ଲୁଣ,ମାନବ ସଭ୍ୟତାର ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୋଟିଏ ସମୟରେ କିଛି ସାମ୍ରାଜ୍ୟରେ ଲୁଣକୁ ଖଜଣା ଭାବରେ ଆଦାୟ କରାଯାଉଥିଲା । ମାତ୍ର ଶହେ ବର୍ଷ ତଳେ ଭାରତରେ ଗୋଟିଏ ଆନ୍ଦୋଳନ ହୋଇଥିଲା,ଯାହା ବ୍ରିଟିଶ ସାମ୍ରାଜ୍ୟର ମୁଳଦୁଆକୁ ଏକ ପ୍ରକାର ଦୋହଲାଇ ଦେଇଥିଲା । ତାହା ଥିଲା ମହାତ୍ମାଗାନ୍ଧୀଙ୍କର ଲବଣ ସତ୍ୟଗ୍ରହ । ମାନବ ଓ ପଶୁ ସମସ୍ତେ ବଂଚିବା ପାଇଁ ଲୁଣ ଆବଶ୍ୟକ କରନ୍ତି । କିନ୍ତୁ ଲୁଣର ଅଧିକ ବ୍ୟବହାର ବିପଦକୁ ଆମନ୍ତ୍ରଣ କରେ । ଆମେ ସମସ୍ତେ ଉଣା ଅଧିକେ ଜାଣିଛେ ଯେ, ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢିଥାଏ । ତେଣୁ ଡାକ୍ତର ଉଚ୍ଚରକ୍ତଚାପ ରୋଗୀଙ୍କୁ କମ ଲୁଣ ଖାଇବାକୁ କହିଥାନ୍ତି । କିନ୍ତୁ ଏବେ ବୈଜ୍ଞାନିକ ଏକ ନୂଆ ଆଶଙ୍କା ବ୍ୟକ୍ତ କଲେଣି । ନିକଟରେ ପ୍ରକାଶିତ ଏକ ଗବେଶଣ ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଇବା ଦ୍ୱାରା କ୍ୟାନସର ମଧ୍ୟ ହୋଇପାରେ । ଶୁଣିକି ଆପଣ ଚମକି ପଡିବେଣି ନିଶ୍ଚୟ । କିନ୍ତୁ ଗବେଶଣା ରିପୋର୍ଟ୍ ଏହା ହିଁ କହୁଛି ।
ଲୁଣ,କ୍ୟାନସରର କାରଣ ?
ଲୁଣ ବିନା ସବୁ ଖାଦ୍ୟ ଫିକା ଲାଗେ କିନ୍ତୁ ଖାଦ୍ୟରେ ଲୁଣର ଅତ୍ୟାଧିକ ବ୍ୟବହାର ଆମ ପାଇଁ ବିପଦ ସାଜିପାରେ । ଅତ୍ୟାଧିକ ଲୁଣ ସେବନ ଦ୍ବାରା ବ୍ଲଡପ୍ରେଶର, ହୃଦରୋଗ , ସ୍ନାୟୁ ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ । ନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ଅତ୍ୟାଧିକ ଲୁଣ ଖାଇଲେ ପେଟରେ କ୍ୟାନସର ହେବାର ଆଶଙ୍କା ବଢିଯାଇଥାଏ। WHO ମୁତାବିକ ବୟସ୍କ ବ୍ୟକ୍ତି ୫ଗ୍ରାମରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ । ହେଲେ ଆଜିକାଲି ଲୋକେ ଦିନକୁ ୯ରୁ ୧୨ଗ୍ରାମ ପର୍ଯ୍ୟନ୍ତ ଲୁଣ ସେବନ କରୁଛନ୍ତି । ଯାହା ବିପଦକୁ ନିମନ୍ତ୍ରଣ ଦେଉଛି । ଅତ୍ୟାଧିକ ଲୁଣ ସେବନ କରିବା ଦ୍ବାରା ଗ୍ୟାଷ୍ଟ୍ରିକ କ୍ୟାନସର ହୋଇଥାଏ । ଲୁଣରେ ଅତ୍ୟାଧିକ ମାତ୍ରାରେ ସୋଡିୟମ ରହୁଥିବାରୁ ଏହା ଆମ ଶରୀର ପାଇଁ ହାନିକାରକ ଅଟେ । ଯେତେବେଳେ ଆମ ରକ୍ତରେ ଅତିରିକ୍ତ ସୋଡିୟମ ହୋଇଥାଏ, ସେତେବେଳେ ଏହା ଆମ ରକ୍ତ ବାହିକାରେ ଜଳକୁ ଆକର୍ଷିତ କରିଥାଏ । ଯାହାଦ୍ବାରା ଉଚ୍ଚରକ୍ତଚାପ, ଅଷ୍ଟ୍ରିଓପାରାସିସ୍ ଏବଂ ହୃଦରୋଗ ଭଳି ସମସ୍ୟା ଦେଖାଯାଇଥାଏ ।
କେତେ ଲୋକଙ୍କ ଉପରେ ହୋଇଥିଲା ଗବେଶଣା ?
ଏହି ଗବେଷଣା ପାଇଁ ୪.୭୧ଲକ୍ଷ ଲୋକଙ୍କ ହେଲ୍ଥ ଡାଟା ବାହାର କରାଯାଇଥିଲା ଏବଂ ଏଥିରେ ଅତ୍ୟଧିକ ଲୁଣ ଖାଇବା ସହ କ୍ୟାନସର ମଧ୍ୟରେ କଣ ସମ୍ପର୍କ ଅଛି ତାହା ଅନୁଧ୍ୟାନ କରାଯାଇଥିଲା । ଏହି ରିସର୍ଚ୍ଚରୁ ଜଣାପଡିଲା ଯେ, ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଏହା ଗ୍ୟାଷ୍ଟ୍ରିକ୍ କର୍କଟ ହେବାର ଆଶଙ୍କା ବଢିଥାଏ । ବର୍ତ୍ତମାନ ସମାନ କଥା ୟୁରୋପୀୟମାନଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଯେତେବେଳେ ଏଠାକାର ଲୋକଙ୍କ ଉପରେ ଏହି ରିସର୍ଚ୍ଚ କରାଗଲା, ତେବେ ୬୪୦ ଲୋକଙ୍କୁ ଗ୍ୟାଷ୍ଟ୍ରିକ୍ କ୍ୟାନସର ହୋଇଥିବା ଜଣାପଡିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅତ୍ୟଧିକ ଲୁଣ ସେବନ କରୁଥିବା ଜଣାପଡିଛି । ଯଦିଓ ପେଟରେ କ୍ୟାନସର ହେବା ପଛରେ ଅନ୍ୟ କାରଣ ରହିଛି କିନ୍ତୁ ଅତ୍ୟଧିକ ଲୁଣ ଏହାର ମୁଖ୍ୟ କାରଣ ଅଟେ । ଆମେରିକା ମେଡିକାଲ ଏଜେନ୍ସିଙ୍କ ଅନୁଯାୟୀ, ଯଦି ଦୈନିକ ଆମ ଖାଦ୍ୟରୁ ଯଦି ଗୋଟେ ଚାମଚ ଲୁଣ କମାଇ ଦିଆଯାଏ , ତେବେ ଏହା ଦ୍ୱାରା ଶରୀରକୁ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିଥାଏ । ଏହା ଦ୍ୱାରା ହାଇ ବ୍ଲଡପ୍ରେସର କମ୍ ହେବା ସହ ଆନ୍ୟାନ୍ୟ ରୋଗର ଲକ୍ଷଣକୁ ମଧ୍ୟ ହ୍ରାସ କରିଥାଏ । ଏବଂ ବ୍ଲଡପ୍ରେସର ନଥିବା ବ୍ୟକ୍ତି ମଧ୍ୟ ଖାଦ୍ୟରେ ଲୁଣ କମ୍ ଖାଇଲେ ଅନେକ ଫାଇଦା ମିଳିପାରିବ ।
ଅଧିକ ଲୁଣ ମାନେ ଅଧିକ ସୋଡ଼ିୟମ
ଗବେଷକମାନେ କହିଛନ୍ତି ଯେ, ଆମେ ସମସ୍ତେ ଜାଣୁ ଯେ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା ଅନେକ ରୋଗର କାରଣ ଅଟେ । ଏପରିକି ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ ଏବଂ ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଥାଏ । ସେହିଭଳି ଅଧିକ ଲୁଣ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଆପଣ ଜାଣନ୍ତି କି, ଅଧିକାଂଶ ପ୍ୟାକେଟ୍ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ କରାଯାଏ ଏବଂ ସେଗୁଡ଼ିକରେ ଅତ୍ୟଧିକ ଲୁଣ ବ୍ୟବହୃତ ହୋଇଥାଏ । ଏହି ଜିନିଷଗୁଡ଼ିକରେ ଅଧିକ ସୋଡିୟମ୍ ଥାଏ, ଯାହା ଯୋଗୁଁ ଏହା ଦୀର୍ଘ ସମୟ ଯାଏଁ ଖରାପ ହୁଏ ନାହିଁ । କିନ୍ତୁ ଯେତେବେଳେ ଲୋକେ ଏହାକୁ ଖାଇଥାନ୍ତି, ସେମାନେ ଅଜାଣତରେ ଆବଶ୍ୟକତାଠାରୁ ଅଧିକ ସୋଡିୟମ୍ ଖାଇଥାନ୍ତି । ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଏହି ସମସ୍ତ କାରଣ ଆମ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ରିସର୍ଚ୍ଚରୁ ଜଣାପଡିଛି ।
କମ ଲୁଣ ଦ୍ୱାରା ସ୍ୱାଦ ଜାଣି ହୁଏ
ଖାଦ୍ୟରେ ଲୁଣ କମାଇବା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ତାହା ନୁହେଁ ବରଂ ଏହା ଆପଣଙ୍କ ସ୍ୱାଦକୁ ମଧ୍ୟ ଉତ୍ତମ କରିଥାଏ । ଯେତେବେଳେ ଲୋକମାନେ କମ୍ ଲୁଣ ଖାଇବା ଆରମ୍ଭ କରନ୍ତି, ସେମାନେ ଧୀରେ ଧୀରେ ଖାଦ୍ୟର ପ୍ରାକୃତିକ ସ୍ୱାଦକୁ ଉପଭୋଗ କରନ୍ତି ଏବଂ ଏହି କାରଣରୁ, ସେମାନେ ଲୁଣିଆ ଜିନିଷ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଖାଦ୍ୟରେ ଲୁଣ ହ୍ରାସ କରିବାର ଏକ ସହଜ ଉପାୟ ହେଉଛି, ଯେତେବେଳେ ଆପଣ ଅତିରିକ୍ତ ଲୁଣ ମିଶାଉଛନ୍ତି ତେବେ ଏହା ସହ ଗରମ ମସାଲା କିମ୍ବା ଲେମ୍ବୁ ଏବଂ ଅନ୍ୟାନ୍ୟ ସ୍ୱାଦଯୁକ୍ତ ଜିନିଷ ମିଶାନ୍ତୁ । ଏହା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଲୁଣ ଖାଇବାର ଇଚ୍ଛା ହ୍ରାସ କରିବ ।
Aslo read:https://purvapaksa.com/store-memories-except-brain/
