ଭାରତୀୟ ଗଣତନ୍ତ୍ରର ହୃଦୟ ହେଉଛି ସଂସଦ। ଏହି ସଂସଦ କେବଳ ଆଇନ ପାସ୍ କରିବାର ଏକ ମଞ୍ଚ ନୁହେଁ, ବରଂ ଏହା ହେଉଛି ଲୋକଙ୍କ ସ୍ୱର, ପ୍ରଶ୍ନ, ଆପତ୍ତି ଓ ଆଶା–ଆକାଂକ୍ଷାର ସର୍ବୋଚ୍ଚ ପ୍ରତିନିଧି ମଞ୍ଚ। ସେହିପରି ଏହାର ପ୍ରତ୍ୟେକ ପ୍ରକ୍ରିୟା, ପ୍ରତ୍ୟେକ ପରମ୍ପରା ଓ ପ୍ରତ୍ୟେକ ଉଲ୍ଲଂଘନ ଦୂରଗାମୀ ପ୍ରଭାବ ସୃଷ୍ଟି କରେ। ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବା ଏକ ଏପରି ଘଟଣା, ଯାହା ତତ୍କାଳିକ ରାଜନୈତିକ ତର୍କକୁ ଅତିକ୍ରମ କରି ସଂସଦୀୟ ଗଣତନ୍ତ୍ରର ମୂଳ ଆତ୍ମା ଉପରେ ପ୍ରଶ୍ନ ଉଠାଇଛି।
![]()
ଏହି ଘଟଣାକୁ କେବଳ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଘଟିଥିବା ଏକ ଆଉ ଏକ ରାଜନୈତିକ ମୁହାଁମୁହିଁ ଭାବେ ଦେଖିବା ଭୁଲ ହେବ। ଏହା ଅସଲରେ ସଂସଦ କିପରି ଚାଲିବା ଉଚିତ, ଦାୟିତ୍ୱ କାହାର, ଏବଂ ଗଣତନ୍ତ୍ରରେ ସଂଯମ ଓ ସମ୍ମାନର ସ୍ଥାନ କ’ଣ- ସେସବୁ ଉପରେ ଏକ ଗଭୀର ଚର୍ଚ୍ଚାର ଆବଶ୍ୟକତାକୁ ଉଦ୍ଘାଂଟିତ କରେ।
କ’ଣ ସେ ଚର୍ଚ୍ଚା ହେବା ଆବଶ୍ୟକ ସେ ସମ୍ପର୍କରେ ଆଜିର ପଲଟିକାଲ ଭାଗବତରେ ଆଲୋଚନା କରିବା ଏବେ ପରମ୍ପରା ଓ ଗଣତନ୍ତ୍ର ମୂଲ୍ୟହୀନ ?
ଧନ୍ୟବାଦ ପ୍ରସ୍ତାବ: ସଂସଦୀୟ ଗଣତନ୍ତ୍ରର ଏକ ମୌଳିକ ଖୁଣ୍ଟ
ସମ୍ବିଧାନର ଧାରା ୮୭ ଅନୁଯାୟୀ, ପ୍ରତ୍ୟେକ ନୂଆ ଅଧିବେଶନ କିମ୍ବା ନିର୍ବାଚନ ପରେ ଗଠିତ ନୂଆ ଲୋକସଭାର ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ଉଭୟ ସଦନର ଯୁକ୍ତ ଅଧିବେଶନକୁ ସମ୍ବୋଧନ କରନ୍ତି। ଏହି ଅଭିଭାଷଣ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ କେଉଁ ଦିଗରେ ଦେଶକୁ ନେଇଯିବାକୁ ଚାହୁଁଛନ୍ତି- ତାହାର ଏକ ଅଧିକାରିକ ଘୋଷଣା କରିଥାନ୍ତି।
ଏହି ଅଭିଭାଷଣ ପରେ ଉଭୟ ସଦନରେ “ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ” ଅଣାଯାଏ। ଏହି ପ୍ରସ୍ତାବ ଉପରେ ଆଲୋଚନା ସମୟରେ ସାଂସଦମାନେ ସରକାରଙ୍କ ନୀତି, ଯୋଜନା, ପ୍ରତିଶ୍ରୁତି ଓ ବିଫଳତା ଉପରେ ଖୋଲାଖୋଲି ଭାବରେ ମତ ପ୍ରକାଶ କରନ୍ତି। ଏହି ଆଲୋଚନା ସରକାର ପାଇଁ ଏକ ପରୀକ୍ଷା ଭଳି, କାରଣ ସରକାର କିପରି ବିରୋଧୀଙ୍କ ଆଲୋଚନାକୁ ଗ୍ରହଣ କରୁଛି ଏବଂ ତାହାର ଉତ୍ତର ଦେଉଛି ତାହା ସଂସଦରେ ଦେଖିବାକୁ ମିଳିଥାଏ।

ପରମ୍ପରା ଅନୁଯାୟୀ, ଏହି ଆଲୋଚନାର ଶେଷରେ ପ୍ରଧାନମନ୍ତ୍ରୀ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ଦେଇ ସରକାରଙ୍କ ସ୍ଥିତି ସ୍ପଷ୍ଟ କରନ୍ତି। ଏହା ପରେ ପ୍ରସ୍ତାବକୁ ଭୋଟରେ ରଖାଯାଏ। ଏହି ଉତ୍ତର ସଂସଦୀୟ ଦାୟିତ୍ୱର ଏକ ମୂଳ ଅଂଶ।
ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ପ୍ରସ୍ତାବ ପାସ୍: ଘଟଣାକ୍ରମ
ସମ୍ପ୍ରତି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ସଦସ୍ୟଙ୍କ ତୀବ୍ର ପ୍ରତିବାଦ ଓ ବାଧା ଯୋଗୁଁ ଗୃହର କାର୍ଯ୍ୟ ସାଧାରଣ ଭାବରେ ଚାଲିପାରିନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବାକୁ ଉଠିବା ସମୟରେ ନାରାବାଜି, ଟ୍ରେଜେରୀ ବେଞ୍ଚ ଆଡ଼କୁ ଆଗେଇଯିବା ଓ ଅବିରତ ଆପତ୍ତି ଯୋଗୁଁ ଗୃହକୁ ମୁଲତବୀ କରାଯାଇଥିଲା।
ପରବର୍ତ୍ତୀ ଦିନ ଗୃହ ପୁନର୍ବାର ବସିବା ସମୟରେ ମଧ୍ୟ ପରିସ୍ଥିତି ସାଧାରଣ ହୋଇନଥିଲା। ଶେଷରେ ବାଚସ୍ପତି ସ୍ୱର ଭୋଟ ମାଧ୍ୟମରେ ଧନ୍ୟବାଦ ପ୍ରସ୍ତାବକୁ ଗୃହୀତ କରିଥିଲେ- ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା। ଏହି ଘଟଣା ସଂସଦୀୟ ଇତିହାସରେ ବିରଳ ହେଲେ ମଧ୍ୟ ଅଭୂତପୂର୍ବ ନୁହେଁ, କିନ୍ତୁ ଏହା ଗଣତନ୍ତ୍ରୀୟ ଆଚରଣ ନେଇ ଗଭୀର ଚିନ୍ତା ଉପସ୍ଥାପନ କରେ।
ପୂର୍ବ ଦୃଷ୍ଟାନ୍ତ: ୨୦୦୪ ମସିହା
ଭାରତୀୟ ସଂସଦର ଇତିହାସ ଦେଖିଲେ ଜଣାପଡ଼େ, ଏହା ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି, କିନ୍ତୁ ଅତ୍ୟନ୍ତ ବିରଳ ଭାବେ। ୨୦୦୪ ମସିହାରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ଲୋକସଭାରେ ବିପୁଳ ବାଧା ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇପାରିନଥିଲେ। ପରେ ସେ ସେହି ଘଟଣାକୁ ସ୍ମରଣ କରି ସେ ୨୦୦୫ ମସିହାରେ ସଂସଦରେ କହିଥିଲେ ଯେ ଏପରି ଘଟଣା ସଂସଦୀୟ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ। ଏହି ଦୃଷ୍ଟାନ୍ତ ଦେଖାଏ ଯେ ଆଇନତଃ ଏପରି ପ୍ରସ୍ତାବ ପାସ୍ ହେବା ସମ୍ଭବ ହେଲେ ମଧ୍ୟ, ପରମ୍ପରା ଓ ଆତ୍ମା ଦୃଷ୍ଟିରୁ ଏହା ଗଣତନ୍ତ୍ର ପାଇଁ ଭଲ ସଙ୍କେତ ନୁହେଁ।
ଆଇନ, ନିୟମ ଓ ପରମ୍ପରା: କ’ଣ କହେ ସମ୍ବିଧାନ ?
ଲୋକସଭାର କାର୍ଯ୍ୟନିୟମ କିମ୍ବା ସମ୍ବିଧାନରେ କେଉଁଠି ମଧ୍ୟ ଏହା ସ୍ପଷ୍ଟ ଭାବେ ଲେଖା ନାହିଁ ଯେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦେବା ଆଇନତଃ ଅନିବାର୍ଯ୍ୟ। କିନ୍ତୁ ସଂସଦୀୟ ପରମ୍ପରା ଏବଂ ଦୀର୍ଘଦିନର ଚର୍ଯ୍ୟା ଏହାକୁ ଏକ ନୈତିକ ଓ ରାଜନୈତିକ ଦାୟିତ୍ୱ ଭାବେ ଦେଖେ। ସଂସଦୀୟ ଗଣତନ୍ତ୍ର କେବଳ ସଂଖ୍ୟାଗତ ମତାଧିକ୍ୟର ଖେଳ ନୁହେଁ; ଏହା ଆଲୋଚନା, ପ୍ରତିତ୍ତର ଓ ଉତ୍ତରଦାୟିତ୍ୱର ଏକ ପ୍ରକ୍ରିୟା। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ସେହି ପ୍ରକ୍ରିୟାର ଏକ ମୂଳ ଖୁଣ୍ଟ।
ବିରୋଧୀ ଓ ଶାସକ: ଦୁହିଁଙ୍କ ଦାୟିତ୍ୱ
![]()
ଏହି ଘଟଣା ଦୁଇଟି ପ୍ରଶ୍ନକୁ ସାମ୍ନାକୁ ଆଣେ। ପ୍ରଥମତଃ, ବିରୋଧୀ ଦଳ କ’ଣ ନିଜ ଆପତ୍ତି ଓ ପ୍ରତିବାଦକୁ ଏପରି ଭାବରେ ପ୍ରକାଶ କରୁଛନ୍ତି, ଯାହା ସଂସଦକୁ ଅକାର୍ଯ୍ୟକ୍ଷମ କରିଦେଉଛି? ଦ୍ୱିତୀୟତଃ, ଶାସକ ପକ୍ଷ କ’ଣ ବିରୋଧୀଙ୍କ ଆଲୋଚନାକୁ ସହିବା ଓ ତାହାର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଧୈର୍ଯ୍ୟ ଓ ସାମ୍ବିଧାନିକ ସମ୍ମାନ ଦେଖାଉଛି?
ଗଣତନ୍ତ୍ରରେ ବିରୋଧୀ ହେଉଛି ଶତ୍ରୁ ନୁହେଁ; ସେ ହେଉଛି ଶକ୍ତି ସନ୍ତୁଳନର ଏକ ଅଂଶ। ସେହିପରି ଶାସକ ପକ୍ଷର ଦାୟିତ୍ୱ ହେଉଛି ବିରୋଧୀଙ୍କୁ ଶୁଣିବା ଏବଂ ଉତ୍ତର ଦେବା।
ଗଣତନ୍ତ୍ର ପାଇଁ ସନ୍ଦେଶ
ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଧନ୍ୟବାଦ ପ୍ରସ୍ତାବ ପାସ୍ ହେବା ଏକ ସତର୍କ ସଙ୍କେତ। ଏହା ଦର୍ଶାଏ ଯେ ସଂସଦୀୟ ସଂସ୍କୃତି ଧୀରେ ଧୀରେ ଆଲୋଚନାଠାରୁ ଅଧିକ ନାରାବାଜି ଓ ମୁହାଁମୁହିଁରେ ପରିଣତ ହେଉଛି।
ଏହି ଘଟଣା ଦୁଇଟି ଗଭୀର ପ୍ରଶ୍ନ ଉଠାଏ—
• ପ୍ରଥମତଃ, ବିରୋଧୀ ଦଳର ଅତ୍ୟଧିକ ବାଧା କ’ଣ ସଂସଦକୁ ନିଜ ମୂଳ ଦାୟିତ୍ୱରୁ ବଞ୍ଚିତ କରୁଛି?
• ଦ୍ୱିତୀୟତଃ, ଶାସକ ପକ୍ଷ କ’ଣ ସଂସଦୀୟ ଆଲୋଚନାକୁ ସହିବା ପାଇଁ ପର୍ଯ୍ୟାପ୍ତ ଧୈର୍ଯ୍ୟ ଓ ଇଚ୍ଛାଶକ୍ତି ଦେଖାଉଛି?
• ସଂସଦ ଚାଲିନାହିଁ ମାନେ କ୍ଷତି କେବଳ କୌଣସି ଦଳର ନୁହେଁ, କ୍ଷତି ହେଉଛି ଲୋକତନ୍ତ୍ରର।
• ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଯେ ସଂସଦରେ କଥା ହେଉ, ପ୍ରଶ୍ନ ହେଉ ଏବଂ ଉତ୍ତର ମିଳୁ।
ଏହି ଘଟଣା ଏକ ସ୍ମରଣ—ସଂସଦୀୟ ଗଣତନ୍ତ୍ର କେବଳ ଆଇନର ଗଠନ ନୁହେଁ, ଏହା ହେଉଛି ଆଚରଣ, ସଂଯମ ଓ ସମ୍ମାନର ଏକ ସଂସ୍କୃତି। ଶାସକ ଓ ବିରୋଧୀ- ଉଭୟ ଯଦି ନିଜ ଦାୟିତ୍ୱ ବୁଝି ଆଚରଣ କରନ୍ତି, ତେବେ ସଂସଦ ପୁଣି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ଭାବେ ନିଜ ମର୍ଯ୍ୟାଦା ରକ୍ଷା କରିପାରିବ।
also read https://purvapaksa.com/bjd-new-politics/


