ଭାରତ–ଆମେରିକା ବାଣିଜ୍ୟ ସମ୍ପର୍କରେ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି । ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଶୁଳ୍କକୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି । ଏହି ଘୋଷଣା ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ମତାନୁସାରେ, ଆଗାମୀ ଦିନରେ ଏହି ଟାରିଫ ପୂରା ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ଓ କୂଟନୈତିକ ଆଲୋଚନା ପରେ ଏହି ଟାରିଫ ହ୍ରାସ ଘୋଷଣା କରାଯାଇଥିବା ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ତାଙ୍କ କଥାନୁସାରେ, ଏହି ଚୁକ୍ତି ଦୁଇ ଦେଶର ମଧ୍ୟରେ ବନ୍ଧୁତ୍ୱ, ସମ୍ମାନ ଓ ସହଯୋଗର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ।
ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ କମାଇବା ବଦଳରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ କମାଇବାକୁ ରାଜି ହୋଇଛି । ଏହି ବାଣିଜ୍ୟ ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି—ଭାରତ ଏବେ ରୁଷିଆଠାରୁ ଶସ୍ତା ଅଶୋଧିତ ତେଲ କିଣିବା ବନ୍ଦ କରିବ କିମ୍ବା ବହୁତ କମାଇ ଦେବ । ଏହାର ବଦଳରେ ଭାରତ ଆମେରିକାଠାରୁ ତେଲ ଓ ଗ୍ୟାସ୍ କିଣିବ ।
ଟ୍ରମ୍ପ କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ରୁଷିଆର ଆୟ କମିବ ଏବଂ ୟୁକ୍ରେନ ଯୁଦ୍ଧ ଶେଷ କରିବା ଦିଗରେ ସହାୟକ ହେବ । ଏହା ସହ ଭାରତ–ଆମେରିକା ବାଣିଜ୍ୟ ଚୁକ୍ତି ଦୁଇ ଦେଶର ଅର୍ଥନୀତିକୁ ଅଧିକ ମଜବୁତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଚୁକ୍ତି ଅନୁସାରେ, ଭାରତ ଆଗାମୀ ଦିନରେ ଆମେରିକାଠାରୁ ପ୍ରାୟ ୫୦୦ ବିଲିୟନ୍ ଡଲାରର ସାମଗ୍ରୀ କିଣିବାକୁ ପ୍ରତିଶ୍ରୁତି ଦେଇଛି । ଏଥିରେ ତେଲ, କୋଇଲା, ପ୍ରଯୁକ୍ତିବିଦ୍ୟା ଓ କୃଷି ଜାତ ଦ୍ରବ୍ୟ ସାମିଲ ରହିଛି । ଏହା ଭାରତୀୟ ଅର୍ଥନୀତି ସହିତ ସହିତ ଆମେରିକୀୟ ରପ୍ତାନିକୁ ମଧ୍ୟ ବଡ଼ ସୁଯୋଗ ଦେବ ।
ଟ୍ରମ୍ପ ନିଜ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ “ଜଣେ ଶକ୍ତିଶାଳୀ ଓ ସମ୍ମାନଜନକ ନେତା” ବୋଲି ଅଭିହିତ କରିଛନ୍ତି । ସେ ଲେଖିଛନ୍ତି, “ମୋଦି ଓ ମୁଁ କାମ କରିବାରେ ବିଶ୍ୱାସ କରୁ । ଏହି ଚୁକ୍ତି ବନ୍ଧୁତ୍ୱ ଓ ସମ୍ମାନର ପ୍ରତୀକ ।”
ଟାରିଫ ହ୍ରାସ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, “ଦୁଇଟି ବଡ଼ ଅର୍ଥନୀତି ଯଦି ଏକାଠି କାମ କରନ୍ତି, ତେବେ ବିଶ୍ୱ ପାଇଁ ବଡ଼ ସୁଯୋଗ ସୃଷ୍ଟି ହୁଏ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଟ୍ରମ୍ପଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ।”ଏହି ଘୋଷଣା ପରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ, ଏହା ଭାରତ–ଆମେରିକା ବାଣିଜ୍ୟ ଡିଲକୁ ଆହୁରି ନିକଟତର କରିବ ଏବଂ ଆଗାମୀ ଦିନରେ ସମ୍ପର୍କ ନୂଆ ଉଚ୍ଚତାକୁ ପହଞ୍ଚିବ ।
also read https://purvapaksa.com/gold-rate-today-3/


