ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ପୋଲ ଉପରେ ଅଧା ଝୁଲି ରହିଗଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ । ଏହି ଅଘଟଣ ଆଜି ସକାଳ ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଅତାବିରା ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ ଏକ ଘରୋଇ ବସ୍ ସମ୍ଭଲପୁର ରୁ ବରଗଡ଼ ଅଭିମୁଖେ ଯାଉଥିଲା। ବସ୍ଟି ଦମ୍ଦମା ନଦୀ ପୋଲ ଉପରେ ପହଞ୍ଚିବା ସମୟରେ ଚାଳକ ହଠାତ୍ ଭାରସାମ୍ୟ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଫଳରେ ବସ୍ଟି ପୋଲର ସୁରକ୍ଷା ବାଡ଼ ଉପରକୁ ଚଢ଼ି ଅଧା ଝୁଲିଥିବା ଅବସ୍ଥାରେ ଅଟକିଯାଇଥିଲା।

ଘଟଣା ଘଟିବା ସହିତ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। କେତେକ ଯାତ୍ରୀ ଚିତ୍କାର କରିବା ସହିତ ଅନ୍ୟମାନେ ବସ୍ରୁ ବାହାରିବା ପାଇଁ ଉଦ୍ୟମ କରିଥିଲେ।
ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ତୁରନ୍ତ ସ୍ଥାନୀୟ ଲୋକମାନେ ଓ ପୋଲିସ ମିଶି ଆହତମାନଙ୍କୁ ଉଦ୍ଧାର କରି ଅତାବିରା କମ୍ୟୁନିଟି ସେଣ୍ଟରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କେତେକଙ୍କୁ ଛାଡ଼ା ଯାଇଥିଲା। ଗୁରୁତର ଆହତ କିଛି ଯାତ୍ରୀ ନିଜ ବ୍ୟବସ୍ଥାରେ ଅନ୍ୟ ଘରୋଇ ଡାକ୍ତରଖାନାକୁ ଯାଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବସ୍ଟି କିପରି ଭାବରେ ଭାରସାମ୍ୟ ହରାଇଲା ଏବଂ ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ, ସେଥିପାଇଁ ଯାଞ୍ଚ ଚାଲିଛି। ଚାଳକଙ୍କୁ ପଚରାଉଚରା କରାଯାଉଥିବା ବେଳେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏହି ଘଟଣା ପୁନର୍ବାର ଜାତୀୟ ରାଜପଥରେ ସୁରକ୍ଷା ବ୍ୟବସ୍ଥା ଓ ଚାଳକଙ୍କ ସତର୍କତା ଉପରେ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକମାନେ ପୋଲ ଉପରେ ସୁରକ୍ଷା ବାଡ଼କୁ ମଜବୁତ କରିବା ସହିତ ଯାତାୟାତ ନିୟନ୍ତ୍ରଣ ବୃଦ୍ଧି ପାଇଁ ଦାବି କରିଛନ୍ତି। ଭାଗ୍ୟକୁ ଧନ୍ୟବାଦ ଯେ ବସ୍ଟି ପୋଲ ତଳକୁ ଖସିନଥିଲା ଓ ଏକ ବଡ଼ ଅଘଟଣ ଏଡ଼ାଯାଇଛି। ସମୟୋଚିତ ଉଦ୍ଧାର କାର୍ଯ୍ୟ ଫଳରେ ଅନେକ ପ୍ରାଣ ବଞ୍ଚିଯାଇଥିବାରୁ ସ୍ଥାନୀୟମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
also read https://purvapaksa.com/haroscope-26/
ହୋଲି ପୂର୍ବରୁ ବୁଧଙ୍କ ପ୍ରଭାବ, ଏହି ୩ଟି ରାଶିଙ୍କୁ ମିଳିବ ଆର୍ଥିକ ଲାଭ ।। Haroscope


