୨୦୨୪ ନିର୍ବାଚନ ପରେ ଓଡ଼ିଶାର ଶାସନ କ୍ଷମତାରେ ଆସିଥିବା ନୂଆ ସରକାରଙ୍କଠାରୁ ଲୋକମାନେ ଯେଉଁ ପରିବର୍ତ୍ତନର ଆଶା କରିଥିଲେ, ସେହି ଆଶା ଏପର୍ଯ୍ୟନ୍ତ ମାଟିରେ ପାଦ ଦେଇପାରିନାହିଁ । ଶାସନର ନାମ ବଦଳିଛି, କିନ୍ତୁ ଢାଞ୍ଚା, ଧାରା ଓ ପ୍ରଶାସନିକ ମନୋଭାବ ଅଧିକାଂଶରେ ପୁରୁଣା ରହିଯାଇଛି । ସରକାର ବଦଳିଲେ ମଧ୍ୟ ପ୍ରଶାସନିକ ଶକ୍ତିକେନ୍ଦ୍ର, ନିଯୁକ୍ତି ପ୍ରକ୍ରିୟା, ଦାୟିତ୍ୱ ବଣ୍ଟନ ଓ ନୀତି ରୂପାୟଣରେ ପୁରୁଣା ଶାସନର ପ୍ରଭାବ ଏବେବି ସ୍ପଷ୍ଟ। ରାଜ୍ୟର ବିଭିନ୍ନ ସ୍ତରରେ ଆଜି ଯେଉଁ ପ୍ରଶ୍ନ ଉଠୁଛି, ସେହି ପ୍ରଶ୍ନଟି ସରଳ—ଓଡ଼ିଶାରେ ସତରେ ଶାସନ ବଦଳିଛି କି ମାତ୍ର ସରକାରର ନାମ?
ବିଜେଡି ମାର୍କା ପ୍ରଶାସନ ଓ ନୂଆ ସରକାରର ନିରବ ସମ୍ମତି
ନୂଆ ସରକାର ଆସିବା ପରେ ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଶା କରାଯାଇଥିଲା, ସେହିଟି ହେଉଛି ପ୍ରଶାସନିକ ପୁନର୍ଗଠନ । କିନ୍ତୁ ବାସ୍ତବତା ହେଉଛି—ଯେଉଁ ଅଫିସରମାନେ ପୂର୍ବରୁ ବିଜୁ ଜନତା ଦଳର ଶାସନକାଳରେ ଶକ୍ତିଶାଳୀ ଥିଲେ, ସେମାନେ ଏବେ ମଧ୍ୟ ନୂଆ ସରକାରରେ ସମାନ ଭାବରେ ପ୍ରଭାବଶାଳୀ ।
ଏହି ପରିପ୍ରେକ୍ଷିତରେ କିଛି ନିର୍ଦ୍ଦିଷ୍ଟ ନିଯୁକ୍ତି ଓ ଦାୟିତ୍ୱ ବଣ୍ଟନ ରାଜନୈତିକ ଓ ପ୍ରଶାସନିକ ମହଳାରେ ଅସ୍ୱସ୍ଥତା ସୃଷ୍ଟି କରିଛି । ଦୁଇଟି ରାଜସ୍ୱ ଡିଭିଜନର କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅତିରିକ୍ତ ଭାର ଦିଆଯିବା—ଏହା କେବଳ ଦାୟିତ୍ୱ ବୃଦ୍ଧି ନୁହେଁ, ଏହା ଶାସନର ଏକ କେନ୍ଦ୍ରୀକୃତ ଧାରାର ସୂଚନା।
ଯେଉଁ ବିଜେଡି ମାର୍କା ଅଫିସରମାନେ ବିଜୁ ଜନତା ଦଳ ପାଇଁ କାମ କରୁଥିଲେ ସେମାନେ ପୁଣି କ୍ଷମତାଶାଳୀ ହୋଇ ପ୍ରଶାସନପରେ ଏବେ ଗେହ୍ଲାପୁଅ ହୋଇ ରାଜ କରୁଛନ୍ତି । ତାଙ୍କ ମଧ୍ୟରେ ଅଛନ୍ତି ଉତ୍ତୁଙ୍ଗ ପୁରୁଷ ପୁସ୍ତକର ରଚୟିତା ସଂଗ୍ରାମ କେଶରୀ ମହାପାତ୍ର । ସେ ଜଣେ ବିଜେଡି ମାର୍କା ଅଫିସର ବୋଲି ବେଶ୍ ଜଣାଶୁଣା। ଏବେ ତାଙ୍କୁ ସରକାର ଦୂଇ ଦୁଟି ରାଜସ୍ୱ ଡିଭିଜନର କମିଶନର ଦାୟିତ୍ୱ ଦେଇଥିବାବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ମଧ୍ୟ ଦେଇଛନ୍ତି।
ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ—
ନୂଆ ସରକାର କାହିଁକି ପୁରୁଣା ପ୍ରଶାସନିକ ଚରିତ୍ରକୁ ଏତେ ଆସାନିରେ ଆଗକୁ ବଢ଼ିବାକୁ ଦେଉଛି?
କେବିକେ: ଅନୁନ୍ନତ ଅଞ୍ଚଳ, ଅନିଶ୍ଚିତ ପ୍ରଶାସନ
କେବିକେ—ଅର୍ଥାତ୍ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ। ପରେ ଏହାର ଆକାର ବଢ଼ି ୮ଟି ଜିଲ୍ଲାରେ ପହଞ୍ଚିଛି। ଆଦିବାସୀ ଅଧ୍ୟଷିତ, ସାମାଜିକ–ଆର୍ଥିକ ଭାବେ ପଛୁଆ ଏହି ଅଞ୍ଚଳ ପାଇଁ ବିଶେଷ ପ୍ରଶାସନିକ ଢାଞ୍ଚା ଗଢ଼ାଯାଇଥିଲା—ଯାହାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲେ ଜଣେ ମୁଖ୍ୟ ପ୍ରଶାସକ।
—-
କିନ୍ତୁ ଗତ କିଛି ବର୍ଷ ଧରି ଏହି ପଦବୀ ନିୟମିତ ଭାବରେ ପୂରଣ ହେଉନାହିଁ। ଅସ୍ଥାୟୀ ବ୍ୟବସ୍ଥାରେ କାମ ଚଳାଯାଉଛି, ଯାହା ଯୋଜନା ରୂପାୟଣରେ ଗୁରୁତର ବାଧା ସୃଷ୍ଟି କରୁଛି। ଅନେକ କୋଟି ଟଙ୍କାର ଯୋଜନା ଫାଇଲ ଭିତରେ ଅଟକି ରହୁଛି, କାରଣ ସିଧାସଳଖ ନିଷ୍ପତ୍ତି ନେବା ପାଇଁ ଜଣେ ସ୍ଥାୟୀ ଅଧିକାରୀ ନାହାନ୍ତି।
ଏଠାରେ ପ୍ରଶ୍ନ କେବଳ ପଦବୀର ନୁହେଁ, ପ୍ରଶ୍ନ ହେଉଛି ରାଜ୍ୟର ଦୃଷ୍ଟିଭଙ୍ଗୀର।
କୃଷି ଉତ୍ପାଦନ କମିଶନର: ଖାଲି ପଦ, ଭାଙ୍ଗିଥିବା ସମନ୍ୱୟ
୨୦୨୨ ପରେ ରାଜ୍ୟରେ କୃଷି ଉତ୍ପାଦନ କମିଶନର ପଦବୀ ଖାଲି। ଏହା କେବଳ ଏକ ପ୍ରଶାସନିକ ତଥ୍ୟ ନୁହେଁ, ଏହାର ସିଧା ପ୍ରଭାବ ପଡ଼ୁଛି କୃଷକ, ଫସଲ ବିବିଧିକରଣ, ଜଳସେଚନ ଯୋଜନା ଓ କୃଷି ଆଧାରିତ ଶିଳ୍ପ ଉପରେ।
ଯେଉଁ ରାଜ୍ୟରେ କୃଷି ଅର୍ଥନୀତିର ମୂଳ ଆଧାର, ସେହି ରାଜ୍ୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘ ସମୟ ଖାଲି ରହିବା—ଏହା ଶାସନର ଗୁରୁତ୍ୱ ଅଭାବକୁ ପ୍ରମାଣ କରେ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ନାମ ଅଛି, ଢାଞ୍ଚା ନାହିଁ
ପଶ୍ଚିମ ଓଡ଼ିଶାର ତ୍ବରିତ ବିକାଶ ପାଇଁ ଗଠିତ ବିକାଶ ପରିଷଦ—କାଗଜରେ ଏକ ବିଶାଳ ବ୍ୟବସ୍ଥା। ଅଧ୍ୟକ୍ଷ, ବିଧାୟକ, ସାଂସଦ, ବିଶେଷଜ୍ଞ—ସମସ୍ତଙ୍କ ସମନ୍ୱୟରେ ଏହା କାମ କରିବା କଥା। କିନ୍ତୁ ବାସ୍ତବତା ହେଉଛି, ଦୁଇ ବର୍ଷ ଧରି ଏହାର ପୂର୍ଣ୍ଣ ପରିଷଦ ଗଠନ ହୋଇନାହିଁ।
ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ଏହି ବ୍ୟବସ୍ଥା ଫଳରେ ନା ନୀତି ନିର୍ଣ୍ଣୟ ଦ୍ରୁତ ହେଉଛି, ନା ଅର୍ଥ ବ୍ୟୟ ସଫଳ ଭାବରେ ହେଉଛି।
କେନ୍ଦ୍ରୀଭୂତ ଶାସନ: ପୁରୁଣା ରାସ୍ତା, ନୂଆ ନାମ
ପୂର୍ବ ସରକାରର ଶେଷ ଦିନଗୁଡ଼ିକରେ ଶାସନକୁ ଯେଭଳି ଭାବରେ କେନ୍ଦ୍ରୀଭୂତ କରାଯାଇଥିଲା, ନୂଆ ସରକାର ମଧ୍ୟ ଠିକ ସେହି ରାସ୍ତାରେ ଚାଲୁଛି। ସବୁ ନିଷ୍ପତ୍ତି ଗୋଟିଏ କେନ୍ଦ୍ରରୁ, ସବୁ ଶକ୍ତି କିଛି ହାତରେ—ଏହି ପ୍ରବୃତ୍ତି ଗ୍ରାମ, ବ୍ଲକ ଓ ଜିଲ୍ଲା ସ୍ତରର ପ୍ରଶାସନକୁ ଦୁର୍ବଳ କରୁଛି।
ପରିବର୍ତ୍ତନ କେବେ?
ଶାସନ ବଦଳିଲେ ମାତ୍ର ଲୋକତନ୍ତ୍ର ସଫଳ ହୁଏନାହିଁ। ପରିବର୍ତ୍ତନ ଆସେ ଯେତେବେଳେ ଶାସନର ଢାଞ୍ଚା, ମନୋଭାବ ଓ ପ୍ରାଥମିକତା ବଦଳେ। ଆଜି ଓଡ଼ିଶାର ପ୍ରଶାସନିକ ଚିତ୍ର ଦେଖିଲେ ଲାଗୁଛି—ନୂଆ ସରକାର ପୁରୁଣା ଢାଞ୍ଚାରେ ହିଁ ଚାଲିବାକୁ ସୁବିଧାବୋଧ କରୁଛି।
ପ୍ରଶ୍ନ ଏକ—
ଏହି ରାଜ୍ୟରେ ପରିବର୍ତ୍ତନ କେବଳ ଭୋଟବକ୍ସରେ ସୀମିତ ରହିବ କି ପ୍ରଶାସନର ମନୋଭାବରେ ମଧ୍ୟ ପ୍ରତିଫଳିତ ହେବ?
also read https://purvapaksa.com/cuttack-katak-and-ravenshaw/


