୁ ସନ୍ତୁଳିତ କରିବାରେ ଏବଂ ଚିନ୍ତାକୁ ଶାନ୍ତ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ସ୍ନାୟୁତନ୍ତ୍ରକୁ ଆରାମ ଦିଏ, ଏବଂ ଶରୀର ଚିନ୍ତାମୁକ୍ତ କରି ସୁଖ ନିଦ୍ରା ପାଇଁ ପ୍ରସ୍ତୁତ କରିବା ଆରମ୍ଭ କରେ।
୬.ଓମ୍ ନାଦ ପ୍ରାଣାୟାମ
![]()
ଏହି ପ୍ରାଣାୟାମରେ ଗଭୀର ନିଶ୍ୱାସ ନେବା ପରେ, ବ୍ୟକ୍ତି ଓମ୍ ଶବ୍ଦ ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ଉପରେ ଧ୍ୟାନ ଦିଏ। ଶ୍ୱାସକ୍ରିୟାର ଗତି ମନ୍ଥର ହୋଇଯାଏ ଏବଂ ଶରୀର ଆରାମ ଅନୁଭବ ହେବା ଆରମ୍ଭ କରେ। ଓମ୍ ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ଛାତି ଏବଂ ମୁଣ୍ଡର ଗଭୀରରେ ଅନୁଭୂତ ହୁଏ, ଯାହା ମନରେ ଚିନ୍ତା ଠାରୁ ଧ୍ୟାନ ହଟେଇବାରେ ସାହାଯ୍ୟ କରେ। ଏହା ଭାବପ୍ରବଣ ଶକ୍ତିକୁ ସ୍ଥିର କରେ ଏବଂ ମନକୁ ଶାନ୍ତ କରେ, ଯାହା ଶରୀରକୁ ନିଦ୍ରା ପାଇଁ ଏକ ଆରାମ ଅବସ୍ଥାରେ ଫେରାଇ ଆଣିଥାଏ |
୭.ଶ୍ୱାସ ଧ୍ୟାନ
![]()
ଏହି ଆସନରେ ଜଣେ ବ୍ୟକ୍ତି ଆସୁଥିବା ଏବଂ ବାହାରୁଥିବା ଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ | ଏହା ଅଯଥା ଚିନ୍ତା ଓ ମନର ବିଚଳତାକୁ ବିରାମ ଦେଇ ବର୍ତ୍ତମାନକୁ ଫେରାଇ ଆଣେ। ଏହା ଅଧିକ ଚିନ୍ତା କରିବା ଦ୍ୱାରା ହେଉଥିବା ନିଦ୍ରାରେ ବ୍ୟାଘାତକୁ ଦୂର କରିଥାଏ। ମସ୍ତିଷ୍କ ହେଉଥିବା ତରଙ୍ଗ ଆମ ଚିନ୍ତା କରୁଥିବା ମସ୍ତିଷ୍କକୁ ଆରାମ ଦିଏ ଏବଂ ଶରୀର ଏକ ଶାନ୍ତ ନିଦ୍ରାର ଅବସ୍ଥାରେ ପଡ଼ିବା ଆରମ୍ଭ କରେ।
ତେବେ ବିଶେଷଜ୍ଞଙ୍କ ମତରେ ଏହି ଯୋଗିକ କୌଶଳ ସବୁ ଶରୀରକୁ ଶୋଇବାକୁ ବାଧ୍ୟ କରେ ନାହିଁ, ବରଂ ସ୍ୱାଭାବିକ ଭାବରେ ଏହାକୁ ଏପରି ସ୍ଥିତିରେ ଫେରାଇଆଣେ ଯେଉଁଥିରେ ଜଣେ ବ୍ୟକ୍ତି ଆରାମରେ ଶୋଇପାରିବ । ଯଦିଓ ଯେକୌଣସି ବ୍ୟକ୍ତି ଏହି ଆସନ କରିପାରିବେ , କିନ୍ତୁ ଯଦି ଆପଣ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟାଧି କିମ୍ବା ରୋଗ ଥାଏ ତେବେ ଏହି ସବୁ ପ୍ରାଣାୟାମ କରିବା ଆଗରୁ ଥରେ ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ।
also read : https://purvapaksa.com/pomegranate-benefits/
ଡାଳିମ୍ବ ଚୋପାରେ ଏମିତି ଚା’ ତିଆରି କରି ପିଅନ୍ତୁ ।। Pomegranate Benefits


