ସାଧାରଣତଃ ଆମେ ଡାଳିମ୍ବ ଖାଇ ସାରିଲେ ଏହାର ଚୋପାକୁ ଅବହେଳାରେ ଫିଙ୍ଗି ଦେଉଛୁ। କିନ୍ତୁ ଡାଳିମ୍ବ ଯେପରି ସ୍ୱାଦିଷ୍ଟ ଏବଂ ପୋଷକତତ୍ୱରେ ଭରପୂର । ସେହିପରି ଏହାର ଚୋପା ମଧ୍ୟ ଅନେକ ଔଷଧିୟ ଗୁଣରେ ଭରିଥାଏ । ଡାଳିମ୍ବରେ ଡାଏଟାରୀ ଫାଇବର, ଜିଙ୍କ, ପୋଟାସିୟମ୍, ଓମେଗା–୬ ଫ୍ୟାଟି ଏସିଡ୍ ଓ ଆଇରନ୍ ପରି ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ୱ ଥାଏ, ଯାହା ଶରୀରରେ ରକ୍ତ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଡାଳିମ୍ବ ଚୋପାରୁ ପ୍ରସ୍ତୁତ ଚା’ ମୋଟାପଣ କମାଇବାରେ ଏବଂ ଶରୀରରୁ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ଉପକାରୀ। ଏହି ଚୋପାରେ ଭରପୂର ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାର୍ଯ କରେ। ତେଣୁ ଆଗାମୀ ଦିନରେ ଡାଳିମ୍ବ ଚୋପାକୁ ଅବହେଳା କରିବା ପୂର୍ବରୁ ଏହାର ଉପକାରିତା ନିଶ୍ଚୟ ଜାଣିବା ଆବଶ୍ୟକ।
କିପରି ପ୍ରସ୍ତୁତ କରିବେ ଡାଳିମ୍ବ ଚୋପାର ଚା’?
ପ୍ରଥମେ ଡାଳିମ୍ବ ଚୋପାକୁ ସଫା ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ। ପରେ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଖରାରେ ଭଲଭାବେ ଶୁଖାନ୍ତୁ। ଚୋପା ପୂରା ଶୁଖିଗଲେ ଗ୍ରାଇଣ୍ଡରରେ ପିସି ପାଉଡର ତିଆରି କରନ୍ତୁ ଏବଂ ଏହାକୁ ଏକ ସୁକା ଡବାରେ ସଂରକ୍ଷଣ କରନ୍ତୁ।
ଚା’ ପ୍ରସ୍ତୁତ କରିବା ସମୟରେ ଏକ କପ୍ ପାଣି ଫୁଟାନ୍ତୁ ଏବଂ ତାହାରେ ଏକ ଚାମଚ ଡାଳିମ୍ବ ଚୋପା ପାଉଡର ଦିଅନ୍ତୁ। କିଛି ସମୟ ଫୁଟିଲେ ଏହାକୁ ଛାଣି ନିଅନ୍ତୁ। ସ୍ୱାଦ ବଢାଇବା ପାଇଁ ମହୁ ଓ ଲେମ୍ବୁ ରସ ମିଶାଇ ପାରିବେ। ଏହାକୁ ଗରମ ଗରମ ଚା’ ପରି ପିଇପାରିବେ।
ଡାଳିମ୍ବ ଚୋପାର ମୁଖ୍ୟ ଉପକାରିତା
ହୃଦୟ ସୁସ୍ଥ ରଖେ: ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବାରୁ ଏହା କୋଲେଷ୍ଟ୍ରଲ କମାଇ ହୃଦଘାତ ଆଶଙ୍କାକୁ ହ୍ରାସ କରେ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଡାଳିମ୍ବରେ ଥିବା ପଲିଫେନୋଲ୍ସ ଓ ଭିଟାମିନ୍ ଶରୀରର ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଏହି ଚା’ ନିୟମିତ ପାନ କରିଲେ ସାଧାରଣ ସଂକ୍ରମଣରୁ ସୁରକ୍ଷା ମିଳିପାରେ।
ଓଜନ ହ୍ରାସରେ ସାହାଯ୍ୟକାରୀ: ମେଦବହୁଳତାରେ ପୀଡିତ ଲୋକଙ୍କ ପାଇଁ ଏହା ଉପକାରୀ। ଏହି ଚା’ ଶରୀରର ଅତିରିକ୍ତ ଚର୍ବି କମାଇବାରେ ସହାୟକ ହୋଇପାରେ।
ଆଲଜାଇମର ଆଶଙ୍କା କମାଏ: କିଛି ଅଧ୍ୟୟନ ଅନୁସାରେ ଡାଳିମ୍ବ ଚୋପାରେ ଥିବା ଆଣ୍ଟି-ନ୍ୟୁରୋଡିଜେନେରେଟିଭ୍ ତତ୍ୱ ମଗଜ ସମ୍ପର୍କିତ ସମସ୍ୟା ବିଶେଷକରି ଆଲଜାଇମର ଆଶଙ୍କାକୁ ହ୍ରାସ କରିପାରେ।
ଏହା ସହ ଡାଳିମ୍ବ ଚୋପା ତ୍ୱଚା ପାଇଁ ମଧ୍ୟ ଲାଭକାରୀ ବୋଲି ପ୍ରମାଣିତ। ଏହାର ପାଉଡର ମାସ୍କ ଭାବେ ବ୍ୟବହାର କରିଲେ ତ୍ୱଚାର ଦୂଷିତତା କମି ଉଜ୍ଜ୍ୱଳତା ବଢ଼ିପାରେ। ସେହିପରି ଡାଳିମ୍ବ ଚୋପାକୁ ଅବହେଳା କରି ଫିଙ୍ଗି ଦେବା ପୂର୍ବରୁ ଏହାର ଉପକାରିତା ବିଷୟରେ ଭାବନ୍ତୁ। ସହଜ ପ୍ରକ୍ରିୟାରେ ଚା’ ପ୍ରସ୍ତୁତ କରି ନିୟମିତ ପାନ କଲେ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିପାରେ।
also readhttps://purvapaksa.com/rajyasabha-election-3/


