ଭାରତୀୟ ରାଜନୀତିରେ ବେଳେ ବେଳେ ଏମିତି ମୁହୂର୍ତ୍ତ ଆସେ, ଯେଉଁଠାରେ ଶକ୍ତିଶାଳୀ ନେତା ନିଜ ରାଜନୈତିକ ସ୍ଥିତିକୁ ମଜବୁତ କରିବା ନାମରେ ଏମିତି ଭୁଲ ପଦକ୍ଷେପ ନିଅନ୍ତି, ଯାହାର ଦୀର୍ଘମିଆଦୀ ଲାଭ ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦୀ ପାଇଁ ସଂରକ୍ଷିତ ହୋଇଯାଏ । ଆଜିର ଭାରତୀୟ ରାଜନୀତିରେ ଏହିଭଳି ପରିସ୍ଥିତିରେ ଠିଆ ହୋଇଛନ୍ତି; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ।
ଗତ ଦୁଇ ଦଶନ୍ଧି ଧରି ନରେନ୍ଦ୍ର ମୋଦୀଙ୍କ ସବୁଠାରୁ ବଡ଼ ରାଜନୈତିକ ସମ୍ପଦ ହେଉଛି କଂଗ୍ରେସର ଦୁର୍ବଳତା। ରାହୁଲ ଗାନ୍ଧୀ ଯେ ପର୍ଯ୍ୟନ୍ତ କଂଗ୍ରେସର ମୁଖ୍ୟ ଚେହେରା ହୋଇ ରହିବେ, ସେ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ପାଇଁ ରାଜନୈତିକ ମଞ୍ଚ ସହଜରେ ନିର୍ବାଚନ ଜିତିବା ପାଇଁ ସୁବିଧାଜନକ ହୋଇ ରହିବ। ଏହି ଦୁର୍ବଳତାର ପ୍ରତୀକ ଭାବେ ରାହୁଲ ଗାନ୍ଧୀଙ୍କୁ ବିଜେପି ଏକ “ନନ୍–ସିରିଅସ୍ ନେତା”, “ଅପରିପକ୍ୱ ଉତ୍ତରାଧିକାରୀ” ଓ “ବଂଶବାଦର ମୁହଁ” ଭାବରେ ପ୍ରୋଜେକ୍ଟ କରିଆସିଛି । ୨୦୧୪, ୨୦୧୯ ଏବଂ ଏପର୍ଯ୍ୟନ୍ତ ୨୦୨୪—ତିନିଟି ଲଗାତାର ନିର୍ବାଚନରେ ଏହି ନାରେଟିଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ସର୍ବଶକ୍ତିଶାଳୀ ରାଜନେତା ଭାବେ ସ୍ଥାପିତ କରିଥିବାବେଳେ ରାହୁଲ ଗାନ୍ଧୀଙ୍କୁ ପରାଜିତ ନେତା ଭାବରେ ପ୍ରମାଣିତ କରିଛି।

ଏହି ଦୁର୍ବଳତାର ପ୍ରତୀକ ଭାବେ ରାହୁଲ ଗାନ୍ଧୀଙ୍କୁ ବିଜେପି ଦୀର୍ଘ ଦିନ ଧରି ପ୍ରୋଜେକ୍ଟ କରିଆସୁଛି। ଏହାର ସୁଫଳ ନିର୍ବାଚନରେ ବାରମ୍ବାର ମୋଦୀ ହାସଲ କରିବା ସହିତ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଛନ୍ତି। କିନ୍ତୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ପରିବେଶକୁ ଦେଖିଲେ ଆଜି ପ୍ରଶ୍ନ ଉଠୁଛି- ମୋଦୀ ନିଜେ କ’ଣ ସେହି ରାହୁଲଙ୍କ ‘ରାଜନୈତିକ ଋଣ’ ଶୁଝିବା ପଥରେ ଅଜାଣତରେ ଆଗୁଆ ହୋଇପଡ଼ିଛନ୍ତି କି?
ମୋଦୀ ପରେ କିଏ? ଆରଏସଏସ–ବିଜେପିର ଅସ୍ପଷ୍ଟତା
ବିଜେପିର ଭିତର ନିୟମ ଅନୁସାରେ ଏକ ନିର୍ଦ୍ଧିଷ୍ଟ ବୟସ ପରେ ନେତାମାନଙ୍କୁ ସକ୍ରିୟ ରାଜନୈତିକ ଦାୟିତ୍ୱରୁ ଅପସରି ଯିବାକୁ ପଡ଼େ। ମୋଦୀ ନିଜେ ଏହି ନିୟମକୁ ଦଳରେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଲାଗୁ କରିଥିଲେ। ଯାହାଫଳରେ ଦଳର ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ଭଳି ବରିଷ୍ଠ ନେତାମାନେ ସକ୍ରିୟ ରାଜନୀତିରୁ ଅଲଗା ହୋଇଗଲେ। ଏବେ ସେହି ନିୟମ ମୋଦୀଙ୍କ ପାଇଁ ଅସୁବିଧାର କାରଣ ହେଉଛି।

ଆଜି ସେହି ନିୟମ ମୋଦୀଙ୍କ ପାଇଁ ଏକ ଅସୁବିଧାଜନକ ପ୍ରଶ୍ନ ହୋଇ ଉଠିଛି; ମୋଦୀ ଅବସର ନେଲେ କିଏ ପ୍ରଧାନମନ୍ତ୍ରୀ ହେବେ- ଏହି ପ୍ରଶ୍ନ ବିଜେପି ଭିତରେ ଏକ ଖୋଲା ରହସ୍ୟ ହୋଇ ରହିଛି। ମୋଦୀଙ୍କ ଖାସ୍ ଅନୁଗତ ଅମିତ ଶାହଙ୍କ ନାଁ ସ୍ୱାଭାବିକ ଭାବରେ ଆଗକୁ ଆସୁଛି। କିନ୍ତୁ ଆରଏସଏସ ଶାହଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛୁକ ନୁହେଁ- ଏହା ଦଳୀୟ ମହଲ ଓ ସଂଘ ମଧ୍ୟରେ ଖୋଲାଖୋଲି ଚର୍ଚ୍ଚା ହେଉଛି।
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଆରଏସଏସ–ବିଜେପି ମଧ୍ୟରେ ଏହି ଅସ୍ପଷ୍ଟତା ଦଳ ଓ ସଂଗଠନ ଭିତରେ ଏକ ଗୁପ୍ତ ଅସ୍ଥିରତା ସୃଷ୍ଟି କରୁଛି। ଏହାର ପରିଣାମସ୍ୱରୂପ, ଦଳ ନିଜର ପାରମ୍ପରିକ ଭୋଟ ବ୍ୟାଙ୍କକୁ ପୁନର୍ଗଠନ କରିବା, ନୂଆ ସମୀକରଣ ତିଆରି କରିବା ଏବଂ କିଛି ପୁରୁଣା ଗୋଷ୍ଠୀକୁ ଅସନ୍ତୁଷ୍ଟ କରି ନୂଆ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାର ଖେଳ ଆରମ୍ଭ କରିଛି।
ୟୁଜିସି ‘ସମାନତା ନିୟମ ୨୦୨୬’: ଦଳର ନୀତି କି ବିଧ୍ୱଂସ ରାଜନୀତି?

ଏହି ପରିପ୍ରେକ୍ଷୀରେ ୟୁଜିସିର ନୂଆ ‘ସମାନତା ନିୟମ ୨୦୨୬’ କେବଳ ଏକ ଶିକ୍ଷାନୀତି ନୁହେଁ, ବରଂ ଏକ ଗଭୀର ରାଜନୈତିକ ବାର୍ତ୍ତାରେ ପରିଣତ ହୋଇଛି। ଏହି ନିୟମ ଆସିବା ପରେ ସାରାଦେଶରେ ଉଚ୍ଚଜାତି- ବିଶେଷକରି ବ୍ରାହ୍ମଣ, ରାଜପୁତ, କରଣ, ଠାକୁରମାନଙ୍କ ଭଳି ପାରମ୍ପରିକ ବିଜେପି ସମର୍ଥକ ଗୋଷ୍ଠିମାନଙ୍କ ମଧ୍ୟରେ ଅସନ୍ତୋଷ ଏବେ ଶୀର୍ଷରେ ପହଞ୍ଚଛି। ଏବେ ସେମାନେ ମୋଦୀ ସରକାର ବିରୋଧରେ ରଣହୁଂକାର ଦେବାରେ ଲାଗିଛନ୍ତି। ଏପରିକି ଆଗାମୀ ନିର୍ବାଚନରେ ବିଜେପି ବିରୋଧରେ କାମ କରି ହରାଇବାର ଯୋଜନା ବି ପ୍ରସ୍ତୁତ କରିସାରିଲେଣି।
ନିୟମର ମୂଳ ଉଦ୍ଦେଶ୍ୟ- ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବକୁ ରୋକିବା। ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ହେଉଥିବା କଥାକୁ ସହଜରେ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଏହି ନିୟମର ରୂପରେଖା, କମିଟି ଗଠନର ଢାଞ୍ଚା ଓ ପ୍ରତିନିଧିତ୍ୱର ସମୀକରଣ ଦେଶର ଉଚ୍ଚଜାତି ଗୋଷ୍ଠୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

ଅଭିଯୋଗ ଅନୂସାରେ ନିର୍ବାଚନୀ ଫାଇଦା ପାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଓବିସି ଚେହେରା ବୋଲାଉଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମାଧ୍ୟମ କରିଛନ୍ତି। ସୁପ୍ରିମକୋର୍ଟ ଆଳ ଦେଖାଇ ୟୁଜିସି ନିୟମରେ ଓବିସି, ଏସସି, ଏସଟି ଭଳି ପଛୁଆବର୍ଗଙ୍କୁ ନିର୍ଦ୍ଧିଷ୍ଟ ସୁରକ୍ଷା ଓ ପ୍ରତିନିଧିତ୍ୱ ଦେବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସାଧାରଣ/ଉଚ୍ଚଜାତି ପାଇଁ ସେହିପରି ସ୍ପଷ୍ଟ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏହି ଗୋଷ୍ଠୀ ନିଜକୁ ଅଲଗା କରାଯାଉଥିବା ଅନୁଭବ କରିବା ସହିତ ଅସୁରକ୍ଷିତ ମନେକରୁଛି। ଏଥିପାଇଁ ଏବେ ୟୁଜିସିର ସମାନତା ଆଇନ -୨୦୨୬ ବିରୋଧରେ ସମଗ୍ର ଦେଶର ଉଚ୍ଚଜାତିମାନେ ଏକାଠି ହେବାରେ ଲାଗିଛନ୍ତି।
ଉଚ୍ଚଜାତି ଭୋଟ: ବିଜେପିର ମଜବୁତ ଆଧାର
ଦେଶର ପ୍ରାୟ ୨୮ର ୩୦% ଭାରତୀୟ ଭୋଟର ସାଧାରଣ/ଉଚ୍ଚଜାତି ଗୋଷ୍ଠୀର ଅଛନ୍ତି। ଏହି ସଂଖ୍ୟା ରାଜ୍ୟ ଓ ବୟସ ଅନୁସାରେ ଭିନ୍ନ ହୋଇପାରେ, କିନ୍ତୁ ରାଜନୈତିକ ଗୁରୁତ୍ୱ ପ୍ରଥମରୁ ଅପରିମାପ୍ୟ ରହିଆସିଛି।
୨୦୨୪ ସାଧାରଣ ନିର୍ବାଚନର ସର୍ଭେ ତଥ୍ୟ ଅନୁସାରେ:
• ପ୍ରାୟ ୬୦% ଆତ୍ମ-ପରିଚିତ ଉଚ୍ଚଜାତି ଭୋଟର ଏନଡିଏକୁ ସମର୍ଥନ କରିଥିଲେ।
• ୫୩% ସିଧାସଳଖ ବିଜେପିକୁ ସମର୍ଥନ କରିଥିଲେ।
• ୭% ଏନଡିଏ ସହଯୋଗୀଙ୍କୁ ସମର୍ଥନ କରିଥିଲେ।
ଏହି ଗୋଷ୍ଠୀ ଦୀର୍ଘ ଦିନ ଧରି ବିଜେପିର ‘କୋର୍ ଭୋଟ ବ୍ୟାଙ୍କ’ ଭାବରେ ପରିଚିତ ହୋଇ ଆସୁଛି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାର ଅର୍ଥ ହେଲା- ବିଜେପି ନିଜ ପାଦ ତଳୁ ମାଟି ନିଜ ଜାଣତରେ ଖୋଳିବାରେ ଲାଗିଛି। ଯାହା ଫଳରେ ଫାଇଦା ବିରୋଧୀ ଦଳ ନେବ ବୋଲି କୁହାଯାଉଛି।
ଓବିସି ରାଜନୀତି ଓ ମୋଦୀଙ୍କ ଗଣନା

ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ—ଦୁହେଁ ଓବିସି ପୃଷ୍ଠଭୂମିର ନେତା। ଦଳ ଭିତରେ ଗୋଟିଏ ଧାରଣା ଅଛି ଯେ ଉଚ୍ଚଜାତି ଭୋଟରମାନଙ୍କର ବିକଳ୍ପ ନାହିଁ। ତେଣୁ ସେମାନେ କୌଣସି ପରିସ୍ଥିତିରେ ବି ବିଜେପିକୁ ଛାଡ଼ିବେ ନାହିଁ କି ଅନ୍ୟ ଦଳକୁ ସମର୍ଥନ କରିବେ ନାହିଁ। ତେଣୁ ଓବିସି, ଏସସି, ଏସଟି ଭୋଟକୁ ଅଧିକ ମଜବୁତ କରିବା ପାଇଁ ଉଚ୍ଚଜାତି ଅସନ୍ତୋଷକୁ ଏବେ ବିଜେପି ରଣନୀତିରେ ଅଗ୍ରାହ୍ୟ କରାଯାଉଛି। କିନ୍ତୁ ରାଜନୀତିରେ ଏପରି ଘଟଣାକୁ ଜୁଆ ଭାବରେ ଦେଖାଯାଏ। କାରଣ ଉଚ୍ଚଜାତି ଭୋଟର ଯଦି ପୂରାପୂରି ବିଜେପି ବିରୋଧରେ ଯାଆନ୍ତି ନାହିଁ, ତଥାପି ଯଦି ସେମାନେ ଭୋଟ ଦେବାରୁ ମୁହଁ ଫେରାନ୍ତି କିମ୍ବା ନିରବ ରହନ୍ତି, ତେବେ ତାହାର ଫଳାଫଳ ନିର୍ବାଚନରେ ନିଶ୍ଚିତ ଭାବରେ ବିଜେପି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ରାହୁଲ ଗାନ୍ଧୀଙ୍କ ଅପେକ୍ଷାକୃତ ଲାଭ
ଏହି ସମସ୍ତ ରାଜନୈତିକ ଘଣ୍ଟା ଚକଟାରେ ଗୋଟିଏ କଥା ସ୍ପଷ୍ଟ ହେବାରେ ଲାଗିଛି, ତାହା ହେଲା ୟୁଜିସିର ‘ସମାନତା ନିୟମ ୨୦୨୬’ ବିବାଦରୁ ଯେ କେହି ଲାଭବାନ ହେଉ କି ନ ହେଉ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ନିଶ୍ଚିତ ଭାବରେ ଲାଭବାନ ହେବାକୁ ଯାଉଛି। କଂଗ୍ରେସଙ୍କୁ ଯେଉଁ ଉଚ୍ଚଜାତି ଭୋଟର ଦୀର୍ଘ ଦିନ ଧରି ଦୂରେଇ ରଖିଥିଲେ, ସେମାନଙ୍କ ପାଖରେ ଏବେ ଏକ ମନୋବୈଜ୍ଞାନିକ ଅସନ୍ତୋଷ ଅଛି। କଂଗ୍ରେସ ଯଦି ସେହି ଅସନ୍ତୋଷକୁ ସଠିକ୍ ଭାବେ ରାଜନୈତିକ ଭାଷା ଓ ସମର୍ଥନ ଦେଇପାରେ, ତେବେ ଦୀର୍ଘ ଦିନ ପରେ ଏହି ଭୋଟ ବ୍ୟାଙ୍କର ଏକ ବଡ଼ ଅଂଶ କଂଗ୍ରେସ ଆଡ଼କୁ ଫେରିଆସିପାରେ।
ମୋଦୀଙ୍କ ଚାଲ୍, ରାହୁଲଙ୍କ ସୁଯୋଗ
ମୋଦୀ ଯଦି ଭାବୁଛନ୍ତି ଯେ ରାହୁଲ ଗାନ୍ଧୀ ସବୁବେଳେ ସହଜ ପ୍ରତିଦ୍ୱନ୍ଦୀ ରହିବେ, ତେବେ ଇତିହାସ କହୁଛି—ରାଜନୀତିରେ ସବୁଠାରୁ ବଡ଼ ଭୁଲ ହେଉଛି ପ୍ରତିଦ୍ୱନ୍ଦିକୁ ହାଲକା ଭାବେ ନେବା। ୟୁଜିସି ‘ସମାନତା ନିୟମ ୨୦୨୬’ ଯଦି ବିଜେପିର ଉଚ୍ଚଜାତି ଭୋଟ ବ୍ୟାଙ୍କରେ ଫାଟ ସୃଷ୍ଟି କରେ, ତେବେ ଏହା ଇତିହାସରେ ଏକ ଅଜବ ବିରୋଧାଭାସ ଭାବେ ଲେଖାଯିବ- ରାହୁଲଙ୍କ ରାଜନୈତିକ ଉଧାରର ଋଣ ଶୁଝିଲେ ନରେନ୍ଦ୍ର ମୋଦୀ।
also read https://purvapaksa.com/the-states-development-money-is-now-in-the-bank/
The state’s development money is now in the bank || ରାଜ୍ୟର ବିକାଶ ଟଙ୍କା ଏବେ ବ୍ୟାଙ୍କରେ

